ଟ୍ରମ୍ପ ଝଡ଼ ଓ ଭାରତ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ଶୁଳ୍କ ନୀତିର ପ୍ରଭାବ ଭାରତ ସମେତ ଅନେକ ଦେଶରେ ଅନୁଭୂତ ହେଲାଣି। ଅଧିକାଂଶ ଦେଶ ଆମେରିକାର ଏହି ସୁରକ୍ଷାବାଦୀ ବର୍ଦ୍ଧିତ ଶୁଳ୍କ ବ୍ୟବସ୍ଥାକୁ ବିରୋଧ କରୁଛନ୍ତି। ବିଭିନ୍ନ ଦେଶରୁ ଆମେରିକାକୁ ଯେଉଁସବୁ ସାମଗ୍ରୀ ଆମଦାନୀ ହେଉଛି ତାହାର ଶୁଳ୍କ ହାର ବଢ଼ିବା ଦ୍ବାରା ସଂପୃକ୍ତ ରାଷ୍ଟ୍ରମାନେ ବିଶେଷ କ୍ଷତିଗ୍ରସ୍ତ ହେବା ସହିତ ଲାଭଦାୟକ ବିଦେଶୀ ବଜାର ହାରାଉଛନ୍ତି। ସେମାନଙ୍କୁ ଏବେ ନୂଆ ବଜାର ପାଇଁ ତୀବ୍ର ପ୍ରତିଯୋଗିତାର ସମ୍ମୁଖୀନ ହେବାକୁ ପଡ଼ିବ। ଆମେରିକାକୁ ଆଉ ଥରେ ମହାନ କରିବା ପ୍ରୟାସରେ ଟ୍ରମ୍ପ ଯେଉଁସବୁ ପଦକ୍ଷେପ ନେଉଛନ୍ତି ସେଥିରେ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଶୁଳ୍କ ବୃଦ୍ଧି ଅନ୍ୟତମ।
ଏହି ଟାରିଫ୍ ବା ଶୁଳ୍କ ବିବାଦକୁ ଦୃଷ୍ଟିରେ ରଖି ବିଦେଶୀ ପୁଞ୍ଜିନିବେଶମାନେ ଭାରତୀୟ ପୁଞ୍ଜି ବଜାରରୁ ଗତ ଚାରିଟି କାରବାର ଦିବସରେ ୧୦,୩୫୫ କୋଟି ଟଙ୍କା ଉଠାଇ ନେଇଛନ୍ତି। ଏହା ଫଳରେ ଭାରତୀୟ ଷ୍ଟକ୍ ଏକ୍ସେଞ୍ଜ୍, ଇକ୍ୟୁଟି ମାର୍କେଟ୍, ସେୟାର ବଜାରରେ କାରବାର ବ୍ୟାହତ ହେବା ସହିତ ବିଭିନ୍ନ ସେୟାର ମୂଲ୍ୟ ଯଥେଷ୍ଟ ହ୍ରାସ ପାଇଛି। ସୋମବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଖୋଲିବାର ପ୍ରଥମ ୯୦ ମିନିଟ୍ ଭିତରେ ନିବେଶକ ୧୯.୨ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ସେନ୍ସେକ୍ସ ୩୦୦୦ ପଏଣ୍ଟ୍ ଖସିଛି। ମିଳିଥିବା ତଥ୍ୟ ଅନୁସାରେ ୨୧ରୁ ୨୮ ମାର୍ଚ୍ଚ ଭିତରେ ହୋଇଥିବା ଛ’ଟି କାରବାର ଦିବସରେ ଭାରତୀୟ ପୁଞ୍ଜି ବଜାରରେ ୩୦,୯୨୭ କୋଟି ଟଙ୍କାର ନିବେଶ ହୋଇଥିଲା। ଏହା ଫଳରେ ବିଦେଶୀ ନିବେଶକ ଅର୍ଥ ଉଠାଇନେବା ସତ୍ତ୍ବେ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିଲା। ସୂଚନାଯୋଗ୍ୟ ଯେ ବିଦେଶୀ ପ୍ରତିଭୂତି ନିବେଶ ଚଳିତ ଏପ୍ରିଲ ମାସର ପ୍ରଥମ ଚାରିଦିନ ମଧ୍ୟରେ ବିଦେଶୀ ନିବେଶକ ୧୦,୩୩୫ କୋଟି ଟଙ୍କା ଉଠାଇ ନେବା ଫଳରେ ଏ ଯାଏ ଏ ବାବଦ ପୁଞ୍ଜି ପ୍ରତ୍ୟାହାର ପରିମାଣ ଚଳିତ ବର୍ଷ ୧.୨୭ ଟ୍ରିଲିୟନରେ ପହଞ୍ଚିଲାଣି। କେବଳ ସେତିକି ନୁହେଁ, ଏହି ବିଦେଶୀ ନିବେଶକମାନେ ଏ ବର୍ଷ ସ୍ବେଚ୍ଛାକୃତ ଋଣ ରିଟେନସନ୍ ରୁଟ୍ରେ ୪୦୩୮କୋଟି, ଡେଟ୍ ଜେନେରାଲ ଲିମିଟିରୁ ୫୫୬ କୋଟି ଉଠାଇ ନେଇଛନ୍ତି। ସରଳ ଭାଷାରେ କହିଲେ ଭାରତୀୟ ପୁଞ୍ଜି ବଜାରରେ ଏକ ପ୍ରକାର ନିଆଁ ଲାଗିଛି ଓ ସେୟାର ମୂଲ୍ୟ ତଥା ନିବେଶ ଧରାଶାୟୀ ହୋଇଛି। ଏହାର ଯେ ଏକ ବିରାଟ ପ୍ରଭାବ ଆମ ଦେଶର ଅର୍ଥନୀତି ଉପରେ ପଡ଼ିଛି ଏହାକୁ ଅସ୍ବୀକାର କରିହେବ ନାହିଁ। ଆମେରିକାର ମୁକ୍ତି ଦିବସ ଏପ୍ରିଲ ୨ରେ ଟ୍ରମ୍ପ ଏହି ଶୁଳ୍କ ବା ଟାରିଫ୍ କଥା କହିଥିଲେ। ତାଙ୍କର କହିବାର ଉଦ୍ଦେଶ୍ୟ ଥିଲା ଆମେରିକାକୁ ରପ୍ତାନି ହେଉଥିବା ବିଦେଶୀ ସାମଗ୍ରୀ ଉପରେ ଅଧିକ ଶୁଳ୍କ ଲଗାଇବା ଦ୍ବାରା ସେ ସବୁ ସାମଗ୍ରୀର ଆମଦାନୀ କମିବ ଏବଂ ଆମେରିକୀୟ ଶିଳ୍ପୋଦ୍ୟୋଗର ପୁନଃ ଜନ୍ମ ହେବ। ଆମେରିକାକୁ ସମୃଦ୍ଧ ଓ ମହାନ କରିବାକୁ ଏହା ଏକ ପଦକ୍ଷେପ। ଉତ୍ତମ ସମ୍ପର୍କ ସତ୍ତ୍ବେ ଟ୍ରମ୍ପ ତାଙ୍କ ଭାଷଣରେ ଭାରତ କଥା ଉଲ୍ଲେଖ କରି କହିଥିଲେ ଯେ ଭାରତର ବାଣିଜ୍ୟ ନୀତି ଅତି କଠୋର ଓ ଅନମନୀୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ମୋ ବନ୍ଧୁ’ ଭାବେ ସମ୍ବୋଧନ କରିବା ସହ ଆହୁରି କହିଥିଲେ ଯେ ସେ ଏବେ ଆମେରିକା ଗସ୍ତରୁ ଫେରିଛନ୍ତି। ଜଣେ ଉତ୍ତମ ବନ୍ଧୁ ସତ୍ତ୍ବେ ମୋଦୀ ଆମେରିକାକୁ ବାଣିଜ୍ୟ କ୍ଷେତ୍ରରେ ବନ୍ଧୁ ଭାବେ ଦେଖୁନାହାଁନ୍ତି । ଭାରତ ଆମ ଉପରେ ୫୨ ଶତାଂଶ ଶୁଳ୍କ ଲଗାଇଛି। ଏଥିରୁ ଟ୍ରମ୍ପଙ୍କର ଭାରତ ପ୍ରତି ଥିବା ଆଭିମୁଖ୍ୟ ସ୍ପଷ୍ଟ। ଏହି କଥାରୁ ଭାରତର ପୁଞ୍ଜି ବଜାରରେ ଯେ ଏକ ଅସ୍ଥିରତାର ଝଡ଼ ସୃଷ୍ଟି ହୋଇଛି ତାହା କହିବା ଅନାବଶ୍ୟକ। ମୋଦୀ ତାଙ୍କର ଉତ୍ତମ ବନ୍ଧୁଙ୍କୁ ବୁଝାଇ କିପରି ଏହି ଶୁଳ୍କ ବିବାଦର ସମାଧାନ କରିବେ ଓ ଟ୍ରମ୍ପ ଝଡ଼ରୁ ଭାରତର ଅର୍ଥନୀତିକୁ ସୁରକ୍ଷା ଦେଉଛନ୍ତି ଦେଖିବାକୁ ବାକି ରହିଲା।
Comments are closed.