ଆଇନଷ୍ଟାଇନଙ୍କ କ୍ଷମା ଯାଚନା

ଭୁବନେଶ୍ଵର: ‘ହେ ନିଉଟନ! ମୋତେ କ୍ଷମା କରିଦିଅନ୍ତୁ। ଆପଣଙ୍କଠାରେ ସର୍ବୋଚ୍ଚ ଚିନ୍ତନ ସ୍ତର ଓ ସୃଜନାତ୍ମକ ଶକ୍ତି ବିଦ୍ୟମାନ ଥିଲା। ତେବେ ଆପଣଙ୍କ ସମୟରେ ଯାହା ସମ୍ଭବ ଥିଲା, ଆପଣ ଖୋଜି ବାହାର କରିଥିଲେ।’ ଏହା ହେଉଛି ନିଉଟନଙ୍କ ପ୍ରତି ଆଇନଷ୍ଟାଇନଙ୍କ କ୍ଷମା-ଯାଚନା। କେହି କେହି କହନ୍ତି ଯେ, ଆଇନଷ୍ଟାଇନଙ୍କ ପଢ଼ା ଘରେ ଯେଉଁ ତିନିଜଣଙ୍କ ଫଟୋ ଟଙ୍ଗାଯାଇଥିଲା; ତନ୍ମଧ୍ୟରେ ନିଉଟନ ଥିଲେ। ଅବଶ୍ୟ ଅନ୍ୟ ଜଣେ ବିଜ୍ଞାନୀ ଫାରାଡେ ଥିଲେ। ବୈଜ୍ଞାନିକଙ୍କ ନାଁ ପଡ଼ିଲେ ସମସ୍ତଙ୍କ ପାଟିରୁ ଯେଉଁ ଦୁଇଜଣଙ୍କ ନାମ ସ୍ବତଃ ଉଚ୍ଚାରିତ ହୁଏ, ତାହା ହେଉଛି ନିଉଟନ ଓ ଆଇନଷ୍ଟାଇନ। ଉଭୟ ପଦାର୍ଥବିଜ୍ଞାନୀ ଓ ବିଜ୍ଞାନରେ ଯୁଗସ୍ରଷ୍ଟା ଭାବେ ଆଖ୍ୟାୟିତ। ତେବେ ସେମାନଙ୍କ ମଧ୍ୟରେ ଦୂରତା ଯେତେ କମ୍‌, ସେତେ ଅଧିକ ବୋଲି ମଧ୍ୟ ମନେହୁଏ। ଏହା ଏକ ପ୍ରଶ୍ନବାଚୀ। ଆଇଜାକ ନିଉଟନ ଏବଂ ଆଲବର୍ଟ ଆଇନଷ୍ଟାଇନ ଙ୍କ ସଂକ୍ଷିପ୍ତ ପରିଚୟ ଏଥିରୁ ମିଳେ। ଉଭୟଙ୍କ ଜୀବନକାଳ ମଧ୍ୟରେ ପ୍ରାୟ ଦୁଇ ଶତାବ୍ଦୀର ଅନ୍ତର। ପୁଣି ସେମାନଙ୍କ ଜନ୍ମ ଏକା ମହାଦେଶ ୟୁରୋପରେ ହୋଇଥିଲେ ସୁଦ୍ଧା ଦେଶ ଭିନ୍ନଭିନ୍ନ।
ତେବେ ବିଜ୍ଞାନର କେତେକ ଏକା ପ୍ରସଙ୍ଗ ଉଭୟଙ୍କ ଗବେଷଣାରେ ଅନ୍ତର୍ଭୁକ୍ତ ଥିଲା; କିନ୍ତୁ ସେମାନଙ୍କ ଦୃଷ୍ଟିଭଙ୍ଗୀ ଅଲଗା ଥିଲା। ନିଉଟନ କୌଣସି ପଦାର୍ଥର ବସ୍ତୁତ୍ବ ଅପରିବର୍ତ୍ତନୀୟ ବୋଲି ତାଙ୍କ ସମୀକରଣମାନଙ୍କରେ ବିଚାର କରିଥିଲେ; କିନ୍ତୁ ଆଇନଷ୍ଟାଇନ ଏହା ଅଗ୍ରାହ୍ୟ କରି ବିଶିଷ୍ଟ ଆପେକ୍ଷିକ ସିଦ୍ଧାନ୍ତ ପ୍ରଣୟନ କଲେ, ଯେଉଁଥିରୁ ଜଣାପଡ଼ିଲା ଯେ, ବସ୍ତୁ ଯଦି ଖୁବ୍‌ ବେଗରେ, ଆଲୋକର ଗତିର ପାଖାପାଖି, ଯାଏ, ତେବେ ତା’ର ବସ୍ତୁତ୍ବ ବଢ଼ିବ। ଏତଦ୍‌ ବ୍ୟତୀତ ବସ୍ତୁର ଦୈର୍ଘ୍ୟ ସ‌େ‌ଙ୍କାଚ, ସମୟ ବିସ୍ତାର ପରି ଘଟଣାମାନ ସେତେବେଳେ ଲୋକଙ୍କୁ ଅବିଶ୍ବସନୀୟ ମନେ ହୋଇଥିଲା। ଏହା ପଛରେ ମୂଳ କାରଣ ହେଉଛି ନିଉଟନ ସମୟକୁ ସ୍ଥିର ଓ ଅପରିବର୍ତ୍ତନୀୟ ବୋଲି ବିବେଚନା କରିଥିଲେ; କିନ୍ତୁ ଆଇନଷ୍ଟାଇନ ସ୍ଥାନ-କାଳକୁ ଏକତ୍ର କଲେ। ନିଉଟନ ଏକ୍ସ,ୱାଇ,ଜେଡ ପରି ତିନିଟି ବିମିତିି ନେଇଥିଲେ; କିନ୍ତୁ ଆଇନଷ୍ଟାଇନ ନିଉଟନଙ୍କ ଏହି ନିର୍ଦେଶାଙ୍କ ତନ୍ତ୍ର ଦେଲେ। ଫଳରେ ସମୟ ମଧ୍ୟ ପରିବର୍ତ୍ତନଶୀଳ ଭାବେ ଗୃହୀତ ହେଲା। ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ମାଧ୍ୟାକର୍ଷଣ ବଳ। ଅର୍ଥାତ୍‌ ଦୁଇଟି ବସ୍ତୁ ପରସ୍ପରକୁ ଆକର୍ଷଣ କରନ୍ତି। ଏହା ନିର୍ଣ୍ଣୟ କରିବାପାଇଁ ନିଉଟନ ଗୋଟିଏ ସୂତ୍ର ନିଷ୍ପନ୍ନ କଲେ। ଅର୍ଥାତ୍‌ ଦୁଇଟି ବସ୍ତୁ ପରସ୍ପରଠାରୁ ବିଚ୍ଛିନ୍ନ ହୋଇଥିଲେ ମଧ୍ୟ ସେମାନେ ପରସ୍ପର ଦ୍ବାରା ଆକର୍ଷିତ ହେବେ। ଏହା ‘ଦୂରବର୍ତ୍ତୀ ପ୍ରଭାବ’ ବା କ୍ରିୟା ଭାବେ ପରିଚିତ। ନିଉଟନଙ୍କ ଏହି ସୂତ୍ରମାନ ନିଉଟୋନିଅନ ଫିଜିକ୍ସ ବା ପୁରାତନ ପଦାର୍ଥବିଜ୍ଞାନ ଭାବେ ପରିଚିତ। ଆଇନଷ୍ଟାଇନ ଏହି ଧାରଣାରେ ଆମୂଳଚୂଳ ପରିବର୍ତ୍ତନ କରି ‘ସାଧାରଣ ଆପେକ୍ଷିକ ତତ୍ତ୍ବ’  ପ୍ରଚଳନ କଲେ। ଏଥିରେ ସ୍ଥାନ ଓ ସମୟର ବକ୍ରତା ଯୋଗୁଁ ମାଧ୍ୟାକର୍ଷଣ ବଳ ଉତ୍ପନ୍ନ ହୁଏ ବୋଲି ମତ ପୋଷଣ କରାଯାଇଛି। ଏହା ଭବିଷ୍ୟବାଣୀ ଦେଲା ଯେ, ଆଲୋକରଶ୍ମି ଯଦି କୌଣସି ବୃହଦାକାର ବସ୍ତୁ ପାଖ ଦେଇଯାଏ, ଏହା ସରଳରେଖାରେ ଗତି ନ କରି ବସ୍ତୁଟି ଆଡ଼କୁ ବକ୍ର ହେବା ପରେ ଆଗକୁ ଯିବ। ୧୯୧୫ରେ ଉକ୍ତ ତତ୍ତ୍ବ ଦ୍ବାରା ଆଇନଷ୍ଟାଇନ ସୂଚାଇ ଥିବା ଏହି ତଥ୍ୟ ୧୯୧୯ରେ ପୂର୍ଣ୍ଣ ସୂ​‌େ​‌ର୍ଯ୍ୟାପରାଗ ବେଳେ ଆର୍ଥର ଏଡିଙ୍ଗଟନ ପରୀକ୍ଷା ମାଧ୍ୟମରେ ପ୍ରମାଣ କଲେ। ପୁଣି ଆଇନଷ୍ଟାଇନ ୧୯୧୬ରେ ଯେଉଁ କୃଷ୍ଣ ଗର୍ତ୍ତ କଥା କହିଥିଲେ, ତାହା ପରେ ଆବିଷ୍କୃତ ହେଲା। ପ୍ରଶ୍ନ ଉଠୁଛି: ତାହା ହେଲେ ନିଉଟନଙ୍କ ସୂତ୍ରମାନ କ’ଣ ତ୍ୟାଜ୍ୟ କରାଯିବ? ଯଦି ମାଧ୍ୟାକର୍ଷଣ ବଳ ଅତ୍ୟଧିକ ହୋଇ ନଥାଏ ଏବଂ ବସ୍ତୁ ଧିମା ବେଗରେ ଗତିକରେ, ତାହା ହେଲେ ଆଇନଷ୍ଟାଇନଙ୍କ ସମୀକରଣ ନିଉଟନଙ୍କ ସୂତ୍ର ସହ ସମାନ ହୋଇଯିବ। ତେଣୁ ଆମ ଦୈନନ୍ଦିନ ଜୀବନରେ ଆଇନଷ୍ଟାଇନଙ୍କ ଅପେକ୍ଷା ନିଉଟନ ଅଧିକ ଉପଯୋଗୀ। ଏହି ବିଚାରରେ ନିଉଟନ ଓ ଆଇନଷ୍ଟାଇନଙ୍କ ମଧ୍ୟରେ ଦୂରତା ସତ୍ତ୍ବେ ନିକଟତାକୁ ସ୍ବୀକାର କରିବା ଯଥାର୍ଥ। ଏଠାରେ କହିବା ବାହୁଲ୍ୟ ହେବ ଯେ, ଅନ୍ୟ ଏକ ଦିଗରୁ ନିଉଟନଙ୍କ ସ୍ଥାନ ଆଇନଷ୍ଟାଇନଙ୍କ ଠାରୁ ନ୍ୟୂନ ବୋଲି କହିବା ସମୀଚୀନ ହେବନାହିଁ। ନିଉଟନ ଥିଲେ ଉଭୟ ତାତ୍ତ୍ବିକ  ଓ ପରୀକ୍ଷଣକାରୀ । କାଲକୁଲସ, ଆଲୋକ, ମେକାନିକ୍ସ, କପରନିକ ସିଷ୍ଟମ ଇତ୍ୟାଦି ବିଭିନ୍ନ ବିଭାଗରେ ତାଙ୍କର ତାତ୍ତ୍ବିକ ଅବଦାନ ରହିଛି। ତେବେ ଯବକାଚ ବଦଳେ ଦର୍ପଣ ବ୍ୟବହାର କରି ଦୂରବୀକ୍ଷଣ ଯନ୍ତ୍ର ନିର୍ମାଣ କରିବା, ବର୍ଣ୍ଣାଳୀ ର ପ୍ରଦର୍ଶନ ପରି ଅନେକ ପ୍ରୟୋଗାତ୍ମକ ଜ୍ଞାନ ଉଦ୍ଭବ କରି ସେ ଯଶସ୍ବୀ ହୋଇଛନ୍ତି। ନିଉଟନଙ୍କ ପରି ଉଭୟ ବିଭାଗରେ ବିଖ୍ୟାତ ଅନ୍ୟ କେତେଜଣ ବୈଜ୍ଞାନିକ ହେଉଛନ୍ତି ଗାଲିଲିଓ ଗାଲିଲି  ରବର୍ଟ ବୟଲ ( ୧୬୨୭-୧୬୯୧, ଜନ୍ମସ୍ଥାନ: ଲିସ୍ମୋର, ଆୟର୍ଲାଣ୍ଡ), ମାଇକେଲ ଫାରାଡେ (୧୭୯୧-୧୮୬୭. ଜନ୍ମସ୍ଥାନ:ନେୱିଙ୍ଗଟନ୍‌ ବାକ୍ସ, ଇଂଲଣ୍ଡ) ପ୍ରଭୃତି। ଏହି ତାଲିକାରୁ ଅନ୍ତତଃ ସଙ୍କେତ ମିଳେ ଯେ, ପୂର୍ବ ଶତାବ୍ଦୀମାନଙ୍କରେ ବୈଜ୍ଞାନିକମାନେ ଉଭୟ ତତ୍ତ୍ବ ଓ ପରୀକ୍ଷଣରେ ସଂପୃକ୍ତ ଥିଲେ। କିନ୍ତୁ ବର୍ତ୍ତମାନ ଏହା ସମ୍ଭବ ନୁହେଁ। ବିଜ୍ଞାନରେ ଉପରୋକ୍ତ ବିଭାଜନକୁ ଲକ୍ଷ୍ୟ କରି ଆମେ ବାଡ଼ି-ବାଇଗଣ ଓ ପୋଥି ବାଇଗଣ ସହ ତୁଳନା କରିବା ଠିକ୍‌ ହେବନାହିଁ। ବିଶେଷଜ୍ଞମାନଙ୍କ ମତ ହେଉଛି ଏହା ଅଣ୍ଡା-କୁକୁଡ଼ା ବିବାଦ ତୁଲ୍ୟ। ଅଣ୍ଡାରୁ କୁକୁଡ଼ା ଆସିଲା ନା କୁକୁଡ଼ାରୁ ଅଣ୍ଡା? ଏହା ଏକ ଅସମାହିତ ପ୍ରଶ୍ନ। ବିବାଦୀୟ ମଧ୍ୟ। କିନ୍ତୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ଯେ ଉଭୟେ ଉଭୟଙ୍କ ଉପରେ ନିର୍ଭରଶୀଳ। ସାଂପ୍ରତିକ ବିଜ୍ଞାନ​‌ରେ ଦେଖିବାକୁ ମିଳେ ପ୍ରଚଣ୍ଡ ଅଗ୍ରଗତି ଓ ଜଟିଳ ଅନବଚ୍ଛିନ୍ନ ଗବେଷଣା ଉଭୟ କ୍ଷେତ୍ରରେ। ସେମାନେ ପରସ୍ପର ସହ କେବଳ କରମର୍ଦନରେ ସୀମିତ ରହି ହସ୍ତଗ୍ରନ୍ଥି ଦ୍ବାରା ଅନ୍ତରଙ୍ଗ ହେଲେ ବିଜ୍ଞାନର ବିକାଶ ଘଟିବ।

Comments are closed.