ଅପହଞ୍ଚ ଧୀବର ସାହିରେ ଗୋପବନ୍ଧୁ ସେବାକେନ୍ଦ୍ର ପକ୍ଷରୁ ସ୍ୱାସ୍ଥ୍ୟ ଶିବିର
କେନ୍ଦୁଝରଗଡ଼: କେନ୍ଦୁଝର ଜିଲାର ସବୁଠାରୁ ପଛୁଆ ଓ ଅନୁନ୍ନତ ବାଂଶପାଳ ବ୍ଲକର କାଦକଳା ଗ୍ରାମର ଅପହଞ୍ଚ ଧୀବର ସାହିରେ ଗୋପବନ୍ଧୁ ସେବାକେନ୍ଦ୍ର କେନ୍ଦୁଝର ପକ୍ଷରୁ ବୁଧବାର ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଅଜୟ କୁମାର ମହାନ୍ତିି ଏହି ଶିବିରରେ ଯୋଗଦେଇ ୫୬ଜଣ ଶିଶୁ, କିଶୋର ଓ କିଶୋରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣାରେ ଔଷଧ ବଣ୍ଟନ କରିଥିଲେ। ଉକ୍ତ ସାହିରେ ସରକାରଙ୍କ ସ୍ୱଚ୍ଛ ଭାରତ ଯୋଜନା ପହଞ୍ଚି ପାରିନଥିବା ବେଳେ ଲୋକେ ବାହ୍ୟସ୍ଥାନରେ ମଳମୂତ୍ର କରୁଥିବାରୁ ସ୍ୱାସ୍ଥ୍ୟ ସଚେତନତା ଦୃଷ୍ଟିରୁ ବାହ୍ୟ ମଳମୂତ୍ର ନକରିବାକୁ ଡାକ୍ତର ଅଜୟ ମହାନ୍ତି ଗ୍ରାମବାସୀଙ୍କୁ ପରାମର୍ଶ ଦେଇଥିଲେ। ଏଥିସହ ପାନୀୟଜଳର କୌଣସି ସୁବିଧା ନଥିବାରୁ ଲୋକେ ନିକଟସ୍ଥ ଚୁଆରୁ ପାଣି ସଂଗ୍ରହ କରି ପାନୀୟଜଳ ଭାବେ ବ୍ୟବହାର କରୁଥିବାରୁ ପାଣି ପିଇବା ପୂର୍ବରୁ ଫୁଟାଇ ପିଇବାକୁ ପରାମର୍ଶ ଦେଇଥିଲେ। ଗୋପବନ୍ଧୁ ସେବାକେନ୍ଦ୍ର ସଂଯୋଜିକା ରାଜଶ୍ରୀ ଉପାଧ୍ୟାୟଙ୍କ ନେତୃତ୍ୱରେ ସଦସ୍ୟା ବୈଶାଳୀ ପ୍ରିୟଦର୍ଶିନୀ, ରୂପଶ୍ରୀ ଗନ୍ତାୟତ, ପ୍ରଣତୀ ରାଉତ ଓ ପୂଣ୍ୟଶୀଳା ପାଣି ପ୍ରମୁଖ ଏହି ଶିବିର ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିବା ବେଳେ ଶିଶୁ, କିଶୋର ଓ କିଶୋରୀମାନଙ୍କୁ ବିସ୍କୁଟ, ଚକୋଲେଟ୍ ଦେଇ ସେମାନଙ୍କ ସହ ବିଭିନ୍ନ ବିଷୟରେ ଭାବର ଆଦାନପ୍ରଦାନ କରିଥିଲେ।
Comments are closed.