ଭାରତ-ଚୀନ୍ ଆଲୋଚନା ସକାରାତ୍ମକ: ବୈଦେଶିକ ମନ୍ତ୍ରାଳୟ
ନୂଆଦିଲ୍ଲୀ: ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତ ଆଲୋଚନା ସକାରାତ୍ମକ ରହିଛି ବୋଲି ଭାରତ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ମୋଦିଙ୍କ ଚୀନ୍ ଗସ୍ତ ଅବସରରେ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦିଆଯାଇଥିବା ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ ଏହି ଦୁଇଦିନିଆ ଗସ୍ତ ଓ ସାକ୍ଷାତ ଆଲୋଚନା ଅନୌପଚାରିକ ଥିଲେ ଅନେକ ଗୁରୁତ୍ୱପୂର୍ଣର୍ ପ୍ରସଙ୍ଗ ସ୍ଥାନ ପାଇଛି। ମୁଖ୍ୟତଃ ଶାନ୍ତି ଓ ସହାବସ୍ଥାନ ଉପରେ ଦୁଇ ନେତା ଗୁରୁତ୍ୱାରୋପ କରିଛନ୍ତି। ମୋଦି ଓ ଜିନପିଙ୍ଗ ଆତଙ୍କବାଦକୁ କଡ଼ା ଭାଷାରେ ନିନ୍ଦା କରିବା ସହିତ ଆତଙ୍କବାଦକୁ ଦମନ ପାଇଁ ମିଳିତ ଭାବେ କାମ କରିବେ ବୋଲି ସହମତି ପ୍ରକାଶ କରିଛନ୍ତି। ଏଥିସହିତ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ଦିଗରେ ମଧ୍ୟ ଦୁଇ ଦେଶ ମିଳିତ ଭାବେ କାମ କରିବେ। ଦ୍ୱିପାକ୍ଷିକ ସମ୍ପର୍କର ବିଭିନ୍ନ ପ୍ରସଙ୍ଗ ମଧ୍ୟ ଏହି ଆଲୋଚନାରେ ସ୍ଥାନ ପାଇଛି। ଦୁଇ ଦେଶୀର ସୀମାରେ ଶାନ୍ତି ପ୍ରତିଷ୍ଠା, ବାଣିଜ୍ୟ କାରବାର ବୃଦ୍ଧି, ସଂସ୍କୃତି ବିନିମୟ, ବିଭିନ୍ନ ପ୍ରକଳ୍ପ ତ୍ୱରାନ୍ୱିତକୁ ଆଲୋଚନାରେ ଗୁରୁତ୍ୱ ଦିଆଯାଇଛି।