ଚମ୍ପିଆନ୍ ‘ଲି ବ୍ଲ୍ୟୁଜି’
ସୁଯୋଗ ଓ ଦୁର୍ଯାଗ ବାହାରେ ଖେଳର ଅସଲ ସତ୍ୟଟି ହେଲା ଶକ୍ତିଶାଳୀ, କୌଶଳୀ ଦଳ ବିଜୟ ହାସଲ କରେ। ଏକବିଂଶ ଫିଫା ବିଶ୍ବକପ୍ରେ ତାହାହିଁ ଘଟିଛି। ଶକ୍ତିଶାଳୀ ତଥା ଅଭିଜ୍ଞ ଫ୍ରାନ୍ସଦଳ (ଲି ବ୍ଲ୍ୟୁଜି ନାମରେ ଖ୍ୟାତ) ଉଦୀୟମାନ କ୍ରୋଏସିଆକୁ ୪-୨ ଗୋଲରେ ହରାଇ ଦ୍ବିତୀୟଥର ପାଇଁ ଚମ୍ପିଆନ ହୋଇଛି। କ୍ରୋଏସିଆ ଦଳ ଫ୍ରାନ୍ସ ତୁଳନାରେ ଦୁର୍ବଳ ଥିଲେ ମଧ୍ୟ ଟୁର୍ଣ୍ଣାମେଣ୍ଟର ବିଭିନ୍ନ ପର୍ଯ୍ୟାୟରେ ଉନ୍ନତ ଓ ଶୃଙ୍ଖଳିତ ଖେଳ ପ୍ରଦର୍ଶନ କରି ଫାଇନାଲକୁ ଆସିଥିଲା। ଫାଇନାଲର ପ୍ରଥମାର୍ଦ୍ଧରେ ଏହି ଦଳ ସୁନ୍ଦର ବୁଝାମଣା ଓ ସମନ୍ବୟ ରଖି ବେଶ ଉତ୍ସାହର ସହ ଖେଳି ଏକାଧିକ ଗୋଲ୍ ଦେବାର ସୁଯୋଗ ସୃଷ୍ଟି କରିଥିଲେ ହେଁ ବିଶେଷ ସଫଳତା ପାଇନଥଲା। ଖେଳାଳିଙ୍କ ଅନିଚ୍ଛାକୃତ ତ୍ରୁଟିଯୋଗୁଁ କ୍ରୋଏସିଆ ଦଳକୁ ଦୁଇଟି ଆତ୍ମଘାତୀ ଗୋଲ୍ ବରଣ କରିବାକୁ ପଡ଼ିଲା ଯାହା ବେଶ୍ ମହଙ୍ଗା ସ୍ଥାପିତ ହେଲା। ଦଳର ଦ୍ବିତୀୟ ଅସୁବିଧାଟି ଥିଲା ରକ୍ଷଣଭାଗର ଦୁର୍ବଳତା। ଏହା ପ୍ରତିପକ୍ଷ ଭଳି ସୁଦୃଢ଼ ନଥିଲା। ମ୍ୟାଚର ୬୬ପ୍ରତିଶତ ସମୟ କ୍ରୋଏସିଆ ଖେଳାଳି ବଲ୍କୁ ନିଜ ନିୟନ୍ତ୍ରଣରେ ରଖିଥିଲେ ଓ ସୁନ୍ଦର ପାସ୍ ମାଧ୍ୟମରେ ଗୋଲ ଦେବାର ଏକାଧିକ ସୁଯୋଗ ପାଇଥିଲେ ହେଁ ସେଥିରେ ବିଫଳ ହୋଇଥିଲେ। ପ୍ରତିପକ୍ଷର ତାରକା ଖେଳାଳି ପଲ ପୋଗ୍ବା, ବ୍ଲେଜ୍ ମାଟୁଇତି ଓ କାଣ୍ଟେଙ୍କୁ କ୍ରୋଏସିଆର ଖେଳାଳିମାନେ କାବୁ କରି ରଖିବାରେ ଅନେକାଂଶରେ ସଫଳ ହୋଇଥିଲେ ସତ, ସୁଯୋଗର ହାତଛଡ଼ା ଓ ଦୁେର୍ଯାଗ ଦଳ ପାଇଁ ଘାତକସିଦ୍ଧ ହେଲା।
ପେସାଦାରୀ ଖେଳରେ ସିଦ୍ଧହସ୍ତ ଫ୍ରାନ୍ସଦଳ ଚମତ୍କାର ରଣନୀତି ଓ କୌଶଳ ଆପଣାଇ କ୍ରୋଏସିଆ ଦଳକୁ ଆଶାଜନକ ଭାବେ ନିୟନ୍ତ୍ରଣରେ ରଖିଥିଲା। ପ୍ରତିପକ୍ଷର ଖେଳାଳି ହାଲିଆ ହେବାକୁ ଆରମ୍ଭ କରିବାମାତ୍ରେ ଫ୍ରାନ୍ସଦଳ ସଙ୍ଘବଦ୍ଧଭାବେ ପ୍ରଚଣ୍ଡ ପ୍ରତିଆକ୍ରମଣ ଆରମ୍ଭ କରି ଦେଇଥିଲା। ଏହାର ନେତୃତ୍ବ ନେଇଥିଲେ ଗ୍ରୀଜ୍ମ୍ୟାନ, ପୋଗବା ଓ ଏମ୍ବାପେ ପ୍ରମୁଖ। ଉଚ୍ଚକୋଟିର କ୍ରୀଡ଼ା ନୈପୁଣ୍ୟ ଦେଖାଇ ସେମାନେ ନିଜର ଶ୍ରେଷ୍ଠତ୍ବ ପ୍ରଦର୍ଶନ କରିଥିଲେ। ଲାଗୁଥିଲା ସତେଯେପରି ଫାଇନାଲ ମ୍ୟାଚରେ ବିଜୟ ପାଇଁ ସେମାନେ ଏକ ବିପ୍ଳବର ସଂରଚନା କରିଥିଲେ। ଫ୍ରାନ୍ସ ଆକ୍ରମଣ ଆଗରେ କ୍ରୋଏସିଆର ଖେଳାଳି ଶେଷ ବେଳକୁ ଏକ ଶ୍ରାନ୍ତକ୍ଲାନ୍ତ ପ୍ରତିଦଳରେ ପରିଣତି ହୋଇଥିଲା। କ୍ରୋଏସିଆ ଭଲ ଖେଳି ହାରିଲା ଓ ଫ୍ରାନ୍ସ ପ୍ରତିଦ୍ବନ୍ଦ୍ବୀଠାରୁ ଅଧିକ ଭଲଖେଳି ବିଜୟୀ ହେଲା। ଇନ୍ଦ୍ରଧନୁର ବର୍ଣ୍ଣାଳି ଭଳି ତାରକା ଖଚିତ ଫ୍ରାନ୍ସ ବିଜୟର ହକ୍ଦାର ହେଲେ ହେଁ ଏକ କ୍ଷୁଦ୍ର ଦେଶ କ୍ରୋଏସିଆ ତା’ର ଶୃଙ୍ଖଳିତ ତଥା ଉନ୍ନତ କ୍ରୀଡ଼ା ପ୍ରଦର୍ଶନ କରି ବିଶ୍ବବାସୀଙ୍କ ହୃଦୟ ଜିଣିବାରେ ସମର୍ଥ ହୋଇଛି।