୪ର୍ଥ ଟେଷ୍ଟ ଅମୀମାଂସିତ ; ଭାରତ ୨-୧ରେ ଶୃଙ୍ଖଳା ବିଜୟୀ

ଅହମ୍ମଦାବାଦ : ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ର ନିର୍ଜୀବ ପିଚ୍‌ ହିଁ ଶେଷରେ ନିର୍ଣ୍ଣାୟକ ହୋଇଛି। ସୋମବାର ୪ର୍ଥ ତଥା ଅନ୍ତିମ ଟେଷ୍ଟମ୍ୟାଚ୍‌ର ଅନ୍ତିମ ଦିନରେ ଅଷ୍ଟ୍ରେଲିଆର ଟ୍ରାଭିସ୍ ହେଡ୍‌ ଓ ମାର୍ନସ ଲାବୁସେନ୍‌ ଦୃଢ଼ତାର ସହ ଭାରତୀୟ ବୋଲିଂର ମୁକାବିଲା କରିବା ଯୋଗୁଁ ଘରୋଇ ଦଳର ବିଜୟ ଆଶା ମଉଳି ଯାଇଥିଲା। ପ୍ରଥମ ଇନିଂସରେ ୯୧ ରନ୍‌ ପଛରେ ରହିଥିବା ଅଷ୍ଟ୍ରେଲିଆ ପାଇଁ ୨ୟ ଇନିଂସରେ ଟ୍ରାଭିସ୍‌ ହେଡ୍‌ ୯୦ ଓ ମାର୍ନସ ଲାବୁସେନ୍‌ ଅପରାଜିତ ୬୩ ରନ୍‌ କରିଥିଲେ। ଫଳରେ ମ୍ୟାଚ୍‌ ବନ୍ଦ ରଖିବାକୁ ଉଭୟ ଦଳ ରାଜିହେବା ବେଳକୁ ୨ୟ ଇନିଂସରେ ଅଷ୍ଟ୍ରେଲିଆ ୨ ୱିକେଟରେ ୧୭୫ ରନ୍‌ କରିଥିଲା। ଫଳରେ ମ୍ୟାଚ୍‌ ଅମୀମାଂସିତ ରହିଛି। ପୂର୍ବରୁ ୨ୟ ଟେଷ୍ଟ ଜିତି ଭାରତ ବର୍ଡର-ଗାଭାସ୍କର ଟ୍ରଫି ବଜାୟ ରଖିଥିଲା। ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ସମାନ ୨-୧ ବ୍ୟବଧାନରେ କ୍ରମାଗତ ୪ର୍ଥ ଟେଷ୍ଟ ଶୃଙ୍ଖଳା ଜିତିବାରେ‌ ସଫଳ ହୋଇଛି। ୨୦୧୪ରେ ଅଷ୍ଟ୍ରେଲିଆ ଘରୋଇ ମାଟିରେ ଭାରତ ବିପକ୍ଷରେ ଶେଷଥର ଟେଷ୍ଟ ଶୃଙ୍ଖଳା ଜିତିଥିଲା। ହେଲେ ଏହାର ପରବର୍ତ୍ତୀ ୯ ବର୍ଷରେ କଙ୍ଗାରୁ ଦଳ ବିପକ୍ଷରେ ଭାରତ କ୍ରମାଗତ ୪ଟି ଟେଷ୍ଟ ଶୃଙ୍ଖଳା ଜିତି ତା’ର ଶକ୍ତି ପ୍ରଦର୍ଶନ କରିଛି।
ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପର ଫାଇନାଲ ଖେଳିବା ନିଶ୍ଚିତ କରିବା ଲାଗି ଏହି ୪ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ଭାରତକୁ ୩ଟି ଟେଷ୍ଟମ୍ୟାଚ୍‌ ଜିତିବା ଥିଲା। ୩ୟ ଟେଷ୍ଟରେ ଅଷ୍ଟ୍ରେଲିଆର ବିଜୟ ଏବଂ ୪ର୍ଥ ଟେଷ୍ଟର ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୪୮୦ ରନ୍‌ କରିବା ପରେ ଭାରତର ଆଶା ନ୍ୟୁଜିଲାଣ୍ଡ ଦଳ ଉପରେ ଠୁଳ ରହିଥିଲା। ସୋମବାର ପ୍ରଥମ ଟେଷ୍ଟରେ ଶ୍ରୀଲଙ୍କାକୁ ୨ ୱିକେଟରେ ନ୍ୟୁଜିଲାଣ୍ଡ ପରାସ୍ତ କରିବା ପରେ ଭାରତ କ୍ରମାଗତ ୨ୟ ଥର ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପର ଫାଇନାଲରେ ପ୍ରବେଶ କରିଛି। ଦିନ ଆରମ୍ଭରେ ୮୮ ରନ୍‌ ପଛରେ ଥିବା ଅ​‌େ​‌ଷ୍ଟ୍ରଲିଆକୁ ପରାଜୟ ଏଡ଼ାଇବା ପାଇଁ ସୋମବାର ୫ମ ତଥା ଅନ୍ତିମ ଦିନର ପ୍ରଥମ ୨ଟି ଅଧିବେଶନ ଖେଳିବାର ଥିଲା। ପ୍ରଥମ ୪ ଦିନ ଅପେକ୍ଷା ୫ମ ଦିନରେ ବୋଲରଙ୍କୁ କିଛି ଫାଇଦା ମିଳିଥିଲା। ତଥାପି ୫ମ ଦିନରେ ୭୨.୧ ଓଭରରେ ଅଷ୍ଟ୍ରେଲିଆ ମାତ୍ର ୨ଟି ୱିକେଟ ହରାଇଥିଲା। ନାଇଟ୍‌ ୱାଚ୍‌ମ୍ୟାନ ମ୍ୟାଟ୍‌ କୁହ୍ନେମାନଙ୍କୁ ରବିଚନ୍ଦ୍ରନ ଅଶ୍ବିନ ଆଉଟ୍‌ କରିଥ​‌ିଲେ ହେଁ କୁହ୍ନେମାନ ଯଦି ରିଭ୍ୟୁ ନେଇଥାଆନ୍ତେ; ସେ ବଞ୍ଚି ଯାଇଥାଆନ୍ତେ। କୁହ୍ନେମାନ ୬ ରନ୍‌ କରିଥିଲେ। ପ​‌େ​‌ର ଟ୍ରାଭିସ୍‌ ହେଡ୍‌ ଓ ମାର୍ନସ ଲାବୁସେନ୍‌ ଲଢ଼ୁଆ ବ୍ୟାଟିଂକରି ଡ୍ର ନିଶ୍ଚିତ କରିଥିଲେ। ବିଶ୍ବର ୧ନଂ ବ୍ୟାଟ୍‌ସମ୍ୟାନ ମାର୍ନସ ଲାବୁସେନ୍‌ ପ୍ରଥମ ୩ଟି ଟେଷ୍ଟରେ ଅର୍ଦ୍ଧଶତକ ମଧ୍ୟ ମାରିନଥିବା ବେଳେ ଏଠାରେ ସୁଯୋଗ ହାତଛଡ଼ା କରିନଥିଲେ। ଅନ୍ୟପକ୍ଷରେ ସ୍ପିନ୍ ବୋଲିଂ ବିପକ୍ଷରେ ଦୁର୍ବଳ ବୋଲି ଟ୍ରାଭିସ୍ ହେଡ୍‌ଙ୍କୁ ପ୍ରଥମ ଟେଷ୍ଟ ଖେଳା ଯାଇନଥିଲା। ହେଲେ ସୋମବାର ନିର୍ଜୀବ ପିଚ୍‌ର ଫାଇଦା ଉଠାଇ ହେଡ୍‌ ମଧ୍ୟ ଚଳିତ ଶୃଙ୍ଖଳାରେ ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ। ଡେଭିଡ୍‌ ୱାର୍ଣ୍ଣରଙ୍କ ଅନୁପସ୍ଥିତିରେ ଇନିଂସ ଓପନ୍‌ କରିବାର ସୁଯୋଗ ପାଇ ବାମହାତି ହେଡ୍‌ ଭବିଷ୍ୟତ ପାଇଁ ସମ୍ଭାବନା ସୃଷ୍ଟି କରି ପାରିଛନ୍ତି। ହେଡ୍‌ ଓ ଲାବୁସେନ୍‌ ୨ୟ ୱିକେଟ​‌ ପାଇଁ ୫୭.୩ ଓଭର ବ୍ୟାଟିଂ କରିଥିଲେ ଏବଂ ୧୩୯ ରନ୍‌ ଯୋଡ଼ିଥିଲେ। ହେଡ୍‌ ଶତକ ଦ୍ବାରରେ ଥିବା ବେଳେ ଅକ୍ଷର ପଟେଲଙ୍କ ବଲ୍‌ରେ ପ୍ଲେଏଡ୍‌ ଅନ୍ ହୋଇଥିଲେ। ଟ୍ରାଭିସ୍‌ ହେଡ୍‌ ୧୬୩ ବଲ୍‌ରୁ ୨ଟି ଛକା ଓ ୧୦ଟି ଚୌକା ସହ ୯୦ ରନ୍‌ କରିଥିଲେ। ତାଙ୍କୁ ଆଉଟ୍‌କରି ଅକ୍ଷର ପଟେଲ ୧୨ଶ ଟେଷ୍ଟରେ ୫୦ତମ ଟେଷ୍ଟ ୱିକେଟ ପୂରଣ କରିଥିଲେ। ପରେ ବିଶ୍ବର ୧ନଂ ଓ ୨ନଂ ଟେଷ୍ଟ ବ୍ୟାଟ୍‌ସମ୍ୟାନ୍ ମାର୍ନସ ଲାବୁସେନ୍‌ ଓ ଷ୍ଟିଭେନ୍ ସ୍ମିଥ୍ ଶେଷ ପର୍ଯ୍ୟନ୍ତ କ୍ରିଜ୍‌ରେ ରହି ଡ୍ର ନିଶ୍ଚିତ କରିଥିଲେ। ଦୁହେଁ ଅବିଭାଜିତ ୩ୟ ୱିକେଟ ପାଇଁ ୨୨ ରନ୍‌ ଯୋଡ଼ିଥିଲେ। ଲାବୁସେନ୍ ୭ଟି ଚୌକା ସହ ୬୩ ରନ୍‌ କରିଥିଲେ ହେଁ ଏଥିପାଇଁ ୨୧୩ ବଲ୍‌ ନେଇଥିଲେ। ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ ୧୦ ରନ୍‌କରି ଅପରାଜିତ ଥିଲେ। ଭାରତ ପାଇଁ ୧୮୬ ରନ୍‌ କରିଥବା ବିରାଟ କୋହଲି ପ୍ଲେୟର ଅଫ୍ ଦି ମ୍ୟାଚ୍‌ ଏବଂ ମୋଟ ୮୬ ରନ୍‌ କରିବା ସହ ଶୃଙ୍ଖଳାରେ ୨୫ଟି ୱିକେଟ ନେଇଥିବା ରବିଚନ୍ଦ୍ରନ ଅଶ୍ବିନ ପ୍ଲେୟର ଅଫ୍ ଦି ସିରିଜ୍ ହୋଇଥିଲେ। ପ୍ରଥମ ୩ଟି ଟେଷ୍ଟ ଅଢ଼େଇଦିନରେ ସରିଥିବା ବେଳେ ୪ର୍ଥ ଟେଷ୍ଟ ୫ମ ଦିନ ପର୍ଯ୍ୟନ୍ତ ଯାଇଥିଲା ଏବଂ ମାତ୍ର ୨୧ଟି ୱିକେଟ ପଡ଼ିଥିଲା।

prayash

ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲରେ ଭାରତ

ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ (ଡବ୍ଲ୍ୟୁଟିସି)ର ଫାଇନାଲରେ ପ୍ରବେଶ କରିିଛି ଭାରତୀୟ କ୍ରିକେଟ୍‌ ଦଳ। ଆସନ୍ତା ଜୁନ୍‌ ୭ରୁ ୧୧ ପର୍ଯ୍ୟନ୍ତ ଇଂଲଣ୍ଡର ଓଭାଲ୍‌ରେ ଡବ୍ଲ୍ୟୁଟିସି ଫାଇନାଲରେ ଭାରତର ମୁକାବିଲା ଅଷ୍ଟ୍ରେଲିଆ ସହ ହେବ। ଅଷ୍ଟ୍ରେଲିଆ ପ୍ରଥମ ଦଳ ଭାବେ ପୂର୍ବରୁ ଡବ୍ଲ୍ୟୁଟିସି ଫାଇନାଲରେ ପ୍ରବେଶ କରି ସାରିଥିବା ବେଳେ ଭାରତ ଓ ଶ୍ରୀଲଙ୍କା ମଧ୍ୟରୁ କେଉଁ ଦଳ ଫାଇନାଲରେ ପ୍ରବେଶ କରିବ; ତାହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା। ତେବେ​‌ ସୋମବାର ଏହି ଚିତ୍ର ସ୍ପଷ୍ଟ ହୋଇଛି। ଖ୍ରୀଷ୍ଟଚର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଶ୍ରୀଲଙ୍କା ଦଳ ପରାସ୍ତ ହୋଇଥିବା ବେଳେ ଅହମ୍ମଦାବାଦ୍‌ରେ ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟକୁ ଡ୍ର ରଖିବାକୁ ସକ୍ଷମ ହୋଇଥିଲା ଭାରତୀୟ ଦଳ। ତେଣୁ ଡବ୍ଲୁଟିସିର ପଏଣ୍ଟ ପ୍ରତିଶତ (ପିସିଟି) ଅନୁଯାୟୀ ଭାରତୀୟ ଦଳ ୨ୟ ସ୍ଥାନରେ ରହି ଫାଇନାଲ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛି।
ଅଷ୍ଟ୍ରେଲିଆ ୧୯ଟି ମ୍ୟାଚ୍‌ ଖେଳି ୧୧ଟି ବିଜୟ, ୩ଟି ପରାଜୟ ଓ ୩ଟି ଡ୍ର ସହ ୬୬.୬୭ ପିସିଟି ସହ ପଏଣ୍ଟ ତାଲିକାର ଶୀର୍ଷରେ ରହିଥିବା ବେଳେ ଭାରତ ୧୮ଟି ମ୍ୟାଚ୍‌ ଖେଳି ୧୦ଟି ବିଜୟ, ୫ଟି ପରାଜୟ ଓ ୩ଟି ଡ୍ର ସହ ୫୮.୮ ପିସିଟି ସହ ୨ୟ ସ୍ଥାନରେ ରହିଛି। ଫଳରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଡବ୍ଲ୍ୟୁଟିସି ଫାଇନାଲ ଖେଳାଯିବ। ଦକ୍ଷିଣ ଆଫ୍ରିକା ୧୫ଟି ମ୍ୟାଚ୍‌ ଖେଳି ୫୫.୫୬ ପିସିଟି ସହ ୩ୟ ସ୍ଥାନରେ ରହିଥିବା ବେଳେ ଶ୍ରୀଲଙ୍କା ୧୧ଟି ମ୍ୟାଚ୍‌ ଖେଳି ୪୮.୪୮ ପିସିଟି ସହ ୩ର୍ଥ ସ୍ଥାନରେ ରହିଛି। ନ୍ୟୁଜିଲାଣ୍ଡ ବିପକ୍ଷ ୨ୟ ଟେଷ୍ଟରେ ଶ୍ରୀଲଙ୍କା ବିଜୟୀ ହେବା ସତ୍ତ୍ବେ କୌଣସି ଫରକ ପଡ଼ିବ ନାହିଁ। ଖ୍ରୀଷ୍ଟଚର୍ଚ୍ଚରେ ଶ୍ରୀଲଙ୍କାକୁ ରୋମାଞ୍ଚକର ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୨ ୱିକେଟରେ ପରାସ୍ତକରି ଭାରତ ପାଇଁ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲ ଖେଳିବାକୁ ରାସ୍ତା କଢ଼ାଇଛି। ଫଳରେ ବିଶ୍ବର ପ୍ରଥମ ଦଳ ଭାବେ ଭାରତ କ୍ରମାଗତ ୨ୟ ଥର ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲ ଖେଳିବ। ସୂଚନାଯୋଗ୍ୟ; ୨୦୨୧ରେ ଇଂଲଣ୍ଡରେ ଖେଳା ଯାଇଥିବା ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ନିକଟରୁ ପରାସ୍ତ ହୋଇଥିଲା।

Comments are closed.