ଲୋକସଭା ନିର୍ବାଚନ ବେଳେ ମିଥ୍ୟା ଖବର ପ୍ରସାରଣ ରୋକିବାକୁ ଫେସ୍ବୁକ୍ ତତ୍ପର
ନୂଆଦିଲ୍ଲୀ : ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଭଳି ଭାରତର ଆଗାମୀ ଲୋକସଭା ନିର୍ବାଚନ ଯେଭଳି ତଥ୍ୟ ଚୋରି ଘଟଣାର ଶିକାର ନ ହୁଏ ସେଥିନେଇ ସାମାଜିକ ଗଣମାଧ୍ୟମ ‘ଫେସ୍ବୁକ୍’ ତତ୍ପର ହୋଇଉଠିଛି। ୨୦୧୯ ସାଧାରଣ ନିର୍ବାଚନ ସମୟରେ ମିଥ୍ୟା ଖବର ପ୍ରସାରଣ ରୋକିବା ଲାଗି ସଂସ୍ଥା ଏହାର ନିଜସ୍ୱ ଯାଞ୍ଚକାରୀ ବ୍ୟବସ୍ଥା (ସେଲ୍ଫ ଭେରିଫିକେସନ୍ ସିଷ୍ଟମ୍)ର ଉପଯୋଗ କରିବ। ନିର୍ବାଚନ ତଥା ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସମ୍ବନ୍ଧୀୟ ସୂଚନା ଫେସ୍ବୁକରେ ଭାଇରାଲ ହେବା ପୂର୍ବରୁ ତାହାକୁ ଏହି ବ୍ୟବସ୍ଥା ଦ୍ୱାରା ପ୍ରାଥମିକତା ଭିତ୍ତିରେ ଯାଞ୍ଚ କରାଯିବ। ତଥ୍ୟ ଚୋରି ଘଟଣା ଜଣାପଡିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଫେସ୍ବୁକ୍ କାର୍ଯ୍ୟାଳୟକୁ ନୋଟିସ୍ ପଠାଯାଇଥିଲା। ମାତ୍ର ଭାରତୀୟ ନିର୍ବାଚନ ଏହି ଘଟଣା ଦ୍ୱାରା ପ୍ରଭାବିତ ହେବ ନାହିଁ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଥିଲା। ଏଥିସହ ଏ ଦିଗରେ ସମୟ ପୂର୍ବରୁ ଉପଯୁକ୍ତ ପଦକ୍ଷେପ ଗ୍ରହଣ ଲାଗି ସିଓଲ୍ଠାରେ ଏକ ଆଲୋଚନା ବେଳେ ନିର୍ବାଚନ ଆୟୁକ୍ତ ଓ. ପି. ରାୱତ୍ଙ୍କୁ ଫେସ୍ବୁକ୍ର ବିଶ୍ୱସ୍ତରୀୟ ପରିଚାଳକ (ରାଜନୀତି ତଥା ସରକାରୀ ପ୍ରସଙ୍ଗ) କେଟି ହାୱର୍ଥ ବ୍ୟକ୍ତିଗତ ଭାବେ ଆଶ୍ୱାସନା ଦେଇଥିଲେ। ଆଗାମୀ ଲୋକସଭା ନିର୍ବାଚନ ନିମନ୍ତେ ଦେଶର ସମସ୍ତ ରାଜନୈତିକ ଦଳ ତତ୍ପର ହୋଇ ଉଠିଥିବା ବେଳେ ରାଜନୈତିକ ମହଲ ତଥା ସାମାଜିକ ଗଣମାଧ୍ୟମ ଗୁଡିକରେ ଏ ସମ୍ବନ୍ଧରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏଭଳି ସ୍ଥିତିରେ ଭାରତୀୟ ଜନତାଙ୍କ ନିକଟରେ ଯେଭଳି ମିଥ୍ୟା ଖବର ନ ପହଞ୍ଚେ ସେଥିନେଇ ସରକାରଙ୍କ ପକ୍ଷରୁ ମଧ୍ୟ ଉଦ୍ୟମ ଅବ୍ୟାହତ ରହିଛି।