୫୬୦ ଲିଟର ମଦ ଜବତ ୫୭୪୦ ଲିଟର ପୋଚ ନଷ୍ଟ
ଅବକାରୀ ଚଢାଉ ନାମରେ ଭେଳିକି, ଅଭିଯୁକ୍ତ ଧରା ନପଡିବା ପଛରେ ମଧୁଚନ୍ଦ୍ରିକା ଅଭିଯୋଗ
ଗୁରୁଡିଝାଟିଆ : ଖୁଣ୍ଟୁଣୀ ଥାନା ଅନ୍ତର୍ଗତ କଣ୍ଡରେଇ ଓ ରାଧାକୃଷ୍ଣପୁର ପଞ୍ଚାୟତର ଜଙ୍ଗଲ ପାଶ୍ୱବର୍ତ୍ତି ଅଞ୍ଚଳ ପାଲଟିଛି ଦେଶୀ ଚୋରା ମଦ ରନ୍ଧନର ଏନ୍ତୁଡିଶାଳ । ଚଢଉ ପରେ ଚଢଉ ଜାରି ରହିଛି । ଦେଶୀ ଚୋରାମଦ ଜବତ ସାଙ୍ଗକୁ ଶହଶହ ଲିଟର ପୋଚ ମଧ୍ୟ ନଷ୍ଟ ହେଉଛି । ହେଲେ ଚୋରା ଦେଶୀମଦ ରନ୍ଧନର ଭାଟିକୁ ସଂପୂର୍ଣ୍ଣ ମୂଳୋତ୍ପାଟନ କରାଯାଇ ପାରୁନାହିଁ । ଏହା ପଛରେ କିଛି ଅସାଧୁ କର୍ମଚାରୀଙ୍କ ହାତ ରହିଥିବା ଅଭିଯୋଗ ହେଉଛି । ନଚେତ ଚଢଉ ସମୟରେ ମଦ ଓ ପୋଚ ଜବତ ହେଉଛି, ହେଲେ ଅଭିଯୁକ୍ତ ଧରାପଡୁନାହାନ୍ତି କାହିଁକି ? ଏଠି ଢୋଲ ଭିତରେ ମୂଷା ସାଜିଛନ୍ତି କିଛି ଅସାଧୁ କର୍ମଚାରୀ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
ବୁଧବାର ଜଙ୍ଗଲ ପାଶ୍ୱବର୍ତ୍ତି ଝରଣା କୂଳରେ ସ୍ଥାନୀୟ ପୋଲିସ ଓ ଅବକାରୀ କର୍ମଚାରୀ ମିଳିତ ଭାବରେ ଚଢଉ କରି ୫୬୦ଲିଟର ମଦ ଜବତ କରିଥିବା ବେଳେ ୫୭୪୦ଲିଟର ପୋଚ ନଷ୍ଟ କରିଥିଲେ। ମଦ ମାଫିଆମାନେ ଘଞ୍ଚ ଜଙ୍ଗଲ ମଧ୍ୟରେ ବହି ଯାଉଥିବା ଝରଣା କୂଳରେ ଦେଶୀମଦ ଭାଟି ସ୍ଥାପନ କରିଛନ୍ତି । ଗଛ ଉପରେ ଭାଡି କରି କେତେବେଳେ ମଦ ରଖୁଛନ୍ତି ତ ପୁଣି କେତେବେଳ ମାଟି ଖୋଳି ମଦ ଭର୍ତ୍ତି ଜାରକୁ ପୋତି ଦେଉଛନ୍ତି । ଉଲ୍ଲେଖଯୋଗ୍ୟ ଗତ କିଛିମାସ ତଳେ ମଦ ମାଫିଆମାନେ ଅବକାରୀ ବିଭାଗ ଅଧିକାରୀ ଓ କର୍ମଚାରୀମାନଙ୍କୁ ଆକ୍ରମଣ କରି ଲହୁ ଲୁହାଣ କରିବା ସହ ଗାଡି ଭଙ୍ଗାରୁଜା କରିଥିଲେ। ଏଥିରୁ ସ୍ପଷ୍ଟ ବାରି ହୋଇ ପଡୁଛି ମଦ ମାଫିଆଙ୍କ ପଛରେ କୌଣସି ଶକ୍ତିଶାଳୀ ବ୍ୟକ୍ତି ବିଶେଷଙ୍କ ହାତ ରହିଛି ।
Comments are closed.