୨୦୩୦ରେ ଦରିଦ୍ରମୁକ୍ତ ହେବ ଭାରତ
ନୂଆଦିଲ୍ଲୀ : ଭାରତ ଆସନ୍ତା ୨୦୩୦ ସୁଦ୍ଧା ଦାରିଦ୍ର୍ୟମୁକ୍ତ ହେବ। ୨୦୩୦ ଶେଷ ବେଳକୁ ଦେଶରେ କୌଣସି ଲୋକଙ୍କୁ ଆଉ ଦାରିଦ୍ର୍ୟର କଷାଘାତ ସହିବାକୁ ପଡିବ ନାହିଁ। କାରଣ ଭାରତରେ ଦରିଦ୍ରଙ୍କ ସଂଖ୍ୟା ପ୍ରତି ମୁହୂର୍ତ୍ତରେ ହ୍ରାସ ପାଉଛି। ପ୍ରତି ଏକ ମିନିଟ୍ ମଧ୍ୟରେ ଦେଶର ପ୍ରାୟ ୪୪ ଜଣ ଲୋକ ଅତ୍ୟନ୍ତ ଦାରିଦ୍ର୍ୟରୁ ମୁକ୍ତି ପାଉଛନ୍ତି ବୋଲି ବ୍ରୁକିଂଙ୍ଗ୍ସର ‘ଫ୍ୟୁଚର ଡେଭଲପମେଣ୍ଟ’ ବ୍ଲଗ୍ରେ ପ୍ରକାଶିତ ଏକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏଥିରେ କୁହାଯାଇଛି ଯେ ଭାରତ ଆଉ ସବୁଠାରୁ ଅଧିକ ଦରିଦ୍ର ବାସ କରୁଥିବା ରାଷ୍ଟ୍ର ହୋଇ ରହିନାହିଁ। ଦ୍ରୁତ ବେଗରେ ଦାରିଦ୍ର୍ୟ ହ୍ରାସ କରିବାରେ ଏହା ବିଶ୍ୱର ପ୍ରମୁଖ ରାଷ୍ଟ୍ରଗୁଡିକ ମଧ୍ୟରେ ସାମିଲ ହୋଇଛି। ୨୦୧୮ ମେ’ ମାସ ସୁଦ୍ଧା ନାଇଜେରିଆ ସର୍ବାଧିକ ଗରିବ ଲୋକଙ୍କ ଦେଶ ପାଲଟିଛି। ଭାରତରେ ଅର୍ଥନୈତିକ ଅଭିବୃଦ୍ଧି ଏବଂ ଦରିଦ୍ରଙ୍କ ସଂଖ୍ୟା ହ୍ରାସର ଏହି ଧାରା ଯଦି ଜାରି ରୁହେ ତା’ହେଲେ ଭାରତ ଚଳିତବର୍ଷ ଶେଷ ଆଡକୁ ବିଶ୍ୱର ସବୁଠୁ ବେଶୀ ଦରିଦ୍ର ଥିବା ରାଷ୍ଟ୍ର ତାଲିକାର ତୃତୀୟ ସ୍ଥାନକୁ ଖସିଆସି ଏବଂ କଙ୍ଗୋ ଦ୍ୱିତୀୟ ସ୍ଥାନକୁ ଚାଲିଯିବ। ଦୈନକି ୧.୯ଡଲାର ଅର୍ଥରେ ଗୁଜୁରାଣ ମେଣ୍ଟାଉଥିବା ଲୋକଙ୍କୁ ଅତ୍ୟନ୍ତ ଦରିଦ୍ର ବୋଲି ରିପୋର୍ଟ ଉଲ୍ଲେଖ କରାଯାଇଛି। ଏଥିଅନୁସାରେ ୨୦୨୨ ସୁଦ୍ଧା ଦେଶରେ ଗରିବ ଲୋକଙ୍କ ସଂଖ୍ୟା ୩ ପ୍ରତିଶତରୁ କମ୍ ହୋଇଯିବ ଏବଂ ୨୦୩୦ ସୁଦ୍ଧା ଦେଶ ଗରିବମୁକ୍ତ ହେବ। ତେବେ ନାଇଜେରିଆରେ ପ୍ରତି ମିନିଟ୍ରେ ୬ ଜଣ ଲୋକ ଅତିବ ଗରିବଶ୍ରେଣୀଭୁକ୍ତ ହେଉଛନ୍ତି। ୨୦୧୮ ମେ’ ଶେଷ ସୁଦ୍ଧା ନାଇଜେରିଆରେ ପ୍ରାୟ ୮୭ ମିଲିୟନ ଲୋକ ଅତ୍ୟନ୍ତ ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଥିବା ବେଳେ ଭାରତରେ ଏହି ସଂଖ୍ୟା ୭୩ ମିଲିୟନ ରହିଥିଲା। ଦାରିଦ୍ର୍ୟ ସୀମାରେଖା ନିର୍ଦ୍ଧାରଣ ସୂତ୍ରରେ ଭିନ୍ନତା କାରଣରୁ ଦରିଦ୍ର ଲୋକ ସଂଖ୍ୟା ହ୍ରାସଜନିତ ଏହି ପରିସଂଖ୍ୟାନ ଭାରତୀୟ ଆକଳନ ସହିତ ମେଳ ଖାଇ ନ ପାରେ ବୋଲି ମଧ୍ୟ ଉକ୍ତ ରିପୋର୍ଟରେ ସ୍ପଷ୍ଟ କରାଯାଇଛି। ବିଶ୍ୱବ୍ୟାଙ୍କର ସୂଚନା ଅନୁସାରେ ୨୦୦୪ରୁ ୨୦୧୧ ମଧ୍ୟରେ ଭାରତରେ ଦାରିଦ୍ର୍ୟ ୩୮.୯%ରୁ ୨୧.୨%କୁ ହ୍ରାସ ପାଇଛି। ପ୍ରତ୍ୟେକ ବ୍ୟକ୍ତି ପିଛା ଦୈନିକ୧.୯ ଡଲାରରେ ଗୁଜୁରାଣ ମେଣ୍ଟାଇବାର ପରିସଂଖ୍ୟାନକୁ ଭିତ୍ତି କରି ବିଶ୍ୱବ୍ୟାଙ୍କ ଏହି ତଥ୍ୟ ପ୍ରଦାନ କରିଥିଲା।