ରାହୁଲଙ୍କୁ ପରିକରଙ୍କ ଚିଠି: ରାଜନୈତିକ ଫାଇଦା ପାଇଁ ଅସୁସ୍ଥ ଲୋକଙ୍କୁ ଭେଟ ନାହିଁ

0

ପାଣାଜୀ :କର୍କଟ ରୋଗରେ ପୀଡିତ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପରିକରଙ୍କୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସୌଜନ୍ୟମୂଳକ ସାକ୍ଷାତ କରିଥିବାବେଳେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ଏହି ସାକ୍ଷାତର ରାଜନୈତିକ ଫାଇଦା ନେବାକୁ ରାହୁଲ ଚେଷ୍ଟା କରିଥିବାବେଳେ ପରିକର ଏହାକୁ ନାପସନ୍ଦ କରିଛନ୍ତି। ରାହୁଲଙ୍କ ଏପରି ରାଜନୈତିକ ସ୍ବାର୍ଥ ସାଧନକୁ ପରିକର ନିନ୍ଦା କରିଛନ୍ତି। ରାହୁଲଙ୍କ ନିକଟକୁ ପରିକର ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ‌ରାଜନୈତିକ ସ୍ବାର୍ଥ ସାଧନ ପାଇଁ ଜଣେ ଅସୁସ୍ଥ ଲୋକକୁ ଭେଟିବାକୁ ଯାଅ ନାହିଁ। ଆଉ ଯେଉଁ ପ୍ରସଙ୍ଗ ଆଲୋଚନା ହୋଇ ନାହିଁ ତାକୁ ନେଇ ମିଛ କୁହ ନାହିଁ। ପରିକରଙ୍କୁ ସାକ୍ଷାତର ରାଜନୈତିକ ଫାଇଦା ନେଇ ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିବା ପରେ ସେ ଏପରି ଚିଠି ଲେଖିଛନ୍ତି।
ମଙ୍ଗଳବାର ରାହୁଲ ତାଙ୍କ ଗୋଆ ଗସ୍ତ ଅବସରରେ ପରିକରଙ୍କୁ ଭେଟିଥିଲେ। ୫ମିନିଟ୍‌ର ସାକ୍ଷାତ କାଳରେ ରାହୁଲ ଅସୁସ୍ଥ ମୁଖ୍ୟମନ୍ତ୍ରୀଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ। ତେବେ ଏହି ସାକ୍ଷାତ ସମୟରେ ରାଫେଲ ଯୁଦ୍ଧ ବିମାନ ବୁଝାମଣା ସମ୍ପର୍କରେ କୌଣସି ଆଲୋଚନା ହୋଇ ନଥିଲା। ପରିକର ପ୍ରତିରକ୍ଷା ମନ୍ତ୍ରୀ ଥିବା ସମୟରେ ଫ୍ରାନ୍ସ ସହିତ ଭାରତ ସରକାର ରାଫେଲ ଯୁଦ୍ଧ ବିମାନ ବୁଝାମଣା କରିଥିଲେ। ତେବେ ପରିକରଙ୍କୁ ଭେଟିବାକୁ ନେଇ ରାହୁଲ ରାଜନୀତି ଆରମ୍ଭ କରିଛନ୍ତି। ପରିକରଙ୍କ ନାମ ନେଇ ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିଛନ୍ତି। ରାହୁଲ କହିଛନ୍ତି ଯେ ରାଫେଲ ବୁଝାମଣା ସମ୍ପର୍କରେ ପରିକରଙ୍କର କୌଣସି ସମ୍ପୃକ୍ତି ନାହିଁ। ଅନିଲ ଅମ୍ବାନୀଙ୍କୁ ଫାଇଦା ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ରାଫେଲକୁ ନେଇ ଫ୍ରାନ୍ସ ସରକାରଙ୍କ ସହିତ ନୂଆ ବୁଝାମଣା କରିଥିଲେ। ପରିକରଙ୍କୁ ଭେଟିବାର କିଛି ଘଣ୍ଟା ପରେ ମଙ୍ଗଳବାର ରାହୁଲ କଂଗ୍ରେସର ବୁଥ ସ୍ତରୀୟ କର୍ମୀଙ୍କୁ ଏପରି କହିଥିଲେ। ପରିକରଙ୍କୁ ସାକ୍ଷାତ ସମୟରେ ରାହୁଲ ରାଫେଲ ପ୍ରସଙ୍ଗରେ କୌଣସି ପ୍ରକାର ଆଲୋଚନା କରି ନଥିବାବେଳେ ଦଳୀୟ କର୍ମୀଙ୍କୁ ଏପରି କହିଥିଲେ। ରାହୁଲଙ୍କ ଏପରି ଅଭିଯୋଗ ଶୁଣିବା ପରେ ପରିକର ତାଙ୍କ ନିକଟକୁ ପତ୍ର ଲେଖିଛନ୍ତି। ପରିକର ଲେଖିଛନ୍ତି ଯେ ‘ଏହା ଅତ୍ୟନ୍ତ ଦୁଃଖଦାୟକ ଯେ ନିଜର ରାଜନୈତିକ ସ୍ବାର୍ଥ ପାଇଁ ମୋତେ ସାକ୍ଷାତ କରିଥିଲ। ରାଜନୈତିକ ଫାଇଦା ଉଦ୍ଦେଶ୍ୟରେ ଜଣେ ଅସୁସ୍ଥ ଲୋକକୁ ଭେଟିବା ଠିକ୍ ନୁହେଁ। ମୋ ସହିତ ୫ମିନିଟ୍‌ର ସାକ୍ଷାତ କାଳରେ ତୁମେ ରାଫେଲ ସମ୍ପର୍କରେ କିଛି କହି ନଥିଲ କି ଆମେ ଦୁଇଜଣ ଏ ସମ୍ପର୍କରେ କିଛି ଆଲୋଚନା କରି ନଥିଲେ। ତେଣୁ ଦୟାକରି ସତ କୁହ।’ ବିଜେପି ଅଧ୍ୟକ୍ଷ ଅମିତ ଶାହା ମଧ୍ୟ ରାହୁଲଙ୍କ ଏପରି କାର୍ଯ୍ୟକୁ ସମାଲୋଚନା କରିଛନ୍ତି। ରେଗାକ୍ରାନ୍ତ ଲୋକର ନାମ ନେଇ ରାଜନୀତି କରିବା ଠିକ୍ ନୁହେଁ। ପରିକରଙ୍କ ନିକଟରେ ରାଫେଲ ବୁଝାମଣା ସମ୍ପର୍କିତ ଗୁପ୍ତ ଦଲିଲ ରହିଥିବା ନେଇ କଂଗ୍ରେସ ଏକ ଅଡିଓ ଜାରି କରିଥିଲା।

Leave A Reply