ଫାଇନାଲ୍ରେ ତ୍ରୁଟି ପରେ ପୂର୍ବତନ ଅମ୍ପାୟାରଙ୍କ ପ୍ରତିକ୍ରିୟା: ଓଭର୍ଥ୍ରୋରେ ୬ ନୁହେଁ; ୫ ରନ୍ ମିଳିବାର ଥିଲା
ଲଣ୍ଡନ୍ : ରବିବାର ଫାଇନାଲରେ ଶେଷ ଓଭରରେ ଓଭରଥ୍ରୋ ଯୋଗୁଁ ଇଂଲଣ୍ଡକୁ ୬ ରନ୍ ଦେଇଥିଲେ ପଡ଼ିଆ ଅମ୍ପାୟାର କୁମାର ଧର୍ମସେନା। ନ୍ୟୁଜିଲାଣ୍ଡ ବିପକ୍ଷରେ ଜିତିବା ପାଇଁ ଶେଷ ୩ ବଲ୍ରୁ ଇଂଲଣ୍ଡ ୯ ରନ୍ ଆବଶ୍ୟକ କରୁଥିବା ବେଳେ ୪ର୍ଥ ବଲ୍ରେ ଓଭରଥ୍ରୋ ଯୋଗୁଁ ଇଂଲଣ୍ଡ ୬ ରନ୍ ପାଇଥିଲା। ପରବର୍ତ୍ତୀ ୨ଟି ବଲ୍ରୁ ୩ ରନ୍ ନେଇ ମ୍ୟାଚ୍କୁ ଇଂଲଣ୍ଡ ଟାଇ କରି ପାରିଥିଲା। ତେବେ ପୂର୍ବତନ ଅମ୍ପାୟାର ଅଷ୍ଟ୍ରେଲିଆ ସାଇମନ୍ ଟୌଫେଲ କହିଛନ୍ତି ଯେ ଓଭରଥ୍ରୋରୁ ଇଂଲଣ୍ଡକୁ ୬ ନୁହେଁ; ୫ ରନ୍ ମିଳିବା ଉଚିତ। ଏପରି ହୋଇଥିଲେ ବୋଧହୁଏ ନ୍ୟୁଜିଲାଣ୍ଡ ୧ ରନ୍ରେ ଜିିତି ବିଶ୍ବକପ୍ ଚମ୍ପିଆନ୍ ହୋଇଥାଆନ୍ତା।
ଆଇସିିସି ପକ୍ଷରୁ ଏକାଧିକ ଥର ଶ୍ରେଷ୍ଠ ଅମ୍ପାୟାର ଘୋଷିତ ହୋଇଥିବା ଅବସର ନେଇ ଯାଇଥିବା ସାଇମନ୍ ଟୌଫେଲ କହିଛନ୍ତି- ସ୍ପଷ୍ଟ ଏହା ଏକ ତ୍ରୁଟି। ଅମ୍ପାୟାର ସଠିକ୍ ବିଚାର କରି ପାରିନଥିଲେ। ଇଂଲଣ୍ଡକୁ ୬ ନୁହେଁ; ୫ ରନ୍ ମିଳିବା ଉଚିତ ଥିଲା। ଫିଲ୍ଡର କେତେବେଳେ ବଲ୍ ଫିଙ୍ଗିଲେ; ଅମ୍ପାୟାର ତାହା ଜାଣିନଥିଲେ। ଫିଲ୍ଡର ଯେତେବେଳେ ବଲ୍ ଫିଙ୍ଗିଥାଆନ୍ତି; ଓଭରଥ୍ରୋର ପ୍ରକ୍ରିୟା ସେବେଠାରୁ ଆରମ୍ଭ ହୋଇ ଯାଇଥାଏ। ଆଇସିସି ନିୟମରେ ଏହା ହିଁ ଉଲ୍ଲେଖ ରହିଛି। ଏଥିରେ ଲେଖାଯାଇଛି; ଫିଲ୍ଡର ବଲ୍ ଥ୍ରୋ କରିବା ପର୍ଯ୍ୟନ୍ତ ଯେତିକି ରନ୍ ହୋଇଥିବ; ଓଭର ଥ୍ରୋରୁ ମିଳିଥିବା ରନ୍ ସେଥିରେ ମିଶାଯିବ। ତେଣୁ ନ୍ୟୁଜିଲାଣ୍ଡ ଫିଲ୍ଡର ବଲ୍ ଥ୍ରୋ କରିବା ପର୍ଯ୍ୟନ୍ତ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ୧ ରନ୍ ପୂରଣ କରିଥିଲେ; ୨ ରନ୍ ନୁହେଁ। ସୂଚନାଯୋଗ୍ୟ; ତେଣୁ ନ୍ୟୁଜିଲାଣ୍ଡ ଫିଲ୍ଡର ମାର୍ଟିନ୍ ଗପ୍ଟିଲ ବଲ୍ ଥ୍ରୋ କରିବା ବେଳକୁ ଇଂଲଣ୍ଡର ବେନ୍ ଷ୍ଟୋକ୍ସ ଓ ଆଦିଲ ରସିଦ୍ ୨ ରନ୍ ପୂରଣ କରିନଥିଲେ। ଡାଇଭ୍ ମାରିଥିବା ଷ୍ଟୋକ୍ସଙ୍କ ବ୍ୟାଟ୍ରେ ବାଜି ବଲ୍ ଫାଇନଲେଗ୍ ବାଉଣ୍ଡରୀ ବାହାରକୁ ଚାଲି ଯାଇଥିଲା। ଅମ୍ପାୟାର କୁମାର ଧର୍ମସେନା ଏହାକୁ ୬ ରନ୍ ଘୋଷଣା କରିଥିଲେ। ଅବଶ୍ୟ ଷ୍ଟୋକ୍ସ ଜାଣିଶୁଣି ବଲ୍ରେ ବ୍ୟାଟ୍ ଲଗାଇ ନଥିଲେ। ଅବଶ୍ୟ ପଡ଼ିଆ ଅମ୍ପାୟାରଙ୍କ ପାଇଁ ପ୍ରଥମେ ଥ୍ରୋ କରୁଥିବା ଫିଲ୍ଡରଙ୍କୁ ଦେଖିବା ଏବଂ ପରେ ବ୍ୟାଟ୍ସମ୍ୟାନଙ୍କୁ ଦେଖିବା କଷ୍ଟକର ଥିଲା। ତେଣୁ ଏପରି ଘଡ଼ିସନ୍ଧି ସମୟରେ ଅମ୍ପାୟାର ଟିଭି ରିପ୍ଲେ ଦେଖିବା ଥିଲା। ତାଙ୍କୁ ନିଶ୍ଚିତ କରିବାର ଥିଲା ଯେ ଗପ୍ଟିଲ ବଲ୍ ଫିଙ୍ଗିବା ବେଳକୁ ଇଂଲଣ୍ଡର ଉଭୟ ବ୍ୟାଟ୍ସମ୍ୟାନ୍ କ୍ରିଜ୍ ସ୍ପର୍ଶ କରିଛନ୍ତି ନା ନାହିଁ। ଅମ୍ପାୟାର ଏପରି ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ନେଇ ଗୋଟିଏ ଦଳକୁ ବିଶ୍ବକପ୍ ବିଜୟରୁ ବଞ୍ଚିତ କରିଛନ୍ତି।
Comments are closed.