ଇରାନ୍‍କୁ ୧-୦ରେ ହରାଇଲା ସ୍ପେନ୍‍

0

କାଜାନ୍‍ : ଫିଫା ବିଶ୍ୱକପ୍‍ରେ ଶୁକ୍ରବାର ଗ୍ରୁପ୍‍ ‘ବି’ର ମ୍ୟାଚ୍‍ରେ ପୂର୍ବ ଚମ୍ପିଆନ୍‍ ସ୍ପେନ୍‍ ବିଜୟୀ ହୋଇଛି। ଦ୍ୱିତୀୟାର୍ଦ୍ଧରେ ଡିଏଗୋ କୋଷ୍ଟାଙ୍କ ଏକମାତ୍ର ଗୋଲ୍‍ ବଳରେ ଇରାନ୍‍କୁ ୧-୦ ଗୋଲ୍‍ରେ ସ୍ପେନ୍‍ ପରାସ୍ତ କରିଛି। ମ୍ୟାଚ୍‍ରେ ସ୍ପେନ୍‍ ପ୍ରାଧାନ୍ୟ ବିସ୍ତାରକରି ଖେଳିଥିଲେ ହେଁ ଗୋଟିଏରୁ ଅଧିକ ଗୋଲ୍‍ ଦେଇ ପାରିନଥିଲା। ପ୍ରଥମ ମ୍ୟାଚ ଡ୍ର ରଖିଥିବା ସ୍ପେନ୍‍ ଏହି ବିଜୟ ସହ ୨ଟି ମ୍ୟାଚ୍‍ରୁ ୪ ପଏଣ୍ଟ ପାଇ ପ୍ରିକ୍ୱାର୍ଟରଫାଇନାଲ ଖେଳିବାର ନିକଟତର ହୋଇଛି। ଏହି ଗ୍ରୁପ୍‍ରେ ପର୍ତ୍ତୁଗାଲ୍‍ ସହ ସ୍ପେନ୍‍ ସମାନ ୪ ପଏଣ୍ଟ ଲେଖାଏଁ ପାଇ ଉଭୟ ଦଳ ପ୍ରଥମ ୨ଟି ସ୍ଥାନରେ ରହିଛନ୍ତି। ପ୍ରଥମ ମ୍ୟାଚ୍‍ରେ ବିଜୟୀ ହୋଇଥିବା ଇରାନ୍‍ ୨ଟି ମ୍ୟାଚ୍‍ରୁ ୩ ପଏଣ୍ଟ ପାଇଛି।
ମ୍ୟାଚ୍‍ର ପ୍ରଥମାର୍ଦ୍ଧର୍ରେ ୱାନ୍‍ୱେ ଟ୍ରାଫିକ୍‍ ଦେଖିବାକୁ ମିଳିଥିଲା। ସ୍ପେନ୍‍ ଆକ୍ରମଣ କରି ଚାଲିଥିବା ବେଳେ ଇରାନ୍‍ ଦଳ ନିଜ ଦୁର୍ଗ ବଞ୍ଚାଇବାରେ ବ୍ୟସ୍ତ ରହିଥଲା। ପ୍ରଥମାର୍ଦ୍ଧରେ ସ୍ପେନ୍‍ ପାଖରେ ୭୩ ପ୍ରତିଶତ ବଲ୍‍ ରହିଥିବା ବେଳେ ଇରାନ୍‍ ପାଖରେ ମାତ୍ର ୨୩ ପ୍ରତିଶତ ବଲ୍‍ ରହିଥିଲା। ଇରାନ୍‍ ଗୋଲ୍‍ ଉପରେ ସ୍ପେନ୍‍ ୧୦ ଥର ଆକ୍ରମଣ କରିଥିବା ବେଳେ ଇରାନ୍‍ ମାତ୍ର ୨ ଥର ସ୍ପେନ୍‍ ଗୋଲ୍‍ ଉପରକୁ ଆକ୍ରମଣ କରିଥିଲା। ଏହିପରି ଭାବେ ପ୍ରଥମ ୪୫ ମିନିଟ ସ୍ପେନ୍‍ ତା’ର ଦୁର୍ଗ ରକ୍ଷା କରି ପାରିଥିଲା। ପର୍ତ୍ତୁଗାଲ ସହ ପ୍ରଥମ ମ୍ୟାଚ୍‍ ଡ୍ର ରଖିଥିବା ସ୍ପେନ୍‍ ମ୍ୟାଚ୍‍ ଆରମ୍ଭରୁ ଆକ୍ରମଣାତ୍ମକ ଫୁଟ୍‍ବଲ ଖେଳିଥିଲା। ୧୨ ମିନିଟରେ ସର୍ଜିଓ ବସ୍କେଟ୍‍ସଙ୍କୁ ଫାଉଲ୍‍ ହେବାରୁ ସ୍ପେନ୍‍କୁ ଫ୍ରିକିକ୍‍ ମିଳିଥିଲା। ତେବେ ଇରାନ୍‍ ଡିଫେଣ୍ଡର ବଲ୍‍କୁ କ୍ଲିଅର କରି ପାରିଥିଲେ। ସ୍ପେନ୍‍ ଆକ୍ରମଣ ଜାରି ରଖିଥିଲା ଏବଂ ଇରାନ୍‍ ଡିଫେଣ୍ଡର ସଜାଗ ରହିଥିଲେ। ୨୫ ମିନିଟରେ ସ୍ପେନ୍‍ର ଡେଭିଡ୍‍ ସିଲ୍‍ଭାଙ୍କ ପ୍ରୟାସକୁ ଇରାନ୍‍ ଗୋଲ୍‍ରକ୍ଷକ ଅଲୀ ରୋକି ଦେଇଥିଲେ। ୨୭ ମିନିଟରେ ସ୍ପେନ୍‍ ଫରୱାର୍ଡ ଇସ୍କୋ ଗୋଲ୍‍ଦେବାର ଏକ ସୁଯୋଗ ଛାଡ଼ିଥିଲେ। ଗ୍ୟାଲେରୀରେ ବହୁ ସଂଖ୍ୟକ ଇରାନ୍‍ ସମର୍ଥକ ତାଙ୍କ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ପ୍ରଥମାର୍ଦ୍ଧ ଗୋଲ୍‍ଶୂନ୍ୟ ରହିବା ପରେ ଦ୍ୱିତୀୟାର୍ଦ୍ଧରେ ସ୍ପେନ୍‍ ଗୋଲ୍‍ ସ୍କୋର୍‍ କରି ପାରିଥିଲା। ୫୪ ମିନିଟରେ ଡିଏଗୋ କୋଷ୍ଟା ସ୍ପେନ୍‍ ପାଇଁ ପ୍ରଥମ ଗୋଲ୍‍ ଦେଇଥିଲେ। ପର୍ତ୍ତୁଗାଲ୍‍ ବିପକ୍ଷରେ ୨ଟି ଗୋଲ୍‍ ଦେଇଥିବା କୋଷ୍ଟା ସ୍ପେନ୍‍ ପାଇଁ ଏହି ଗୋଲ୍‍ଟି ସ୍କୋର୍‍ କରିଥିଲେ। ଇରାନ୍‍ ଗୋଲ୍‍ ସମ୍ମୁଖରେ ଏହାର ଡିଫେଣ୍ଡର ବଲ୍‍ କ୍ଲିଅର କରିବାର ପ୍ରୟାସ କରିଥିଲେ। ବଲ୍‍ କୋଷ୍ଟାଙ୍କ ଶରୀରରେ ବାଜି ଗୋଲ୍‍ ମଧ୍ୟକୁ ପଶି ଯାଇଥିଲା। ୬୨ ମିନିଟରେ ଇରାନ୍‍ର ସର୍ଦାର ଆଜ୍‍ମୌନ୍‍ଙ୍କ ହେଡରରୁ ସଇଦ୍‍ ଏଜାଟୋଲାହି କିକ୍‍ମାରି ସ୍ପେନ୍‍ ଗୋଲ୍‍ପୋଷ୍ଟ ମଧ୍ୟକୁ ବଲ୍‍ ପଠାଇ ଦେଇଥିଲେ। ତେବେ ରେଫେରୀ ଭିଏଆର୍‍ ଦେଖି ଏଜାଟୋଲାହିଙ୍କୁ ଅଫ୍‍ସାଇଡ୍‍ ଘୋଷଣା କରିଥିଲେ; ଯାହା ଇରାନ୍‍କୁ ନିରାଶ କରିଥିଲା। ୭୦ ମିନିଟରେ ସ୍ପେନ୍‍ ଏକ ଗୋଲ୍‍ଦେବାର ସୁଯୋଗ ଛାଡ଼ିଥିଲେ। ୭୬ ମିନିଟରେ ସ୍ପେନ୍‍ ଷ୍ଟ୍ରାଇକର ଇସ୍କୋଙ୍କ ଫ୍ରିକିକ୍‍ ସଟ୍‍କୁ ଇରାନ୍‍ ଡିଫେଣ୍ଡର ରୋକି ଦେଇଥିଲେ। ଏହା ପରେ ମଧ୍ୟ ସ୍ପେନ୍‍ର ଆକ୍ରମଣ ଜାରି ରହିଥିଲା। ତେବେ ଇରାନ୍‍ର ଡିଫେଣ୍ଡର ଶେଷ ପର୍ଯ୍ୟନ୍ତ ଆଉ ଗୋଲ୍‍ ହେବାକୁ ଦେଇନଥିଲେ।

Leave A Reply