ଗଞ୍ଜାମରୁ ବାଦ୍ ପଡ଼ିବେ ୫୦% ଚାଷୀ !
ନୂଆ ପଞ୍ଜୀକରଣ ନିୟମକୁ ନେଇ ଚାଷୀ ଅସନ୍ତୋଷ
ବ୍ରହ୍ମପୁର (କାର୍ଯ୍ୟାଳୟ)/ ଛତ୍ରପୁର : ଧାନ କିଣାରେ ରାଜ୍ୟ ସରକାରଙ୍କ ଖାଦ୍ୟ ଓ ଯୋଗାଣ ବିଭାଗର ନୂଆ ନିୟମକୁ ନେଇ ଗଞ୍ଜାମ ଜିଲାରେ ଚାଷୀ ପ୍ରତିକ୍ରିୟା ଜୋରଦାର ହୋଇଛି। ନୂଆ ନିୟମ ପ୍ରକାରେ ଜିଲାର ଶତକଡା ୫୦ ଭାଗ ଚାଷୀ ଚଳିତ ଖରିଫରେ ଧାନ ବିକ୍ରି କରିନପାରିବାର ସମ୍ଭାବନା ଉପୁଜିଛି। ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଋଷିକୁଲ୍ୟା ରୟତ ମହାସଭା ରାସ୍ତାକୁ ଓହ୍ଲାଇଛି। ନୂଆ ନିୟମକୁ ନେଇ ଚାଷୀ ମହଲରେ ସୃଷ୍ଟି ହୋଇଥିବା ପ୍ରତିକ୍ରିୟା ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି। ଦୁଇତିନିଦିନ ଭିତରେ ଏହାର ସମାଧାନ ପନ୍ଥା ବାହାରିବ ବୋଲି ଉପ ନିବନ୍ଧକ ସମବାୟ ସମିତି ସମୂହଙ୍କ ସୂତ୍ରରୁ ସୂଚନା ମଧ୍ୟ ମିଳିଛି।
ସୂଚନା ପ୍ରକାରେ ଗଞ୍ଜାମ ଜିଲାରେ ୫ ଲକ୍ଷ ୨୦ ହଜାର ଚାଷୀ ଓ ଭାଗଚାଷୀ ଧାନ ଚାଷ କରିଥାନ୍ତି। ସେଥିରୁ ପ୍ରତିବର୍ଷ ପ୍ରାୟ ୧ ଲକ୍ଷ ୪୦ ହଜାର ଚାଷୀ ଉତ୍ପାଦିତ ଧାନ ବିକ୍ରି ପାଇଁ ନାମ ପଞ୍ଜୀକରଣ କରିଥାନ୍ତି। ତଥାପି ବହୁ ଚାଷୀ ଧାନ ବିକ୍ରି କରିନପାରି କ୍ଷତିର ସମ୍ମୁଖୀନ ହୋଇ ଆସୁଥିବା ବେଳେ ଏବେ ପୁଣି ନୂଆ ନିୟମ କାର୍ଯ୍ୟକାରୀ ହେଲେ ପୂର୍ବର ପଞ୍ଜୀକୃତ ଚାଷୀଙ୍କ ମଧ୍ୟରୁ ଶତକଡା ୫୦ ଭାଗ ଚାଷୀ ଧାନକିଣା ପଞ୍ଜୀକରଣରୁ ବଞ୍ଚିତ ହେବାର ସମ୍ଭାବନା ଉପୁଜିଛି।
ଗଞ୍ଜାମ ଜିଲାରେ ପ୍ରାୟ ଚାଷୀଙ୍କ ପାଖରେ ନିଜ ନାମରେ ଜମିପଟ୍ଟା ନାହିଁ। ଦୀର୍ଘ ୫୦ ବର୍ଷ ହେଲା ଜିଲାରେ ବନ୍ଦୋବସ୍ତ (ସେଟେଲମେଣ୍ଟ) ହୋଇନଥିବାରୁ ହଜାର ହଜାର ଚାଷୀଙ୍କ ଜମି ରେକର୍ଡ ପୂର୍ବଜଙ୍କ ନାମରେ ରହିଛି। ନୂତନ ନିୟମ ଅନୁଯାୟୀ ଜମିର ପଟ୍ଟା ନଥିବା ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରପାରିବେନି। ପୂର୍ବପୁରୁଷଙ୍କ ନାମରେ ଅର୍ଥାତ୍ ଜେଜେବାପାଙ୍କ ନାମରେ ଥିବା ଜମିକୁ ଅଧିକାଂଶ ଚାଷୀ ଭୋଗଦଖଲରେ ରଖି ଚାଷବାସ କରୁଛନ୍ତି। ଜମିର ଦସ୍ତାବିଜ, ସିସ୍ତୁ ଦେୟ ବାବଦ ରସିଦ ଏବଂ ଭୋଗଦଖଲରେ ରଖିଥିବା ଚାଷୀର ଆଧାର କାର୍ଡ ଆଧାରରେ ନାମ ପଞ୍ଜୀକରଣ ହେଉଥିଲା। ନୂଆ ନିୟମ ପ୍ରକାରେ ଅଧିକାଂଶ ଚାଷୀଙ୍କ ନାମରେ ଜମି ରେକର୍ଡଭୁକ୍ତ ନଥିବାରୁ ଏହା କାର୍ଯ୍ୟକାରୀ ହେଲେ ପୂର୍ବଜଙ୍କ ନାମରେ ରେକର୍ଡଭୁକ୍ତ ହୋଇଥିବା ଜମି ସତ୍ତ୍ବାଧିକାରୀଙ୍କ ଆଧାରକାର୍ଡ କୋଉଠୁ ପାଇବେ ବୋଲି ଚାଷୀ ପ୍ରଶ୍ନ କରିଛନ୍ତି। ତେଣୁ ପୂର୍ବର ନିୟମ ପ୍ରକାରେ ଚାଷୀ ପଞ୍ଜୀକରଣ କରାଯିବାକୁ ରୟତ ମହାସଭା ଦାବି କରିଛି। ଜିଲାରେ ସିଂହଭାଗ ହେଉଛନ୍ତି ଭାଗଚାଷୀ। ସେମାନେ କଠିନ ପରିଶ୍ରମ ଓ ସମସ୍ତ ଖର୍ଚ୍ଚ ବହନ କରି ଧାନ ଚାଷ କରିଥାନ୍ତି। ପୂର୍ବରୁ ଚାଷୀ କମିଟି ସୁପାରିସରେ ସେମାନଙ୍କ ନାମ ପଞ୍ଜିକରଣ ହୋଇ ଧାନ ବିକ୍ରି ହୋଇପାରୁଥିଲା। ମାତ୍ର ଚଳିତ ବର୍ଷ ବଦଳି ଯାଇଛି ନିୟମ। ଜମି ମାଲିକଙ୍କ ସମ୍ମତି, ଆଧାର କାର୍ଡ ଓ ଫୋନ ନମ୍ବର ବାଧ୍ୟତାମୂଳକ କରାଯାଇଛି। ଯାହାକି ସମ୍ଭବନୁହେଁ। ଜିଲାର ଶହଶହ ଏକର ଜମି ବିଭିନ୍ନ ମନ୍ଦିର ଓ ମଠ ନାମରେ ରହିଛି । ସେହି ଜମିକୁ ଗରିବ ଭୂମିହୀନ ଚାଷୀ ଧାନ ଚାଷ କରି ମନ୍ଦିରକୁ ମାହାସୁଲ ଦେଇଥାନ୍ତି। ଆଉ କେତେକ ମନ୍ଦିର ଜମି ଗରିବ ଚାଷୀଙ୍କ ନାମରେ କେବଳ ଦଖଲରେ ରହିଛି। ସେହିପରି ସାହୁକାରଙ୍କ ଜମି ଚାଷୀମାନେ କିଣି ସିସ୍ତୁ ଦେଇ ବର୍ଷବର୍ଷ ଧରି ଦଖଲରେ ରଖି ଚାଷ କରୁଛନ୍ତି। ଏହାସହ ଧାନକ୍ରୟରେ ସାମିଲ ପ୍ରାୟ ସମବାୟ ସମିତି ସମ୍ପାଦକ ନୂଆ ପଞ୍ଜିକରଣ ନିୟମ ବିଷୟରେ ସନ୍ଦେହରେ ଅଛନ୍ତି। ଆସନ୍ତା ଅଗଷ୍ଟ ୧୬ ତାରିଖ ପଞ୍ଜୀକରଣର ଶେଷ ତାରିଖକୁ ସେପ୍ଟେମ୍ବର ୩୦ କୁ ଅବଧି ବୃଦ୍ଧି କରିବା ସହ ଚଳିତ ବର୍ଷ ନିୟମରେ ଅନେକ ସମସ୍ୟା ଉପୁଜୁଥିବାରୁ ପଞ୍ଜୀକରଣକୁ ପୂର୍ବ ଭଳି ସରଳୀକରଣ ବ୍ୟବସ୍ଥା କରାଯାଉ ବୋଲି ରୟତ ମହାସଭା ଦାବି କରିଛି।
ଆଜି ଏ ମର୍ମରେ ରୟତ ମହାସଭା ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇ ନିୟମର ପୁନର୍ବିଚାର କରିବାକୁ ନିବେଦନ କରାଯାଇଛି। ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକଙ୍କ ନେତୃତ୍ବରେ ବହୁ ଚାଷୀ ଓ ଭାଗଚାଷୀ ଦାବିପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ। ନୂଆ ନିୟମକୁ ନେଇ ଚାଷୀ ମହଲରେ ଦେଖାଦେଇଥିବା ଅସନ୍ତୋଷ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି। ଦୁଇ ତିନିଦିନ ଭିତରେ ଏହାର ସମାଧାନ ହୋଇଯିବାର ଆଶା କରାଯାଉଛି ବୋଲି ଉପ ନିବନ୍ଧକ ସମବାୟ ସମିତି ସମୂହ (ଡିଆରସିଏସ) ବିିିଶ୍ବରଞ୍ଜନ ଦାସ କହିଛନ୍ତି।
Comments are closed.