mission shakti banner

ଏଫ୍‌ଆଇଏଚ୍‌ ପୁରୁଷ ପ୍ରୋ-ଲିଗ୍‌ ହକି : କଳିଙ୍ଗରେ ଭାରତ-ଇଂଲଣ୍ଡ ମୁକାବିଲା ଆଜି

nua o banner

ଭୁବନେଶ୍ବର  : ଏଫ୍‌ଆଇଏଚ୍‌ ପୁରୁଷ ପ୍ରୋ-ଲିଗ୍‌ ହକି ୨୦୨୧-୨୨ର କଳିଙ୍ଗ ଷ୍ଟାଡ଼ିୟମରେ ଆଜି (ଶନିବାର) ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ। ଏହି ମ୍ୟାଚ ରାତି ୭ଟା୩୦ରେ ଖେଳାଯିବ। ମ୍ୟାଚର ଗୁରୁତ୍ବକୁ ଦୃଷ୍ଟିରେ ରଖି ଉଭୟ ଦଳପ୍ରସ୍ତୁତି ଶେଷ କରିଛନ୍ତି।
ଅମିତ ରୋହିଦାସଙ୍କ ନେତୃତ୍ବାଧିନ ଅଲିମ୍ପିକ୍‌ସ କାଂସ୍ୟ ପଦକ ବିଜେତା ଭାରତ ୮ଟି ମ୍ୟାଚରୁ ୫ଟି ବିଜୟ, ୨ଟି ପରାଜୟ ଓ ଗୋଟିଏ ଶୁଟ୍‌ଆଉଟ୍‌ ପରାଜୟ ସହ ୧୬ ପଏଣ୍ଟ ପାଇ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି। ଭାରତ ଦକ୍ଷିଣ ଆଫ୍ରିକାକୁ ୧୦-୨ ଓ ୧୦-୨ରେ , ଫ୍ରାନ୍ସକୁ ପ୍ରଥମ ମ୍ୟାଚରେ ୫-୦ରେ ପରାସ୍ତ କରିଥିବାବେଳେ ଦ୍ବିତୀୟ ମ୍ୟାଚରେ ୫-୨ ଗୋଲରେ ପରାଜିତ ହୋଇଥିଲା। କଳିଙ୍ଗ ଷ୍ଟାଡ଼ିୟମ​‌େ​ର ଖେଳିଥିବା ସ୍ପେନ ବିପକ୍ଷ ପ୍ରଥମ ମ୍ୟାଚକୁ ଭାରତ ୫-୪ ଗୋଲରେ ଜିତି ଥିବାବେଳେ ଦ୍ବିତୀୟ ମ୍ୟାଚରେ ୫-୩ ଗୋଲରେ ପରାଜିତ ହୋଇଥିଲା। ଆର୍ଜେଣ୍ଟିନା ବିପକ୍ଷରେ ପ୍ରଥମ ମ୍ୟାଚକୁ ପେନାଲ୍ଟି ଶୁଟ୍‌ଆଉଟ୍‌ ୧-୩(୨-୨) ଗୋଲରେ ପରାଜିତ ହୋଇଥିବାବେଳେ ଦ୍ବିତୀୟ ମ୍ୟାଚକୁ ୪-୩ ଗୋଲରେ ଜିତି ନେଇଥିଲା। ଦଳରେ ଯୁବ ଓ ଅଭିଜ୍ଞ ଖେଳାଳି ରହିଛନ୍ତି। ଅଧିନାୟକ ଅମିତଙ୍କ ସମେତ ଉପ ଅଧିନାୟକ ହରମାନପ୍ରୀତ ସିଂହ, ବିବେକ ସାଗର ପ୍ରସାଦ, ନୀଳକାନ୍ତ ଶର୍ମା, ନୀଲମ ସଞ୍ଜୀପ ଖେସ, ସୁମିତ ଓ ଗୋଲରକ୍ଷକ ପି.ଆର ଶ୍ରୀଜେଶଙ୍କ ଭଳି ଖେଳାଳି ରହିଛନ୍ତି। ଭାରତ ଏପର୍ଯ୍ୟନ୍ତ ୮ଟି ମ୍ୟାଚରୁ ୪୨ଟି ଗୋଲ ସ୍କୋର କରିଛି। ଦଳ ପୂର୍ବାପେକ୍ଷା ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିବାରେ ସଫଳ ହେଉଛି। ମନପ୍ରିତ ସିଂହଙ୍କ ଅନୁପସ୍ଥିତିରେ ଅମିତ ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚ​‌େ​‌ର ଦଳର ନେତୃତ୍ବକୁ ସଠିକ ଭାବେ ତୁଲାଇବାରେ ସଫଳ ହୋଇଥିଲେ। ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ ରିଡ୍‌ କହିଛନ୍ତି। ଅନ୍ୟପକ୍ଷରେ ଇଂଲଣ୍ଡ ୪ଟି ମ୍ୟାଚ ଖେଳି ୨ଟି ବିଜୟ ଓ ୨ଟି ପରାଜୟ ସହ ୬ ପଏଣ୍ଟ ପାଇ ଟେବୁଲର ସପ୍ତମ ସ୍ଥାନରେ ରହିଛି। ଇଂଲଣ୍ଡ ସ୍ପେନକୁ ୬-୧ ଓ ୩-୨ ଗୋଲରେ ପରାସ୍ତ କରିଥିବ​‌ାବେଳେ ଆର୍ଜେଣ୍ଟିନା ନିକଟରୁ ୨-୦ ଓ ୩-୧ ଗୋଲରେ ପରାଜିତ ହୋଇଛି। ଅଧିନାୟକ ଜ୍ୟାକ ସରସବେ ଓ ପ୍ରଶିକ୍ଷକ ଜ୍ୟାକ ଜୋନାସ ଭାରତ ବିପକ୍ଷ ମ୍ୟାଚ ବିଜୟୀ ନେଇ ରଣନୀତି ପ୍ରସ୍ତୁତ କରିଛନ୍ତି। ପ୍ରଶିକ୍ଷକ ଜୋନାସ କହିଛନ୍ତି ଯେ, ଭାରତ ବିଶ୍ବ ହକିର ଅନ୍ୟତମ ଶ୍ରେଷ୍ଠ ଦଳ। ଉକ୍ତ ଦଳକୁ ଘରୋଇ ପଡିଆରେ ପରାସ୍ତ କରିବା ସହଜ ନୁହେଁ।
ଚଳତି ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ହକିରେ ଭାରତ ମଧ୍ୟ ଭଲ ପ୍ରଦର୍ଶନ କରୁଛି। ଭାରତକୁ କଳିଙ୍ଗ ଷ୍ଟାଡ଼ିୟମରେ ପରାସ୍ତ କରିବାକୁ ହେଲେ ଆମକୁ ସବୁ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବାକୁ ପଡିବ। ଦଳ ଭଲ ଖେଳିବା ନେଇ ଆଶାବାଦୀ ବୋଲି ଜୋନାସ୍ କହିଛନ୍ତି। ଜର୍ମାନୀ ୧୭ ପଏଣ୍ଟ ପାଇ ଶୀର୍ଷରେ ରହିଥିବାବେଳେ ଭାରତ ଦ୍ବିତୀୟ ସ୍ଥାନରେ ରହିଛି। ଇଂଲଣ୍ଡ ବିପକ୍ଷ ମ୍ୟାଚକୁ ଜିତି ଭାରତ ଶୀର୍ଷକୁ ଉନ୍ନୀତ ହେବାକୁ ଉଦ୍ୟମ କରିବାବେଳେ ଇଂଲଣ୍ଡ ବିଜୟ ଧାରାକୁ ଫେରିବା ନେଇ ଚେଷ୍ଟା କରିବ।

Comments are closed.