ବ୍ରାଜିଲ ସହ ଲଢ଼ିବ ବେଲ୍‍ଜିୟମ୍‍

0

କାଜାନ୍‍ – ଚଳିତ ଫୁଟ୍‍ବଲ ବିଶ୍ୱକପ୍‍ର ୨ୟ କ୍ୱାର୍ଟରଫାଇନାଲରେ ଶୁକ୍ରବାର ବ୍ରାଜିଲ ଓ ବେଲ୍‍ଜିୟମ୍‍ ମଧ୍ୟରେ ବହୁ ପ୍ରତୀକ୍ଷିତ ମୁକାବିଲା ଖେଳାଯିବ। ମୁକାବିଲା ହେବ ନିଏମାର ଓ ଫିଲିପ୍‍ କୋଟିନ୍ୟୋଙ୍କ ପରି ଖେଳାଳି ଥିବା ବ୍ରାଜିଲ ଏବଂ ଏଡେନ୍‍ ହାଜାର୍ଡ ଓ ରୋମେଲୁ ଲୁକାକୁଙ୍କ ପରି ଖେଳାଳି ଥିବା ବେଲ୍‍ଜିୟମ୍‍ ମଧ୍ୟରେ। ଫିଫା ମାନ୍ୟତାରେ ବ୍ରାଜିଲ ୨ନଂ ସ୍ଥାନରେ ଥିବା ବେଳେ ବେଲ୍‍ଜିୟମ୍‍ ହେଉଛି ୩ନଂ ଦଳ। ତେଣୁ ଏହି ମୁକାବିଲାରେ ଗୋଟିଏ ଦଳକୁ ବାଛିବା କଷ୍ଟକର ହେବ। ତେଣୁ ହାଇଭୋଲ୍‍ଟେଜ୍‍ ମୁକାବିଲା ଦେଖିବାକୁ ମିଳିବ ନିଶ୍ଚିତ।
ଲିଗ୍‍ ପର୍ଯ୍ୟାୟରେ ଚମତ୍କାର ପ୍ରଦର୍ଶନ କରି ବେଲ୍‍ଜିୟମ୍‍ ଗ୍ରୁପ୍‍ ଶୀର୍ଷରେ ରହିଥିଲା। ଲିଗ୍‍ ପର୍ଯ୍ୟାୟରେ ବେଲ୍‍ଜିୟମ୍‍ ପ୍ରଥମ ୨ଟି ମ୍ୟାଚ୍‍ରୁ ୮ଟି ଗୋଲ୍‍ ଦେଇଥିଲା। ମୋଟ ୪ଟି ମ୍ୟାଚ୍‍ରୁ ଏହା ୧୨ଟି ଗୋଲ୍‍ ସ୍କୋର୍‍ କରିଥିବା ବେଳେ ୪ଟି ଗୋଲ୍‍ ବରଣ କରିଛି। ପ୍ରିକ୍ୱାର୍ଟରଫାଇନାଲରେ ଜାପାନ ବିରୋଧରେ ୬୯ ମିନିଟ ପର୍ଯ୍ୟନ୍ତ ବେଲ୍‍ଜିୟମ୍‍ ୦-୨ ଗୋଲ୍‍ରେ ପଛୁଆ ରହିଥିଲା। ୫ ମିନିଟରେ ବେଲ୍‍ଜିୟମ୍‍ ୨ଟିଯାକ ଗୋଲ୍‍ ସୁଝାଇଥିବା ବେଳେ ମ୍ୟାଚ୍‍ର ଅନ୍ତିମ କେଇ ସେକେଣ୍ଡରେ ନାସେର ଚାଦ୍‍ଲି ବେଲ୍‍ଜିୟମ୍‍ ପାଇଁ ବିଜୟସୂଚକ ୩ୟ ଗୋଲ୍‍ ସ୍କୋର୍‍ କରିଥିଲେ। ଅନ୍ୟପକ୍ଷରେ ବିଶ୍ୱକପ୍‍ ଆଗକୁ ବଢ଼ିବା ସହ ବ୍ରାଜିଲ୍‍ର ପ୍ରଦର୍ଶନରେ ମଧ୍ୟ ଉନ୍ନତି ଘଟିଚାଲିଛି। ଛୋଟ ଛୋଟ ପାସ୍‍ ଜରିଆରେ ବଡ଼ କୃତିତ୍ୱ ହାସଲ କରିବା ହେଉଛି ବ୍ରାଜିଲ ଦଳର ବିଶେଷତ୍ୱ। ସ୍ୱିଜରଲାଣ୍ଡ ବିପକ୍ଷ ପ୍ରଥମ ଲିଗ୍‍ ମ୍ୟାଚ୍‍କୁ ୧-୧ ଗୋଲ୍‍ରେ ଡ୍ର ରଖିବା ପରେ ବ୍ରାଜିଲ ପରବର୍ତ୍ତୀ ୩ଟିଯାକ ମ୍ୟାଚ୍‍ ୨-୦ ବ୍ୟବଧାନରେ ଜିତିଛି। ଏହି ୩ଟି ଦଳ ହେଲେ କୋଷ୍ଟାରିକା, ସର୍ବିୟା ଓ ମେକ୍ସିକୋ। ବ୍ରାଜିଲ ଆକ୍ରମଣପନ୍ଥୀରେ ନିଏମାର ଓ ଫିଲିପ୍‍ କୋଟିନ୍ୟୋ ବେଲ୍‍ଜିୟମ୍‍ ପାଇଁ ମୁଣ୍ଡବିନ୍ଧାର କାରଣ ପାଲିଟିବେ। ତେବେ ଫରୱାର୍ଡ ଲାଇନ୍‍ରେ ଗାବ୍ରିଏଲ୍‍ ଜିଜୁସ୍‍ଙ୍କ ସ୍ଥାନନେବେ ଫର୍ମିନୋ। ୨ଟି ଗୋଲ୍‍ ସ୍କୋର୍‍ କରି ସାରିଥିବା ନିଏମାର ପୂରା ଫର୍ମକୁ ଫେରିବା ଭଳି ମନେହେଉଛି। ଅନ୍ୟପକ୍ଷରେ ଜାପାନ ୨ଟି ଗୋଲ୍‍ ସ୍କୋର୍‍କରି ବେଲ୍‍ଜିୟମ୍‍ ଡିଫେନ୍‍ସରେ ଥିବା ଦୁର୍ବଳତାକୁ ପଦାରେ ପକାଇ ଦେଇଛି। ବ୍ରାଜିଲ ଓ ବେଲ୍‍ଜିୟମ୍‍ ମଧ୍ୟରେ ଅଦ୍ୟାବଧି ୪ ଥର ମୁକାବିଲା ହୋଇଥିବା ବେଳେ ବ୍ରାଜିଲ ୩ ଥର ଓ ବେଲ୍‍ଜିୟମ୍‍ ୨ ଥର ଜିତିଛି। କ୍ୱାର୍ଟରଫାଇନାଲରେ ମଧ୍ୟ ବ୍ରାଜିଲ ବଡ଼ ଫେଭରିଟ୍‍। ତେବେ ଏହାକୁ ଏଡେନ୍‍ ହାଜାର୍ଡଙ୍କ ପ୍ରତି ସତର୍କ ରହିବାକୁ ପଡ଼ିବ। ହାଜାର୍ଡ ଏପର୍ଯ୍ୟନ୍ତ ତାଙ୍କ ଯାଦୁ ଦେଖାଇ ପାରିନଥିବା ବେଳେ ବଡ଼ ମ୍ୟାଚ୍‍ରେ ସ୍କୋର୍‍ କରିବାକୁ ସେ ସୁଯୋଗ ଉଣ୍ଡୁଥିବେ ନିଶ୍ଚୟ। ପୁଣି ଡ୍ରାଇଜ୍‍ ମର୍ଟେନ୍‍ସ ଓ କେଭିନ ଡି ବ୍ରୁଇନ୍‍ ମଧ୍ୟ ବେଲ୍‍ଜିୟମ୍‍ର ଦୁଇ ଭଲ ଖେଳାଳି। ପୁଣି ରୋମେଲୁ ଲୁକାକୁ ଅଦ୍ୟାବଧି ୪ଟି ଗୋଲ୍‍ ଦେଇ ସାରିଲେଣି। ବ୍ରାଜିଲର କାସ୍‍ମିଏରୋ ୨ଟି ହଳଦିଆ କାର୍ଡ ପାଇଥିବାରୁ ଏହି ମ୍ୟାଚ୍‍ ଖେଳିବେନାହିଁ। ତାଙ୍କ ସ୍ଥାନରେ ମାଞ୍ଚେଷ୍ଟର ସିଟିର ତାରକା ଫର୍ଣ୍ଣାଣ୍ଡିନ୍ୟୋ ଖେଳିପାରନ୍ତି। ବେଲ୍‍ଜିୟମ୍‍ ଦଳ ମଧ୍ୟ ଆକ୍ରମଣାତ୍ମକ ଫୁଟ୍‍ବଲ ଖେଳୁଥିବାରୁ ଆକ୍ରମଣ ପାଇଁ ବ୍ରାଜିଲ୍‍ର ଦୁଇ ତାରକା ନିଏମାର ଓ କୌଟିନ୍ୟୋ ସ୍ଥାନପାଇବେ। ୱିଲିଆନ୍‍, ମାର୍ସେଲୋ ଓ ପାଓଲିନ୍ୟୋ ଚମତ୍କାର ଫର୍ମରେ ଅଛନ୍ତି। ମେକ୍ସିକୋ ବିରୋଧରେ ଚମତ୍କାର ପ୍ରଦର୍ଶନ କରିଥିଲେ ନିଏମାର। ପ୍ରଥମ ଗୋଲ୍‍ ନିଏମାର ଦେଇଥିବା ବେଳେ ତାଙ୍କ ପାସ୍‍ରୁ ୨ୟ ଗୋଲ୍‍ ହୋଇଥିଲା। ଶେଷରେ ଏତିକି କୁହା ଯାଇପାରେ ଯେ ବ୍ରାଜିଲ ଦଳ ଶକ୍ତିଶାଳୀ ମନେହେଉଛି। ତେବେ ଏହାକୁ ଚକ୍‍ମା ଦେବାର ସାମର୍ଥ୍ୟ ବେଲ୍‍ଜିୟମ୍‍ର ରହିଛି। ମୁକାବିଲା ବେଶ୍‍ ରୋଚକ ହେବ।

kalyan agarbati
Leave A Reply