କେଉଁ ଖାଦ୍ୟ ଶରୀରରେ କି ପ୍ରଭାବ ପକାଏ !
ଭୋପାଳର ନାମକରା ଆୟୁର୍ବେଦ ବିଶେଷଜ୍ଞ ଡାକ୍ତର ଅବରାର ମୁଲତାନି ନିକଟରେ ବିଭିନ୍ନ ପ୍ରକାର ଅନୁସନ୍ଧାନରୁ କେତେକ ଜାଣିବା ତଥ୍ୟ ପ୍ରକାଶ କରିଛନ୍ତି। ଏ ବାବଦରେ ସେ ଭାରତୀୟ କର୍କଟ ଗବେଷଣା ସଂସ୍ଥାକୁ ମଧ୍ୟ ଅବଗତ କରାଇଛନ୍ତି। ନିୟମିତ ଭାବେ ଅଧିକ ପରିମାଣରେ ଲୁଣ ଖାଇବା ଦ୍ବାରା ପେଟରେ ବିଭିନ୍ନ ଭୟଙ୍କର ରୋଗ ହେବାର ଆଶଙ୍କା ରହିଛି ।
ଫାଷ୍ଟ ଫୁଡ୍ : ମାସକୁ ଥରେ କିମ୍ବା ଦୁଇଥର ଫାଷ୍ଟ ଫୁଡ୍ ଖାଉଥିଲେ ତାହା ସ୍ବାସ୍ଥ୍ୟ ଉପରେ ସେଭଳି କୌଣସି କୁପ୍ରଭାବ ପକାଇ ନଥାଏ। ହେଲେ ନିୟମିତ ଭାବେ ଏହା ଖାଇବା ଦ୍ବାରା ବୃକକ୍ ଓ ଯକୃତ ସମସ୍ୟା ଉପୁଜିଥାଏ। ଫାଷ୍ଟଫୁଡରେ ମହଜୁଦ୍ ଥିବା ଫ୍ୟାଟ୍ କାରଣରୁ ଓଜନ ବଢ଼ିବା ସହ ହୃଦରୋଗ ହୋଇଥାଏ ବୋଲି ବିଶେଷଜ୍ଞଙ୍କ ମତ ।
ଚିନି : ଏହାର ଉପଯୋଗ ଅପେକ୍ଷାକୃତ କମ୍ କରିବା ସବୁଠୁ ଉତ୍ତମ। ଏହି ମିଠା ଜାତୀୟ ଦ୍ରବ୍ୟଟି ହିଁ ବିଭିନ୍ନ ରୋଗର ମୂଳଦୁଆ ପକାଇଥାଏ। ଏହା କାରଣରୁ ସର୍ବପ୍ରଥମେ ବୃକକ୍ କ୍ଷତିଗ୍ରସ୍ତ ହୋଇଥାଏ ।
ମଇଦା : ଭାରତୀୟ ପରିବାରରେ ମଇଦାର ବ୍ୟବହାର ଅପେକ୍ଷାକୃତ କମ୍ ହୋଇଥାଏ। କାରଣ ଅଧିକାଂଶ ଲୋକେ ଅଟା ରୁଟି କିମ୍ବା ପୁରି ଖାଇବାକୁ ପସନ୍ଦ କରନ୍ତି। ହେଲେ ବିଦେଶୀ ବ୍ୟଞ୍ଜନରେ ମଇଦା ପ୍ରଚୁର ପରିମାଣରେ ବ୍ୟବହାର ହୁଏ। ମଇଦା ପ୍ରସ୍ତୁତି ସମୟରେ ହିଁ ଏଥିରୁ ସମସ୍ତ ପୋଷକତତ୍ତ୍ବ ବାହାରିଯାଏ। ଏଣୁ ଏହା ସ୍ବାସ୍ଥ୍ୟ ଉପରେ କୌଣସି ଉତ୍ତମ ପ୍ରଭାବ ପକାଏନାହିଁ, ବରଂ ରୋଗାଗ୍ରସ୍ତ କରାଏ ।
ମୃଦୁ ପାନୀୟ : ଏଥିରେ ମାତ୍ରାଧିକ ଚିନି ଓ ଫସଫରିକ୍ ଏସିଡ୍ ଥିବାରୁ ମସ୍ତିଷ୍କର କାର୍ୟ୍ୟକାରୀ କ୍ଷମତା କମ୍ ହୋଇଯାଏ। ଏଣୁ ପିଲାଙ୍କଠାରୁ ଏହି ପାନୀୟ ଦୂରେଇ ରଖିବା ଉଚିତ ।