ଭୁବନେଶ୍ଵର: ଅଷ୍ଟାଦଶ ଶତାବ୍ଦୀ ପର୍ଯ୍ୟନ୍ତ ମଣିଷର ଖାଦ୍ୟ ଅମୃତ ସଦୃଶ ଥିଲା। ଶିଳ୍ପ ବିପ୍ଳବ ଆରମ୍ଭ ହେଲା। କୋଇଲା, ଖଣିଜ ତୈଳ ଜାଳି କଳକାରଖାନା ଚାଲିଲା। ଖଣି ଖାଦନରୁ କୋଇଲା, ବିଭିନ୍ନ ଧାତୁ ପିଣ୍ଡ ଉତ୍ତୋଳନ ହେଲା। ଏଗୁଡିକ ଶୋଧନ କରିବା ଦ୍ବାରା ଆବର୍ଜନା ନିର୍ଗତ ହେଲା। ଏଥିରେ ଧାତୁର ମାତ୍ରା ବି ରହିଲା। ବର୍ଷାଜଳରେ ଆର୍ସେନିକ, ସୀସା, ଦସ୍ତା ପାରଦ ଭଳି ଭାରୀ ଧାତୁ ନଦୀ ନାଳରେ ମିଶିଲା। ମଣିଷ ପ୍ରଦୂଷିତ ପାଣି ପିଇଲା। ରୋଗ ଭୋଗିଲା। ଗଙ୍ଗା ଜଳକୁ ନିର୍ମଳ, ପବିତ୍ର କୁହାଯାଏ। ଗଙ୍ଗା ନଦୀ କୂଳରେ କାନପୁର ସହର। ମାଳ ମାଳ ଜୋତା କାରଖାନା। ଚମଡା ଶିଳ୍ପରୁ କ୍ରୋମିୟମ ଧାତୁର ଅବଶେଷ ଗଙ୍ଗାରେ ମିଶିଲା। ପାଣି ବିଷ ପାଲଟିଗଲା। ଆମେ ବିଷ ପାଣି ପିଇଲୁ। ରୋଗ ଭୋଗିଲୁ।
ଜାପାନର କାମିଓକା ଅଞ୍ଚଳରେ ଖଣିରୁ ଧାତୁ ପିଣ୍ଡ ଉତ୍ତୋଳନ ହେଲା। ଭାରି ଶିଳ୍ପରୁ ଆର୍ସେନିକ, ଦସ୍ତା, କାର୍ଡାମିୟମ ନଈପାଣିରେ ମିଶିଲା। ଇଟାଇ ଇଟାଇ ରୋଗ ବ୍ୟାପିଗଲା। ୧୯୫୫ରେ ଡାକ୍ତର ହାଗିନୋ ଖାଦ୍ୟରେ କାର୍ଡାମିୟମର ଉପସ୍ଥିତି ଇଟାଇ ଇଟାଇର କାରଣ କହିଲେ। ଉତ୍କଟ ଦାରିଦ୍ର୍ୟ ଯୋଗୁଁଁ ଭାରତରେ ବେଶ୍ କିଛି ଲୋକ ଶସ୍ତା ଖେସାରି ଡାଲି ଖାଇଲେ। ବହୁ ଲୋକ ପକ୍ଷାଘାତ ଓ ଆଣ୍ଠୁଗଣ୍ଠି ରୋଗ ଭୋଗିଲେ। ଶସ୍ତାରୁ ଅବସ୍ଥା।
୧୮୪୦। ଜର୍ମାନ ରସାୟନବିତ୍ ଜଷ୍ଟସ୍ ଜନଭନ୍ ଲିବିଗ ରାସାୟନିକ ସାର ଉଦ୍ଭାବନ କଲେ। ଚାଷୀ ଦେଶୀ ଚାଷ ଛାଡି, ଖତକୁ ଆଡେଇ ବିଷ ଚାଷରେ ମାତିଗଲେ। ଦ୍ୱିତୀୟ ମହାଯୁଦ୍ଧ ଶୀଘ୍ର ସରିଗଲା। ଅସ୍ତ୍ର ଶସ୍ତ୍ର କାରବାର କମ୍ପାନୀମାନଙ୍କର ବହୁତ ରାସାୟନିକ ବାରୁଦ ବଳିପଡ଼ିଲା। ବହୁ ରାଷ୍ଟ୍ରୀୟ କମ୍ପାନୀମାନଙ୍କର ରୁମ ମୂଳେ ବୁଦ୍ଧି। କୀଟନାଶକ ପ୍ରସ୍ତୁତ କଲେ। ସୁଇଜରଲ୍ୟାଣ୍ଡର ପଲ୍ ହର୍ମାନ ମୁଲାର ୧୯୩୪ କୁ ଡି.ଡି.ଟି. ଉଦ୍ଭାବନ କରନ୍ତି। ୧୯୩୯ ରେ ସୁଇଜରଲ୍ୟାଣ୍ଡର ଚାଷୀମାନେ ଆଳୁରେ କଲରାଡୋ ବିଟଲ ଦମନ ପାଇଁ ଡି.ଡି.ଟି. ସିଞ୍ଚନ କରି ଫସଲ ବଞ୍ଚାଇଲେ। ଇଟାଲୀରେ ଟାଇଫଏଡ ଜ୍ବର ସଂକ୍ରାମକ ରୂପ ନେଲା। ଡି.ଡି.ଟି. ସିଞ୍ଚନ ଦ୍ବାରା ରୋଗ ନିୟନ୍ତ୍ରଣ ହେଲା। ୧୯୪୮କୁ ମୁଲାର ନୋବଲ ପୁରସ୍କାର ବିଜେତା ! ଡି.ଡି.ଟି. ହଳା ହଳ ବିଷ। ବିଲ ବାଡିରୁ ବର୍ଷା ପାଣିରେ ନଈ ନାଳରେ ହାଜର। ଭୂତଳ ଜଳରେ ବି ଡି.ଡି.ଟି.। ବିଷ ପାଣିରେ ରନ୍ଧା ବଢା। ଅଟା, ଚାଉଳରେ ବିଷ। ପନିପରିବାରେ ବିଷ। ମାଛ, ମାଂସରେ ବିଷ। ମଣିଷ ବିଷ ଖାଦ୍ୟ ଖାଇଲା। କ୍ୟାନ୍ସର, ଏପିଲେପସି, ଡାଇବେଟିସ, ପକ୍ଷାଘାତ ଭଳି ଦୁରାରୋଗ୍ୟ ରୋଗ ଭୋଗିଲା। ପଶୁ, ପକ୍ଷୀ,ମହୁମାଛି ବିଷାକ୍ତ ଖାଦ୍ୟ ଖାଇ ନିପାତ ହେଲେ।
ଫଲିଡଲ (ଚାଷୀମାନେ ଫଲିଡ଼ଲକୁ କୋବିତେଲ କୁହନ୍ତି ) ଡିଲଡିନ, କ୍ଳୋରେଡେନ, ମନୋକ୍ରୋଟଫସ, ମାଲାଥିଅନ, ପାରାଥିଅ, ଗ୍ଲାଇଫସେଟ (ଘାସ ମରା), ପାରାକୁଏଟ, ହେପ୍ଟାକ୍ଲୋର (ଘାସମରା) ଭଳି ମାରାତ୍ମକ କୀଟନାଶକ କମ୍ପାନୀ ମାନେ ବେପାର କଲେ। ମାଟିରେ ବିଷ। ପାଣିରେ ବିଷ, ଜୈବ ମଣ୍ଡଳରେ ବିଷ। ବିଷ ବଳୟରେ ବିଶ୍ବ ! ମାଛ, କୁକୁଡା, ଛେଳି,ମେଣ୍ଢା ମାଂସରେ ବିଷ। ପ୍ରେତ୍ୟକ ଭାରତୀୟ ଦିନକୁ ଖାଦ୍ୟରେ ୦.୨୭ ମିଲିଗ୍ରାମ ବିଷ ଶରୀରକୁ ନେଇଥାନ୍ତି। ଭାରତୀୟଙ୍କ ଶରୀରରେ ଡି.ଡି.ଟି. ମାତ୍ରା ପୃଥିବୀରେ ସର୍ବାଧିକ। ମୁଣ୍ଡପିଛା ୧୨.୮ ପି.ପି.ଏମରୁ ୩୧ ପି. ପି.ଏମ। ଶରୀରର ଚର୍ବିରେ ଡି.ଡି.ଟି. ପହଞ୍ଚିବ ତ ଏହାର ମାତ୍ରା ୧୦୦/୨୦୦ ଗୁଣ ବଢିଯାଏ। ହଜାର ହଜାର କିଲୋମିଟର ଜଳଯାତ୍ରା କରି ଗ୍ରୀନଲ୍ୟାଣ୍ଡରେ ସିଲମାଛ, ଆଣ୍ଟ୍ରାକଟିକାରେ ପେଙ୍ଗୁଇନମାନଙ୍କ ଶରୀରରେ ଡି.ଡି.ଟି. ଥିବାର ପ୍ରମାଣ ମିଳୁଛି। କୀଟନାଶକ ବିଷ ଯୋଗୁଁଁ ମା’ ପେଟର ପିଲାଟି ବିକଳାଙ୍ଗ ହୋଇ ଜନ୍ମ ନଉଛି। ମାଟିର ଜୀବନ ଅଛି। ଅଣୁଜୀବ, ବ୍ୟାକଟେରିଆ, ମ୍ୟାକରୋବ ମାଟିର ଜୀବନ। ଏମାନେ ମାରିଯାଉଛନ୍ତି। ମାଟି ମରିଯାଉଛି।
୧୯୬୨। ଆମେରିକାର ଝିଅ Racel carson କୀଟନାଶକ ବିଷର ଭୟାବହତା ପ୍ରଥମେ ଲୋକ ଲୋଚନାକୁ ଆଣନ୍ତି। ତାଙ୍କ ଦ୍ବାରା ରଚିତ ‘ସାଇଲେଣ୍ଟ ସ୍ପ୍ରିଙ୍ଗ’ ବହିରୁ ଜାଣିବାକୁ ମିଳିଲା ଖାଦ୍ୟରେ କୀଟନାଶକ ବିଷ ଯୋଗୁଁଁ ଆମେରିକାରେ ପ୍ରତି ୪ ଜଣ ଶିଶୁଙ୍କ ମଧ୍ୟରେ ଜଣେ କର୍କଟ ରୋଗୀ। ପ୍ରତି ୯ ଜଣ ମହିଳାରେ ଜଣକୁ ବକ୍ଷ କର୍କଟ ବା ଜରାୟୁ କର୍କଟ। ୧୧ ଜଣରେ ଜଣେ ପୁରୁଷ ମୁଖ ଗହ୍ବର କର୍କଟ ବା ଫୁସ ଫୁସ କର୍କଟ ବା ରକ୍ତ କର୍କଟ ଭୋଗୁଛନ୍ତି। ଖାଦ୍ୟରେ ବିଷ ଯୋଗୁଁଁ ପକ୍ଷୀମାନେ ପଟାଳି ଭଳି ମରି ପଡ଼ୁଛନ୍ତି। ଅଣ୍ଡାରୁ ଛୁଆ ଫୁଟୁନି। ପକ୍ଷୀର ମୁନିଆ ଥଣ୍ଟ ମୁଣ୍ଡା ହୋଇଯାଉଛି। ଖାଦ୍ୟ ଟୋକି ଖାଇପାରୁନି, ମହୁମାଛି, ପ୍ରଜାପତି ନିପାତ। ପରାଗ ସଂଗମ ସମସ୍ୟା ! ନଈ, ନାଳ, ପୋଖରୀରେ ହଜାର ହଜାର ମାଛ ମରି ଭାସୁଛନ୍ତି। କୀଟନାଶକ ବିଷର କରିସ୍ମା। ଆମେରିକାର ଚାଷୀ ଡି.ଡି.ଟି ଭଳି ଶହ ଶହ କୀଟନାଶକ ଫସଲରେ ସିଞ୍ଚନ କରୁଛନ୍ତି। ବହିଟି ଚହଳ ପକାଇ ଦେଲା। କମ୍ପାନୀମାନେ Racelକୁ ଶେଷ କରିଦେବା ଯୋଜନା କରୁଥାନ୍ତି। ଜନ. ଏଫ କେନେଡି ଆମେରିକାର ରାଷ୍ଟ୍ରପତି। ସେ Racelଙ୍କୁ ସୁରକ୍ଷା ଦେଲେ। ଡି.ଡି.ଟି ଆମେରିକାରେ ନିଷିଦ୍ଧ ହେଲା। ‘ଏନ୍ଭର୍ଣ୍ଣମେଣ୍ଟ୍ ପ୍ରୋଟେକ୍ସନ ଏଜେନ୍ସି’ ବିଭାଗଟିଏ ଖୋଲି କୀଟନାଶକକୁ ନିୟନ୍ତ୍ରଣ ଆଇନ ଆଣିଲେ।
୧୯୭୮। କେରଳର କାସାରାଗୋଡା ଜିଲାରେ ସରକାରୀ କାଜୁ ବଗିଚା। ଆକାଶରୁ ନିୟମିତ ଏଣ୍ଡୋସଲଫାନ ସ୍ପ୍ରେ କରାଗଲା। ନଈ, ନାଳରେ ଏଣ୍ଡୋସଲଫାନ। ମଣିଷ ଖାଦ୍ୟକୁ ଗଲା। ଘରେ ଘରେ କ୍ୟାନ୍ସର, ପାରାଲିସିସ। ଗର୍ଭପାତ ଓ ବିକଳାଙ୍ଗ ସନ୍ତାନ ଜନ୍ମ ନେଲେ। ସରକାର ନ ମାନନ୍ତି। ଉଚ୍ଚତମ ନ୍ୟାୟାଳୟର ହସ୍ତକ୍ଷେପ ଯୋଗୁଁଁ ପୀଡିତ ମାନେ ସାହାଯ୍ୟ ପାଉଛନ୍ତି। ମୃତକଙ୍କ ପରିବାରକୁ କ୍ଷତି ପୂରଣ ମିଳୁଛି। ଏବେ ଭାରତ ସରକାର ସାର କୀଟନାଶକ ସିଞ୍ଚନ ପାଇଁ ଡ୍ରୋନ ପ୍ରୋତ୍ସାହନ ଦେଉଛନ୍ତି। ବିଚିତ୍ର ଯୋଜନା। ୧୯୮୪ ଡିସେମ୍ବର ୨ ମଧ୍ୟରାତ୍ରି। ଭୋପାଳ ସହର ଗଭୀର ନିଦ୍ରାରେ। ୟୁନିୟନ କାର୍ବାଇଡ ଗ୍ୟାସ ଟାଙ୍କି ଫାଟି ମିଥାଇଲ ଆଇସୋ ସାଇନାଇଡ ବାଷ୍ପ ଚାଡିଆଡେ ବ୍ୟାପିଗଲା। ସେହି ରାତିରେ ପାଞ୍ଚ ହଜାର ଲୋକ ଚିରନିଦ୍ରା ଗଲେ। ଲକ୍ଷାଧିକ ଆହତ ଏବେ ବି ଚିକିତ୍ସାରେ ଅଛନ୍ତି। କ୍ୟାନ୍ସର, ଗର୍ଭପାତ, ବିକଳାଙ୍ଗ ସନ୍ତାନ ଜନ୍ମ ଏବେ ବି ଦେଖାଯାଉଛି। କମ୍ପାନୀ ପ୍ରସ୍ତୁତ କାର୍ବାଇଲ ଓ ସେଭିନ ଆଜି ବି ବଜାରରେ ଉପଲବ୍ଧ !
ବାଇଗଣ, ଭେଣ୍ଡି, ବନ୍ଧାକୋବି, ଫୁଲ କୋବି ସବୁ ପରିବା କିଆରିରେ ସପ୍ତାହକୁ ଥରେ ଦି’ଥର କୀଟନାଶକ ସିଞ୍ଚନ ହେଉଛି। ବଜାରରେ ବିକ୍ରି ସେଇ ଚକ ଚକ ବିଷ ପରିବା ଆମେ କିଣୁଛୁ, ଖାଉଛୁ, ରୋଗ ଭୋଗୁଛୁ। କେବେ କେହି ଗରାଖ ପ୍ରଶ୍ନ କରୁଛନ୍ତି ‘ପଇସା ଦେଇ ଆମେ କାହିଁକି ବିଷ ପରିବା ଖାଇବୁ ?’ ଦିଲ୍ଲୀର ସେଣ୍ଟର ଫର ଏନଭର୍ଣ୍ଣମେଣ୍ଟାଲ କମ୍ୟୁନିକେସନ ବିଭିନ୍ନ ସହରରେ ପରିବା ପତ୍ର ପରୀକ୍ଷା କରୁଛନ୍ତି। ଶତକଡା ଶହେ ପରିବାରେ ୭/୮ କିସମର କୀଟନାଶକ। ପଞ୍ଜାବର ୪୦/୫୦ ସ୍ତ୍ରୀ ଲୋକଙ୍କ ରକ୍ତ ନମୁନା ପରୀକ୍ଷା କଲେ। ସବୁଥିରେ ୭/୮ ପ୍ରକାରର କୀଟନାଶକ ଅନୁମୋଦିତ ମାତ୍ରା ଠାରୁ ଅଧିକ। କୋକାକୋଲା , ପେପ୍ସି ଭଳି ମୃଦୁ ପାନୀୟ ଓ ବୋତଲ ପାଣିରେ କୀଟନାଶକ।
ଚାଷୀ ଅଧିକ କ୍ଷୀର ପାଇଁ ଗାଈକୁ ଆଣ୍ଟିବାୟୋଟିକ ଇଞ୍ଜେକସନ ଦେଲା। ଅଧିକ କ୍ଷୀର ପାଇଲା। ମାତ୍ର କ୍ଷୀରରେ ବିଷ। ମା’ କ୍ଷୀରରେ ବି କୀଟନାଶକ ବିଷର ପ୍ରମାଣ ମିଳୁଛି। ଛଅ ମାସ ପଯ୍ୟନ୍ତ ଶିଶୁ ମା’ର ବିଷ କ୍ଷୀର ଖାଇବାକୁ କୁହାଯାଉଛି। ମାଛ ୬ ମାସରେ ୨/୩ କିଲୋ ବଢିବ। ଦିଅ ଆଣ୍ଟିବାୟୋଟିକ। କୁକୁଡା ଦେଢ଼ ମାସରେ ୨ କିଲୋ ବଢିବ। ଦାନାରେ ଆଣ୍ଟିବାୟୋଟିକ ଖୁଆଅ। ଆନ୍ଧ୍ର ମାଛ ଦେଶୀମାଛ ଠାରୁ ଶସ୍ତା। ଆନ୍ଧ୍ର ମାଛରେ ବିଷ। ସରକାର କେତେକ କୀଟନାଶକ ନିଷିଦ୍ଧ କରୁଛନ୍ତି। କମ୍ପାନୀମାନେ ନାଁ ବଦଳାଇ ନୂଆ ନାଁରେ ପୁରୁଣା କୀଟନାଶକ ବିକୁଛନ୍ତି। ନୂଆ ବୋତଲରେ ପୁରୁଣା ମଦ। ଚୀନ ବାର୍ଷିକ ୧,୭୬୩,୦୦୦ ମେଟ୍ରିକ ଟନ କୀଟନାଶକ ଚାଷରେ ଲଗାଏ। ଆମେରିକା ୪୦୭ ,୭୭୯ ଟନ , ଭାରତ ୫୨,୭୫୦ ଟନ କୀଟନାଶକ ସିଞ୍ଚନ କରନ୍ତି। ଭାରତ ସରକାର କୀଟନାଶକ ଉତ୍ପାଦନରେ ପୃଥିବୀରେ ପ୍ରଥମ ସ୍ଥାନ ଅଧିକାର ଚେଷ୍ଟାରେ ଅଛି। ଏଣେ ସରକାର ପ୍ରାକୃତିକ କୃଷି କଥା କହୁଛନ୍ତି। ବିଚିତ୍ର ବିରୋଧାଭାଷ । ଓଡିଶା ରାଜ୍ୟ କୃଷି ବିଭାଗକୁ ଧନ୍ୟବାଦ ଦେବା ଗ୍ଲାଇଫସେଟ (ଘାସମରା) ଓ ପାରାକ୍ବେଟ ଭଳି ଦୁଇଟି ମାରାତ୍ମକ କୀଟନାଶକ ବା ତୃଣନାଶକକୁ ସମ୍ପୂର୍ଣ୍ଣ ନିଷେଧ କରିଛନ୍ତି। ପାରାକ୍ବେଟ ମହୁରା ବିଷଠାରୁ ଭୟଙ୍କର। ଥରେ ମଣିଷ ଶରୀରକୁ ପ୍ରବେଶ କରିଛି ତ ଚିକତ୍ସା ନାହିଁ। ନିଶ୍ଚିତ ମୃତ୍ୟୁ । ଆଉ କେତେ ବିଷ ପିଇଲେ ଚେତିବ ? ପଞ୍ଜାବରେ କ୍ୟାନ୍ସର ଟ୍ରେନ ଏବଂ ଓଡିଶାର ବରଗଡ଼ ଜିଲାରେ କ୍ୟାନ୍ସର ରୋଗୀ ସଂଖ୍ୟାର ଅହେତୁକ ବୃଦ୍ଧି। ରାସାୟନିକ କୃଷିର ଉପଲବ୍ଧି।
‘ଆଉଆର ଷ୍ଟୋଲନ ଫିଉଚର’ ପୁସ୍ତକରେ ଥିଓ କଲକର୍ଣ୍ଣ ଓ ଅନ୍ୟମାନେ ଦର୍ଶାଇଛନ୍ତି କୀଟନାଶକରେ ଡାଇଓକ୍ସିନ୍ର ଉପସ୍ଥିତି ନାରୀ ଓ ପୁରୁଷର ପ୍ରଜନନ କ୍ଷମତା ହ୍ରାସର କାରଣ। ଚୀନରେ ୧୯ ପ୍ରତିଶତ ଦମ୍ପତି ସନ୍ତାନ ହୀନ। ପୋଷ୍ୟ ସନ୍ତାନ ଖୋଜୁଛନ୍ତି। ଭବିଷ୍ୟତରେ ଏହା ବଡ ସମସ୍ୟା ହୋଇପାରେ। ୨୦୧୦ ଅକ୍ଟୋବର। ଷ୍ଟକହୋମ କନଭେନସନରେ ଶତାଧିକ ଦେଶର ପ୍ରତିନିଧି ଏଣ୍ଡୋସଲଫାନକୁ ସଂପୂର୍ଣ୍ଣ ନିଷେଧ କରିବା ପାଇଁ ସମ୍ମତି ଦେଲେ। ଭାରତ ଏକମାତ୍ର ଦେଶ ଯେ କି ଏଣ୍ଡୋସଲଫାନ ସପକ୍ଷରେ ଭୋଟ ଦେଇଥିଲା। ଭାରତର ଯୁକ୍ତି ଏଣ୍ଡୋସଲଫାନ ଆଦୌ ସମସ୍ୟା ନୁହେଁ। ଭାରତୀୟ ମାନବିକ ଅଧିକାର ଆୟୋଗ କହନ୍ତି, ‘The present stand of India Govt. shall lead to grave violation to Human Rights,’। କୀଟନାଶକ ବିଷରୁ ମୁକ୍ତି ସମ୍ଭବ। ଦେଶୀ ଚାଷ (ପ୍ରାକୃତିକ କୃଷି ) ଏକମାତ୍ର ବିକଳ୍ପ। କେତେକ ଆଶଙ୍କା କରନ୍ତି ଦେଶୀ ଚାଷ କଲେ ଖାଦ୍ୟ ସଙ୍କଟ ହେବ। ଭୁଲ। କ୍ୟୁବାକୁ ଦେଖନ୍ତୁ। ଗତ ୪୫ ବର୍ଷ ହେଲା ଜୈବିକ କୃଷି ଆପଣେଇ ତ ଭଲରେ ଅଛି।
ନିଆଳି, କଟକ



