ମତଦାନ ଶେଷ, ୭୩ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌‌ରେ ସିଲ୍‌‌

କେନ୍ଦୁଝରଗଡ଼଼: କେନ୍ଦୁଝର ଜିଲାର ଏକମାତ୍ର ଲୋକସଭା ଓ ୬ ବିଧାନସଭା ଆସନ ପାଇଁ ଶନିବାର ଶାନ୍ତିଶୃଙ୍ଖଳାର ସହ ମତଦାନ ସମ୍ପର୍ଣ୍ଣ ହୋଇଛି। ସନ୍ଧ୍ୟା ୭ଟା ସୁଦ୍ଧା କେନ୍ଦୁଝର ଲୋକସଭା ନିର୍ବାଚନମଣ୍ଡଳୀରେ ୬୨.୫୯ ପ୍ରତିଶତ ମତଦାନ ହୋଇଥିବା ବେଳେ ସେଥିମଧ୍ୟରୁ ଆନନ୍ଦପୁରରେ ୫୯.୧୫, ଚମ୍ପୁଆରେ ୬୪.୧୪, ଘସିପୁରାରେ ୬୨.୩୦, କରଞ୍ଜିଆରେ ୬୧.୩୮, କେନ୍ଦୁଝର ସଦରରେ ୬୧.୩୬, ପାଟଣାରେ ୬୫.୨୫ ଓ ତେଲକୋଇରେ ୬୩.୫୧ ପ୍ରତିଶତ ମତଦାନ ହୋଇଥିବା ବେଳେ ରିପୋର୍ଟ ପ୍ରସ୍ତୁତ ପର୍ଯ୍ୟନ୍ତ ଏହି ସମସ୍ତ ନିର୍ବାଚନମଣ୍ଡଳୀରେ ମତଦାନ ଜାରି ରହିଛି।

ଲୋକସଭା ପାଇଁ ୧୧ଜଣ ଏବଂ ଜିଲାର ୬ ବିଧାନସଭା ଆସନ ପାଇଁ ଚମ୍ପୁଆ ଆସନରୁ ସର୍ବାଧିକ ୧୫ଜଣ, କେନ୍ଦୁଝର ସଦର ବିଧାନସଭା ପାଇଁ ୧୦ଜଣ, ତେଲକୋଇ ପାଇଁ ୭ଜଣ, ପାଟଣା ପାଇଁ ୧୦ଜଣ, ଘସିପୁରା ଆସନ ପାଇଁ ୧୩ଜଣ ଓ ଆନନ୍ଦପୁର ଆସନ ପାଇଁ ୭ଜଣଙ୍କୁ ମିଶାଇ ମୋଟ ୬୨ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌‌ ମେସିନରେ ସିଲ ହୋଇ ରହିଛି। ଦେଶବ୍ୟାପୀ ଚୂଡାନ୍ତ ନିର୍ବାଚନ ପ୍ରକ୍ରିୟା ଶେଷ ହେବାପରେ ଆସନ୍ତା ଜୁନ୍‌‌ ୪ ତାରିଖରେ ଭୋଟଗଣତି ପରେ ଏହିସବୁ ପ୍ରାର୍ଥୀଙ୍କ ଭାଗ୍ୟ ଜଣାପଡ଼ିବ। ଶନିବାର ଅନୁଷ୍ଠିତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ମଧ୍ୟରେ ଲୋକସଭା ପାଇଁ ବିଜେପି ପ୍ରାର୍ଥୀ ପୂର୍ବତନ ସାଂସଦ ଅନନ୍ତ ନାୟକ, ବିଜେଡି ଦଳରୁ ଧନୁର୍ଜୟ ସିଦୁ ଓ କଂଗ୍ରେସରୁ ଇଂ ବିନୋଦ ବିହାରୀ ନାୟକ, ଘସିପୁରାରୁ ବିଜେଡିର ବରିଷ୍ଠ ନେତା ବଦ୍ରି ନାରାୟଣ ପାତ୍ର ଓ ସ୍ୱାଧିନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ, ଆନନ୍ଦପୁରୁ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, କେନ୍ଦୁଝର ସଦରରୁ ବିଜେପି ପ୍ରାର୍ଥୀ ମୋହନ ଚରଣ ମାଝୀ, ବିଜେଡିରୁ ମୀନା ମାଝୀ ଓ କଂଗ୍ରେସ ପ୍ରାର୍ଥୀ ପ୍ରତିଭା ମଞ୍ଜରୀ ନାଏକ, ଚମ୍ପୁଆରୁ ବିଜେପି ପ୍ରାର୍ଥୀ ମୁରଲୀ ମନୋହର ଶର୍ମା, ବିଜେଡି ପ୍ରାର୍ଥୀ ସନାତନ ମହାକୁଡ ଓ କଂଗ୍ରେସ ପ୍ରାର୍ଥୀ ଯଶୋବନ୍ତ ନାରାୟଣ ସିଂ ଲାଗୁରୀ, ତେଲକୋଇରୁ ବିଜେଡି ପ୍ରାର୍ଥୀ ପୂର୍ବତନ ସାଂସଦ ମାଧବ ସର୍ଦ୍ଦାର, ଡାକ୍ତର ଫକୀର ଚରଣ ନାଏକ ଓ କଂଗ୍ରେସ ପ୍ରାର୍ଥୀ ନିର୍ମଳ ଚନ୍ଦ୍ର ନାୟକଙ୍କ ଭାଗ୍ୟ ଇଭିଏମ୍‌‌ ମେସିନରେ ସିଲ ହୋଇଛି।

ଅନ୍ୟ ପକ୍ଷରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଶନିବାର ଅନୁଷ୍ଠିତ ନିର୍ବାଚନରେ କେନ୍ଦୁଝର ଜିଲାର ଏକମାତ୍ର ଲୋକସଭା ଓ ୬ ବିଧାନସଭା ପାଇଁ କାଁ ଭାଁ ଗଣ୍ଡଗୋଳ ଓ ଇଭିଏମ୍‌‌ ମେସିନ ଯାନ୍ତ୍ରୀକ ତୃଟିକୁ ବାଦ୍‌‌ ଦେଲେ ଶାନ୍ତିପୂର୍ଣ୍ଣ ମତଦାନ ହୋଇଥିବା ଜଣାପଡ଼ିଛି। ଜିଲାରେ ମୋଟ ୧୭୨୨ବୁଥ୍‌‌ ମଧ୍ୟରୁ ଦିବ୍ୟାଙ୍ଗ, ଯୁବ ଭୋଟରଙ୍କୁ ଅଧିକ ଆକୃଷ୍ଟ କରିବା ପାଇଁ ୩୦ଟି ବୁଥ୍‌‌, ୧୫ଟି ଇକୋ ଫ୍ରେଣ୍ଡଲି ବୁଥ ଏବଂ ଆଦିମ ଜନଜାତି ଜୁଆଙ୍ଗ ଓ ପାଉଡି ଭୂୟାଁଙ୍କ ନିମନ୍ତେ ଗୋଟିଏ ଲେଖାଏଁ ଏଥନିକ୍‌‌ ବୁଥ ଏବଂ ୧୭୪ଟି ସଖି ପୁଲିଂ ବୁଥ୍‌‌ରେ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟସ୍ଥା ଗ୍ରହଣ କରାଯାଇ ଭୋଟରଙ୍କୁ ଅପେକ୍ଷା ସ୍ଥାନରେ ଅସ୍ଥାୟୀ ସେଡ୍‌‌ ନିର୍ମାଣ ସହ ପାନୀୟଜଳ ଯୋଗାଣ ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ତେବେ ଗ୍ରାମାଞ୍ଚଳ ବହୁ ବୁଥରେ ଭୋଟର ଧାଡିରେ ଅପେକ୍ଷାରତ ଥିବାବେଳେ ସେମାନଙ୍କ ମୁଣ୍ଡ ଉପରେ ଅସ୍ଥାୟୀ ସେଡ୍‌‌ ବ୍ୟବସ୍ଥା ନଥିବା ଏବଂ ପାନୀୟଜଳ ଯୋଗାଣ ଭଳି ସର୍ବନିମ୍ନ ସୁବିଧା ନଥିବାରୁ ଭୋଟରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ଦେଖିବାକୁ ମିଳିଥିଲା। ଅଧିକ ମାତ୍ରାରେ କିଭଳି ମତଦାନ କରାଯିବ ସେ ନେଇ ପ୍ରଶାସନ ପକ୍ଷରୁ ମାସାଧିକ କାଳ ବିଭିନ୍ନ ପର୍ଯ୍ୟାୟରେ ବିଭିନ୍ନ ସ୍ଥାନରେ ସଚେତନତା ସୃଷ୍ଟି କରାଯିବା କାରଣରୁ ଚଳିତ ନିର୍ବାଚନରେ ସକାଳ ୭ଟାରୁ ମତଦାନ ପାଇଁ ଭୋଟରଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଥିଲା। ତେବେ ଅଧିକାଂଶ ବୁଥରେ ଧାର୍ଯ୍ୟ ସମୟ ଠାରୁ ଅଧଘଣ୍ଟାରୁ ଘଣ୍ଟାଏ ବିଳମ୍ବରେ ଭୋଟଗ୍ରହଣ ଆରମ୍ଭ ହେବା କାରଣରୁ ଭୋଟର ସେଡ୍‌‌ ନଥିବାରୁ ବାଧ୍ୟ ହୋଇ ପ୍ରବଳ ଖରାରେ ଅପେକ୍ଷା କରିବାକୁ ପଡ଼ିବା ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା।

Comments are closed.