ଖରିଫ୍ ଧାନ ସଂଗ୍ରହ ପଞ୍ଜୀକରଣ ଅବଧି ବଢ଼ିଲା
ଭୁବନେଶ୍ବର : ରାଜ୍ୟରେ ଖରିଫ ଋତୁ ପାଇଁ ଚାଲିଥିବା ପଞ୍ଜୀକରଣ କାର୍ଯ୍ୟକ୍ରମରେ ଏପର୍ଯ୍ୟନ୍ତ ପ୍ରାୟ ୩୦% କମ୍ ଚାଷୀ ପଞ୍ଜୀକରଣ କରିଛନ୍ତି । ଗତବର୍ଷ ତୁଳନାରେ ପ୍ରାୟ ସାଢ଼େ ୪ ଲକ୍ଷରୁ ଊର୍ଦ୍ଧ୍ବ କମ୍ ଚାଷୀ ପଞ୍ଜୀକରଣ କରିଥିବାରୁ ଏହାକୁ ନେଇ ସରକାରଙ୍କ ପକ୍ଷରୁ ଅବଧି ଆଉ ୭ଦିନ ଯାଏଁ ବୃଦ୍ଧି କରାଯାଇଛି । ଏନେଇ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସାମାଜିକ ଗଣମାଧ୍ୟମରେ ଦର୍ଶାଇଛନ୍ତି ଯେ ଚାଷୀଙ୍କ ପଞ୍ଜୀକରଣ ଅବଧି ଚଳିତମାସ ୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ସମୟ ମଧ୍ୟରେ ଚାଷୀ ସେମାନଙ୍କ ନାମ ପଞ୍ଜୀକରଣ କରାଇବାକୁ ଶ୍ରୀ ସ୍ବାଇଁ ଅନୁରୋଧ କରିଛନ୍ତି। ସେ ଦର୍ଶାଇଛନ୍ତି ଯେ ସରକାରଙ୍କ ପକ୍ଷରୁ ନିର୍ଦ୍ଧାରିତ ଅବଧି ମଧ୍ୟରେ ତଥା ଆଜି ସୁଦ୍ଧା ୨୮୮୧ ଟି ସମିତି ମାଧ୍ୟମରେ ୧୦ଲକ୍ଷ ୧୪ ହଜାର ୭୩୫ ଚାଷୀ ଆଗାମୀ ଖରିଫ ଋତୁ ପାଇଁ ନାମ ପଞ୍ଜୀକରଣ କରିଛନ୍ତି। ପୂର୍ବ ସମୟ ଅବଧି ମଧ୍ୟରେ ଯେଉଁ ଚାଷୀ ନାମ ପଞ୍ଜୀକରଣ କରିପାରି ନାହାନ୍ତି ସେମାନେ ଦସ୍ତାବିଜ୍ ସହ ନିକଟସ୍ଥ ସମବାୟ ସମିତିକୁ ଯାଇ ୨୩ ମଧ୍ୟରେ ନାମ ପଞ୍ଜୀକରଣ କରାନ୍ତୁ। ଏନେଇ ଚାଷୀଙ୍କୁ ଅବଗତ କରାଇବାକୁ ଜିଲାପାଳ ଓ ସମବାୟ ସମିତି ସମୂହ ନିବନ୍ଧକଙ୍କୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।
ଅନ୍ୟପକ୍ଷରେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଏହାକୁ ନେଇ ସମାଲୋଚନା କରାଯାଇଛି। ମୋର୍ଚ୍ଚାର ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ କହିଛନ୍ତି ଯେ ଗତବର୍ଷ ରାଜ୍ୟରେ ୧୪ଲକ୍ଷ ୭୨ହଜାର ୯୪୬ ଚାଷୀ ପଞ୍ଜୀକରଣ କରିଥିଲେ। ଏଥର ଯଦି ପଞ୍ଜୀକରଣ ପ୍ରକ୍ରିୟା ସରକାର ସରଳୀକରଣ କରିଥାନ୍ତେ ତେବେ ଏହି ସଂଖ୍ୟା ୧୫ଲକ୍ଷ ଟପିଥାନ୍ତା । ହେଲେ ସରକାର ଚାଷୀଙ୍କ ହିତକୁ ଦୃଷ୍ଟି ନରଖି ନିଜ ଜିଦରେ ରହିଲେ। ଯେଉଁଥିପାଇଁ ସାଢ଼େ ୪ଲକ୍ଷରୁ ଊର୍ଦ୍ଧ୍ବ ଚାଷୀ କମ୍ ପଞ୍ଜୀକରଣ କରିଛନ୍ତି। ରାଜ୍ୟ ସରକାର ଯଦି ଚାଷୀଙ୍କ ହିତ ଚାହୁଁଛନ୍ତି ତେବେ ଏହି ଅବଧି ଚଳିତମାସ ଶେଷ ପର୍ଯ୍ୟନ୍ତ ବୃଦ୍ଧି କରନ୍ତୁ ବୋଲି ଶ୍ରୀ ପୁରୋହିତ ଦାବି କରିଛନ୍ତି।
Comments are closed.