www.samajalive.in
Saturday, December 6, 2025
16.1 C
Bhubaneswar

ଭୁବନେଶ୍ବରରେ ଘରକିଣା ସମସ୍ୟା

ଆଜି ଭୁବନେଶ୍ବର ସହରରେ ମଧ୍ୟବିତ୍ତ ଏବଂ ନିମ୍ନ ଆୟବର୍ଗର ଲୋକଙ୍କ ଘରଟିଏ କିଣିବା ସମ୍ଭାବନା ଆକାଶ କଇଁଆ ସଦୃଶ ହୋଇଥିବା ମନେହୁଏ। ଦୁଇ ବିଏଚ୍‌କେ (ଦୁଇଟି ଶୋଇବା ଘର, ବସିବା-ଖାଇବା ପାଇଁ ହଲ୍‌ ଏବଂ ପାକଶାଳା ଥିବା ଘର) ଫ୍ଲାଟ୍‌ର ମୂଲ୍ୟ ଏକକୋଟି ଟଙ୍କା ବା ତଦୂର୍ଦ୍ଧ୍ବ ହେବା ପରିପ୍ରେକ୍ଷୀରେ ସୁଲଭ ଦାମ୍‌ରେ ଇଷ୍ଟେଟ୍‌ କ୍ଷେତ୍ରଟି ମନେହୁଏ ଆଜି ଦ୍ରୁତଗତିରେ କେବଳ ଧନୀବର୍ଗକୁ ସନ୍ତୁଷ୍ଟ କରିବାପାଇଁ ଯତ୍‌ପରୋନାସ୍ତି ବ୍ୟଗ୍ର ହୋଇଛି। ସୌଖୀନ, ବିଳାସମୟ ଫ୍ଲାଟ୍ ନିର୍ମାଣ ହେଉଛି ଏବଂ ମଧ୍ୟବିତ୍ତ ପରିବାର ଓ ସ୍ବଳ୍ପ ଆୟ କରୁଥିବା ପରିବାର ଆଜି କୋଣଠେସା ହୋଇଯାଇଛି। ପରିସ୍ଥିତି ଏଭଳି ହେଲାଣି ଯେ ସରକାରୀ ଗୃହନିର୍ମାଣ ସଂସ୍ଥାମାନେ ମଧ୍ୟ ବିଳାସପୂର୍ଣ୍ଣ ଫ୍ଲାଟ ନିର୍ମାଣ ନିଶାରେ ଆକ୍ରାନ୍ତ ହେଲେଣି। ଏହା ଆଶ୍ଚର୍ଯ୍ୟଜନକ ଏବଂ ଚିନ୍ତାଜନକ ମନେହୁଏ। ଏଭଳି ପରିସ୍ଥିତିରେ ସରକାରଙ୍କର ମୌନତା ଏବଂ ଉଦାସୀନତା ମଧ୍ୟବିତ୍ତ ଏବଂ ନିମ୍ନ ଆୟବର୍ଗ ପରିବାରମାନଙ୍କ ପାଇଁ ସହାୟକ ହେଇପାରିନାହିଁ।
ମୁଖ୍ୟତଃ ଧନୀଗୋଷ୍ଠୀଙ୍କ ପାଇଁ ଗୃହ ନିର୍ମାଣ କରିବା ମାନସିକତା ସାମାଜିକ ଭାରସାମ୍ୟ ବ୍ୟାହତ କରି ଏକ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି କରିଛି। ଆଜି ଉପଯୁକ୍ତ ନୀତି ହେବ ଯାହା ସମାଜର ଆର୍ଥିକ ଦୁର୍ବଳ ଏବଂ ମଧ୍ୟବିତ୍ତ ଗୋଷ୍ଠୀଙ୍କ ଆବଶ୍ୟକତା। ପସନ୍ଦ ଅନୁକୂଳ ହୋଇ ସ୍ବଳ୍ପମୂଲ୍ୟର ଗୃହଯୋଗାଣ ବ୍ୟବସ୍ଥା କରିପାରିବ। ଏ ସଂକ୍ରାନ୍ତରେ ଅଶୀଦଶକର ଏକ ଅନୁଭୂତି ସମ୍ପର୍କରେ ସ୍ବଳ୍ପ ସୂଚନା ଦେବା ପ୍ରାସଙ୍ଗିକ ହେବ। ଭୁବନେଶ୍ବର ସହରର ଉପକଣ୍ଠରେ ଡୁମ୍‌ଡୁମା ଅଞ୍ଚଳ ସେତେବେଳେ ପ୍ରାୟ ଉନ୍ମୁକ୍ତ ଥିଲା। ମୁଁ ଗୃହନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗର ସଚିବ ଭାବରେ ଅବସ୍ଥାପିତ ହେବା ପୂର୍ବରୁ ସେହି ଅଞ୍ଚଳରେ ଏକ କ୍ଷୁଦ୍ର ଅଂଶରେ ‘ସାଇଟ୍‌ ଏବଂ ସର୍ଭିସ’ ଯୋଜନା କାର୍ଯ୍ୟକାରୀ କରାଯାଇଥିଲା। କେତୋଟି ଛୋଟ ପ୍ଲଟ୍‌ ବ୍ୟବସ୍ଥା ହୋଇଥିଲା, ଏଥିପାଇଁ ମୋରମ୍‌ ରାସ୍ତା, ଛାତ ନଥିବା ସାମୂହିକ ଶୌଚାଳୟ, ଏବଂ କେତୋଟି ନଳକୂପ ବ୍ୟବସ୍ଥା ହୋଇଥିଲା ଲୋକମାନଙ୍କ ପାଇଁ ଏହା ଆକର୍ଷଣୀୟ ହୋଇନଥିବା ଯୋଗୁଁ ପ୍ରାୟ ପରିତ୍ୟକ୍ତ ଅବସ୍ଥାରେ ଥିଲା। ଫରେଷ୍ଟ ପାର୍କ ଅଞ୍ଚଳରେ ସରକାରୀ ବାସଗୃହରେ ରହୁଥିବାବେଳେ ଦିନେ ସକାଳେ ଆମ ଖବରକାଗଜ ହକର ମୋତେ ଭୁବନେଶ୍ବର ସହରରେ ତା’ର ଗୋଟିଏ ଛୋଟ ଘର କରିବା ଅଭିଳାଷ ବିଷୟରେ କହିଥିଲା। ମନେହେଲା ସେ ଆମ ସହରର ଅସଂଖ୍ୟ ନିମ୍ନ ଆୟ ବର୍ଗର ପରିବାରଙ୍କ ସ୍ବପ୍ନ ବିଷୟରେ ମୋତେ କହୁଛି। ଡୁମ୍‌ଡୁମା ଅଞ୍ଚଳକୁ ଯାଇ ମୁଁ ସ୍ଥିର କଲି ଏହି ଆବଡ଼ଖାବଡ଼ ମୋରମ ମାଟି ଏବଂ ପଥୁରିଆ ଅଞ୍ଚଳରେ ଏକ ସୁନ୍ଦର ଜନବସତି ସୃଷ୍ଟି କରିବା ସମ୍ଭବ। ହାଉସିଂ ବୋର୍ଡର ଅଧ୍ୟକ୍ଷ ଭାବରେ ବୋର୍ଡ ଇଞ୍ଜିନିୟରଙ୍କୁ ଅଞ୍ଚଳ ପାଇଁ ଏକ ଜନବସତି ନକ୍ସା ପ୍ରସ୍ତୁତ ପାଇଁ ନିର୍ଦେଶ ଦେଲି। ‘ସାଇଟ୍‌ ଏବଂ ସର୍ଭିସ୍‌’ ବ୍ୟବସ୍ଥା ହୋଇଥିବା ପରିତ୍ୟକ୍ତ ଅଞ୍ଚଳରେ ପ୍ରଥମ ପର୍ଯ୍ୟାୟରେ ଘର ତିଆରି ପାଇଁ ବ୍ୟବସ୍ଥା କରାଗଲା। ରାଜନୈତିକ ନେତୃତ୍ବଙ୍କ ସମର୍ଥନରେ କାର୍ଯ୍ୟଟି ଆଗେଇଲା। ପ୍ରତ୍ୟେକ ଘର ପାଇଁ ଛୋଟ ଖୋଲା ଜାଗାଟିଏ ରହିଲା- ତୁଳସୀ ଚଉରା ପାଇଁ ହେଉ ବା ଶାଗ ପଟାଳି ପାଇଁ ହେଉ। ଲୋକେ ପସନ୍ଦ କଲେ। ଲୋକଙ୍କ ଆଗ୍ରହ ଦୃଷ୍ଟିରୁ ଅଧିକ ଘର ତିଆରି ହେଲା। ସରକାରଙ୍କ ସକ୍ରିୟତା ଯୋଗୁଁ ଏହି ଅଞ୍ଚଳରେ ଯେଉଁ ଅବାଧ ମୋରମ, ପଥର ଖୋଳା ଚାଲିଥିଲା ତାହା ବନ୍ଦ ହୋଇପାରିଲା।
ଡୁମ୍‌ଡୁମା ମଡେଲ ଆଜି ମଧ୍ୟ ପ୍ରାସଙ୍ଗିକ ବୋଧହୁଏ। ଦ୍ରୁତବର୍ଦ୍ଧିଷ୍ଣୁ ଆମ ଭୁବନେଶ୍ବରର ପୂର୍ଣ୍ଣାଙ୍ଗ ବିକାଶ କେବଳ ଧନୀବର୍ଗଙ୍କ ତୁଷ୍ଟୀକରଣ ଦ୍ବାରା ସମ୍ଭବ ନୁହେଁ। ଏହି ନୀତି ସାମାଜିକ ବୈଷମ୍ୟବର୍ଦ୍ଧକ, ଉତ୍ପୀଡକ। ଏହାର ବିକଳ୍ପ ଆବଶ୍ୟକ। ନଗର ସମସ୍ତ ବର୍ଗଙ୍କ ସମୁଚିତ ସ୍ଥିତି ପ୍ରତି ସମ୍ବେଦନଶୀଳ ହେବା ଆବଶ୍ୟକ। ସୂଚନା ମିଳୁଛି ସରକାର ବର୍ତ୍ତମାନ ସହର ଉପକଣ୍ଠରେ ୫୦୦ ଏକର ଆୟତନ ବିଶିଷ୍ଟ ଏକ ସାଟେଲାଇଟ ସିଟି ନିର୍ମାଣ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହି ପ୍ରକଳ୍ପରେ ୭୮ହଜାର କୋଟି ଟଙ୍କା ବିନିଯୋଗ ହେବାର ରିପୋର୍ଟ ପ୍ରକାଶିତ ହୋଇଛି; କିନ୍ତୁ ଏହି ଯୋଜନା ଯଦି କେବଳ ଧନୀବର୍ଗ ପାଇଁ ଉଦ୍ଦିଷ୍ଟ ତେବେ ଏକ ସାମୂହିକ ଆବଶ୍ୟକତା ପୂରଣ କରିବାରେ ଅସମର୍ଥ ହେବ।
ସହରର ଉପକଣ୍ଠରେ ଏକ ବିସ୍ତୃତ ଅଞ୍ଚଳରେ ମଧ୍ୟବିତ୍ତ ଏବଂ ନିମ୍ନବିତ୍ତ ପରିବାରଙ୍କ ପାଇଁ ବାସଗୃହ ବ୍ୟବସ୍ଥା କରିବା ଆଜିର ଜରୁରୀ ଆହ୍ବାନ ମନେହୁଏ। ଧରାଯାଉ ମଧ୍ୟବିତ୍ତ ପରିବାରର ବାର୍ଷିକ ଆୟ ୪ଲକ୍ଷରୁ ୧୨ ଲକ୍ଷ ଭିତରେ। ଏହି ପରିବାର ମାସକୁ ଆୟ କରେ ୩୩ହଜାରରୁ ଏକଲକ୍ଷ। ଏହି ପରିବାରଟି ୪୦ ଲକ୍ଷ ମୂଲ୍ୟର ଘରଟିଏ କିଣି ଋଣ ପରିଶୋଧ କରିବା ପାଇଁ ସକ୍ଷମ। ପ୍ରାୟ ୮ ଲକ୍ଷ ଟଙ୍କା ଅଗ୍ରିମ ଯୋଗାଡ଼ କରିବା ତା’ପକ୍ଷରେ ସମ୍ଭବ। ଅବଶିଷ୍ଟ ୩୨ ଲକ୍ଷ ଟଙ୍କା ଋଣ ନେଇ ମାସିକ କିସ୍ତିରେ ୨୦ ବର୍ଷରେ ଋଣ ଏବଂ ସୁଧ ପରିଶୋଧ କରିବା ସମ୍ଭବ। ମାସିକ କିସ୍ତି ପରିମାଣ ମାସିକ ଆୟର ପ୍ରାୟ ଅଧା। ଯାହା ପରିବାର ଦେବାପାଇଁ ସକ୍ଷମ ହୋଇପାରିବ। ଆଜି ଆମ ଦେଶରେ ୪୦ ଲକ୍ଷରୁ ୬୦ ଲକ୍ଷ ଟଙ୍କା ମୂଲ୍ୟର ଘର ତିଆରି ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି। ଅନେକ ସହରରେ ଏଭଳି ଘର ଯଥେଷ୍ଟ ସଂଖ୍ୟାରେ ଉପଲବ୍ଧ ହେଉଛି। ଅଥଚ ଏହି ପ୍ରବାହ ଆମ ଭୁବନେଶ୍ବର ସହରରେ ଅନୁପସ୍ଥିତ ହେବା ଚିନ୍ତାଜନକ।
ଏହି ଅସ୍ବାଭାବିକ ପରିସ୍ଥିତିର ପରିସମାପ୍ତି ଆବଶ୍ୟକ। ଜମି ସୀମିତ ଥିବା ଦୃଷ୍ଟିରୁ ମଧ୍ୟବିତ୍ତ ପରିବାରମାନଙ୍କ ନିମନ୍ତେ ଘରଗୁଡ଼ିକ ପାଇଁ ବହୁତଳ ଆପାର୍ଟମେଣ୍ଟ କରିବା ଯୁକ୍ତିଯୁକ୍ତ ହେବ। ଯଥେଷ୍ଟ ସଂଖ୍ୟାରେ ୪୦ ଲକ୍ଷରୁ ୬୦ ଲକ୍ଷ ଟଙ୍କା ମୂଲ୍ୟର ଘର ତିଆରି ପ୍ରକ୍ରିୟା ସହରର ଉପକଣ୍ଠରେ ଆରମ୍ଭ ହେବା ଆବଶ୍ୟକ। ଏହି ଦାୟିତ୍ବ କେବଳ ସରକାରୀ ଗୃହନିର୍ମାଣକାରୀ ସଂସ୍ଥାଙ୍କ ଉପରେ ନ୍ୟସ୍ତ କରାଯିବା ଯୁକ୍ତିଯୁକ୍ତ ହେବ। ସେମାନେ ବିଶାଳକାୟ ଘର ତିଆରି କରିବା ଆକର୍ଷଣରୁ ମୁକ୍ତ ହୁଅନ୍ତୁ।
ସ୍ବଳ୍ପ ଆୟ ଥିବା ପରିବାରଙ୍କ ପାଇଁ ସହରର ଉପକଣ୍ଠରେ ବ୍ୟବସ୍ଥା ସମ୍ଭବ; କିନ୍ତୁ ଏମାନଙ୍କ ପାଇଁ ବହୁତଳ ଫ୍ଲାଟ ନିର୍ମାଣ କରି ଗୋଟିଏ ପରିବାରକୁ ଗୋଟିଏ କୋଠରିରେ ରଖିବା ମାନବଧର୍ମ ପରିପନ୍ଥୀ ହେବ। ଏହି ପରିବାର ନାନା କାରଣରୁ ମାଟି ସହିତ ସମ୍ପୃକ୍ତ। ତାଙ୍କ ଘର ଚାରିପଟେ ଛୋଟ ଖୋଲା ଜାଗା ଆବଶ୍ୟକ। ଛୋଟ ପ୍ଲଟରେ ଏକ ମହଲା ଦୁଇ ରୁମ୍‌ ବିଶିଷ୍ଟ ଘର ସ୍ବଳ୍ପ ମୂଲ୍ୟରେ ନିର୍ମାଣ ସମ୍ଭବ। ସେମାନଙ୍କ ଆର୍ଥିକ ବିକାଶ ହେଲେ ସେମାନେ ଏହି ଛୋଟ ଘରଗୁଡ଼ିକର ବିକାଶ କରିବା ସମ୍ଭବ।
ଆମ ରାଜଧାନୀ ଭୁବନେଶ୍ବରର ଅନ୍ୟ ଏକ ଅବ୍ୟାହତ ସମସ୍ୟା ହେଉଛି ମାଲିକାନାସ୍ବତ୍ବ। ଲିଙ୍ଗରାଜ ମହାପ୍ରଭୁଙ୍କ ଜମି – ଆଜି ଏକ ବ୍ୟାପକ ପ୍ରସଙ୍ଗ। ଏହାର ବ୍ୟାପକତା ଏବଂ ପରିଣାମ ଉତ୍ପୀଡ଼ନରେ ରୂପାନ୍ତରିତ ହୋଇଛି। ମୋର ମତ ହେଲା ଏହା ଏକ ମନୁଷ୍ୟକୃତ ଜଟିଳତା ଯାହାର ପରିସମାପ୍ତି ସମ୍ଭବ ଏବଂ ଆବଶ୍ୟକ। ଲିଙ୍ଗରାଜ ମହାପ୍ରଭୁଙ୍କ ଜମି ଭାବରେ ଅଭିହିତ କରି ଆମେ ମହାପ୍ରଭୁଙ୍କ ସେବା ସମ୍ପନ୍ନ କରିବାରେ ସଫଳ ହୋଇପାରିନାହୁଁ। ବର୍ଷବର୍ଷ, ପୁରୁଷାନୁକ୍ରମେ ନିରବଚ୍ଛିନ୍ନ ଦଖଲରେ ରହିଥିବା ଅସଂଖ୍ୟ ପରିବାରଙ୍କୁ ଉଚ୍ଛେଦ କରି ସେହି ଜମିକୁ କିଭଳି ମହାପ୍ରଭୁଙ୍କ ସେବାରେ ନିୟୋଜିତ କରିପାରିବା ତାହା ଅସ୍ପଷ୍ଟ। ଏକ ମାନବୀୟ ଏବଂ ବାସ୍ତବବାଦୀ ବିକଳ୍ପ ହେବ ଯଦି ଦଖଲକାରୀଙ୍କୁ ଉପଯୁକ୍ତ ମୂଲ୍ୟରେ ଜମି ବିକ୍ରୟ କରି ତାଙ୍କୁ ସ୍ଥିତିବାନ୍‌ ସ୍ବତ୍ବ ଅର୍ପଣ କରିବା। ବିକ୍ରିଲବ୍ଧ ରାଶି ମହାପ୍ରଭୁଙ୍କ ପାଣ୍ଠିରେ ଜମାହୋଇ ପ୍ରଭୁଙ୍କ ସେବା ଏବଂ ମନ୍ଦିରର ଉନ୍ନତିରେ ବିନିଯୋଗ ହେଉ। ସରକାର ଭାବପ୍ରବଣତା ପ୍ରଦର୍ଶନ ନକରି ବାସ୍ତବବାଦୀ ହୋଇ ଜମିମୂଲ୍ୟ ଧାର୍ଯ୍ୟ କରିବା ନିତାନ୍ତ ଆବଶ୍ୟକ। ଅଯଥା କାଳକ୍ଷେପଣ କରି ଲୋକଙ୍କୁ ଉତ୍ପୀଡନ ସ୍ଥିତିରେ ରଖିବା ମାନସିକତାର ପରିସମାପ୍ତ ଘଟୁ। ଏହି ନିଷ୍ପତ୍ତି ହେଲେ, ଦଖଲରେ ଥିବା ବ୍ୟକ୍ତିମାନେ ନିଜ ଜମିର ଗୁଣାତ୍ମକ ଅଭିବୃଦ୍ଧି କରି ଅଧିକ ବାସଗୃହ ନିର୍ମାଣ କରିବାପାଇଁ ସମର୍ଥ ହେବେ ଏବଂ ଏହାଦ୍ବାରା ଭୁବନେଶ୍ବରରେ ଉତ୍କଟ ଗୃହ ସମସ୍ୟା କିଛି ମାତ୍ରାରେ ପ୍ରଶମିତ ହୋଇପାରିବ।
ଅନ୍ୟ ଏକ ଆନୁଷଙ୍ଗିକ ସମସ୍ୟା ହେଲା ଛୋଟ ପ୍ଲଟରେ ବହୁତଳ ଫ୍ଲାଟ୍‌ ନିର୍ମାଣ କରିବା ପାଇଁ ବ୍ୟଗ୍ରତା। ଏହା ଏକ ବ୍ୟାଧିରେ ପରିଣତ ​‌ହୋଇଛି ଏବଂ ଅନେକ ଆବାସିକ ଅଞ୍ଚଳ ବିଶୃଙ୍ଖଳିତ ହେଉଛି। ଗୋଟିଏ ପରିବାର ପାଇଁ ଉଦ୍ଦିଷ୍ଟ ପ୍ଲଟ୍‌ରେ ଆଜି ଆଠ-ଦଶଟି ପରିବାରଙ୍କ ଫ୍ଲାଟ ଗଢ଼ି ଉଠିଛି। ରାସ୍ତା, ପାଣି, ବର୍ଜ୍ୟବସ୍ତୁ ନିଷ୍କାସନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେଉଛି। ଏହି ବିଶୃଙ୍ଖଳିତ ମାନସିକତାର ପରିସମାପ୍ତି ଆବଶ୍ୟକ। ଆମ ସହର ପାଇଁ ଶୁଭଙ୍କର ହେବ ଯଦି ୭୨୦୦ ବର୍ଗଫୁଟ୍‌ ଆୟତନରୁ କମ୍‌ ଥିବା ପ୍ଲଟଗୁଡ଼ିକରେ ଦୁଇ ମହଲାରୁ ଅଧିକ ନିର୍ମାଣ ନିଷେଧ କରାଯାଏ। ଆଶା କରାଯାଏ ଉପରୋକ୍ତ ପ୍ରସ୍ତାବଗୁଡ଼ିକ ଜନସାଧାରଣ ଏବଂ ସରକାର ମୁକ୍ତ ମନରେ ଆଲୋଚନା କରିବେ ଏବଂ ବାସଗୃହ ଜନିତ ସାଂପ୍ରତିକ ସମସ୍ୟାଗୁଡ଼ିକର ସମାଧାନ ସମ୍ଭବ ହେବ।

ଲେଖକ ଜଣେ ଅବସରପ୍ରାପ୍ତ ପ୍ରଶାସକ, ଭୁବନେଶ୍ବର

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories