
ମାଗଣାର ମୂଲ୍ୟ

ଭୁବନେଶ୍ଵର: ଆଜିକାଲି ନିଃଶୁଳ୍କ ସେବା ଉପଲବ୍ଧ ହେଉଥିବାର ବିଜ୍ଞାପନମାନ ପ୍ରାୟତଃ ଦୃଷ୍ଟିଗୋଚର ହେଉଛି। ହେଲେ ନିଃଶୁଳ୍କ କହିଲେ ଯାହା ବୁଝାଯାଏ ତା’ର ସଂଜ୍ଞା ବଦଳି ଗଲାଣି। ନିଃଶୁଳ୍କ ଶବ୍ଦଟିର ସାଧାରଣ ଅର୍ଥ ଶୁଳ୍କବିହୀନ, ବିନାମୂଲ୍ୟ ବା ମାଗଣା; କିନ୍ତୁ ସାମ୍ପ୍ରତିକ ପରିପ୍ରେକ୍ଷୀରେ ଟିକେ ତଳେଇ କରି ଦେଖିଲେ ଏହାର ବ୍ୟାବହାରିକ ଅର୍ଥର ବାସ୍ତବତା ନଜରକୁ ଆସେ।ଏ ସମ୍ପର୍କରେ କେତୋଟି ଦୃଷ୍ଟାନ୍ତର ଅବତାରଣା କରାଯାଇପାରେ। ଘରୋଇ ଉଦ୍ୟମରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିରର ବିଶେଷ ଆୟୋଜନ କରାଯାଉଥିବା ଭଳି ବିଜ୍ଞାପନମାନ ମଝିରେ ମଝିରେ ଦେଖିବାକୁ ବା ଜାଣିବାକୁ ମିଳେ। ସେଥିରେ ଉତ୍ସାହିତ ହୋଇ ଲୋକଟିଏ ସେଠାକୁ ଗଲେ ମାଗଣା ପରାମର୍ଶ ଅବଶ୍ୟ ମିଳେ; କିନ୍ତୁ ତା’ର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ପରୀକ୍ଷା କରେଇ ନେବା ପାଇଁ ଯେଉଁ ତାଲିକାଟି ଧରେଇ ଦିଆଯାଏ ସେଥିପାଇଁ କେତେ ଖର୍ଚ୍ଚ ହେବ ସେହି ଚିନ୍ତା ତାକୁ ଘାରେ। କେତେକ ବ୍ୟାଙ୍କ ନିଃଶୁଳ୍କ ଋଣ, ସବ୍ସିଡି, ଫ୍ରି ବ୍ୟାଙ୍କିଂ ସୁବିଧା, ୦% ସୁଧର ଆଶ୍ବାସନା ଦେଇ କ୍ଲରିକାଲ୍ ଚାର୍ଜ, କମିସନ, ପ୍ରାଥମିକ ଦେୟ, ପ୍ରୋସେସିଂ ଫି, ବ୍ୟାଡ ଡେବ୍ଟ ରିଜର୍ଭ ଭଳି ବିଭିନ୍ନ ଉପାୟରେ ଶୁଳ୍କ ଆଦାୟ କରନ୍ତି ଏବଂ ଏଟିଏମ୍, ନେଟ୍ ବ୍ୟାଙ୍କିଂ ଇତ୍ୟାଦିର ବ୍ୟବସ୍ଥା ମାଗଣାରେ ଆରମ୍ଭ କରି କ୍ରମେ ମୂଲ୍ୟଯୁକ୍ତ କରି ଦିଅନ୍ତି। ଅନେକ ଚତୁର ବ୍ୟବସାୟୀ ଗୋଟିଏରେ ଗୋଟିଏ ଫ୍ରି, ବିଲକୁଲ୍ ମୁଫତ୍, ଫ୍ରି ସେଲ୍, ଡେମୋ ବା ପ୍ରମୋ ସେଲ୍, ଷ୍ଟକ୍ କ୍ଲିଅରାନ୍ସ ପାଇଁ ହେଭି ଡିସ୍କାଉଣ୍ଟ, ଋତୁକାଳୀନ ରିଆତି, ନୂତନ ଉତ୍ପାଦ, ନୂତନ ବଜାର ପ୍ରବେଶ ଇତ୍ୟାଦି କହି ବିଜ୍ଞାପନ ଦେଉଥିବାର ଭିତିରି କଥା ପ୍ରାୟ ସମସ୍ତଙ୍କୁ ଜଣା। କେତେକ କ୍ଷେତ୍ରରେ ଚାହିଦାରେ ଥିବା ଜିନିଷକୁ ମାଗଣାରେ ପଠେଇବା ପାଇଁ ପ୍ରଲୋଭିତ କରି ଭିପିପି ମାଧ୍ୟମରେ ତା’ର ମୂଲ୍ୟଠାରୁ ଅଧିକ ନେବା ଭଳି ଘଟଣା ଅନେକ ଜାଣିଥିବେ। ସେହିପରି ଅନ୍ଲାଇନ୍ ଟ୍ରେଡିଂ ମାଧ୍ୟମରେ ହେଉଥିବା ଠକାମି ଏବେ ତ ଏକ ନିତିଦିନିଆ ଘଟଣା ହୋଇଗଲାଣି। କିଛି ଲୋକ ମାଗଣାରେ ଗୋଡ଼ମୋଡ଼ା, ମସାଜ୍, ସ୍ପା, ମାଲିସ୍, ସାଲୁନ୍ ଇତ୍ୟାଦିର ଲୋଭ ଦେଖେଇ ସୁବିଧା ଦେଖି ସର୍ବସ୍ବାନ୍ତ କରନ୍ତି। ନିଃଶୁଳ୍କ ଯୋଗ ଶିକ୍ଷା ମାଧ୍ୟମରେ ରୋଗ ଉପଶମ ପାଇଁ ଆକୃଷ୍ଟ କରି ବିଭିନ୍ନ ଦ୍ରବ୍ୟର ବ୍ୟବସାୟ କରିବା ତ ଏକ ଜଣାଶୁଣା କଥା। କେତେକ ସ୍ବେଚ୍ଛାସେବୀ ସଂସ୍ଥା ତଥା ଏନ୍ଜିଓ ନିଃଶୁଳ୍କ ସେବା ପ୍ରଦାନ ବାହାନାରେ ବିଭିନ୍ନ ଉପାୟରେ ଅର୍ଥ ଆଦାୟ କରନ୍ତି। ଏପରି କି ସରକାରୀ ଯୋଜନାରେ ମାଗଣା ସେବା ଯୋଗାଇଦେବାର ବ୍ୟବସ୍ଥା ଥିଲେ ବି କେତେକ କର୍ମକର୍ତ୍ତା ନାନା ଆଳରେ ହିତାଧିକାରୀଙ୍କଠାରୁ ଉତ୍କୋଚ ନିଅନ୍ତି। କେତେକ ଶିକ୍ଷାନୁଷ୍ଠାନ ମାଗଣାରେ ଶିକ୍ଷା ପ୍ରଦାନ ପାଇଁ ଘୋଷଣା କରି କେବଳ ମାସିକ ସ୍କୁଲ ଫି ଛାଡ଼ କରନ୍ତି; କିନ୍ତୁ ଉନ୍ନୟନ ପାଣ୍ଠି, ଅନୁବନ୍ଧନ ଦେୟ ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଆଳରେ ପ୍ରାପ୍ୟ ଆଦାୟ କରିବାର ବ୍ୟବସ୍ଥା ଖଞ୍ଜି ଦେଇଥାନ୍ତି। ବେଳେବେଳେ ବିଭିନ୍ନ ସଭାସମିତିରେ ମୁଖ୍ୟବକ୍ତା କିମ୍ବା ସମ୍ମାନିତ ଅତିଥି ଭାବରେ ଯୋଗଦେବା ପାଇଁ ନିମନ୍ତ୍ରଣ କରି ସଭା ଚାଲିଥିବା ଭିତରେ ସମ୍ପୃକ୍ତ କର୍ମକର୍ତ୍ତାମାନେ ତା’ର ପରିଚାଳନା ନିମନ୍ତେ ଆବଶ୍ୟକ ହେଉଥିବା ଅର୍ଥର ଅଭାବ ବିଷୟରେ ପରୋକ୍ଷ ଭାବରେ ଏଭଳି ସଙ୍କେତ ଦିଅନ୍ତି ଯେ ନିମନ୍ତ୍ରିତ ଭଦ୍ରବ୍ୟକ୍ତି କିଛି ଆର୍ଥିକ ସହାୟତା ଘୋଷଣା କରିବାକୁ ବିବଶ ହୋଇପଡ଼ନ୍ତି। ସେହିପରି ସାହିତ୍ୟ କୃତି ପାଇଁ ପୁରସ୍କୃତ କରିବାର ସୂଚନା ଦେଇ କିଛି ଅନୁଷ୍ଠାନ ସାହିତ୍ୟିକଙ୍କୁ ଅନୁଷ୍ଠାନକୁ କିଛି ଦାନ ଦେବାକୁ ପ୍ରକାରାନ୍ତରେ ଅନୁରୋଧ କରନ୍ତି।
ଆଜିକାଲି ବିଭିନ୍ନ ବାବା କିମ୍ବା ମାତା ନିଜର କିଛି ଅନୁଗତ ଶିଷ୍ୟ ଓ ଶିଷ୍ୟାଙ୍କ ମାଧ୍ୟମରେ ସେମାନଙ୍କର ଅଲୌକିକ ଶକ୍ତି ସମ୍ବନ୍ଧରେ ପ୍ରଚାର କରି ସାଧାରଣ ଲୋକଙ୍କୁ ମାଗଣାରେ ଶିଷ୍ୟତ୍ବ ଗ୍ରହଣ କରେଇ ପରେ ଶୋଷିବାରେ ଲାଗନ୍ତି। ପରିସ୍ଥିତି ଏପରି ହେଲାଣି ଯେ ଧାର୍ମିକ ଅନୁଷ୍ଠାନ ଓ ଆଧ୍ୟାତ୍ମିକ ଚିନ୍ତାଧାରା ବି ସେଥିରୁ ମୁକ୍ତ ରହୁନି। କାର୍ଯ୍ୟକ୍ରମ ଶେଷ ହେବା ପୂର୍ବରୁ ପ୍ରତ୍ୟେକଙ୍କ ହାତରେ ଗୋଟିଏ ଗୋଟିଏ ଖାଲି ଲଫାପା ଧରେଇ ଦେଇ ଯଥାଶକ୍ତି ଦର୍ଶନୀ ଦେବାକୁ ସଙ୍କେତ ଦିଅନ୍ତି। ସ୍ଥଳ ବିଶେଷରେ ପ୍ରବଚକମାନେ ନିଜେ ବି କଥା କହିବା ପାଇଁ ମୂଲ୍ୟ ନିଅନ୍ତି। ସାମାଜିକ ସ୍ତରରେ ଅନୁଷ୍ଠିତ ହେଉଥିବା ବିଭିନ୍ନ ମାଙ୍ଗଳିକ ଉତ୍ସବର ନିମନ୍ତ୍ରଣ ପତ୍ରରେ କୌଣସି ପ୍ରକାରର ଉପଢ଼ୌକନ ପ୍ରଦାନ ପାଇଁ କେବେକେବେ ବାରଣ କରାଯାଇଥିଲେ ବି ସେଥିରୁ କେହି ନିବୃତ୍ତ ହୁଅନ୍ତି ନାହିଁ।
ନିଃଶୁଳ୍କ ବା ମାଗଣା ସେବା ଆଦାନ ପ୍ରଦାନ କଥା ଚିନ୍ତା କଲାବେଳେ ପୁରାତନ କଥାଟିଏ ମନେପଡ଼ିଯାଏ। ଜଣେ ରାଜାଙ୍କ ଦରବାରରେ ଅନେକ ବର୍ଷ ଧରି କାମ କରୁଥିଲେ ଜଣେ ସିରସ୍ତାଦାର। କ୍ରମେ ବୃଦ୍ଧ ହୋଇଯିବାରୁ ତାଙ୍କୁ ଚାକିରିରୁ ଅବସର ଦିଆଗଲା। ଅବସର ନେଲା ଦିନ ବିଦାୟ ନେଲାବେଳେ ସେ ରାଜାଙ୍କୁ ଅନୁରୋଧ କଲେ, ‘ମଣିମା ! ଏତେ ବର୍ଷ ଧରି ଦରବାରରେ ରହିଥିଲି ତ ହଠାତ୍ ତାକୁ ଛାଡ଼ି ଦୂରେଇ ଯିବାର ଦୁଃଖ ସହ୍ୟ କରିପାରୁନି। ଆପଣ ଯଦି ଅନୁମତି ଦିଅନ୍ତେ ମୁଁ ଆଉ କିଛିଦିନ ପାଇଁ ଦରବାରକୁ ଆସନ୍ତି। କାମ ତ କିଛି ନାହିଁ, ଖାଲି କିଛି ସମୟ ଦରବାରରେ ବସିଲା ପରେ ଆପେ ଚାଲିଯିବି। ତା’ ଭିତରେ ଦରକାର ପଡ଼ିଲେ କିଛି କାମରେ ସାହାଯ୍ୟ ବି କରିବି; କିନ୍ତୁ ସେଥିପାଇଁ କିଛି ପାରିଶ୍ରମିକ ମାଗିବିନି। ଯାହା କାମ ବତେଇବେ ସବୁ ବିଲ୍କୁଲ୍ ମାଗଣାରେ କରିବି।’ ସେଥିରେ ଅରାଜି ହେବାର କିଛି ନଥିଲା। ରାଜା ସଙ୍ଗେସଙ୍ଗେ ସମ୍ମତି ପ୍ରଦାନ କରିଦେଲେ। ଏଥରକ ଲୋକଟି ପୂର୍ବ ଭଳି ଦରବାରକୁ ଯିବା ଆସିବା କଲା। ରାଜା ଦରବାରର ମଞ୍ଚରେ ଉପସ୍ଥିତ ଥିବାବେଳେ ଲୋକଟି ତାଙ୍କ ଆସ୍ଥାନରୁ ଅଳ୍ପ ଛାଡ଼ି ଟିକେ ପଛରେ ଛିଡ଼ା ହୋଇ ରହେ। ତା’ର ବର୍ଷ ବର୍ଷର ଅଭିଜ୍ଞତା ହେତୁ ରାଜାଙ୍କର କେଉଁ ନିଷ୍ପତ୍ତି ସକାରାତ୍ମକ ହେବ ଏବଂ କେଉଁଟି ନକାରାତ୍ମକ ହେବ ସେ ତାଙ୍କ ମୁଖମଣ୍ଡଳରୁ ଅନୁମାନ କରିନେଇ ସେହି ଅନୁସାରେ ନିଜର ମୁଖଭଙ୍ଗୀ ଦେଖାଏ। ଅର୍ଥାତ୍ ସକାରାତ୍ମକ ନିଷ୍ପତ୍ତି ପାଇଁ ମୁଣ୍ଡ ଟୁଙ୍ଗାରେ ଏବଂ ନକାରାତ୍ମକ ପାଇଁ ମୁଣ୍ଡ ହଲାଏ। ରାଜା ତାକୁ ଦେଖନ୍ତିନି; କିନ୍ତୁ ସାମ୍ନାରେ ଥିବା ଦର୍ଶକମାନେ ତାକୁ ଦେଖିପାରନ୍ତି। ତାଙ୍କ ଅଙ୍ଗଭଙ୍ଗୀକୁ ଦେଖି ଲୋକମାନେ ଧରି ନିଅନ୍ତି ଯେ ରାଜା ବୋଧହୁଏ ସେହି ଲୋକଟିର ଇଙ୍ଗିତରେ ପରିଚାଳିତ ହୋଇ ନିଷ୍ପତ୍ତି ନେଉଛନ୍ତି, ଯେଉଁଥିପାଇଁ ତା’ର ଅବସର ପରେ ବି ତାକୁ ଛାଡ଼ିପାରୁନାହାନ୍ତି। କ୍ରମେ ଏହା ଏକ ବିଶ୍ବାସରେ ପରିଣତ ହୋଇ ସବୁଆଡ଼େ ବ୍ୟାପିଗଲା ଏବଂ ରାଜାନୁଗ୍ରହ ପ୍ରାପ୍ତି ଆଶାରେ ବିଭିନ୍ନ ଲୋକ ତଥା ଅନୁଷ୍ଠାନ ତରଫରୁ ଉପଢ଼ୌକନମାନ ତା ନିକଟକୁ ଆସିବାରେ ଲାଗିଲା। ଫଳରେ ଦିନ କେଇଟା ଭିତରେ ସେ ଲକ୍ଷପତି ବନିଗଲା। ଉଲ୍ଲିଖିତ ଘଟଣାବଳୀରୁ ନିଃଶୁଳ୍କ ଶବ୍ଦଟିର ଆକ୍ଷରିକ ଅର୍ଥ ଏବଂ ସେଥିରେ ଅନ୍ତର୍ନିହିତ ବ୍ୟାବହାରିକ ଅର୍ଥ ମଧ୍ୟରେ ଥିବା ପାର୍ଥକ୍ୟ ସହଜରେ ଅନୁମେୟ।
Comments are closed.