ଶୀତଳଷଷ୍ଠୀ ପାଇଁ ଜିଲାପାଳଙ୍କୁ ସାକ୍ଷାତ କଲେ ସମନ୍ୱୟ କମିଟିର କର୍ମକର୍ତ୍ତା

ସମ୍ବଲପୁର (ସିଟି) – କରୋନାର କରାଳ ସଙ୍କଟ ପାଇଁ ବିଗତ ୨ ବର୍ଷ ହେବ ପ୍ରାୟ ୪ ଶହ ବର୍ଷ ପୁରାତନ ଧାର୍ମିକ ଉତ୍ସବ ଶୀତଳଷଷ୍ଠୀ ଯାତ୍ରା କେବଳ ବିଧି ରକ୍ଷା ମଧ୍ୟରେ ସୀମିତ ରହିଥିଲା । ଚଳିତ ବର୍ଷ କରୋନାର ସଙ୍କଟ ଟଳିବା ଏବଂ ସମସ୍ତ ପ୍ରକାରର ଧାର୍ମିକ ଉତ୍ସବ ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବାରୁ ଶୀତଳଷଷ୍ଠୀ ଯାତ୍ରା କରିବାକୁ ଶୀତଳଷଷ୍ଠୀ ଯାତ୍ରା ଯୁଗ୍ମ ସମନ୍ୱୟ କମିଟୀ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏଥି ପାଇଁ କମିଟୀ ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳ ସମ୍ବଲପୁର ଜିଲାପାଳ ଦିବ୍ୟ ଜ୍ୟୋତି ପରିଡା ଙ୍କୁ ବୁଧବାର ତାଙ୍କର କାର୍ଯ୍ୟାଳୟରେ ସାକ୍ଷାତକାର କରି ଯାତ୍ରା ପାଇଁ ଅନୁମତି ଏବଂ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ଆର୍ଥିକ ସହାୟତା ପାଇଁ ଅନରୋଧ ପତ୍ର ପ୍ରଦାନ କରିଛନ୍ତି ।

prayash

ଜିଲାପାଳଙ୍କୁ ପ୍ରଦତ୍ତ ପତ୍ର ଅନୁଯାୟୀ, ପଶ୍ଚିମ ଓଡିଶାର ଗଣପର୍ବ ରୂପେ ପରିଚିତ ଶୀତଳଷଷ୍ଠୀ ଯାତ୍ରାକୁ ଆୟୋଜନ କରି ଆସୁଥିବା ସର୍ବପୁରାତନ ନନ୍ଦପଡା, ଝାଡୁଆପଡା ଓ ମୋଦିପଡା ଯାତ୍ରା କମିଟି ପକ୍ଷରୁ ଏକ ଯୁଗ୍ମ ସମନ୍ୱୟ କମିଟୀ ଗଠନ କରାଯାଇ ଏହାକୁ ସୁଚାର ରୂପେ ଆୟୋଜିତ କରାଯାଇ ଆସୁଛି । ପଶ୍ଚିମ ଓଡିଶାବାସୀଙ୍କ ଭାବାବେଗ ସହିତ ଜଡିତ ଏହି ଧାର୍ମିକ ଉତ୍ସବରେ ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ପବିତ୍ର ବିବାହ ଉତ୍ସବ ଆସନ୍ତା ୪ ଜୁନ ଏବଂ ଯୁଗଳ ଦର୍ଶନ ଶୋଭାଯାତ୍ର ୫ ଓ ୬ ଜୁନରେ ଆୟୋଜିତ ହୋଇ ଦେବ ଦମ୍ପତ୍ତି ମନ୍ଦିର ପ୍ରବେଶ କରିବେ । ଏଣୁ ଏଥି ନିମନ୍ତେ ଆବଶ୍ୟକୀୟ ସରକାରୀ ଅନୁମତି ସହିତ ସରକାରଙ୍କ ତରଫରୁ ଦିଆଯାଉଥିବା ଅନୁଦାନ ଗୁଡିକୁ ଯଥା ଶିଘ୍ର ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି । ବିଗତ ବର୍ଷ ଗୁଡିକରେ ପ୍ରଶାସନ ସହିତ ଉତ୍ତମ ସମନ୍ୱୟ ରକ୍ଷା କରାଯାଇ ଯାତ୍ରା ଆୟୋଜିତ ହେଉଥିବାରୁ ଚଳିତ ବର୍ଷ ଯାତ୍ରା ଆୟୋଜନର ୧ ମାସ ପୂର୍ବରୁ ସମନ୍ୱୟ ବୈଠକ କରିବାକୁ ସ୍ୱତନ୍ତ୍ର ଭାବରେ ଜିଲାପାଳଙ୍କୁ ଅନୁରୋଧ କରାଯାଇଛି । ଏହି ଅବସରରେ କମିଟୀର ସଭାପତି ଅମୂଲ୍ୟ ମିଶ୍ର, ଫଣୀ ଭୂଷଣ ମିଶ୍ର, ସରୋଜ ଦଲପତ, ସୁନୀଲ ଦାଶ, ସମୀର ରଞ୍ଜନ ବାବୁ, ଖଡିରତ୍ନ ବେହେରା, ସୁଶାନ୍ତ ପୁରୋହିତ, ପ୍ରଭୁଦତ୍ତ ପଣ୍ଡା, ହିମାଂଶୁ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

Comments are closed.