ପତନ ପଥ
ନାଗରିକଙ୍କୁ ମାଗଣା ଖାଦ୍ୟାନ୍ନ ବାଣ୍ଟିଦେଲେ ଭୋଟ ପାଇବା ସହଜ ହୋଇପାରେ; କିନ୍ତୁ ତାହା ଶାରୀରିକ ସାମର୍ଥ୍ୟ ହ୍ରାସ ସହ ନୈତିକ ପତନର ପଥ ଉନ୍ମୁକ୍ତ କରିବ
ନିକଟରେ ସଂଯୁକ୍ତ ରାଷ୍ଟ୍ର ଖାଦ୍ୟ ଓ କୃଷି ସଂଗଠନ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଖାଦ୍ୟ ସୁରକ୍ଷା ସମ୍ପର୍କିତ ଯେଉଁ ତଥ୍ୟ ଦିଆଯାଇଛି, ତାହା ଚିନ୍ତାଜନକ। ଏଥିରେ କୁହାଯାଇଛି ଯେ ୨୦୨୧ ମସିହାରେ ମୋଟ ୭୪.୧ ଶତାଂଶ ଭାରତୀୟ, ଅର୍ଥାତ ଚାରି ଜଣରେ ଜଣେ ଯଥେଷ୍ଟ ସୁଷମ ଖାଦ୍ୟ ପାଇନଥିଲେ। ଅବଶ୍ୟ ୨୦୨୦ରେ ଏହି ସ୍ଥିତି ଆହୁରି ଖରାପ (୬୭.୨%) ଥିଲା। ଦକ୍ଷିଣ ଏସିଆର ଅନ୍ୟ ଦେଶ ମଧ୍ୟରେ ପାକିସ୍ତାନର ୮୨.୮ ଶତାଂଶ, ବାଂଲାଦେଶର ୬୬.୧ ଶତାଂଶ ଓ ନେପାଳ ୭୬.୪ ଶତାଂଶ ଲୋକ ସୁଷମ ଖାଦ୍ୟ ପାଇପାରି ନଥିଲେ। ଖାଦ୍ୟ ସୁରକ୍ଷାରେ ଭାରତ ଚୀନ, ଇରାନ ଓ ବାଂଲାଦେଶଠାରୁ ମଧ୍ୟ ପଛରେ ରହିଛି। ଏ ଚିତ୍ର ନିଶ୍ଚିତଭାବେ ଲଜ୍ଜାଜନକ। ଆମେରିକା ଓ ବ୍ରିଟେନ ଭଳି ବିକଶିତ ଦେଶରେ କେବଳ ୧-୨ ଶତାଂଶ ଲୋକଙ୍କୁ ଯଥେଷ୍ଟ ସୁଷମ ଆହାର ମିଳୁନଥିବା ସ୍ଥିତିକୁ ଭାରତ ସହ ତଉଲିଲେ ଆମେ କେଉଁଠି, ତାହା ସହଜରେ ଅନୁମାନ କରିହୁଏ। ସର୍ବେକ୍ଷଣରେ କୁହାଯାଇଛି ଯେ କେବଳ ଚାଉଳ ଓ ଗହମ ବିତରଣ କରିଦେଲେ ଖାଦ୍ୟ ସୁରକ୍ଷା ହୁଏ ନାହିଁ, ବରଂ ଉପଯୁକ୍ତ ପୋଷଣ ପାଇବା ପାଇଁ ଲୋକେ ଯେପରି ଅଣ୍ଡା, ଫଳ, ପନିପରିବା, ଖିର, ଡାଲି ଭଳି ପୁଷ୍ଟିକର ଖାଦ୍ୟପଦାର୍ଥ କିଣି ଯଥେଷ୍ଟ ମାତ୍ରାରେ ଖାଇବାକୁ ସମର୍ଥ ହେବେ, ସେମାନଙ୍କୁ ସେହିପରି ସକ୍ଷମ କରାଯିବା ସର୍ବାଦୌ ଆବଶ୍ୟକ। ଏସବୁ ଜିନିଷ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସରକାର ଲୋକଙ୍କୁ ବାଣ୍ଟିବା ଅସମ୍ଭବ ବ୍ୟାପାର।
କେନ୍ଦ୍ରୀୟ ଯୋଜନାରେ ବର୍ତ୍ତମାନ ୮୧ କୋଟି ଲୋକଙ୍କୁ େରସନ ମାଧ୍ୟମରେ ମାଗଣା ଖାଦ୍ୟାନ୍ନ ପ୍ରଦାନ କରାଯାଉଛି ବୋଲି ସରକାର କହୁଛନ୍ତି। କୋଭିଡ଼ କାଳରେ ପ୍ରଣୀତ ଏହି ଯୋଜନାର ଅବଧିକୁ ପୁଣି ଥରେ ବୃଦ୍ଧି କରାଯାଇଛି। ସେପଟେ ଦାରିଦ୍ର୍ୟ ହ୍ରାସ ପାଉଥିବା କଥା ପ୍ରଚାର କରାଯାଉଥିବାବେଳେ ବର୍ତ୍ତମାନ ମଧ୍ୟ ଏତେ ସଂଖ୍ୟକ ଲୋକ ମାଗଣା ଖାଦ୍ୟାନ୍ନ ନ ପାଇଲେ ଭୋକିଲା ରହିବେ ବୋଲି ଆଶଙ୍କା କରାଯିବା ଏହା ପଛର ଉଦ୍ଦେଶ୍ୟ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିବା ସ୍ବାଭାବିକ। ବିସ୍ମୟର କଥା ଯେ ମାଗଣା ଖାଦ୍ୟାନ୍ନ ବିତରଣକୁ କେନ୍ଦ୍ରର ଶାସକ ଦଳ ଗତ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନବେଳେ ‘ମୋଦୀଙ୍କ ଗ୍ୟାରେଣ୍ଟି’ ଭାବେ ଉପସ୍ଥାପିତ କରିଥିଲା। ଖାଦ୍ୟ ସୁରକ୍ଷା ରାଜନୈତିକ ଇଚ୍ଛାଶକ୍ତିର ମାମଲା ନା ବାସ୍ତବରେ ଏହା ଏକ ନାଗରିକର ଅଧିକାର? ୨୦୧୩ରେ ଖାଦ୍ୟ ସୁରକ୍ଷା ଅଧିନିୟମ ପ୍ରଣୟନ କରାଯାଇ ଦେଶବାସୀଙ୍କୁ ଖାଦ୍ୟ ସୁରକ୍ଷାର ‘ଗ୍ୟାରେଣ୍ଟି’ ପ୍ରଦାନ କରାଯାଇଥିଲା। ନିଜ ନାଗରିକଙ୍କର ଉପଯୁକ୍ତ ପୁଷ୍ଟି ବା ପୋଷଣ ସୁନିଶ୍ଚିତ କରିବା ଯେ କୌଣସି ନିର୍ବାଚିତ ସରକାରର ପ୍ରଧାନ କର୍ତ୍ତବ୍ୟ ହେବା ଉଚିତ। ଏହାକୁ ରାଜନୈତିକ ସାଧନ ଭାବେ ପ୍ରଦର୍ଶନ ବା ବ୍ୟବହାର କରିବା ଯେ ଅଶୋଭନୀୟ ଓ ଅବାଞ୍ଛନୀୟ, ତାହା କହିବା ନିଷ୍ପ୍ରୟୋଜନ।
ଅପରପକ୍ଷେ, ଗୋଟିଏ ପଟେ ଦେଶରେ ବେରୋଜଗାର ବୃଦ୍ଧି ଓ ଅନେକ କ୍ଷେତ୍ରରେ ପାରିଶ୍ରମିକ ହ୍ରାସ ପାଉଥିବାବେଳେ ଅନ୍ୟପଟେ ଖାଦ୍ୟ ମହରଗ ହାରରେ ଚିନ୍ତାଜନକ ବୃଦ୍ଧି ଘଟିଛି। ନିକଟରେ ପଞ୍ଚମ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ପରିସଂଖ୍ୟାନର ବିଶ୍ଳେଷଣରୁ ଜଣାପଡ଼ିଛି ଯେ ଖିର ଓ ଅଣ୍ଡା ଭଳି ଖାଦ୍ୟ ପଦାର୍ଥ ସମାଜର ଗରିବ ଓ ଆର୍ଥିକ ଅନଗ୍ରସର ଲୋେକ, ବିଶେଷତଃ ମହିଳାମାନେ ପାଉନାହାନ୍ତି। ବିଶ୍ବ କ୍ଷୁଧା ସୂଚକାଙ୍କରେ ଭାରତର ସ୍ଥାନ ସବା ପଛରେ। ତେଣୁ ମାନବ ବିକାଶ ଓ ଦାରିଦ୍ର୍ୟ ଉନ୍ମୂଳନର ଦାବି ତଥା ସରକାରୀ ଖାଦ୍ୟ ସହାୟତା ଯୋଜନାଗୁଡ଼ିକର କାର୍ଯ୍ୟକାରିତା ନେଇ ସଂଶୟ ସୃଷ୍ଟି ହେବା ସ୍ବାଭାବିକ। ଏହା ସତ୍ତ୍ବେ ସରକାର ଜାତୀୟ-ଅନ୍ତର୍ଜାତୀୟ ରିପୋର୍ଟଗୁଡ଼ିକୁ ଅଗ୍ରାହ୍ୟ କରି ଆପଣାର ଶ୍ରେୟ ନେବାକୁ ଉଦ୍ୟମ କରିଆସୁଥିବା ପରିଲକ୍ଷିତ ହୁଏ। ଏପରି କି ଏ ବିଷୟରେ ଦେଶରେ ଯେପରି ଆଲୋଚନା ଓ ଚର୍ଚ୍ଚା ନହୁଏ, ସେଥିପାଇଁ ଯତ୍ପରୋନାସ୍ତି ଚେଷ୍ଟା କରୁଥିବା ମନେହୁଏ।
ସଂସଦ ବା ବିଧାନସଭାରେ ଏ ନେଇ ଯେଉଁ ତର୍କବିତର୍କ ବା ଆଲୋଚନା ହେବା କଥା, ତାହା ମଧ୍ୟ ଦେଖାଯାଉନାହିଁ। କ୍ଷୁଧା ଓ ପୁଷ୍ଟିହୀନତାର କାରଣ ଏବଂ ସମାଧାନ ଅନୁସନ୍ଧାନ କରୁଥିବା ନାଗରିକ ସମାଜ ବା ଗଣମାଧ୍ୟମ ସରକାରଙ୍କ ଏଭଳି ପଦକ୍ଷେପ ଦ୍ବାରା ଦ୍ବନ୍ଦ୍ବରେ ରହିବା ଅସ୍ବାଭାବିକ ନୁହେଁ। ଏହାଦ୍ବାରା ବାସ୍ତବ ସମସ୍ୟା ଯେ ବଢ଼ୁଛି ଓ ତା’ର ପ୍ରଭାବ ସିଧାସଳଖ ବୃହତ୍ତର ଜନସମାଜ ଉପରେ ପଡ଼ୁଛି, ତାହା କହିବା ବାହୁଲ୍ୟ ମାତ୍ର। ତ୍ରୁଟି ସଂଶୋଧନ କରିବାକୁ ହେଲେ ପ୍ରଥମେ ତାକୁ ସ୍ବୀକାର କରିବାକୁ ପଡ଼େ ଓ ସେଥିପାଇଁ ସତ୍ ସାହସ ଲୋଡ଼ା। ଅବଶ୍ୟ ସରକାରଙ୍କ ନିଜସ୍ବ ସର୍ବେକ୍ଷଣଗୁଡ଼ିକରେ ମଧ୍ୟ ଦେଶରେ ଦାରିଦ୍ର୍ୟ ଓ ଭୋକର ଚିତ୍ର କମ୍ ନାହିଁ; କିନ୍ତୁ ଏହାକୁ ସ୍ବୀକାର କରିବାକୁ କୁଣ୍ଠାବୋଧ ନିରାଶାଜନକ। ନାଗରିକଙ୍କୁ କିଛି ମାଗଣା ଖାଦ୍ୟାନ୍ନ ବାଣ୍ଟିଦେଲେ ଭୋଟ ପାଇବାର ରାସ୍ତା ହୁଏତ ପ୍ରଶସ୍ତ ହୋଇପାରେ; କିନ୍ତୁ ବାସ୍ତବ ସମସ୍ୟାର ସମାଧାନ ବଦଳରେ ଲୋକଙ୍କର ଶାରୀରିକ ସାମର୍ଥ୍ୟ ହ୍ରାସ ଓ ନୈତିକ ଅଧୋପତନ ବ୍ୟତୀତ ଆଉ କିଛି ହେବନାହିଁ। ଦେଶର ପ୍ରତ୍ୟେକ ପରିବାରର ଅନ୍ତତଃ ଜଣେ ସଦସ୍ୟଙ୍କୁ ଭଲରେ ପରିବାର ଚଳାଇପାରିବା ପରି ରୋଜଗାରର ବ୍ୟବସ୍ଥା କରାଯିବା ନିହାତି ଦରକାର।
Comments are closed.