ସରକାରୀ ଓ ଘରୋଇ ଇଂଜିନିୟରିଂ କଲେଜଗୁଡ଼ିକରେ ନାମ ଲେଖା ଅବଧି ୫ ଦିନ ବୃଦ୍ଧି
ଭୁବନେଶ୍ୱର :ଓଡ଼ିଶାର ସରକାରୀ ଓ ଘରୋଇ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ଅବଧିକୁ ୫ ଦିନ ବୃଦ୍ଧି କରାଯାଇଛି। ଆଜି ପୂର୍ବାହ୍ନରେ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥ କାର୍ଯ୍ୟାଳୟରେ ଏ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରୁ ଜଣାପଡ଼ିଛି ଯେ ବର୍ତ୍ତମାନ ସୁଦ୍ଧା ସରକାରୀ ଓ ବେସରକାରୀ ଇଂଜିନିୟରିଂ କଲେଜଗୁଡ଼ିକରେ ୧୨ ହଜାର ୫୩୬ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ଗତ ବର୍ଷ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖାଇଥିବା ଛାତ୍ରଛାତ୍ରୀଙ୍କଠାରୁ ଚଳିତ ବର୍ଷ ୪ ହଜାର ଅଧିକ ବିଦ୍ୟାର୍ଥୀ ନାମ ଲେଖାଇଥିଲେ ମଧ୍ୟ ୬୦.୩୭ ପ୍ରତିଶତ ସ୍ଥାନ ଖାଲି ରହିଛି। ଏହାକୁ ଦୃଷ୍ଟିରେ ରଖି ଅଧିକ ଛାତ୍ରଛାତ୍ରୀଙ୍କୁ ଏହି ପାଠ୍ୟକ୍ରମରେ ନାମଲେଖାଇବାର ସୁଯୋଗ ଦେବା ପାଇଁ ନାମଲେଖା ଅବଧିକୁ ୫ ଦିନ ବୃଦ୍ଧି କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି।
ପ୍ରକାଶ ଥାଉ କି, ସରକାରୀ ଇଂଜିନିୟରିଂ କଲେଜରେ ୮୦.୮୮ ପ୍ରତିଶତ ସ୍ଥାନ ପୂରଣ ହୋଇ ସାରିଥିବାବେଳେ ଘରୋଇ ଇଂଜିନିୟରିଂ କଲେଜରେ ୩୩.୮୭ ପ୍ରତିଶତ ସ୍ଥାନ ପୂରଣ ହୋଇ। ଆସନ୍ତା ସପ୍ତାହରେ ନାମଲେଖା ଫି ସଂପର୍କରେ ବିସ୍ତୃତ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ଏବଂ ଏହା ଆସନ୍ତା ତିନୋଟି ଶିକ୍ଷା ବର୍ଷ ନିମନ୍ତେ ଲାଗୁ କରାଯିବ ବୋଲି ଆଲୋଚନାରୁ ଜଣାପଡ଼ିଛି।
ଏହି ବୈଠକରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା, ବୈଷୟିକ ଶିକ୍ଷା ନିର୍ଦ୍ଦେଶକ ରେଘୁ ଜିଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।
Comments are closed.