ପ୍ରିକ୍ବାର୍ଟରରେ ଇଂଲଣ୍ଡ-ସ୍ବିଡେନ ବିଜୟୀ

0

ସେଣ୍ଟ ପିଟର୍ସବର୍ଗ : ଚଳିତ ଫିଫା ବିଶ୍ୱକପର ଶେଷ ପ୍ରି-କ୍ବାର୍ଟର ଫାଇନାଲ ବିଜେତା ଇଂଲଣ୍ଡ ସମେତ ୮ଟି ଦଳ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ‍ମଙ୍ଗଳବାର ଅନୁଷ୍ଠିତ ପ୍ରଥମ ପ୍ରିକ୍ୱାର୍ଟର ଫାଇନାଲ ମ୍ୟାଚ୍‍ରେ ସ୍ୱିଡେନ୍‍ ୧-୦ ଗୋଲ୍‍ରେ ସ୍ୱିଜରଲାଣ୍ଡକୁ ପରାସ୍ତ କରି ୭ମ ଦଳ ଭାବେ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଥିବା ବେଳେ ଅନ୍ତିମ ପ୍ରି-କ୍ବାର୍ଟରଫାଇନାଲରେ ଇଂଲଣ୍ଡ ୪-୩ ପେନାଲଟି ସୁଟ୍‌ରେ କଲମ୍ବିଆକୁ ପରାସ୍ତ କରି ସର୍ବଶେଷ(୮ମ) ଦଳ ଭାବେ କ୍ବାର୍ଟରଫାଇନାଲରେ ପ୍ରବେଶ କରିଛି। ଆସନ୍ତା ଗୁରୁବାର ଠାରୁ କ୍ବାର୍ଟରଫାଇନାଲ ପର୍ଯ୍ୟାୟ ଆରମ୍ଭ ହେବ। ଅନ୍ତିମ ପ୍ରିକ୍ବାର୍ଟର ଇଂଲଣ୍ଡ ଓ କଲମ୍ବିଆ ମଧ୍ୟରେ ନିର୍ଦ୍ଧାରିତ ତଥା ଅତିରିକ୍ତ ସମୟରେ ୧-୧ରେ ଶେଷ ହୋଇଥିଲା। ଫଳରେ ପେନାଲଟି ସୁଟ୍‌ଆଉଟ୍‌ର ଆଶ୍ରୟ ନିଆଯାଇଥିଲା।
ମଙ୍ଗଳବାର ସ୍ବିଜରଲାଣ୍ଡ- ସ୍ବିଡେନ ପ୍ରିକ୍ୱାର୍ଟରଫାଇନାଲ ମ୍ୟାଚ୍‍ର ପ୍ରଥମାର୍ଦ୍ଧ ଗୋଲ୍‍ଶୂନ୍ୟ ଥିବା ବେଳେ ୬୬ ମିନିଟରେ ସ୍ୱିଡେନ୍‍ର ଏମିଲ୍‍ ଫୋର୍ସବର୍ଗ ବିଜୟସୂଚକ ଗୋଲ୍‍ ଦେଇଥିଲେ। ଏହାକୁ ମିଶାଇ ୬ଷ୍ଠ ଥର ପାଇଁ ସ୍ୱିଡେନ୍‍ ଫୁଟ୍‍ବଲ ବିଶ୍ୱକପ୍‍ର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି। ୧୯୫୮ରେ ସ୍ୱିଡେନ୍‍ ରନର୍ସଅପ୍‍ ହୋଇଥିଲା। ଏହି ପରାଜୟ ସହ ସ୍ୱିଜରଲାଣ୍ଡ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି। ମ୍ୟାଚ୍‍ ଆରମ୍ଭରୁ ସ୍ୱିଡେନ୍‍ର ପ୍ରାଧାନ୍ୟ ଦେଖିବାକୁ ମିଳିଥିଲା। ତେବେ ଗୋଲ୍‌ପୋଷ୍ଟକୁ ପ୍ରଥମ ସଟ୍‍ ସ୍ୱିଜରଲାଣ୍ଡ ମାରିଥିଲା। ସ୍ୱିଜରଲାଣ୍ଡର ଷ୍ଟିଭେନ୍‍ ଜୁବେର ସିଧା ସ୍ୱିଡେନ୍‍ ଗୋଲ୍‍ରକ୍ଷକ ରବିନ୍‍ ଓଲ୍‍ସେନ୍‍ଙ୍କ ହାତକୁ ମାରିଥିଲେ। ୮ମ ମିନିଟରେ ସ୍ୱିଡେନ୍‍ ଗୋଲ୍‍ଦେବାର ସୁବର୍ଣ୍ଣ ସୁଯୋଗ ଛାଡ଼ିଥିଲା। ସ୍ୱିଡେନ୍‍ର ମାର୍କସ ବର୍ଗଙ୍କୁ କେବଳ ସ୍ୱିଜରଲାଣ୍ଡର ଗୋଲ୍‍ରକ୍ଷକ ୟାନ୍‍ ସମରଙ୍କୁ ପରାସ୍ତ କରିବାକୁ ଥିଲେ ହେଁ ବର୍ଗ ଏକ ଦୁର୍ବଳ ସଟ୍‍ ମାରିଥିଲେ। ଏହାପରେ ମଧ୍ୟ ସ୍ୱିଡେନ୍‍ର ପ୍ରାଧାନ୍ୟ ଜାରି ରହିଥିଲା। ୨୧ ମିନିଟରେ ସ୍ୱିଜରଲାଣ୍ଡର ତାରକା ଖେଳାଳି ଜେର୍ଦାନ୍‍ ସାକିରିଙ୍କ କ୍ରସ୍‍କୁ ସ୍ୱିଡେନ୍‍ ଗୋଲ୍‍ରକ୍ଷକ ଓଲ୍‍ସେନ୍‍ ଧରି ନେଇଥିଲେ। ୨୪ ମିନିଟରେ ସାକିରିଙ୍କ କ୍ରସ୍‍ରୁ ଷ୍ଟିଭେନ୍‍ ଜୁବେର ହେଡ୍‍ କରିଥିଲେ ହେଁ ବଲ୍‍ କ୍ରସ୍‍ବାର ଉପରେ ଚାଲି ଯାଇଥିଲା। ୨୮ ମିନିଟରେ ସ୍ୱିଜରଲାଣ୍ଡର ଗୋଲ୍‍ରକ୍ଷକ ୟାନ୍‍ ସମର ଡାଇଭ୍‍ମାରି ସ୍ୱିଡେନ୍‍ର ମାର୍କସ ବର୍ଗଙ୍କ ସଟ୍‍କୁ ବାହାର କରି ଦେଇଥିଲେ। ବ୍ଲେରିମ୍‍ ଜେମାଇଲି ପାଖରୁ ସଟ୍‍ ମାରିଥିଲେ ହେଁ ବଲ୍‍ ଗୋଲ୍‍ପୋଷ୍ଟ ଉପରେ ଚାଲି ଯାଇଥିଲା। ୪୦ ମିନିଟରେ ସ୍ୱିଡେନ୍‍ର ଫ୍ରିକିକ୍‍ ବେକାର ହୋଇଥିଲା। ୪୧ ମିନିଟରେ ସ୍ୱିଡେନ୍‍ ଏକ ସୁଯୋଗ ହାତଛଡ଼ା କରିଥିଲା। ଏହିପରି ପ୍ରଥାମାର୍ଦ୍ଧ ଗୋଲ୍‍ଶୂନ୍ୟ ରହିଥିଲା।
ଦ୍ୱିତୀୟାର୍ଦ୍ଧରେ ସ୍ୱିଡେନ୍‍ ଅଧିକ ଆକ୍ରମଣ କରିଥିଲା। ତେବେ ସ୍ୱିଜରଲାଣ୍ଡର ଡିଫେଣ୍ଡର ସ୍ୱିଡେନ୍‍ର ଆକ୍ରମଣପନ୍ଥୀଙ୍କୁ କୌଣସି ସୁଯୋଗ ଦେଇନଥିଲେ। ୬୬ ମିନିଟରେ ସ୍ୱିଡେନ୍‍ ଗୋଲ୍‍ଦେଇ ଆଗୁଆ ହୋଇ ଯାଇଥିଲା। ସ୍ୱିଡେନ୍‍ର ତାରକା ଖେଳାଳି ଏମିଲ୍‍ ଫୋର୍ସବର୍ଗ ଏକ ଜୋର୍‍ଦାର ସଟ୍‍ ମାରିଥିଲେ। ବଲ୍‍ଟି ସ୍ୱିଜରଲାଣ୍ଡ ଡିଫେଣ୍ଡର ମାନୁଏଲ୍‍ ଆକାଞ୍ଜିଙ୍କ ଗୋଡ଼ରେ ବାଜି ଗୋଲ୍‍ପୋଷ୍ଟ ମଧ୍ୟକୁ ପଶି ଯାଇଥିଲା। ୬୯ ମିନିଟ୍‍ରେ ସ୍ୱିଡେନ୍‍ର ଆଲ୍‍ବିନ୍‍ ଏକ୍‍ଡାଲଙ୍କ ସଟ୍‍ ଗୋଲ୍‍ପୋଷ୍ଟ ଉପରେ ଚାଲି ଯାଇଥିଲା। ପରେ ସ୍ୱିଜରଲାଣ୍ଡ ଲାଗଲାଗ ୨ଟି କର୍ଣ୍ଣର ପାଇଥିଲେ ହେଁ ଉଭୟ ବେକାର ହୋଇ ଯାଇଥିଲା। ପରେ ସ୍ୱିଜରଲାଣ୍ଡ ପ୍ରାଧାନ୍ୟ ବିସ୍ତାରକରି ଖେଳିଥିଲା। ତେବେ ସ୍ୱିଡେନ୍‍ର ଡିଫେଣ୍ଡର ପ୍ରତିିପକ୍ଷ ଆକ୍ରମଣପନ୍ଥୀଙ୍କୁ କୌଣସି ସୁଯୋଗ ଦେଇନଥିଲେ। ୯୧ ମିିନିଟରେ ସ୍ୱିଡେନ୍‍ ଗୋଲ୍‍ରକ୍ଷକ ଚମତ୍କାର ଢଙ୍ଗରେ ଏକ ଗୋଲ୍‍ ବଞ୍ଚାଇ ଦେଇଥିଲେ। ଶେଷ ମିନିଟରେ ସ୍ୱିଜରଲାଣ୍ଡ ଏକ ପେନାଲ୍‍ଟି ଆବେଦନ କରିଥିଲେ ହେଁ ଭିଏଆର୍‍ ଦେଖି ରେଫେରୀ ଏହାକୁ ନାକଚ କରି ଦେଇଥିଲେ।

kalyan agarbati
Leave A Reply