ମେଘା ଜଙ୍ଗଲରୁ ଅସୁସ୍ଥ ଛୁଆହାତୀ ଠାବ : ଟ୍ରାଙ୍କୁଲାଇଜ କରି କପିଳାସ ପଠାଇଲା ବନବିଭାଗ

ପାଟିରେ ସଂକ୍ରମଣ, ଅଂଶୁଘାତ ସନ୍ଦେହ

ଢେଙ୍କାନାଳ ସଦର : ଢେଙ୍କାନାଳ ସଦର ବନାଞ୍ଚଳ ମେଘା ସଂରକ୍ଷିତ ଜଙ୍ଗଲରୁ ଏକ ଅସୁସ୍ଥ ମାଈହାତୀକୁ ଠାବ କରାଯାଇଛି । ମାଈହାତୀର ପାଟିରେ ସଂକ୍ରମଣ ହୋଇଥିବା ଜଣାପଡିଛି । ତେବେ ଦଳରୁ ଗୋଠଛଡା ହୋଇଗଲା ପରେ ହାତୀଛୁଆଟି ଏକାକୀ ରହିବା ଯୋଗୁଁ ଖାଦ୍ୟ ପାନୀୟ ଅଭାବରୁ ଦୁର୍ବଳ ହୋଇପଡିବା ଏବଂ ପ୍ରଚଣ୍ଡ ଖରା ଯୋଗୁ ଅଂଶୁଘାତର ଶିକାର ହୋଇଥିବା ସନ୍ଦେହ କରାଯାଇଛି । ତେବେ ଅଂଶୁଘାତକୁ ବନବିଭାଗ ଅସ୍ୱୀକାର କରୁଥିବାବେଳେ କେଉଁ କାରଣ ଯୋଗୁ ହାତୀ ଅସୁସ୍ଥ ହୋଇପଡି ଦୁର୍ବଳ ଅବସ୍ଥାରେ ଘୁରି ବୁଲୁଛି ବନବିଭାଗ ବିଶେଷଜ୍ଞଙ୍କ ତାହା ଅନୁଧ୍ୟାନ କରୁଛନ୍ତି। ଅସୁସ୍ଥ ହାତୀର ବୟସ ପ୍ରାୟ ୨ ବର୍ଷ ହେବ ବୋଲି ବନବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଅସୁସ୍ଥ ହାତୀକୁ ଟ୍ରାଙ୍କୁଲାଇଜ୍ କରି ଉଦ୍ଧାର କରାଯିବା ପରେ କପିଳାସ ହାତୀ ଉଦ୍ଧାର କେନ୍ଦ୍ରକୁ ପଠାଯାଇଛି। ସେଠାରେ ଡାକ୍ତରୀ ଟିମ୍ ଓ ବନବିଭାଗ କର୍ମଚାରୀଙ୍କ ଦ୍ୱାରା ହାତୀର ଚିକିତ୍ସା ଜାରି ରହିଛି। ସଂଧ୍ୟା ସୁଦ୍ଧା ହାତୀଟିର ସ୍ୱାସ୍ଥ୍ୟବସ୍ଥାରେ ବିଶେଷ ଉନ୍ନତି ଆସିପାରିନାହିଁ । ହାତୀକୁ ତରଳ ଖାଦ୍ୟ ଦିଆଯାଇ ସ୍ୱଭାବିକ ଅବସ୍ଥାକୁ ଆଣିବା ପାଇଁ ଉଦ୍ୟମ ଜାରି ରହିଛି।

prayash

ପ୍ରକାଶ ଯେ, ଢେଙ୍କାନାଳ ସଦର ବନାଞ୍ଚଳ ସରଖିଆଠାରେ ପ୍ରଥମ ବାଟାଲିଅନକୁ ଲାଗି ରହିଥିବା ମେଘା ସଂରକ୍ଷିତ ଜଙ୍ଗଲରେ ଏକ ଅସୁସ୍ଥ ହାତୀ ଘୁରି ବୁଲୁଥିବା ବନ କର୍ମଚାରୀମାନଙ୍କ ନଜରକୁ ଆସିଥିଲା । ବନବିଭାଗର ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ର, କପିଳାସ ରେଞ୍ଜର ତରୁଣ ମହାନ୍ତିଙ୍କ ନେତୃତ୍ୱରେ ବନ କର୍ମଚାରୀମାନେ ମେଘା ଜଙ୍ଗଲରେ ପହଞ୍ଚି ଅସୁସ୍ଥ ହାତୀଟିକୁ ଠାବ କରି ସମ୍ଭାବ୍ୟ ଆକ୍ରମଣକୁ ଆଶଙ୍କା କରି ହାତୀକୁ ଟ୍ରାଙ୍କୁଲାଇଜ୍ କରାଯାଇଥିଲା। ଟ୍ରାଙ୍କୁଲାଇଜ୍ କରିବା ପରେ କପିଳାସ ହାତୀ ଉଦ୍ଧାର କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ଗତ ସପ୍ତାହେ ଧରି ହାତୀଟି ଅସୁସ୍ଥ ହୋଇ ଜଙ୍ଗଲ ମଧ୍ୟରେ ଏକାକୀ ଘୁରି ବୁଲୁଥିଲା। ବନବିଭାଗ କର୍ମଚାରୀ ତାର ଗତିବିଧି ଉପରେ ନୀରିକ୍ଷଣ କରୁଥିଲେ। ମାତ୍ର ଗତ ଦୁଇ ତିନିଦିନ ହେବ ହାତୀଟି ହଠାତ୍ ନିରୁଦ୍ଧିଷ୍ଟ ହୋଇଯାଇଥିଲା । ଶନିବାର ସକାଳେ ଫାଷ୍ଟ୍ ବାଟାଲିଅନ୍ ନିକଟ ଜଙ୍ଗଲ ମଧ୍ୟରେ ହାତୀଟି ଅସୁସ୍ଥ ଅବସ୍ଥାରେ ଠାବ ହୋଇଥିଲା । ଖବରପାଇ ଢେଙ୍କାନାଳ ବନଖଣ୍ଡ ଅଧିକାରୀ ସୁମିତ କର, ଏସିଏଫ୍ ସୁବ୍ରତ ପାତ୍ର, ହାତୀସ୍କ୍ୱାର୍ଡ ସହ ପହଞ୍ଚି ଅସୁସ୍ଥ ହାତୀର ଚିକିତ୍ସା ଆରମ୍ଭ କରିଥିଲେ । ହାତୀ ନିକଟକୁ ଯିବା ପାଇଁ ଜେସିବି ସହାୟତାରେ ମାଟି ପକାଇ ରାସ୍ତା ତିଆରି କରିଥିଲେ। ଗୋଠଛଡା ହୋଇଥିବାରୁ କାଳେ ହାତୀଟି ଦଳକୁ ଫେରିନପାରିବ ସେଥିପାଇଁ ଅନ୍ୟ ହାତୀର ମଳ ଶରୀରରେ ପ୍ରଲେପ ଦିଆଯାଇଥିଲା। ଏହାପରେ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ସାଲାଇନ୍, ଇଞ୍ଜେକ୍ସନ୍, ଆଣ୍ଟିବାୟୋଟିକ୍ ଆଦି ଦିଆଯାଇଥିଲା । ପରେ ତାକୁ ଉଦ୍ଧାର କରାଯାଇ ଏକ ଗାଡି ଯୋଗେ ଅଧିକ ଚିକିତ୍ସା ନିମନ୍ତେ କପିଳାସ ପ୍ରାଣୀ ଉଦ୍ୟାନ କେନ୍ଦ୍ର ପରିସରକୁ ହାତୀଟିକୁ ନିଆଯାଇଛି। ସେଠାରେ ଏକ କାଠବାଡରେ ନିର୍ମିତ ଘର ରଖାଯାଇ ଚିକିତ୍ସା ଜାରି ରହିଛି। ଏ ସଂପର୍କରେ ଢେଙ୍କାନାଳ ବନଖଣ୍ଡ ଅଧିକାରୀ ଶ୍ରୀ କରଙ୍କୁ ଯୋଗାଯୋଗ କରିବାରୁ, ହାତୀକୁ ଅଂଶୁଘାତ ହୋଇନାହିଁ । ପାଟିରେ ସଂକ୍ରମଣ କାରଣରୁ ଖାଦ୍ୟପାନୀୟ ଗ୍ରହଣ ନକରିପାରି ଦୁର୍ବଳ ହୋଇପଡିଛି। ଅଭିଜ୍ଞ ଚିକିତ୍ସକଙ୍କ ଦ୍ୱାରା ଚିକିତ୍ସା ଚାଲିଛି। ସୁସ୍ଥ ହେଲା ପରେ ପୁନଶ୍ଚ ହାତୀପଲରେ ତାକୁ ମିଶାଇ ଦିଆଯିବ ବୋଲି ବନଖଣ୍ଡ ଅଧିକାରୀ ପ୍ରକାଶ କରିଛନ୍ତି ।

Comments are closed.