ନୂଆ ଦୌଡ଼ରାଣୀ

0

ଦୌଡ଼ରାଣୀ କହିଲେ ଆମେ ଭାରତୀୟମାନେ ପି.ଟି. ଉଷାଙ୍କୁ ହିଁ ବୁଝିଥାଉ; କିନ୍ତୁ ଏବେ ଆଉ ଜଣେ ନୂଅା ଦୌଡ଼ରାଣୀଙ୍କ ଆବିର୍ଭାବ ଘଟିଛି, ଯାହାଙ୍କ ନାଁ ହିମା ଦାସ। ଗତ ଗୁରୁବାର ରାତିରେ ଫିନଲାଣ୍ଡର ତାମ୍ପେରେଠାରେ ଅନୁଷ୍ଠିତ ୨୦ ବର୍ଷରୁ କମ୍ ଆଇଏଏଏଫ୍ ବିଶ୍ବ ଚମ୍ପିଆନସିପ୍‌ରେ ଏହି ୧୮ ବର୍ଷ ବୟସ୍କା କ୍ରୀଡ଼ାବିତ୍ ୪୦୦ ମିଟର ଦୌଡ଼ରେ ଭାରତ ପାଇଁ ପ୍ରଥମ ସ୍ବର୍ଣ୍ଣପଦକ ଜିଣି ଇତିହାସ ସୃଷ୍ଟି କରିଛନ୍ତି। ଉଲ୍ଲେଖନୀୟ କଥା ହେଲା, ଆସାମର ନାଗାଓଁ ଜିଲା ଅନ୍ତର୍ଗତ ଢିଙ୍ଗ୍‌ ଗଁାର ଜଣେ ଚାଷୀଙ୍କ ଝିଅ ହିମା ପୂର୍ବରୁ ୧୦୦ ଓ ୨୦୦ ମିଟର ଦୌଡ଼ୁଥିଲେ ଏବଂ ଚଳିତବର୍ଷ ମାର୍ଚରୁ ହିଁ ୪୦୦ ମିଟର ଦୌଡ଼ିବା ଆରମ୍ଭ କରିଥିଲେ। ଏଥିରୁ ତାଙ୍କର ମନୋବଳ ଓ ଦକ୍ଷତା କେତେ, ତାହା ସହଜେ ଅନୁମେୟ। ହିମାଙ୍କ ଏହି ସଫଳତା ଯେ ଅନାୟାସରେ ଆସିନାହିଁ, ତାହା କହିବା ବାହୁଲ୍ୟ। ସେ ଗାଁରେ ଛୋଟବେଳୁ ଫୁଟବଲ ଖେଳିବାରେ ଥିଲେ ଖୁବ୍ ଦକ୍ଷ ଏବଂ ବଲ୍ ନେଇ ଏତେ ଜୋରରେ ଦୌଡ଼ୁଥିଲେ ସେ ସାଥୀ ଖେଳାଳିମାନଙ୍କୁ ଖୁବ୍ ପଛରେ ପକାଇ ଦେଉଥିଲେ। ଏହା ହିଁ ତାଙ୍କୁ ପରବର୍ତ୍ତୀ ଜୀବନରେ ଜଣେ ଦକ୍ଷ ଧାବିକା କରିପାରିଛି। ତାଙ୍କୁ ସେଥିରେ ଯିଏ ସାହାଯ୍ୟ କରିଛନ୍ତି, ସେ ହେଲେ ଗୁଆହାଟିର ତାଙ୍କ ପ୍ରଶିକ୍ଷକ ନିପନ ଦାସ। ଅଭାବୀ ଚାଷୀ ପରିବାରର ଝିଅଟିକୁ ବିଶ୍ବର ଶ୍ରେଷ୍ଠ ଦୌଡ଼ାଳି କରିବାରେ ଶ୍ରୀ ଦାସଙ୍କ ଅବଦାନ ଅସାଧାରଣ। ସେ ହିମାଙ୍କର କେବଳ ମାର୍ଗଦର୍ଶକ ନଥିଲେ, ଆର୍ଥିକ ଭରଣପୋଷଣକାରୀ ମଧ୍ୟ ଥିଲେ। ଜଣେ ଉତ୍ତମ ପ୍ରଶିକ୍ଷକ ଚାହିଁଲେ କ’ଣ କରିପାରେ, ଶ୍ରୀ ଦାସ ତା’ର ଶ୍ରେଷ୍ଠ ପ୍ରତିଭୂ।
ହିମାଙ୍କ ଏହି ଅପୂର୍ବ ସଫଳତା ଆଉ ଏକ କଳ୍ପିତ କାହାଣୀ ବା ମିଥ୍‌କୁ ମଧ୍ୟ ହଟାଇବାରେ ସାହାଯ୍ୟ କରିଛି ଯେ ଭାରତୀୟଙ୍କ ମନୋ-ଶାରୀରିକ ସଂରଚନା ବିଶ୍ବସ୍ତରୀୟ ଆଥ୍‌ଲେଟିକ୍ସର ଅନୁରୂପ ନୁହେଁ। ଆଜିପର୍ଯ୍ୟନ୍ତ ଆମେ ଅଲିମ୍ପିକର ଶେଷ ପର୍ଯ୍ୟାୟରେ ପହଞ୍ଚି ଖୁସି ମନାଇଆସିଛୁ। ପ୍ରଥମ ଉପଲବ୍ଧି ୧୯୬୦ରେ ମିଳିଥିଲା, ଯେତେବେଳେ ମିଲ୍‌ଖା ସିଂହ ୪୦୦ ମିଟର ଦୌଡ଼ରେ ଚତୁର୍ଥ ସ୍ଥାନରେ ରହିଥିଲେ। ୧୯୮୪ରେ ଲସ୍‌ ଏଞ୍ଜେଲସ ଅଲିମ୍ପିକରେ ପି.ଟି. ଉଷା ୪୦୦ ମିଟର ବାଧାଦୌଡ଼ରେ କେଶମାତ୍ରକ ବ୍ୟବଧାନରେ ହାରି ଚତୁର୍ଥ ସ୍ଥାନ ହାସଲ କରିଥିଲେ। ଏସୀୟ ଖେଳରେ ଅବଶ୍ୟ ଆମର ଅନେକ ଆଥଲେଟ୍ ସ୍ବର୍ଣ୍ଣିମ କୃତିତ୍ବ ହାସଲ କରିଛନ୍ତି; କିନ୍ତୁ ହିମାଙ୍କ ବିଶ୍ବସ୍ତରୀୟ କୃତିତ୍ବ ସେଗୁଡ଼ିକଠାରୁ ନିଶ୍ଚିତଭାବେ ବହୁ ଊର୍ଦ୍ଧ୍ବରେ। ଆମର ଆଶା ଯେ ନୂଆ ଦୌଡ଼ରାଣୀ ହିମା ୨୦୨୦ ଟୋକିଓ ଅଲିମ୍ପିକ୍‌ରେ ଭାରତକୁ ଅଧିକ ଗୌରବାନ୍ବିତ କରିବେ।

Leave A Reply