ଭୁବନେଶ୍ଵର: ଆମ ଦେଶ ଏକ ସଙ୍ଘୀୟ ରାଷ୍ଟ୍ର। ଏଠି ଜମି ପରିଚାଳନାର ଦାୟିତ୍ବ ରାଜ୍ୟ ସରକାର ମାନଙ୍କର। ଜମି ପରିଚାଳନା ପାଇଁ ରାଜ୍ୟ ଗୁଡ଼ିକର ଭିନ୍ନ ଭିନ୍ନ ଆଇନ ଅଛି। ଆମ ରାଜ୍ୟର ଭୂସଂସ୍କାର ଆଇନ ଅନୁଯାୟୀ ଚାଷ ଜମି ଭାଗରେ ଦେଇ ପାରିବେ ଅକର୍ମଣ୍ୟ ଜମି ମାଲିକ ଏବଂ ବିଧବା, ଅବିବାହିତ ମହିଳା, ଛାଡ଼ପତ୍ର ପାଇଥିବା ମହିଳା, ପ୍ରତିରକ୍ଷା ବାହିନୀରେ କାମ କରୁଥିବା ଯବାନ। ତା’ଛଡା ମଠ, ମନ୍ଦିର, ଟ୍ରଷ୍ଟ, ଦାତବ୍ୟ ଅନୁଷ୍ଠାନ ଆଦି। ଅନ୍ୟ ଜମି ମାଲିକ ମାନେ ଜମି ଭାଗଚାଷରେ ଦେଇ ପାରିବେ ନାହିଁ ନା ସେମାନଙ୍କଠାରୁ କେହି ଭାଗରେ ଜମି ନେଇ ଚାଷ କରି ପାରିବେ ନାହିଁ। ଆମ ରାଜ୍ୟରେ ଜମି ମାଲିକମାନେ ହେଉଛନ୍ତି ସାଧାରଣତଃ ଉଚ୍ଚ ବର୍ଗର ଲୋକ। ଦଳିତ, ପଛୁଆ ବର୍ଗ ଓ ଆଦିବାସୀ ବର୍ଗର ଅଳ୍ପ କେତେକଙ୍କୁ ଛାଡ଼ିଦେଲେ ଅନ୍ୟମାନେ ଭୂମିହୀନ ବା ନାମକୁ ମାତ୍ର ଜମିର ମାଲିକ। ଏମାନେ ଜମି ମାଲିକଙ୍କ ଜମିରେ କୃଷି ଶ୍ରମିକ ହିସାବରେ କାମ କରନ୍ତି। ଏବେ ଜମି ମାଲିକଙ୍କ ମଧ୍ୟରୁ ଅନେକ ପାଠପଢ଼ି ବିଭିନ୍ନ ସରକାରୀ ବା ବେସରକାରୀ ଚାକିରି କରି ଅଧିକ ରୋଜଗାର କରୁଥିବାରୁ ଚାଷ ପ୍ରତି ଧ୍ୟାନ ନ ଦେଇ ଥା ଥା ମା ମା ଚାଷ କରୁଥିବାରୁ ଜମିରୁ ଅଧିକ ଉତ୍ପାଦନ ହେଉନାହିଁ। ଆଉ ଅନେକ ଘରଠାରୁ ଦୂରେଇ ରହୁଥିବାରୁ ମୌଖିକ ଭାବେ ଭାଗ ଦେଉଛନ୍ତି ଯେହେତୁ ଜମି ଭାଗରେ ଦେବା ପାଇଁ ଆଇନଗତ ବ୍ୟବସ୍ଥା ନାହିଁ। ଆମ ରାଜ୍ୟର ପ୍ରାୟ ୪୦ ପ୍ରତିଶତ ଚାଷ ଜମି ମୌଖିକ ଭାବେ ଭାଗ ଚାଷୀ ଭାଗରେ ନେଉଛନ୍ତି। ସେମାନେ ସାଧାରଣତଃ ଗରିବ ଲୋକ। ସେମାନଙ୍କ ପରିବାରର ପ୍ରାୟ ସମସ୍ତ ସଦସ୍ୟ ଜମିରେ କାମ କରନ୍ତି। ଅଧିକ ସମୟ ଦିଅନ୍ତି। ସେମାନେ ଯଦି ମୂଲମଜୁରି ଦେଇ ଓ ଅଧିକ ନିବେଶ କରି ଆଧୁନିକ ପ୍ରଣାଳୀରେ ଚାଷ କରିବେ ଆଉ ଯାହା ଅମଳ ହେବ, ସେଥିରୁ ଜମି ମାଲିକଙ୍କୁ ଭାଗ ଦେବା ପରେ ଯାହା ରହିବ ତା’ର ଲାଭ ହେବ ନାହିଁ ବରଂ କ୍ଷତି ହେବ। ତା’ଛଡ଼ା ଭାଗଚାଷୀ ମୌଖିକ ଭାବରେ ଚାଷ କରୁଥିବାରୁ ବ୍ୟାଙ୍କ ଋଣ ପାଏ ନାହିଁ, ଫସଲ ବୀମା କରିପାରେ ନାହିଁ, ଆଉ ମଣ୍ଡିରେ ଏମ୍ଏସ୍ପିରେ ଫସଲ ବିକ୍ରି କରିପାରେ ନାହିଁ। ଏହାକୁ ଲକ୍ଷ୍ୟ କରି କେନ୍ଦ୍ର ସରକାର ନିତି ଆୟୋଗ ମାଧ୍ୟମରେ ଏକ ନମୁନା ଭାଗଚାଷ ଆଇନ ପ୍ରସ୍ତୁତ କରିବା ପାଇଁ ଏକ କମିଟି ଡକ୍ଟର ତାଜମୂଲ ହକ୍କଙ୍କ ଅଧ୍ୟକ୍ଷତାରେ ଗଠନ କଲେ ୨୦୧୫ ମସିହାରେ। ହକ୍କ କମିଟି ୨୦୧୬ରେ ରିପୋର୍ଟ ଦେଲେ। ଏକ ନମୁନା ମଡେଲ ଆଇନ ପ୍ରସ୍ତୁତ ହେଲା। ସେହି ନମୁନା ଆଇନ ଆଧାରରେ ରାଜ୍ୟ ସରକାରଙ୍କୁ କୁହାଗଲା ନିଜନିଜ ରାଜ୍ୟର ଆବଶ୍ୟକତା ଓ ସ୍ଥିତିକୁ ଚାହିଁ ଭାଗଚାଷ ଆଇନ ପ୍ରଣୟନ କରି କାର୍ଯ୍ୟକାରୀ କରିବା ପାଇଁ। ନିଜେ କମିଟିର ଅଧ୍ୟକ୍ଷ ଡକ୍ଟର ହକ୍କ ମଧ୍ୟ ରାଜ୍ୟ-ରାଜ୍ୟ ଭ୍ରମଣ କରି ରାଜ୍ୟ ସରକାରମାନଙ୍କୁ ଅବଗତ କରାଇଲେ ଏବଂ ରାଜ୍ୟ ଜମିଜମା ସମ୍ବନ୍ଧୀୟ ସ୍ବେଚ୍ଛାସେବୀ ଅନୁଷ୍ଠାନ, ରାଜସ୍ବ ଆଇନ ସମ୍ବନ୍ଧରେ ଜ୍ଞାନ ଥିବା ଅବସରପ୍ରାପ୍ତ ଉଚ୍ଚ ଅଧିକାରୀ, କୃଷି ଓ କୃଷକ ସମସ୍ୟା ସମ୍ବନ୍ଧରେ ଅବଗତ ଥିବା କୃଷି ବିଶେଷଜ୍ଞଙ୍କ ସହ ଆଲୋଚନା କରିଥିଲେ। ଏହି କ୍ରମରେ ୨୦୧୬ରେ ଓଡ଼ିଶା ଆସିଥିବାବେଳେ ସରକାରଙ୍କ ସହ ଆଲୋଚନା କରିବା ସହ ଲ୍ୟାଣ୍ଡେସା ନାମକ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାଧ୍ୟମରେ ନାଗରିକ ସମାଜର ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ। ଏହି ସ୍ତମ୍ଭକାର ମଧ୍ୟ ଦୁଇ ଥର ଯାକ ଆଲୋଚନାରେ ଭାଗ ନେଇଥିଲା। ଦୁଃଖର କଥା ଏହା ମଧ୍ୟରେ ଡକ୍ଟର ହକ୍କଙ୍କର ଦେହାନ୍ତ ହୋଇଯାଇଛି।
ସେହି ଆଲୋଚନାରେ ପ୍ରସ୍ତାବିତ ଆଇନ ସମ୍ବନ୍ଧରେ ଏହି ସ୍ତମ୍ଭକାର ନିମ୍ନୋକ୍ତ ମତ ରଖିଥିଲା। ନିତି ଆୟୋଗ ଦ୍ବାରା ପ୍ରସ୍ତୁତ ନମୁନା ଆଇନକୁ ଅଧ୍ୟୟନ କଲେ ଜଣାଯାଏ ଯେ, କମିଟିର ଅଧ୍ୟକ୍ଷ ଡକ୍ଟର ହକ୍କ ଯଥାସମ୍ଭବ ଆଇନକୁ ସରଳ କରିବାକୁ ଚେଷ୍ଟା କରିଛନ୍ତି। ଜମି ମାଲିକମାନଙ୍କର ଯେଉଁ ଭୟ ଅଛି ଯେ, ଥରେ ଜମି ଲିଖିତ ଆକାରରେ ଭାଗରେ ଦେଇଦେଲେ ଭବିଷ୍ୟତରେ ତାଙ୍କୁ ଜମି ହରାଇବାକୁ ପଡିବ, ତାହା ଅମୂଳକ। ନମୁନା ଆଇନରେ ଯାହା ପ୍ରସ୍ତାବ ଅଛି ସେଥିରେ ଜମି ମାଲିକ କୌଣସି କାଳେ ଜମି ହରାଇବ ନାହିଁ। ଏହି ଅଯଥା ଆଶଙ୍କାକୁ ଦୂର କରିବା ପାଇଁ ସରକାର ଆଇନର ପ୍ରାବଧାନ ବିଷୟରେ ପ୍ରଚାର ପ୍ରସାର କରନ୍ତୁ। ଲିଖିତ ରାଜିନାମା ରହିଲେ ଭାଗଚାଷୀ ବ୍ୟାଙ୍କ ଋଣ ପାଇପାରିବ, ଫସଲ ବୀମା କରିପାରିବ, ପ୍ରାକୃତିକ ବିପଦରେ ଫସଲ ନଷ୍ଟ ହେଲେ ସରକାରୀ ସାହାଯ୍ୟ ପାଇପାରିବ ଏବଂ ମଣ୍ଡିରେ ସରକାରୀ ଧାର୍ଯ୍ୟ ଦରରେ ଫସଲ ବିକ୍ରି କରିପାରିବ।
ଏହି ନମୁନା ଆଇନକୁ ପାଠ କଲେ କେତେକ ସ୍ଥଳରେ କିଛି ସଂଶୋଧନ କରିବାର ଆବଶ୍ୟକତା ଅଛି। ଭବିଷ୍ୟତରେ ଭାଗ ଚାଷୀ ଓ ଜମି ମାଲିକ ମଧ୍ୟରେ କିଛି ବିବାଦ ଉପୁଜିଲେ ପ୍ରାଥମିକ ସ୍ତରରେ ତୃତୀୟ ପକ୍ଷ ଉପସ୍ଥିତିରେ ପରସ୍ପର ମଧ୍ୟରେ ଆଲୋଚନା କରି ସମାଧାନର ବାଟ ଫିଟିବ। ତୃତୀୟ ପକ୍ଷ ରୂପେ ଗ୍ରାମ ପଞ୍ଚାୟତ ଅବା ଗ୍ରାମସଭାକୁ ରଖିବାକୁ ସୁପାରିସ କରାଯାଇଛି। ଆମର ମତ ପ୍ରାଥମିକ ସ୍ତରରେ ଉପୁଜୁଥିବା ବିବାଦ ସମାଧାନ ପାଇଁ ପଞ୍ଚାୟତ ବା ଗ୍ରାମସଭା ସହିତ ସମ୍ପୃକ୍ତ ରାଜସ୍ବ ନିରୀକ୍ଷକଙ୍କୁ ରଖାଯାଉ। ରାଜସ୍ବ ନିରୀକ୍ଷକଙ୍କ ପାଖରେ ଜମିଜମାର ସମସ୍ତ ରେକର୍ଡ ଅଛି। ନମୁନା ଆଇନରେ କୁହାଯାଇଛି ଯେ ରାଜିନାମାର ତିନିଟି କପି ହେବ- ଗୋଟିଏ ରହିବ ଜମି ମାଲିକ ପାଖରେ, ଗୋଟିଏ ରହିବ ଭାଗଚାଷୀ ପାଖରେ ଓ ଅନ୍ୟଟି ରହିବ ପଞ୍ଚାୟତ ପାଖରେ। ଆମର ମତ, ଜମିଜମାର ରେକର୍ଡ଼ ରାଜସ୍ବ ନିରୀକ୍ଷକଙ୍କ ପାଖରେ ଥିବାରୁ ତାଙ୍କ ପାଖରେ ଏକ କପି ରହୁ।
ଏହି ରାଜିନାମା ପଞ୍ଜୀକରଣ ହେବନାହିଁ ବୋଲି କୁହାଯାଇଛି, ତାହା ହିଁ ହେଉ; କିନ୍ତୁ ରାଜସ୍ବ ନିରୀକ୍ଷକଙ୍କ ଅଫିସରେ ଗୋଟିଏ ରେଜିଷ୍ଟର ରହୁ ଯେଉଁଥିରେ ଜମିର ପ୍ଲଟ ନମ୍ବର, ଖାତା ନମ୍ବର, ଜମିର ମଉଜା, ଜମିର ପରିମାଣ, ଜମି ମାଲିକ ଓ ଭାଗଚାଷୀର ନାମ ଓ ଠିକଣା ରହୁ ଏବଂ କେତେ ବର୍ଷ ପାଇଁ ଭାଗ ଦିଆଯାଇଛି ତାହା ଉଲ୍ଲେଖ ହେଉ।
ନମୁନା ଆଇନ ଅନୁଯାୟୀ ପ୍ରାଥମିକ ସ୍ତରରେ ବିବାଦ ନ ତୁଟିଲେ ତହସିଲଦାରଙ୍କ ପାଖକୁ ଯିବାକୁ ହେବ, ସେଠି ବିବାଦ ନ ଛିଡିଲେ ଜିଲାପାଳଙ୍କ ପାଖରେ ଅପିଲ କରିବାକୁ ପଡିବ। ଜିଲାପାଳଙ୍କ ନିଷ୍ପତ୍ତିରେ ସନ୍ତୁଷ୍ଟ ନ ହେଲେ ତେବେ ଲ୍ୟାଣ୍ଡ ଟ୍ରିବୁନାଲ ହେଲା ଶେଷ ବ୍ୟବସ୍ଥା। ଲ୍ୟାଣ୍ଡ ଟ୍ରିବୁନାଲର ଅଧ୍ୟକ୍ଷ ଜଣେ ଅବସରପ୍ରାପ୍ତ ହାଇକୋର୍ଟ ଜଜ୍ ଅବା ଜିଲା ଜଜ୍ ରହିବେ। ଭାଗଚାଷ ଆଇନ ସମ୍ବନ୍ଧୀୟ ବିବାଦ ସିଭିଲ କୋର୍ଟ ପରିସରଭୁକ୍ତ ହେବ ନାହିଁ। ଲିଜ୍ ଏଗ୍ରିମେଣ୍ଟରେ ଯେଉଁ ସୁପାରିସ ଲିଜ ଦେୟ ସମ୍ବନ୍ଧରେ ଉଲ୍ଲେଖ ଅଛି ସେଥିରେ କୁହାଯାଇଛି ତାହା ନଗଦ ଟଙ୍କା ଆକାରରେ ଦିଆଯାଇପାରେ ଅବା ଫସଲର ଭାଗ ହିସାବରେ ଦିଆଯାଇପାରେ। ଆମର ମତ ହେଲା ଲିଜ୍ ଦେୟକୁ କେବଳ ନଗଦ ଟଙ୍କା ଆକାରରେ ଦେବାର ବ୍ୟବସ୍ଥା ରହିଲେ ପରେ ଆଉ ଫସଲ ଭାଗ କରିବାର ବିବାଦ ରହନ୍ତା ନାହିଁ। ଯେହେତୁ ଲିଜଧାରୀ ଭାଗଚାଷୀ ଏଗ୍ରିମେଣ୍ଟ ବଳରେ ବ୍ୟାଙ୍କରୁ ଋଣ ଆଣିବ, ଫସଲ ବୀମା କରିବ, ପ୍ରାକୃତିକ ଦୁର୍ବିପାକରେ ସରକାରୀ ସାହାଯ୍ୟ ପାଇବ, ମଣ୍ଡିରେ ଫସଲ ବିକିବ, ତେଣୁ ଫସଲର ନିର୍ଦିଷ୍ଟ ଭାଗ ଦେଲେ ବିବାଦ ଉପୁଜିବା ସ୍ବାଭାବିକ। ତେଣୁ ଜମିର କିସମ ଅନୁଯାୟୀ ବାର୍ଷିକ ଲିଜ ଦେୟ ପ୍ରଥମରୁ ଠିକ୍ ହୋଇ ଏଗ୍ରିମେଣ୍ଟ ସମୟରେ ଦେୟ ଦେବାକୁ ହେବ। ପୁନଶ୍ଚ ଭାଗ ଚାଷୀ ଓ ଜମି ମାଲିକ ଚାଷ ପାଇଁ କିଏ କେତେ ସାର, ବିହନ, ଚାଷ ଖର୍ଚ୍ଚ, ମୂଲ ମଜୁରି ଆଦି ଖର୍ଚ୍ଚ ଦେବ ତାହା ନମୁନା ଆଇନରେ ଅଛି, ଯଦି ଏପରି ଏଗ୍ରିମେଣ୍ଟ ହେବ ତେବେ ଅନେକ ପ୍ରଶ୍ନ ଉଠିବ- କିଏ କେତେ ସରକାରୀ ସାହାଯ୍ୟ ପାଇବ, ଫସଲ ମଣ୍ଡିରେ କିପରି ବିକିବ ଇତ୍ୟାଦି। ସୁତରାଂ ଆଇନ ପ୍ରଣୟନ ପୂର୍ବରୁ ଏସବୁ ସମସ୍ୟା ପ୍ରତି ଦୃଷ୍ଟି ଦେଇ ଆଇନ ପ୍ରଣୟନ ହେଉ। ଆମର ସ୍ପଷ୍ଟ ମତ ହେଲା ଥରେ ଏଗ୍ରିମେଣ୍ଟ କରି ଲିଜ୍ ଦେଲେ ଜମି ମାଲିକ ଆଉ ଚାଷ ପାଇଁ କିଛି ନଦେଉ, ବାର୍ଷିକ ଲିଜ ଦେୟ ନଗଦ ଆକାରରେ ନେଇଯାଉ। ଭାଗଚାଷୀ ସବୁ ଖର୍ଚ୍ଚ କରି ଚାଷକରୁ, ଲାଭ ହେଲେ ତାହାର କ୍ଷତି ହେଲେ ତାହାର। ଏ ସବୁକୁ ବିଚାରକୁ ନେଇ ନୂଆ ଆଇନ ପ୍ରଣୟନ କରାଯାଉ।
କୃଷି ଓ କୃଷି ଆନୁଷଙ୍ଗିକ ବୃତ୍ତିରେ ମହିଳାମାନଙ୍କର ପ୍ରବେଶ ଆଜି ପ୍ରାସଙ୍ଗିକ ହୋଇ ପଡିଛି। ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ କିପରି ଜମି ଭାଗରେ ଆଣି କୃଷି କ୍ଷେତ୍ରରେ ପ୍ରବେଶ କରିବ ତାହା ଆଇନରେ ଉଲ୍ଲେଖ ରହୁ। ଯଦିଚ ପ୍ରସ୍ତାବିତ ଆଇନରେ କସ୍ମିନ କାଳେ ଜମି ମାଲିକର ମାଲିକାନା ଜମି ମାଲିକ ହାତରୁ ଯିବ ନାହିଁ ବୋଲି ନମୁନା ଆଇନରେ ବ୍ୟବସ୍ଥା ହୋଇଛି; ତଥାପି ଜମି ମାଲିକମାନେ ଅଯଥା ଭୟ କରି ଏହି ଆଇନ ପ୍ରଣୟନ ନ କରିବା ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଚାପ ସୃଷ୍ଟି କରୁଛନ୍ତି। ସେଇଥି ପାଇଁ ୨୦୧୬ ମସିହାରୁ ଭାଗଚାଷୀ ଆଇନ ଓଡ଼ିଶା ବିଧାନସଭାରେ ଉପସ୍ଥାପନ ହେବ ବୋଲି ତତ୍କାଳୀନ ରାଜସ୍ବ ମନ୍ତ୍ରୀ ବାରମ୍ବାର ପ୍ରତିଶ୍ରୁତି ଦେବା ପରେ ବି ଉପସ୍ଥାପନ ହୋଇ ପାରିଲା ନାହଁ। ୨୦୨୫ ମସିହା ହୋଇଗଲା, ଭାଗଚାଷ ବିଲ୍ ଆସିଲା ନାହିଁ। ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଗଠିତ ସରକାର କ୍ଷମତାରୁ ଗଲା ପରେ ଭାରତୀୟ ଜନତା ପାର୍ଟି ବର୍ଷକ ତଳେ ସରକାରକୁ ଆସିଛି। ଏବେ ଏହି ସରକାର ଅଣ୍ଟା ଭିଡିଛନ୍ତି ଭାଗଚାଷୀ ଆଇନ କରିବା ପାଇଁ। ସେଥିପାଇଁ ଏକ କମିଟି ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗତ ଏପ୍ରିଲ ୧୯ରେ ଗଠନ କରାଯାଇଛି ବିଲ୍ ରୂପରେଖ ପ୍ରସ୍ତୁତ କରିବାକୁ। ଉଭୟ ଜମି ମାଲିକ ଓ ଭାଗଚାଷୀଙ୍କ ସ୍ବାର୍ଥ ସହିତ ରାଜ୍ୟର ଅଧିକ କୃଷି ଉତ୍ପାଦନ ବୃଦ୍ଧି ସ୍ବାର୍ଥକୁ କିପରି ରକ୍ଷା କରାଯାଇ ପାରିବ, ଏ ସବୁକୁ ଦୃଷ୍ଟିରେ ରଖି ସମସ୍ତଙ୍କ ଦ୍ବାରା ଗ୍ରହଣୀୟ ଏକ ଆଦର୍ଶ ବିଲ୍ କିପରି ପ୍ରସ୍ତୁତ କରିବେ, ତାହାକୁ ସମସ୍ତେ ଅପେକ୍ଷା କରିଛନ୍ତି। ଓଡ଼ିଶାର କୃଷି କ୍ଷେତ୍ରର ବିକାଶ ପାଇଁ ଭାଗଚାଷ ଆଇନର ପଦ୍ମ ଆଉ ନ ଘୁଞ୍ଚୁ।
ଭାଗ ଚାଷ ଆଇନ୍ : ପଦ୍ମ ଘୁଞ୍ଚି ଚାଲିଛି
Popular Categories



