ଉରୁଗୁଏ ପ୍ରିକ୍ୱାର୍ଟରଫାଇନାଲରେ

0

ରୋଷ୍ଟୋଭ୍‍-ଅନ୍‍-ଡନ୍‍ :  ଚଳିତ ଫିଫା ବିଶ୍ୱକପ୍‍ରେ ୨ୟ ଦଳ ଭାବେ ପ୍ରିକ୍ୱାର୍ଟରଫାଇନାଲରେ ପହଞ୍ଚିଛି ଉରୁଗୁଏ। ବୁଧବାର ଗ୍ରୁପ୍‍ ‘ଏ’ର ମ୍ୟାଚ୍‍ରେ ସାଉଦି ଆରବକୁ ୧-୦ ଗୋଲ୍‍ରେ ପରାସ୍ତକରି ଉରୁଗୁଏ ଏହି କୃତିତ୍ୱ ହାସଲ କରିଛି। ତାଙ୍କ ୧୦୦ତମ ଆନ୍ତର୍ଜାତିକ ମ୍ୟାଚ୍‍ରେ ଲୁଇ ସ୍ୱାରେଜ୍‍ ଉରୁଗୁଏ ପାଇଁ ଏକମାତ୍ର ଗୋଲ୍‍ଦେଇ ଦଳକୁ ଜିତାଇଥିଲେ। ଏହି ଗ୍ରୁପ୍‍ରୁ ରୁଷିଆ ପ୍ରଥମ ଦଳ ଭାବେ ପ୍ରିକ୍ୱାର୍ଟରରେ ପହଞ୍ଚି ସାରିଛି। ଫଳରେ ସାଉଦି ଆରବ ସହ ଇଜିପ୍‍ଟ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛି। ଅବଶ୍ୟ ଉଭୟ ଦଳଙ୍କର ଆଉ ଗୋଟିଏ ଲେଖାଏଁ ମ୍ୟାଚ୍‍ ଅଛି। ରୁଷିଆ-ଉରୁଗୁଏ ମ୍ୟାଚ୍‍ର ବିଜେତା ଗ୍ରୁପ୍‍ ଚମ୍ପିଆନ୍‍ ହେବ।
ପ୍ରଥମ ମ୍ୟାଚ୍‍ରେ ରୁଷିଆଠାରୁ ୦-୫ ଗୋଲ୍‍ରେ ପରାସ୍ତ ହୋଇଥିବା ସାଉଦି ଆରବ ବିପକ୍ଷରେ ବୁଧବାରର ମ୍ୟାଚ୍‍ରେ ଉରୁଗୁଏ ଫେଭରିଟ୍‍ ଥିଲା। ମ୍ୟାଚ୍‍ର ୨ୟ ମିନିଟରେ ଲୁଇ ସ୍ୱାରେଜ୍‍ ପ୍ରଥମ ଆକ୍ରମଣ କରିଥିଲେ। ତାଙ୍କ ପ୍ରୟାସକୁ ସାଉଦି ଆରବର ଡିଫେଣ୍ଡର ଓସାମା ହାୱାସାୱି ରୋକି ଦେଇଥିଲେ। ୫ମ ମିନିଟରେ ସାଉଦି ଆରବ ପ୍ରଥମ ଆକ୍ରମଣ କରିଥିଲା। ତେବେ ଉରୁଗୁଏର ଡିଏଗୋ ଗୋଡିନ୍‍ ଓ ଜୋସ୍‍ ଜିମିନେଜ୍‍ ଏହି ବିପଦରୁ ଏଡ଼ାଇ ପାରିଥିଲେ। ୬ଷ୍ଠ ମିନିଟରେ ସାଉଦି ଆରବକୁ ଫ୍ରିକିକ୍‍ ମିଳିଥିଲେ ହେଁ ଉରୁଗୁଏ ଡିଫେଣ୍ଡର ଏହାକୁ ବେକାର କରି ଦେଇଥିଲେ। ୧୩ ମିନିଟରେ ଉରୁଗୁଏର ତାରକା ଷ୍ଟ୍ରାଇକର ଏଡିନ୍‍ସନ କାଭାନି ସାଥୀ ଖେଳାଳି ମାର୍ଟିନ୍‍ କ୍ୟାସେରେସ୍‍ଙ୍କଠାରୁ ପାସ୍‍ ପାଇ ସଟ୍‍ ମାରିଥିଲେ ହେଁ ବଲ୍‍ଟି ଗୋଲ୍‍ପୋଷ୍ଟର ବାହାରେ ଚାଲି ଯାଇଥିଲା। ୧୫ ମିନିଟରେ ଗ୍ୱିଲେର୍ମୋ ଭାରେଲାଙ୍କ ପାସ୍‍ରୁ ସ୍ୱାରେଜ୍‍ ସଟ୍‍ ମାରିଥିଲେ ହେଁ ବଲ୍‍ ଗୋଲ୍‍ପୋଷ୍ଟ ବାହାରେ ଚାଲି ଯାଇଥିଲା। ୧୯ ମିନିଟରେ କାଭାନି ପୁଣି ଏକ ସୁଯୋଗ ହାତଛଡ଼ା କରିଥିଲେ। ୨୩ ମିନିଟରେ ଉରୁଗୁଏ ପ୍ରଥମ ଗୋଲ୍‍ ଦେଇଥିଲା। ଉରୁଗୁଏର କାର୍ଲୋସ୍‍ ସାଞ୍ଚେଜ୍‍ ମାରିଥିବା କର୍ଣ୍ଣର କିକ୍‍କୁ ସାଉଦି ଆରବର ଗୋଲ୍‍ରକ୍ଷକ ମହମ୍ମଦ ଆଲୋୱେସ୍‍ କ୍ଲିଅର କରି ପାରିନଥିଲେ। ବଲ୍‍ ଲୁଇ ସ୍ୱାରେଜ୍‍ଙ୍କ ପାଖରେ ପହଞ୍ଚିଥିଲା; ଯାହାକୁ ସହଜରେ ସ୍ୱାରେଜ୍‍ ଗୋଲ୍‍ ମଧ୍ୟକୁ ପଠାଇ ଦେଇଥିଲେ। ସୂଚନାଯୋଗ୍ୟ; ଏହା ସ୍ୱାରେଜ୍‍ଙ୍କର ୧୦୦ତମ ଆନ୍ତର୍ଜାତିକ ମ୍ୟାଚ୍‍ ଥିଲା। ଏଥିରେ ଗୋଲ୍‍ ସ୍କୋର୍‍କରି ସ୍ୱାରେଜ୍‍ ଏହାକୁ ସ୍ମରଣୀୟ କରି ପାରିଛନ୍ତି। ପୁଣି ଏହା ସ୍ୱାରେଜ୍‍ଙ୍କ ୫୨ତମ ଆନ୍ତର୍ଜାତିକ ଗୋଲ୍‍ ଥିଲା। ପୁଣି ଉରୁଗୁଏର ପ୍ରଥମ ଖେଳାଳି ଭାବେ ଲୁଇ ସ୍ୱାରେଜ୍‍ ୩ଟି ବିଶ୍ୱକପ୍‍ରେ ଗୋଲ୍‍ ସ୍କୋର୍‍ କରି ପାରିଛନ୍ତି। ଏହାପରେ ସାଉଦି ଆରବ କିଛି ସଂଘବଦ୍ଧ ଆକ୍ରମଣ କରିଥିଲେ ହେଁ ଉରୁଗୁଏର ଡିଫେଣ୍ଡର ସେମାନଙ୍କୁ କୌଣସି ସୁଯୋଗ ଦେଇନଥିଲେ। ୩୮ ମିନିଟରେ ସାଉଦି ଷ୍ଟ୍ରାଇକର ଅଲ୍‍ ଦାୱସାରି ଏକ ସୁଯୋଗ ହାତଛଡ଼ା କରିଥିଲେ। ୪୯ ମିନିଟରେ ଲୁଇ ସ୍ୱାରେଜ୍‍ଙ୍କ ଫ୍ରିକିକ୍‍ରୁ ସାଉଦି ଆରବ ଅଳ୍ପକେ ଗୋଲ୍‍ ବରଣ କରିବାରୁ ବର୍ତ୍ତି ଯାଇଥିଲା। ପ୍ରଥମାର୍ଦ୍ଧ ପରି ଦ୍ୱିତୀୟାର୍ଦ୍ଧରେ ମଧ୍ୟ ଉରୁଗୁଏର ପ୍ରାଧାନ୍ୟ ଦେଖିବାକୁ ମିଳିଥିଲା। ୫୭ ମିନିଟରେ ଗୋଡିନ୍‍ଙ୍କ ଫ୍ରିକିକ୍‍ ବେକାର ହୋଇଥିଲା। ୬୨ ମିନିଟରେ କାଭାନିଙ୍କ କ୍ରସ୍‍ରୁ ସାଞ୍ଚେଜ୍‍ ହେଡ୍‍ କରିଥିଲେ ହେଁ ବଲ୍‍ ଗୋଲ୍‍ପୋଷ୍ଟ ଉପରେ ଚାଲି ଯାଇଥିଲା। ୬୮ ମିନିଟରେ କର୍ଣ୍ଣରରୁ ମାର୍ଟିନ୍‍ କାସେରେସ୍‍ଙ୍କ ସଟ୍‍ ଗୋଲ୍‍ପୋଷ୍ଟ ଉପରେ ଚାଲି ଯାଇଥିଲା। ପରେ ସାଉଦି ଆରବ ମଧ୍ୟ କିଛି ଆକ୍ରମଣ କରିଥିଲା।

Leave A Reply