କେନ୍ଦୁଝରରେ ଜାତୀୟ ପ୍ରେସ ଦିବସ

କେନ୍ଦୁଝରଗଡ଼ :  ଜିଲା ପ୍ରଶାସନ ଆନୁକୂଲ୍ୟରେ ଦରବାରହଲରେ ଗୁରୁବାର ଅପରାହ୍ନରେ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସମାରୋହରେ ଅରିରିକ୍ତ ଜିଲାପାଳ ଯଦୁମଣି ମହଲା ମୁଖ୍ୟଅତିଥି ଭାବେ ଯୋଗଦେଇ ଗଣମାଧ୍ୟମର ମର୍ଯ୍ୟାଦା ବୃଦ୍ଧି ପାଇଁ ଜାତୀୟ ପ୍ରେସ୍ ଦିବସ ପ୍ରେରଣା ଯୋଗାଇବ ବୋଲି କହିଥିଲେ। ଜାତୀୟ ପ୍ରେସ୍ ଦିବସ ଅବସରରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥା ମଧ୍ୟରେ ଗଣମାଧ୍ୟମ ପ୍ରତି ଜନସାଧାରଣଙ୍କର ଗଭୀର ଆସ୍ଥା ରହିଛି। ସେମାନେ ବ୍ୟକ୍ତିଗତ ଜୀବନରେ ବିଭିନ୍ନ ଘାତ ପ୍ରତିଘାତ, ସମସ୍ୟା ଭିତରେ ଥାଇ ମଧ୍ୟ ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି । ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ତଥା ମହାମାରୀ କରୋନା ସମୟରେ ସେମାନେ ଯେଭଳି ଭାବେ ନିଜ ଜୀବନକୁ ବାଜି ଲଗାଇ କର୍ତ୍ତବ୍ୟ ପ୍ରତି ଅଙ୍ଗୀକାର ପ୍ରକଟ କରିଥିଲେ ତାହା ବାସ୍ତବିକ ଉଲ୍ଲେଖଯୋଗ୍ୟ ବୋଲି କହିଥିଲେ । ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ଯୋଗଦେଇ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଜାତୀୟ ପ୍ରେସ୍ ଦିବସ ଅବସରରେ ଶୁଭେଚ୍ଛା ଜଣାଇ ନିଜ ଅଭିଭାଷଣରେ ଜାତୀୟ ପ୍ରେସ୍ ଦିବସ ପାଳନର ଉଦ୍ଦେଶ୍ୟ ଓ ଅନୁଚିନ୍ତା ସମ୍ପର୍କରେ ଆଲୋକପାତ କରି ଗଣମାଧ୍ୟମର ପ୍ରତିନିଧିମାନେ ସମାଜର ଉଲ୍ଲେଖନୀୟ ସେବା କରୁଛନ୍ତି ବୋଲି କହିଥିଲେ । ଚଳିତବର୍ଷର ଶୀର୍ଷକ ‘କୃତ୍ରିମ ବୁଦ୍ଧିମତା ଯୁଗରେ ଗଣମାଧ୍ୟମ’ ସମ୍ପର୍କରେ ଆଲୋକପାତ କରି କହିଥିଲେ ଯେ ବର୍ତ୍ତମାନ ଗଣମାଧ୍ୟମର ସ୍ୱରୂପ ବଦଳିଛି । ସାମାଜିକ ଗଣମାଧ୍ୟମରେ ବେଳେବେଳେ ମିଥ୍ୟା ଖବର ପ୍ରସାରିତ ହେଉଛି । ଯାହାକି ସମାଜ ପାଇଁ କ୍ଷତିକାରକ। ଏଣୁ ଗଣମାଧ୍ୟମର ପ୍ରତିନିଧିମାନେ ଖବରର ସତ୍ୟାସତ୍ୟ ପରୀକ୍ଷା କରି ଖବର ପରିବେଷଣ କଲେ ତାହା ସମାଜ ପାଇଁ ମଙ୍ଗଳମୟ ହେବ ବୋଲି ଶ୍ରୀ ଆଚାର୍ଯ୍ୟ କହିଥିଲେ । ଜିଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଘାସିରାମ ମୁର୍ମୁ, କେନ୍ଦୁଝର ଉପଜିଲାପାଳ ରାମଚନ୍ଦ୍ର କିସ୍କୁ, ଆକାଶବାଣୀ କେନ୍ଦୁଝରର କାର୍ଯ୍ୟକ୍ରମ ମୁଖ୍ୟ଼ ଆତ୍ମେଶର ଝା ଜାତୀୟ ପ୍ରେସ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରି ଏହା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅଧିକ ଉତ୍ସାହିତ ଓ ଅଙ୍ଗୀକାରବଦ୍ଧ ହୋଇ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇବ ବୋଲି କହିଥିଲେ। ରାଷ୍ଟ୍ର ନିର୍ମାଣରେ ଗଣମାଧ୍ୟମର ପ୍ରତିନିଧିମାନଙ୍କ ଭୂମିକା ସବୁବେଳେ ପ୍ରଶଂସନୀୟ ହୋଇ ରହିଆସିଅଛି । ଦେଶର ସାମଗ୍ରିକ ବିକାଶ କ୍ଷେତ୍ରରେ ବିବିଧ ଭାବରେ ଗଣମାଧ୍ୟମର ଅବଦାନ ରହିଛି । ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସମାଜର ମୁଖପାତ୍ର ଭାବେ ଅଭିହିତ କରି ସେମାନଙ୍କ ଦ୍ୱାରା ପରିବେଷିତ ନିଚ୍ଛକ ସମ୍ବାଦ ପ୍ରଶାସନକୁ ସର୍ବଦା ସତର୍କ କରି ଦେଇଥାଏ ବୋଲି କହିବା ସହିତ ଏହାଦ୍ୱାରା ଅନେକ ସମସ୍ୟାର ସମାଧାନ ହୋଇଥାଏ ବୋଲି କହିଥିଲେ । ପ୍ରେସ୍ କ୍ଲବ ସଭାପତି ନିରଞ୍ଜନ ନାୟକ, ସମ୍ପାଦକ ଶରତ ଚନ୍ଦ୍ର ଦାସ ଓ ସାମ୍ବାଦିକ ପ୍ରଣୟ କୁମାର ପାଣି ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ସମ୍ପ୍ରତି କୃତ୍ରିମ ବୁଦ୍ଧିମତା ଯୁଗରେ ଗଣମାଧ୍ୟମର ଭୂମିକା ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ। କେନ୍ଦୁଝର ସୂଚନା ଓ ଲୋକ ସମ୍ପର୍କ ବିଭାଗ ଉପନିର୍ଦ୍ଦେଶକ ସଞ୍ଜୀବ କୁମାର ବାରିକ ପ୍ରାରମ୍ଭରେ ସ୍ୱାଗତ ଭାଷଣ ପ୍ରଦାନ ସହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଚମ୍ପୁଆ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ଅଭିନନ୍ଦନ ରାୟ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.