କ୍ୱାର୍ଟରରେ ବ୍ରାଜିଲ

0

ସାମାରା : ଚଳିତ ଫୁଟ୍‍ବଲ ବିଶ୍ୱକପ୍‍ରେ ସାମ୍ବା ମ୍ୟାଜିକ୍‍ ଅବ୍ୟାହତ ରହିଛି। ତାରକା ଷ୍ଟ୍ରାଇକର ନିଏମାରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଚଳିତ ଫୁଟ୍‍ବଲ ବିଶ୍ୱକପ୍‍ର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି ବ୍ରାଜିଲ। ସୋମବାର ଖେଳା ଯାଇଥିବା ୫ମ ପ୍ରିକ୍ୱାର୍ଟରଫାଇନାଲ ମ୍ୟାଚ୍‍ରେ ମେକ୍କିକୋକୁ ୨-୦ ଗୋଲ୍‍ରେ ବ୍ରାଜିଲ ପରାସ୍ତ କରିଛି। ପ୍ରଥମାର୍ଦ୍ଧ ଗୋଲ୍‍ଶୂନ୍ୟ ରହିଥିଲା। ନିଏମାର ପ୍ରଥମ ଗୋଲ୍‍ ଦେଇଥିବା ବେଳେ ତାଙ୍କରି ପାସ୍‍ରୁ ସାଥୀ ଖେଳାଳି ଫର୍ମିନୋ ୨ୟ ଗୋଲ୍‍ ସ୍କୋର୍‍ କରିଥିଲେ। ଏହି ବିଜୟ ସହ ଫୁଟ୍‍ବଲ ବିଶ୍ୱକପ୍‍ରେ କ୍ରମାଗତ ୭ମ ଥର କ୍ୱାର୍ଟରଫାଇନାଲରେ ପହଞ୍ଚିଛି ସର୍ବାଧିକ ୫ଥର ବିଶ୍ୱ ଚମ୍ପିଆନ୍‍ ହୋଇଥିବା ବ୍ରାଜିଲ।
ମ୍ୟାଚ୍‍ ଆରମ୍ଭରୁ ମେକ୍ସିକୋ ଆଧିପତ୍ୟ ବିସ୍ତାରକରି ଖେଳିବାର ପ୍ରୟାସ କରିଥିଲା। ତେବେ ମ୍ୟାଚ୍‍ ଆଗକୁ ବଢ଼ିବା ମାତ୍ରେ ବ୍ରାଜିଲ ଦଳର ଚମକ ଦେଖିବାକୁ ମିଳିଥିଲା। ପ୍ରଥମାର୍ଦ୍ଧରେ ବ୍ରାଜିଲ ହିଁ ପ୍ରାଧାନ୍ୟ ବିସ୍ତାର କରିଥିଲା। ବ୍ରାଜିଲ୍‍କୁ ଗୋଲ୍‍ଦେବାର ଅଧିକ ସୁଯୋଗ ମିଳିଥିଲା। ପୁଣି ବ୍ରାଜିଲ ପାଖରେ ଅଧିକାଂଶ ସମୟ ବଲ୍‍ ରହିଥିଲା। ପ୍ରଥମାର୍ଦ୍ଧରେ ମେକ୍ସିକୋ ମାତ୍ର ୪ଟି ସଟ୍‍ ବ୍ରାଜିଲ ଗୋଲ୍‍ପୋଷ୍ଟକୁ ମାରିଥିବା ବେଳେ ବ୍ରାଜିଲ ଖେଳାଳି ୧୧ଟି ସଟ୍‍ ମାରିଥିଲେ; ଯେଉଁଥିରୁ ୩ଟି ଗୋଲ୍‍ପୋଷ୍ଟକୁ ଥିଲା। ତଥାପି ପ୍ରଥମାର୍ଦ୍ଧ ଗୋଲ୍‍ଶୂନ୍ୟ ରହିଥିଲା।
୨ୟ ମିନିଟରେ ମେକ୍ସିକୋକୁ କର୍ଣ୍ଣର ମିଳିଥିଲା। କର୍ଣ୍ଣରକୁ ବ୍ରାଜିଲ ଗୋଲ୍‍ରକ୍ଷକ ଆଲିସନ୍‍ ପଞ୍ଚ୍‍ ମାରିଥିଲେ ହେଁ ବଲ୍‍ ମେକ୍ସିକୋର ହର୍ଭିଙ୍ଗ୍‍ ଲୋଜାନୋଙ୍କ ପାଖରେ ପହଞ୍ଚିଥିଲା। ତେମେ ଲୋଜାନୋଙ୍କ ସଟ୍‍କୁ ବ୍ରାଜିଲ ଡିଫେଣ୍ଡର ରୋକି ଦେଇଥିଲେ। ୫ମ ମିନିଟରେ ନିଏମାର ପ୍ରଥମ ସଟ୍‍ ମାରିଥିଲେ ହେଁ ଦୂରରୁ ମାରିଥିବା ତାଙ୍କ ସଟ୍‍କୁ ମେକ୍ସିକୋ ଗୋଲ୍‍ରକ୍ଷକ ଗ୍ୱିଲେର୍ମୋ ଓଚୋଆ ଧରି ନେଇଥିଲେ। ପରେ ମେକ୍ସିକୋର ତାରକା ଫରୱାର୍ଡ ହାଭିଏର୍‍ ହର୍ଣ୍ଣାଣ୍ଡେଜ୍‍ ୨ଟି ସୁଯୋଗ ପାଇଥିଲେ ହେଁ ଏହା ବେକାର ହୋଇଥିଲା। ୨୨ ମିନିଟରେ ମେକ୍ସିକୋର ହେକ୍ଟର ହେରେରା ୨ଟି ସୁଯୋଗ ଛାଡ଼ିଥିଲେ। ୨୫ ମିନିଟରେ ନିଏମାରଙ୍କ ଏକ ସଟ୍‍କୁ ରୋକିଥିଲେ ମେକ୍ସିକୋ ଗୋଲ୍‍ରକ୍ଷକ ଓଚୋଆ। ୩୯ ମିନିଟରେ ଫ୍ରିକିକ୍‍ରୁ ନିଏମାରଙ୍କ ସଟ୍‍ ଗୋଲ୍‍ପୋଷ୍ଟ ବାହାରେ ଚାଲି ଯାଇଥିଲା। ୪୧ ମିନିଟରେ ଓଚୋଆ ଡାଇଭ୍‍ମାରି ବ୍ରାଜିଲ ମିଡ୍‍ଫିଲ୍‍ଡର ୱିଲିଆନ୍‍ଙ୍କ କ୍ରସ୍‍କୁ ରୋକିଥିଲେ। ଏହିପରି ପ୍ରଥମାର୍ଦ୍ଧ ଗୋଲ୍‍ଶୂନ୍ୟ ରହିଥିଲା। ୪୯ ମିନିଟରେ ବ୍ରାଜିଲ ମିଡ୍‍ଫିଲ୍‍ଡର ଫିଲିପ୍‍ କ୍ୟୁଟିନ୍ୟୋଙ୍କ ଜୋର୍‍ଦାର ସଟ୍‍କୁ ବାହାର କରି ଦେଇଥିଲେ ମେକ୍ସିକୋ ଗୋଲ୍‍ରକ୍ଷକ ଓଚୋଆ। ୫୧ ମିନିଟରେ ବ୍ରାଜିଲ ପ୍ରଥମ ଗୋଲ୍‍ ଦେଇଥିଲା। ନିଏମାରଙ୍କ ବ୍ୟାକ୍‍ପାସରୁ ବଲ୍‍ ପାଇ ୱିଲିଆନ୍‍ ବାମପଟୁ ଏକ କ୍ରସ୍‍ ମାରିଥିଲେ। ଏହାକୁ ଅତି ନିକଟରୁ ଗୋଲ୍‍ ମଧ୍ୟକୁ ପଠାଇ ଦେଇଥିଲେ ନିଏମାର। ବିଶ୍ୱକପ୍‍ରେ ଏହି ନିଏମାରଙ୍କ ୬ଷ୍ଠ ଗୋଲ୍‍ ଥିଲା। ୫୯ ମିନିଟରେ ପୌଲିନ୍ୟୋ ଅତି ପାଖରୁ ବଲ୍‍ ପାଇଥିଲେ ହେଁ ତାଙ୍କ ପ୍ରୟାସକୁ ମେକ୍ସିକୋ ଗୋଲ୍‍ରକ୍ଷକ ଓଚୋଆ ରୋକି ଦେଇଥିଲେ। ଏହିପରି ଓଚୋଆଙ୍କ ଯୋଗୁଁ ବ୍ରାଜିଲ ଏକାଧିକ ନିଶ୍ଚିତ ଗୋଲ୍‍ ସ୍କୋର୍‍ କରିବାରୁ ବଞ୍ଚିତ ହୋଇଥିଲା। ପୁଣି ନିଏମାରଙ୍କୁ ନିୟନ୍ତ୍ରଣରେ ରଖିବା ପାଇଁ ମେକ୍ସିକୋ ଖେଳାଳି ତାଙ୍କୁ ନିୟମିତ ଫାଉଲ ମାରିବା ଦେଖା ଯାଇଥିଲା। ୭୫୍ୱ ମିିନିଟରେ ୱିଲିଆନ୍‍ ସିଧା ସଟ୍‍ ମାରିଥିଲେ ହେଁ ଏହାକୁ ମେକ୍ସିକୋ ଗୋଲ୍‍ରକ୍ଷକ ଓଚୋଆ ରୋକି ଦେଇଥିଲେ। ୮୮ ମିନିଟରେ ନିଏମାରଙ୍କ ପ୍ରୟାସରୁ ବ୍ରାଜିଲ ୨ୟ ଗୋଲ୍‍ ସ୍କୋର୍‍ କରିଥିଲା। ନିଏମାର ଗୋଲ୍‍ପୋଷ୍ଟର ଡାହାଣପଟୁ ଏକ ଡିଫେନ୍‍ସଭେଦୀ ପାସ୍‍ ଦେଇଥିଲେ; ଯେଉଁଥିରୁ ସାଥୀ ଖେଳାଳି ଫର୍ମିନୋ ଦଳ ପାଇଁ ୨ୟ ଗୋଲ୍‍ ଦେଇଥିଲେ।

kalyan agarbati
Leave A Reply