ଦୁଇଜଣଙ୍କୁ ଦଳି ମାରିଦେଲା ହାତୀ
ରେଢ଼ାଖୋଲ: ଘରୁ ଟେକି ନେଇ ଦୁଇଜଣଙ୍କୁ ହାତୀ ଦଳି ଦେଇଛି। ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦୁଇ ଜଣ ହେଲେ ମୋଚିବାହାଳ ରେଞ୍ଜ ମାକରକନ୍ଦା ଗ୍ରାମର ଶମ୍ଭୁ ଭୋଇ(୬୫) ଓ ଦୟମତୀ ଭୋଇ(୭୦)। ରେଢ଼ାଖୋଲ ବନଖଣ୍ଡ ଅଧୀନ ମୋଚିବାହାଳ ଗ୍ରାମରେ ଘଟିଛି ଏହି ଦୁର୍ଘଟଣା। ରାତି ପ୍ରାୟ ତିନିଟା ବେଳେ ହାତୀ ପ୍ରଥମେ ଦୟମତୀଙ୍କୁ ଘରୁ ଉଠାଇ ଆଣି ଦଳିଚକଟି ଦେଇଥଲା। ଏହାପରେ ପାଖ ଘରୁ ଶମ୍ଭୁଙ୍କୁ ମଧ୍ୟ ସମାନ ଢଙ୍ଗରେ ମାରିଥିଲା। ସରପଞ୍ଚ ସୁଶାନ୍ତ ପ୍ରଧାନ, ଜିଲା ପରିଷଦ ସଭ୍ୟ ପ୍ରଦୀପ କୁମାର ପ୍ରଧାନ, ରେଞ୍ଜର ରମେଶ କର୍ଣ୍ଣ ପହଞ୍ଚି ତଦାରଖ କରୁଛନ୍ତି। ଏହି ଗ୍ରାମରେ ଗତ କିଛି ଦିନ ହେଲା ହାତୀ ଉତ୍ପାତରେ ବ୍ୟାପକ ଫସଳ ହାନି ହେଉଥିଲା। ଏ ସମ୍ପର୍କରେ ସୂଚନା ଥିଲେ ମଧ୍ୟ ବନ ବିଭାଗ କୌଣସି ପଦକ୍ଷେପ ନ ନେବାରୁ ଏଭଳି ଅଘଟଣ ଘଟିଛି ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ଖୁବ୍ ଶୀଘ୍ର ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି ଡିଏଫ୍ଓ ସଂଗ୍ରାମ କିଶୋର ବେହେରା କହିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ବନ ବିଭାଗ ତରଫରୁ ମୃତକଙ୍କ ପରିବାରକୁ ୪୦ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ଦିଆଯାଇଛି।