ଦିନକୁ ଡିଭିଜନ ପିଛା ୧୦୦ ନୂଆ ବିଦ୍ୟୁତ୍ ସଂଯୋଗ
ଭୁବନେଶ୍ୱର: ପ୍ରତ୍ୟେକ ଦିନ ଗୋଟିଏ ଡିଭିଜନ ୧୦୦ଟି ନୂତନ ବିଜୁଳି ସଂଯୋଗ ପ୍ରଦାନ କରିବେ। ସେସୁ, ୱେସକୋ, ନେସକୋ ଏବଂ ସାଉଥକୋ ଆଦି ବିଦ୍ୟୁତ ବିତରଣକାରୀ ସଂସ୍ଥାର ସମୀକ୍ଷା ଅବସରରେ ଏହା କହିଛନ୍ତି ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂହ। ଆସନ୍ତା ସେପ୍ଟେମ୍ବର ଶେଷ ସୁଦ୍ଧା ରାଜ୍ୟର ସମସ୍ତ ପରିବାରକୁ ବିଦ୍ୟୁତ୍ ସଂଯୋଗ ଏବଂ ପ୍ରତ୍ୟେକ ଦିନ କେତେ ବିଦ୍ୟୁତ୍ ସଂଯୋଗ କରାଗଲା ତାହାର ବିବରଣୀ ପ୍ରଦାନ ପାଇଁ ମନ୍ତ୍ରୀ ସମସ୍ତ ନିର୍ବାହୀ ଯନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ସମୀକ୍ଷା ବୈଠକରେ ଶକ୍ତି ସଚିବ ହେମନ୍ତ ଶର୍ମା ରାଜ୍ୟର ବିଦ୍ୟୁତ୍ ଶୁଳ୍କ ଆଦାୟ ସ୍ଥିତି ସମ୍ପର୍କରେ ସମସ୍ତ ନିର୍ବାହୀ ଯନ୍ତ୍ରୀ ଓ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ପଚାରି ବୁଝିଥିଲେ। ଏହି ଅବସରରେ ୨୦୧୬-୧୭, ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ଶକ୍ତି ବିଭାଗର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଡିଭିଜନରେ ଉତ୍କର୍ଷ ହାସଲ କରିଥିବା ଯନ୍ତ୍ରୀମାନଙ୍କୁ ମନ୍ତ୍ରୀ ପୁରସ୍କୃତ କରିଥିଲେ।