ଅଳିଆ ଉଠା ଗାଡ଼ିରେ ବାଜିବ ସଚେତନତା ବାର୍ତ୍ତା

ବ୍ରହ୍ମପୁର : ପୁଲିସ ପରିଚୟ ଦେଇ ଦୁର୍ବୃତ୍ତମାନେ ବ୍ରହ୍ମପୁର ସହରର ବରିଷ୍ଠ ନାଗରିକ ଓ ମହିଳାଙ୍କ ଠାରୁ ସୁନା ଅଳଙ୍କାର ଲୁଟି ନେଉଛନ୍ତି। ଏଥିରେ ସହରବାସୀ ଅତିଷ୍ଠ ହୋଇପଡିଲେଣି। ପୁଲିସର ସମସ୍ତ ପ୍ରୟାସ ଫେଲ ମାରିଛି। ଗତ କିଛିମାସ ହେବ ସହରରେ ନକଲି ପୁଲିସ ସାଜି ଏକ ଅପରାଧୀ ଗ୍ୟାଙ୍ଗ ବେଧଡକ ଭାବେ କାରନାମା ଜାରି ରଖିଛନ୍ତି। ନକଲି ପୁଲିସ କବଳରେ ପଡ଼ି ଏକାଧିକ ବ୍ୟକ୍ତି ମୂଲ୍ୟବାନ ସମ୍ପତ୍ତି ହରାଇଲେଣି। ଦୁର୍ବୃତ୍ତମାନେ କିଏ ଓ ସେମାନେ କେଉଁଠୁ ଆସିଛନ୍ତି ତାହା ଜାଣିବା ବ୍ରହ୍ମପୁର ପୁଲିସ ପାଇଁ କାଠିକର ପାଠ ହୋଇପଡ଼ିଛି। ଦିନକୁ ଦିନ ଏହା ଚିନ୍ତାର କାରଣ ପାଲଟିଛି। ନିଜ ସମ୍ମାନ ବଞ୍ଚାଇବାକୁ ପୁଲିସ ଯଥୋଚିତ ଉଦ୍ୟମ ଜାରି ରଖିଛି। ଏଭଳି ସ୍ଥିତିରେ ସହରବାସୀଙ୍କୁ ସଚେତନ କରିବାକୁ ତଥା ନକଲି ପୁଲିସଠାରୁ ଲୋକଙ୍କୁ ବଞ୍ଚାଇବାକୁ ବ୍ରହ୍ମପୁର ପୁଲିସ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ପୁଲିସ ଗାଡିରେ ଲାଗିଥିବା ମାଇକ ଯୋଗେ ଲୋକଙ୍କୁ ସଚେତନ କାର୍ଯ୍ୟକ୍ରମ ଚାଲୁ ରହିଥିବା ବେଳେ ୨୨ଟି ବାଇକ ପାଟ୍ରୋଲିଂ ଟିମ୍‍ ମଧ୍ୟ ଗଠନ ହୋଇଛି। ଏହା ସହ ବିଏମସି ପକ୍ଷରୁ ଅଳିଆ ସଂଗ୍ରହ ପାଇଁ ପ୍ରତ୍ୟେକ ଗଳିକନ୍ଦିରେ ବୁଲୁଥିବା ଗାଡି ଯୋଗେ ସଚେତନତା ବାର୍ତ୍ତା ପହଞ୍ଚାଇବାକୁ ବ୍ରହ୍ମପୁର ପୁଲିସ ପକ୍ଷରୁ ଯୋଜନା ହୋଇଛି।
‘ଆଜ୍ଞା ଟିକେ ଶୁଣିବେ। ଆମେ ହେଉଛୁ ପୁଲିସ। ଆଗରେ ଯାଞ୍ଚ ଚାଲିଛି ଆଉ ଆପଣ ସୁନା ପିନ୍ଧି କୁଆଡେ ଯାଉଛନ୍ତି। ଯାଞ୍ଚରୁ ବର୍ତ୍ତିବାକୁ ହେଲେ ଆମ ପାଖରେ ସୁନା ରଖିଦେଇ ଯାଆନ୍ତୁ, ପରେ ଆପଣଙ୍କ ଘରକୁ ଯାଇ ସୁନା ଫେରାଇ ଦିଆଯିବ’। ଠିକ୍‍ ଏଭଳି ଢଙ୍ଗରେ ଦୁର୍ବୃତ୍ତମାନେ ସହରବାସୀଙ୍କ ଠାରୁ ସୁନା ଅଳଙ୍କାର ଲୁଟ କରୁଛନ୍ତି। ବିଶେଷ କରି ରାସ୍ତାରେ ଚାଲି ଚାଲି ଯାଉଥିବା ବରିଷ୍ଠ ନାଗରିକ ଓ ମହିଳାଙ୍କୁ ଦୁର୍ବୃତ୍ତମାନେ ଟାର୍ଗେଟ କରୁଛନ୍ତି। ବର୍ଷକ ଭିତରେ ବ୍ରହ୍ମପୁରର ବିଭିନ୍ନ ସ୍ଥାନରେ ଏଭଳି ୬ ରୁ ଅଧିକ ଘଟଣା ଘଟିିଛି। ଆଉ ସବୁ ଲୁଟରେ ଦୁବୃର୍ତ୍ତମାନେ ସମାନ ତରିକା ଆପଣାଇଛନ୍ତି। ଖଲ୍ଲିକୋଟ କଲେଜ ଛକ ନିକଟରେ ବର୍ଷେ ତଳେ ପ୍ରାତଃଭ୍ରମଣ ସାରି ଚାଲି ଚାଲି ଘରକୁ ଫେରୁଥିବା ଜଣେ ମହିଳା ଏଭଳି ଲୁଟର ଶିକାର ହୋଇଥିଲେ। କିଛିମାସ ତଳେ ବଡ଼ବଜାର ଅଞ୍ଚଳର ଜଣେ ବୟସ୍କ ମହିଳା ମନ୍ଦିରରୁ ଘରକୁ ଫେରୁଥିବା ବେଳେ ଲୁଟିଆ ଗ୍ୟାଙ୍ଗ କବଳରେ ପଡ଼ି ସୁନା ହାର ହରାଇଥିଲେ। ଗଜପତିନଗର ଛକରେ ମଧ୍ୟ ବରିଷ୍ଠ ନାଗରିକ ଦମ୍ପତିଙ୍କ ଠାରୁ ସୁନା ଅଳଙ୍କାର ଲୁଟ ହୋଇଥିଲା। ଜୁଲାଇ ୪ ତାରିଖରେ ହାଉସିଂବୋର୍ଡ ରାସ୍ତାରେ ଜଣେ ଅବସରପ୍ରାପ୍ତ ଶିକ୍ଷକ ଦୁର୍ବୃତ୍ତଙ୍କ ହାବୁଡ଼ରେ ପଡ଼ି ହାତରେ ପିନ୍ଧିଥିବା ୩ଟି ସୁନା ମୁଦି ହରାଇଥିଲେ। ତେଣୁ ସଚେତନତାକୁ ବ୍ୟାପକ କରିବାକୁ ବ୍ରହ୍ମପୁର ମହାନଗର ନିଗମ(ବିଏମସି) କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରି ଅଳିଆ ଉଠା ଗାଡିରେ ଲାଗିଥିବା ମାଇକ ଯୋଗେ ନକଲି ପୁଲିସଠାରୁ ଦୂରରେ ରହିବାକୁ ଲୋକଙ୍କୁ ସଚେତନ କରାଯିବାକୁ ଯୋଜନା ହୋଇଥିବା ଟାଉନ ଏସଡିପିଓ ବିଷ୍ଣୁପ୍ରସାଦ ପତିଙ୍କ ଠାରୁ ସୂଚନା ମିଳିଛି। ବିଏମସିର ଅଳିଆ ଉଠା ଗାଡି ସହରର ୪୦ଟି ୱାର୍ଡର ପ୍ରତ୍ୟେକ ଗଳିକନ୍ଦିରେ ବୁଲୁଥିବାରୁ ପୁଲିସର ଉଦ୍ଦେଶ୍ୟ ସଫଳ ହେବ ବୋଲି ଅନୁମାନ କରାଯାଉଛି।

Comments are closed.