ନୂଆଦିଲ୍ଲୀ : ଭାରତୀୟ ପୁରୁଷ କ୍ରିକେଟ୍ ଦଳର ଆସନ୍ତା ଘରୋଇ ଖେଳସୂଚୀରେ ଏକାଧିକ ପରିବର୍ତ୍ତନ କରିଛି ବିସିସିଆଇ। କିନ୍ତୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଡିସେମ୍ବର ୯ରେ ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଟ୍ବେ୍ଣ୍ଟି୨୦ ମ୍ୟାଚ କାର୍ଯ୍ୟସୂଚୀ ଅପରିବର୍ତ୍ତିତ ରହିଛି। ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟ୍ବେଣ୍ଟି୨୦ ମ୍ୟାଚ ନେଇ ବିସିସିଆଇ ପକ୍ଷରୁ ଓଡ଼ିଶା କ୍ରିକେଟ ଆସୋସିଏସନକୁ ପୂର୍ବରୁ ସୂଚନା ଦେଇ ସାରିଥିବାବେଳେ ସୋମବାର ବିଧିବଦ୍ଧ ଭାବେ କାର୍ଯ୍ୟସୂଚୀ ପ୍ରକାଶ କରିଛି। ଆସନ୍ତା ନଭେମ୍ବର -ଡିସେମ୍ବରରେ ଦକ୍ଷିଣ ଆଫ୍ରିକା ଦଳ ଭାରତ ଗସ୍ତ କରିବ। ଉକ୍ତ ଗସ୍ତରେ ଦକ୍ଷିଣ ଆଫ୍ରିକା ଘରୋଇ ଭାରତ ବିପକ୍ଷରେ ୨ଟି ଟେଷ୍ଟ, ୩ଟି ଦିନିକିଆ ଓ ୫ଟି ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳିବ। ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ, ନଭେମ୍ବର ୧୪ରୁ୧୭ ପର୍ଯ୍ୟନ୍ତ ଦିଲ୍ଲୀରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ପ୍ରଥମ ଟେଷ୍ଟ ଖେଳିବାର କାର୍ଯ୍ୟସୂଚୀ ରହିଥିଲା। କିନ୍ତୁ ଉକ୍ତ ଭେନ୍ୟୁରେ ପରିବର୍ତ୍ତନ କରାଯାଇଛି। ଦିଲ୍ଲୀ ବଦଳରେ ଉକ୍ତ ଟେଷ୍ଟକୁ କଲକାତାକୁ ସ୍ଥାନାନ୍ତର କରାଯାଇଛି। କିନ୍ତୁ ଦିନିକିଆ ଓ ଟ୍ବେଣ୍ଟି୨୦ କାର୍ଯ୍ୟସୂଚୀରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଡିସେମ୍ବର ୯ରେ ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ କଟକରେ ଖେଳାଯିବା ନେଇ ବିସିସିଆଇ କାର୍ଯ୍ୟସୂଚୀରେ ଚୂଡାନ୍ତ କରିଛି।ଏଥି ସହିତ ଗୋଟିଏ ବର୍ଷ ମଧ୍ୟରେ ବାରବାଟୀରେ ଦୁଇଟି ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଆୟୋଜନ ନେଇ ସ୍ପଷ୍ଟ ହୋଇଛି।
ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ପ୍ରଥମ ଟେଷ୍ଟ ନଭେମ୍ବର ୧୪ରୁ ୧୮ ପର୍ଯ୍ୟନ୍ତ କଲକାତାରେ ଓ ଦ୍ବିତୀୟ ଟେଷ୍ଟ ନଭେମ୍ବର ୨୨ରୁ ୨୬ ପର୍ଯ୍ୟନ୍ତ ଗୌହ୍ବାଟୀରେ ଖେଳିବ। ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ ନଭେମ୍ବର ୩୦ରେ ରାଞ୍ଚି,ଡିସେମ୍ବର ୩ରେ ରାୟପୁର ଓ ୩ୟ ମ୍ୟାଚ ବିଶାଖାପାଟଣାରେ ଡିସେମ୍ବର ୬ରେ ଖେଳାଯିବ। ସେହିପରି ୫ ମ୍ୟାଚ ବିଶିଷ୍ଟ ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ ଡିସେମ୍ବର ୯ରେ କଟକରେ, ୧୧ରେ ଦ୍ବିତୀୟ ମ୍ୟାଚ ନୂତନ ଚଣ୍ଡିଗଡ଼ ମୁଲାନପୁରରେ , ତୃତୀୟ ମ୍ୟାଚ ଡିସେମ୍ବର ୧୪ରେ ଧର୍ମଶାଳାରେ, ଚତୁର୍ଥ ମ୍ୟାଚ ଡିସେମ୍ବର ୧୭ରେ ଲକ୍ଷ୍ନୌରେ ଓ ୫ମ ମ୍ୟାଚ ଡିସେମ୍ବର ୧୯ରେ ଅହମ୍ମଦାବାଦରେ ଖେଳାଯିବ। ବାରବାଟୀରେ ଏହା ହେବ ଚତୁର୍ଥ ଅନ୍ତର୍ଜାତୀୟ ଟ୍ବେଣ୍ଟି୨୦ ମ୍ୟାଚ୍। ପୂର୍ବରୁ ବାରବାଟୀରେ ୨୦୧୫ ଅକ୍ଟୋବର ୫ରେ ଭାରତ ଓ ଦକ୍ଷିଣ ଆଫ୍ରିକା , ୨୦୧୭ ଡିସେମ୍ବର ୨୦ରେ ଭାରତ ଓ ଶ୍ରୀଲଙ୍କା ଓ ୨୦୨୨ ଜୁନ୍ ୧୨ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟ୍ବେଣ୍ଟି୨୦ ମ୍ୟାଚ ଖେଳାଯାଇଥିଲା। ଦକ୍ଷିଣ ଆଫ୍ରିକା ୩ ୟ ଥର ପାଇଁ ବାରବାଟୀରେ ଟ୍ବେଣ୍ଟି୨୦ ମ୍ୟାଚ ଖେଳିବ।
ଡିସେମ୍ବର ୯ରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ
Popular Categories



