nua o banner

ଅଧିନାୟକ ରହିଲେ ଅମିତ,ଫେରିଲେ ନୀଲମ୍‌

ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ହକି: ଇଂଲଣ୍ଡ ମ୍ୟାଚ୍‌ ଲାଗି ଭାରତୀୟ ପୁରୁଷ ଦଳ ଘୋଷିତ

BSKY banner  750×100

ଭୁବନେଶ୍ବର : ଭାରତ ଓ ଇଂଲଣ୍ଡ ମଧ୍ୟରେ କଳିଙ୍ଗ ଷ୍ଟାଡ଼ିୟମରେ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ପୁରୁଷ ହକି ମ୍ୟାଚ ଆସନ୍ତା ଏପ୍ରିଲ ୨ ଓ ୩ରେ ଖେଳାଯିବ। ଏଥିପାଇଁ ହକି ଇଣ୍ଡିଆ ପକ୍ଷରୁ ୨୨ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଦଳରେ ମାତ୍ର ଗୋଟିଏ ପରିବର୍ତ୍ତନ କରାଯାଇଛି। ଅଭିଜ୍ଞ ଓଡ଼ିଆ ରକ୍ଷଣଭାଗ ଖେଳାଳି ଅମିତ ରୋହିଦାସ ଦଳର ଅଧିନାୟକ ପଦ ବଜାୟ ରଖିଥିବା ବେଳେ ଓଡ଼ିଶାର ଫରୱାର୍ଡ ଶିଳାନନ୍ଦ ଲାକ୍ରା ସ୍ଥାନ ବଜାୟ ରଖିଛନ୍ତି। ଅନ୍ୟତମ ଓଡ଼ିଆ ଖେଳାଳି ନୀଲମ ସଞ୍ଜୀପ ଖେସ୍‌ ଦଳକୁ ଫେରିଛନ୍ତି। ନୀଲମ ଗତ ଡିସେମ୍ବରରେ ଢାକାରେ ଆୟୋଜିତ ଏସିଆନ ଚମ୍ପିଆନ୍‌ସ ଟ୍ରଫି ଲାଗି ଭାରତୀୟ ଦଳରେ ସ୍ଥାନ ପାଇଥିଲେ। ବରୁଣ କୁମାରଙ୍କ ସ୍ଥାନରେ ନୀଲମଙ୍କୁ ଦଳରେ ସ୍ଥାନ ମିଳିଛି। ପୂର୍ବରୁ ଅମିତ ରୋହିଦାସ କଳିଙ୍ଗ ଷ୍ଟାଡ଼ିୟମରେ ଗତ ମାର୍ଚ୍ଚରେ ଖେଳା ଯାଇଥିବା ଆର୍ଜେଣ୍ଟିନା ବିପକ୍ଷ ପ୍ରୋ ଲିଗ୍‌ ମ୍ୟାଚରେ ଦଳର ନେତୃତ୍ବ ନେଇଥିଲେ। ଏଥିରେ ଭାରତ ପ୍ରଥମ ମ୍ୟାଚରେ ୨-୨ (୧-୩)ରେ ପରାଜିତ ହୋଇଥିବା ବେଳେ ୨ୟ ମ୍ୟାଚକୁ ୪-୩ ଗୋଲରେ ଜିତି ନେଇଥିଲା। ଅନ୍ୟପକ୍ଷରେ ନିୟମିତ ଅଧିନାୟକ ମନପ୍ରୀତ ସିଂହଙ୍କ ବଦଳରେ ଅମିତଙ୍କୁ ନେତୃତ୍ବ ସୁଯୋଗ ଦେଇ ହକି ଇଣ୍ଡିଆ ଯୁବ ଖେଳାଳିଙ୍କୁ ନେତୃତ୍ବର ଅଭିଜ୍ଞତା ଉପରେ ଗୁରୁତ୍ବ ଦେଇଛି। ଯୁବ ଖେଳାଳିଙ୍କୁ ଦାୟିତ୍ବ ଦେବା ନେଇ ସବୁବେଳେ ଗୁରୁତ୍ବ ଦିଆଯାଉଛି। ଏହା ଯୁବ ଖେଳାଳିମାନଙ୍କୁ ଆଗକୁ ବଢିବା ଓ ନେତୃତ୍ବ ନେବାର ଦକ୍ଷତା ହାସଲ କରିବାରେ ସହାୟକ ହେବ ବୋଲି ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ ରିଡ୍‌ କହିଛନ୍ତି। ଭାରତ ଏଫ୍‌ଆଇଏଚ୍‌ ପୁରୁଷ ହକି ଲିଗ୍‌ ପ୍ରତିଯୋଗିତାରେ ଏପର୍ଯ୍ୟନ୍ତ ୮ଟି ମ୍ୟାଚରୁ ୫ଟି ବିଜୟ, ୨ଟି ପରାଜୟ ଓ ଗୋଟିଏ ଡ୍ର ସହ ୧୬ ପଏଣ୍ଟ ପାଇ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି।

Comments are closed.