୧୯୬୨ରୁ କ୍ରମାଗତ ପରାଜୟ; ଉତ୍ସାହ କମିନି

ବ୍ରହ୍ମପୁର: ଡା.କେ.ଶ୍ୟାମବାବୁ ସୁବୁଦ୍ଧି। ବୟସ ୮୩। ନିର୍ବାଚନ ଆସିଲେ ଏହି ନାମଧାରୀଙ୍କୁ ସମସ୍ତେ ଖୋଜନ୍ତି। ଚଳିତ ନିର୍ବାଚନରେ ସେ ବ୍ରହ୍ମପୁର ଓ ଆସିକା ଲୋକସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବଚନ ଲଢୁଛନ୍ତି। ଏଥର ଉଭୟ ଆସନରେ ତାଙ୍କର ନିର୍ବାଚନ ଚିହ୍ନ ବ୍ୟାଟ। ତାଙ୍କର ୮ଜଣ ପ୍ରତିଦ୍ୱନ୍ଦ୍ୱୀ ଅଛନ୍ତି। ନିର୍ବାଚନ ଲଢିବା ତାଙ୍କର କୌଣସି ନିଶା ବା ପେସା ନୁହଁ। ତଥାପି ସେ ନିର୍ବାଚନ ଲଢିବାରୁ ହଟି ନାହାନ୍ତି। ୧୯୬୨ ମସିହାରୁ କ୍ରମାଗତ ଭାବେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ଆସୁଛନ୍ତି ଶ୍ୟାମବାବୁ। ଅଧିକାଂଶ ସମୟରେ ଅମାନତ ହରାଇଥିବା ଶ୍ୟାମବାବୁ କହନ୍ତି ଜିତିବା ହାରିବା ବଡ଼କଥା ନୁହେଁ। ଯୁବଶକ୍ତିଙ୍କୁ ପ୍ରେରଣା ଦେଇଯିବା ଲକ୍ଷ୍ୟରେ ସେ ନିର୍ବାଚନ ଲଢୁଛନ୍ତି।

ଦୁର୍ନୀତି ବିରୋଧରେ ଲଢିବା ଲକ୍ଷ୍ୟ ରଖି ସେ ନିର୍ବାଚନରେ ପ୍ରାର୍ଥୀ ହେଉଛନ୍ତି। ଅଧିକାଂଶ ପ୍ରାର୍ଥୀ ଦଳବଦଳ କରୁଥିବାରୁ ସେ କୌଣସି ଦଳରୁ ନ ଲଢି ସ୍ୱାଧୀନ ପ୍ରାର୍ଥୀ ଭାବେ ଦୀର୍ଘ ବର୍ଷ ହେଲା ପ୍ରତିଦ୍ୱନ୍ଦ୍ୱିତା କରି ଆସୁଛନ୍ତି। ଶ୍ୟାମବାବୁ ଆସିକା ଓ ବ୍ରହ୍ମପୁର ଲୋକସଭାରୁ ୧୦ଥର ଲେଖାଏଁ ନିର୍ବାଚନ ଲଢି ସାରିଛନ୍ତି। ଏହାବ୍ୟତୀତ ହିଞ୍ଜିଳିକାଟୁ ବିଧାନସଭା ଆସନରୁ ୫ଥର, ବ୍ରହ୍ମପୁର ଓ କବିସୂର୍ୟ୍ୟନଗର ବିଧାନସଭା ଆସନରୁ ୨ଥର ଏବଂ ବେଗୁନିଆରୁ ଥରେ ନିର୍ବାଚନ ଲଢିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ ବ୍ରହ୍ମପୁର ଆସନରୁ ଲୋକସଭା ନିର୍ବାଚନ ଲଢିଥିବା ସମୟରେ ଶ୍ୟାମବାବୁ ସେତେବେଳେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ଥିଲେ। ଏହାବ୍ୟତୀତ ଆସିକା ଲୋକସଭା ଆସନରୁ ବିଜୁ ପଟ୍ଟନାୟକଙ୍କ ସହିତ, ହିଞ୍ଜିଳିରୁ ବୃନ୍ଦାବନ ନାୟକ, ବ୍ରହ୍ମପୁରରୁ ରାମ ରଥ ଏବଂ ବେଗୁନିଆ(ଖୋର୍ଦ୍ଧା)ରୁ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସହିତ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବାର ସେ ସୌଭାଗ୍ୟ ଅର୍ଜନ କରିଛନ୍ତି। ଗତ କିଛିବର୍ଷ ହେଲା କ୍ରମାଗତ କେବଳ ଲୋକସଭା ନିର୍ବାଚନ ଲଢୁଛନ୍ତି। ବସ୍‍ ଓ ଟ୍ରେନ୍‍ ଯୋଗେ ସେ ପ୍ରଚାରଚଳାଇଛନ୍ତି। ପେସାରେ ହୋମିଓପ୍ୟାଥି ଡାକ୍ତର ଶ୍ୟାମବାବୁଙ୍କ ୨୦୧୯ ସାଧାରଣ ନିର୍ବାଚନ ଶେଷ ନିର୍ବାଚନ ବୋଲି କହିଛନ୍ତି। ଏବେ ଯୁବପିଢିଙ୍କୁ ବାଟ ଛାଡ଼ିବାକୁ ହେବ ବୋଲି ତାଙ୍କ ମତ। ବ୍ୟୟବହୁଳ ନିର୍ବାଚନରେ ପ୍ରତିଥର ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢି ଗଣତନ୍ତ୍ର ପ୍ରତି ତାଙ୍କର ଅତୁଟ ଆସ୍ଥା ରହିଥିବା ସେ ପ୍ରମାଣିତ କରିପାରିଛନ୍ତି।

Comments are closed.