ଡରାଉଛି ପାଣିପାଗ
ଜୁଲାଇରୁ ଏଲ୍-ନିନୋ ପ୍ରଭାବ ପଡ଼ିବା ଆଶଙ୍କା ସୃଷ୍ଟି ହେଲାଣି।
ଚଳିତ ବର୍ଷ ମୋୖସୁମୀ ବର୍ଷାକୁ ଚାହିଁ ଚାହିଁ ଚାଷୀଙ୍କ ଆଖିରୁ ପାଣି ମଲା। ଅକ୍ଷୟ ତୃତୀୟାରେ ଅଖି ମୁଠି ଅନୁକୂଳ କରିଦେଇ ଚାଷୀ ଅପେକ୍ଷା କରିଥିଲା ପହିଲି ଆଷାଢ ବର୍ଷାକୁ। ହେଲେ ଆକାଶରେ ବାଦଲ ଖଣ୍ଡେ ଦେଖିବାକୁ ମିଳିଲା ନାହିଁ। ସାଧାରଣତଃ ଜୁନ୍ ପହିଲାରେ କେରଳରେ ଦକ୍ଷିଣ ପଶ୍ଚିମ ମୋୖସୁମୀ ବାୟୁ ପ୍ରବେଶ କରିବା ପରେ ଓଡ଼ିଶାରେ ତାହା ପରବର୍ତ୍ତୀ ଦଶରୁ ବାର ଦିନ ଭିତରେ ପହଞ୍ଚିଯାଏ। ଯେଉଁଥିପାଇଁ ରଜ ବେଳକୁ ଆକାଶରେ କଳାବାଦଲ ଘୋଟିଆସେ ଏବଂ ରଜ ମଉଜ ଜମେ। ଏ ବର୍ଷ କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ ଦେଖିବାକୁ ମିଳିଲା। ରଜ ପର୍ବରେ ଅସହ୍ୟ ଖରାରେ ଘରୁ ବାହାରିବା କଷ୍ଟକର ହୋଇପଡିଲା, ତେଣିକି ଦୋଳିଖେଳ, ରଜବୁଲା ଦୂରେ ଥାଉ। ଆରବ ସାଗରରେ ସୃଷ୍ଟ ବାତ୍ୟା ‘ବିପର୍ଯ୍ୟୟ’ କାରଣରୁ ଦକ୍ଷିଣ ପଶ୍ଚିମ ମୋୖସୁମୀ ବାୟୁର ଅଗ୍ରସର ପ୍ରଭାବିତ ହୋଇଥିବା ପାଣିପାଗ ବିଶେଷଜ୍ଞମାନେ କହିଲେ। ତାହା ପୂର୍ବରୁ ବାୟୁମଣ୍ଡଳ ମାତ୍ରାଧିକ ଉତ୍ତପ୍ତ ହେବା କାରଣରୁ ସମୁଦ୍ର ଉପରିସ୍ଥ ଜଳରାଶିରେ ତାପମାତ୍ରା ବୃଦ୍ଧିପାଇବା ଏବଂ ମୋୖସୁମୀ ପ୍ରବାହ ପ୍ରଭାବିତ ହେବା ଅନୁମାନ କରାଯାଇଥିଲା।
ଯାହାହେଉ, ରାଜ୍ୟକୁ ମୋୖସୁମୀ ପ୍ରବେଶ କଲା ଜୁନ୍ ୨୨ ତାରିଖରେ। ରାଜ୍ୟର ଦକ୍ଷିଣାଞ୍ଚଳ ଜିଲାକୁ ପ୍ରବେଶ କରିବାର ଦିନେ ଦୁଇଦିନ ପରେ ଏହା ସାରା ରାଜ୍ୟକୁ ପରିବ୍ୟାପ୍ତ ହେବା ସହିତ ବର୍ଷା ମଧ୍ୟ ଆରମ୍ଭ ହୋଇଗଲା। କିଛି ଜିଲାରେ ସପ୍ତାହକ ଭିତରେ ଏହି ସମୟରେ ସ୍ବାଭାବିକ ବର୍ଷା ହୋଇଥିବାବେଳେ ଆଉ କିଛି ଅଞ୍ଚଳରେ ଦଲକା ପବନ ସହିତ ବର୍ଷା ବିତ୍ପାତ ଘଟାଇଲା। ମୁମ୍ବଇ, ବେଙ୍ଗାଲୁରୁ, ଗୁରୁଗ୍ରାମ ଭଳି ସହର ପ୍ରଥମ ମୋୖସୁମୀ ବର୍ଷାରେ ଉବୁଟୁବୁ ହେଉଛି। ବର୍ଷା ନିଅଣ୍ଟିଆ ରାଜ୍ୟ ଭାବରେ ପରିଚିତ ରାଜସ୍ଥାନ ରାସ୍ତାରେ ମଧ୍ୟ ପାଣିର ପ୍ରଖର ସ୍ରୋତ ଦେଖିବାକୁ ମିଳିଛି। ଆମ ରାଜ୍ୟରେ ବିଳମ୍ବରେ ହେଲେ ବି ବର୍ଷାକୁ ଦେଖି ଚାଷୀ ପାଗ ଭିଡିଲା କ୍ଷେତକୁ ଯିବାକୁ। କିଛି ଅଞ୍ଚଳରେ ଜମିରେ ହଳ ସାରି ଚାଷୀ ବିହନ ବୁଣିସାରିଛି। କିଛି ଅଞ୍ଚଳରେ ତଳି ପଡିଛି। ଏବେ ବର୍ଷା କମିଯାଇଛି। କାଁ ଭାଁ କେଉଁଠି ଅସରାଏ ହେଉଛି ନହେଲେ ସିଞ୍ଚିଦେଇ ଯାଉଛି। ଏହି କାରଣରୁ ତଳି ମରିଯାଉଥିବା ଖବର ବିଭିନ୍ନ ସ୍ଥାନରୁ ଆସୁଛି। ଏବେ ପାଣିପାଗ ବିଭାଗ ସୂଚନା ଦେଇଛି, ଜୁଲାଇରେ ଏଲ୍-ନିନୋ ପ୍ରଭାବ ପଡିବ। ଏଲ୍-ନିନୋ ଦ୍ବାରା ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଜଳଭାଗର ତାପମାତ୍ରା ବୃଦ୍ଧି ପାଇବ ଏବଂ ତାହାର ପ୍ରଭାବ ସମୁଦାୟ ଭାରତୀୟ ଅର୍ଥନୀତି ଉପରେ ପଡିବା ଆଶଙ୍କା କରାଯାଉଛି। ଆମେରିକାର ଜାତୀୟ ସାମୁଦ୍ରିକ ପାଣିପାଗ ସମ୍ପର୍କିତ ପ୍ରଶାସନ (ଏନ୍ଓଏଏ) ଅନୁମାନ କରିଛି, ଏଲ୍-ନିନୋ ପ୍ରଭାବରେ ଭୂପୃଷ୍ଠ ତାପମାତ୍ରା ବୃଦ୍ଧି କାରଣରୁ ଭାରତୀୟ ଉପମହାଦେଶରେ ମୋୖସୁମୀ ପ୍ରବାହ ପ୍ରଭାବିତ ହେବ। ଏହାଦ୍ବାରା କେଉଁଠାରେ ମାତ୍ରାଧିକ ଗରମ ଆଉ କେଉଁଠି ମାତ୍ରାଧିକ ବୃଷ୍ଟିପାତ ହୋଇପାରେ। ଅର୍ଥାତ୍ ପାଣିପାଗରେ ଅସମତୁଲ ସ୍ଥିତି ପରିଲକ୍ଷିତ ହେବ।
ଏଲ୍- ନିନୋର ବଳ ଉପରେ ନିର୍ଭର କରି ବର୍ଷା ପରିମାଣ ଅଥବା ମରୁଡି ପରିସ୍ଥିତିର ଭୟାବହତା ଦେଖାଦେଇପାରେ। ଏହା କେବଳ ଭାରତ ନୁହେଁ; ବିଶ୍ବବ୍ୟାପୀ ହେବ। ଆମ ଦେଶରେ ଚାଷ କାର୍ଯ୍ୟ ନିମନ୍ତେ ଦକ୍ଷିଣ ପଶ୍ଚିମ ମୋୖସୁମୀ ବାୟୁ ମୁଖ୍ୟ ଭୂମିକା ନେଉଛି। ଭାରତରେ ଜୁନ୍ରୁ ସେପ୍ଟେମ୍ବର ଚାରିମାସରେ ହେଉଥିବା ବର୍ଷାଜଳକୁ ଉପଯୋଗ କରି ଖରିଫ ଫସଲ ଅମଳ ହେଉଥିବାବେଳେ ତାହା ପରବର୍ତ୍ତୀ ସମୟରେ ମୃତ୍ତିକାରେ ରହୁଥିବା ଆର୍ଦ୍ରତା ରବି ଫସଲ ଉତ୍ପାଦନରେ ସହାୟକ ହୋଇଥାଏ। ତାହା ସହିତ ଜଳଭଣ୍ଡାରଗୁଡିକରେ ଜଳ ଗଚ୍ଛିତ ରହିବା, କେନାଲ ଜରିଆରେ ଜମିକୁ ଚାଷ ପାଇଁ ଜଳ ଯୋଗାଣ, ଜଳ ବିଦ୍ୟୁତ୍ ଉତ୍ପାଦନ ଆଦି ଅନେକ କିଛି ମୋୖସୁମୀ ବର୍ଷା ଉପରେ ନିର୍ଭର କରେ। ଚଳିତ ବର୍ଷ ଜୁନ୍ ଶେଷ ସପ୍ତାହରେ ମୋୖସୁମୀ ପ୍ରବେଶ କରିଛି। କିଛିଦିନ ପରେ ଜୁଲାଇରୁ ଏଲ୍-ନିନୋ ପ୍ରଭାବ ପଡିବା ଆଶଙ୍କା ସୃଷ୍ଟିହେଲାଣି। ଏହାର ପ୍ରଭାବରେ ଭିନ୍ନ ଭିନ୍ନ ସ୍ଥାନରେ ଅଲଗା ଅଲଗା ପାଗ ପରିସ୍ଥିତି ଦେଖାଦେଇପାରେ। ଠିକ୍ ସମୟରେ ଆବଶ୍ୟକ ପରିମାଣର ବର୍ଷା ନହେଲେ ଫସଲ ହାନି ଘଟିବ, ପ୍ରବଳ ବର୍ଷା ହେଲେ ବି ଫସଲ ଧୋଇଯିବ। ଯାହା ହେଲେ ବି ଚାଷୀ କ୍ଷତି ସହିବ ଏବଂ ପ୍ରକାରାନ୍ତରେ ତାହାର ପ୍ରଭାବ ରାଜ୍ୟ ଓ ଦେଶର ଅର୍ଥନୀତି ଉପରେ ପଡିବ। କିଛି ପାଣିପାଗ ବିଶେଷଜ୍ଞଙ୍କ କହିବା କଥା, ଚତୁର୍ମାସ୍ୟାରେ ମୋୖସୁମୀ ବର୍ଷା ସ୍ବାଭାବିକ ରହିବ। ତାହା ହୋଇପାରେ, କିନ୍ତୁ ଯେତେବେଳେ ଯେତିକି ବର୍ଷା ଦରକାର ତାହା ଯଦି ନହୋଇ ଘଣ୍ଟାକ ବର୍ଷାରେ ସାରା ଅଞ୍ଚଳକୁ ବୁଡାଇଦିଏ ଏବଂ ସେହି ପରିମାଣକୁ ଆମେ ପୂରା ହିସାବରେ ନେବା, ତେବେ ସେଥିରୁ କି ଲାଭ ମିଳିବ? ବରଂ ବିପୁଳ କ୍ଷତି ସହିବା ସାର ହେବ। ଏଲ୍-ନିନୋ ପ୍ରଭାବ ପଡିଥିବା ବିଗତ ବର୍ଷଗୁଡିକରେ ମଧ୍ୟ ମାତ୍ରାଧିକ ପାଗ ପରିସ୍ଥିତି ଦେଖିବାକୁ ମିଳିଛି ଏବଂ ତଦ୍ଦ୍ବାରା କୃଷି ଉତ୍ପାଦନ ସହିତ କୃଷକଙ୍କ ଜୀବନ ଜୀବିକା, ଗ୍ରାମ୍ୟ ଅର୍ଥନୀତି ପ୍ରଭାବିତ ହୋଇଛି। ଏହା ଉପରେ ଖାଉଟି ବଜାର ଦର ମଧ୍ୟ ସମ୍ପୂର୍ଣ୍ଣ ନିର୍ଭର କରୁଛି।
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଏବଂ ପରେ ପରେ ବର୍ଷା, ପବନ ପ୍ରଭାବରେ ଏବେ ବଜାରରେ ପନି ପରିବାର ଦର ଆକାଶଛୁଆଁ। ୮୦ ଟଙ୍କା ତଳେ କିଛି ପରିବା ମିଳୁନାହିଁ। ବିଲାତି କିଲୋ ୧୦୦ ଟଙ୍କା। ଏହା ତ ପାଣିପାଗର ପ୍ରଭାବ। ସରକାରୀ ସ୍ତରର ଯୋଜନା ମାଳମାଳ। ବିପର୍ଯ୍ୟୟ ମୁକାବିଲା କରିବା ପାଇଁ ପୂରା ପ୍ରସ୍ତୁତି ରହିଛି। ହେଲେ ବିପର୍ଯ୍ୟୟକୁ କିଭଳି ହ୍ରାସ କରାଯାଇପାରିବ ତାହା ହେଉନାହିଁ। ସମୁଦ୍ରକୂଳରେ ଥିବା ଲୁଣାଜଙ୍ଗଲକୁ କାଟି ଚିଙ୍ଗୁଡି ଚାଷ ପାଇଁ ଅନୁମତି ଦିଆଯାଉଛି। ଦୀର୍ଘବର୍ଷର ପୁରୁଣା ଗଛଗୁଡିକୁ କାଟି ରାସ୍ତାଘାଟ, କୋଠାବାଡି ତିଆରି କରାଯାଉଛି। ଏଭଳି ପରିସ୍ଥିତିରେ ବିପର୍ଯ୍ୟୟକୁ ଅଟକାଇବ କିଏ? ବାତ୍ୟା ଆସିଲେ ଘରଦ୍ବାର ଭାଙ୍ଗି ରାସ୍ତାରେ ଲୋଟୁଛି, ଆଉ ବିଜୁଳି, ଦୂରସଂଚାର ଖୁଣ୍ଟ କଥା ଛାଡ। ସରକାରଙ୍କ ହିସାବ ବି କହୁଛି, ଜଙ୍ଗଲ ଅଞ୍ଚଳ ବଢୁଛି। ତାହା ଉପଗ୍ରହ ତଥ୍ୟରୁ ସଂଗ୍ରହ କରାଯାଉଛି। ଉପଗ୍ରହ ଚିତ୍ରରୁ ତଳେ ସବୁଜ ଦେଖାଯାଉଥିବା ଅଞ୍ଚଳକୁ ଯଦି ଜଙ୍ଗଲ ବଢିବା ହିସାବରେ ନିଆଯିବ, ତେବେ କଥା ସରିଲା। ସଜନା, ଅମୃତଭଣ୍ଡା ଗଛ ବି ଉପଗ୍ରହ ଚିତ୍ରରେ ସବୁଜ ଦେଖାଯାଉଛି। ପରିବା ଦରକୁ ଦେଖି, ଗାଁ ଗଣ୍ଡା କାହିଁକି ସହରାଞ୍ଚଳରେ ଘର କଡରେ ଟିକିଏ ଜାଗା ଥିବା ଲୋକ ବି ସଜନା, ଅମୃତଭଣ୍ଡା ବା ସେହିଭଳି ଋତୁକାଳୀନ ଗଛ ଲଗାଉଛି। ସରକାର ଆଖିଖୋଲି ବାସ୍ତବତାକୁ ଦେଖନ୍ତୁ, ପ୍ରତିକୂଳ ପରିସ୍ଥିତିର ମୁକାବିଲା ପୂର୍ବରୁ ତାହାର ପ୍ରଭାବ ଯେଭଳି ହ୍ରାସ କରାଯିବ ସେଥିପାଇଁ ଅଙ୍ଗୀକାରବଦ୍ଧ ହୁଅନ୍ତୁ। ତେଣିକି ପାଣିପାଗ କଥା, ଯାହା ହେବ।
Comments are closed.