ହାତୀ ମଣିଷ ଲଢ଼େଇ କେତେ ଦିନ?
ସଭିଏଁ ତ ବହୁମୂତ୍ରରେ ଆକ୍ରାନ୍ତ। ଖଣ୍ଡିଆ ଶୁଖିବନି, ହିନସ୍ତା ସାର। ସବୁ ମଣିଷ ସମାନ ନ ହେଲା ପରି ସବୁ ପଶୁ କି ପକ୍ଷୀଜଗତ ସମାନ ନୁହନ୍ତି। କେତେକ ଶାନ୍ତ, ଗୃହପାଳିତ ହେଲାବେଳେ କେତେକ ହିଂସାତ୍ମକ। ପୋଷା ମାନନ୍ତି ନାହିଁ। କଥାକୁହା ସାରି, ବଣି, ମୟୂର, କୁକୁର, ଗାଈ ଆଦିର ମଣିଷ ସମାଜରେ ଢେର ଆଦର। ଲକ୍ଷ୍ମୀଙ୍କ ବାହନ ଧଳା ପେଚା ଶୁଭଙ୍କର। ଷଣ୍ଢ ମହାଦେବଙ୍କ ବାହନ ବୃଷଭ ଭାବେ ପୂଜିତ। ଗାଈଟେ ମରିଗଲା ତ କାରଣ ଯଦି କିଏ ଜଣେ ଲୋକ ହେଲା, ଘୋର ଗୋହତ୍ୟା ପାପରେ ସେ ଜଡ଼ିତ ହୋଇଗଲା। ପ୍ରାୟଶ୍ଚିତ୍ତ ତ ଡକାୟତି ଦଣ୍ଡକୁ ବଳିପଡ଼େ। ନବଗ୍ରହ ଆଦି ପ୍ରତି ଦେବତା, ବ୍ରହ୍ମା, ବିଷ୍ଣୁ, ମହେଶ୍ବର ଆଦିଙ୍କର ଭିନ୍ନ ଭିନ୍ନ ବାହନ ହେଉଚନ୍ତି ଏଇ ପଶୁଜଗତ। ଏମାନେ ପୂଜ୍ୟ ଏ ସମାଜରେ। ପଶୁପକ୍ଷୀଜଗତ ସହ ଆମ ସଂସ୍କୃତିର ଯେପରି ସମ୍ପର୍କ ଓ ସମ୍ବନ୍ଧ ରହିଛି, ତା’ ବିଶ୍ବର କାଇଁ କୋଉ ସଂସ୍କୃତିରେ ରହିଛି।
ମାତ୍ର ସମୟ ବିଚିତ୍ର ଭାବେ, ନକାରାତ୍ମକ ଭାବରେ ବଦଳିଯାଉଛି, ଓଲଟପାଲଟ ହେବା ଭଳି ଲାଗୁଛି। ମଣିଷ ସମାଜ ଓ ପଶୁଜଗତ ମଧ୍ୟରେ ଥିବା ସନ୍ତୁଳନ ଢେର ବ୍ୟାହତ ହୋଇଛି। ମାଂସ ପ୍ରଲୁବ୍ଧ ମଣିଷ, ଜଙ୍ଗଲରେ ପଶି ମିରିଗ, ବାର୍ହା, ଠେକୁଆ ଆଦିଙ୍କୁ ମାରି ଲୋପ କରି ଦେଉଛନ୍ତି। ବାଘନଖ, ଚମଡ଼ା ଓ ହାତୀଦାନ୍ତ ପାଇଁ ହାତୀ ଶିକାର ଦେଖିଲେ, ମଣିଷର ଏବେ ପଶୁ ଅବତାର ହୋଇଛି। ଏ ପ୍ରକାଣ୍ଡ ଜୀବ ହାତୀ ରାଜା, ମହାରାଜାଙ୍କ ବାହନ ଥିଲା। ଯୁଦ୍ଧରେ ମଧ୍ୟ ବ୍ୟବହୃତ ହେଉଥିଲା। ହାତୀ ମୁଣ୍ଡ ଓ ଥୋଡ଼ପାହଡ଼ ଶ୍ରୀଗଣେଶ, ସର୍ବପୂଜ୍ୟ ଅଗ୍ରଗଣ୍ୟ। ମାତ୍ର ଏବେ ହୋଇଛି କ’ଣ? ମଣିଷ ଶହଶହ ହାତୀ ମାରିବା ସହ ହାତୀ ଶହଶହ ମଣିଷକୁ ବଡ଼ ଦାରୁଣ ଭାବେ ମାରୁଛି। ଲାଗୁଛି ମଣିଷ ଓ ହାତୀ ଯେମିତି ପରସ୍ପରଠାରୁ ଓ ପରସ୍ପରର ବିନାଶ ପାଇଁ ଜନ୍ମ ହୋଇଛନ୍ତି। ଗତ ୧୦ ବର୍ଷରେ ରାଜ୍ୟରେ ୭୮୪ଟି ହାତୀଙ୍କ ମୃତ୍ୟୁ ଘଟିଥିବାବେଳେ ହାତୀ ଆକ୍ରମଣରେ ୯୨୫ରୁ ଅଧିକ ଲୋକଙ୍କର ମୃତ୍ୟୁ ହେଲାଣି। ସାମାଜିକ ଓ ପରିବେଶ ପଣ୍ଡିତେ କହୁଛନ୍ତି ଯେ ଜଙ୍ଗଲ କଟା ଓ ମାଂସ ବେପାରୀମାନଙ୍କ ଅବାଧ କାର୍ଯ୍ୟ ଫଳରେ ଜଙ୍ଗଲ ଲୋପ ପାଇଯାଉଛି ଓ ଜଙ୍ଗଲ ଅଭାବରୁ ପଶୁମାନେ ଗାଁଗଣ୍ଡା ଭିତରକୁ ପଶି ଆସୁଛନ୍ତି।
ଏବେ ନିକଟରେ ଚନ୍ଦକା ଜଙ୍ଗଲ ଡେଇଁ ହାତୀ ପଲ ଖୋଦ୍ ରାଜଧାନୀ ଭିତରେ ପଶିଥିଲେ। ଜଙ୍ଗଲ ଡେଇଁ ରାସ୍ତାରେ ପଥଚାରୀ ଭଳି ହାତୀପଲ ଚନ୍ଦକା ଜଙ୍ଗଲରୁ ପୁରୀ ରାସ୍ତାରେ ନିଦକ ଯାଉଥିବାବେଳେ ଜନତାରେ ଆତଙ୍କ ସୃଷ୍ଟି କରିଥିଲେ। ଶୁଆସାରି, ମୟୂରବଂଶ ସେମାନଙ୍କ ପାଇଁ ନିରାପଦ ବସା ଅଭାବରୁ ଲୋପ ପାଇଯାଉଛି। ଆକାଶ ବି ଆଜି ବିପନ୍ନ। ମଣିଷ ବିକୃତ ଚରିତ୍ରର ହେଉଛି ବିଷତୁଲ୍ୟ ଖାଦ୍ୟାଭ୍ୟାସରୁ। ଗାଁ ଗାଁରେ ଏବେ କୁକୁଡ଼ା(ବ୍ରଏଲର) ଫାର୍ମ ଓ ମଦ ଦୋକାନ। ମଦ ଓ ମାଂସାହାରୀ ମଣିଷଠୁ ଓଁକାର କାହୁଁ ଝରିବ? ବ୍ରାହ୍ମମୁହୂର୍ତ୍ତ କଥା କାହୁଁ ହେଜିବ?
ମଫସଲରେ ଏକ ମଧ୍ୟବିତ୍ତ ଶ୍ରେଣୀର ବ୍ୟକ୍ତି ତାଙ୍କ ଝିଅ ବିଭାଘରେ ମଦ, ମାଂସ ଯଥେଷ୍ଟ କରି ନଥିବାରୁ ଏମିତି ହଙ୍ଗାମା ହେଲା ଯେ ବାହାଘର ଭାଙ୍ଗିଗଲା। କିଏ କହିବ ଇଏ ମଣିଷ ସମାଜ ଓ ପ୍ରଜାପତିଙ୍କ ନିର୍ଦିଷ୍ଟ ଓ ନିର୍ଦେଶିତ ଏକ ପବିତ୍ର ଉତ୍ସବ? ଏ ସବୁ ପରିଚାଳିତ କରୁଥିବା ଗୁରୁ କାହାନ୍ତି? ବାଲ୍ମୀକି, ବିଶ୍ବାମିତ୍ର, ଯାଜ୍ଞବଳ୍କ୍ୟ ଗୁରୁ ବଂଶ କାହିଁକି ଲୋପ ହେଲା? ଗୁରୁ, ଛାତ୍ରୀ ତ ବାପଝିଅ ସମ୍ପର୍କ। ସେମାନଙ୍କ ମଧ୍ୟରେ ପରିଣୟ ଅସମ୍ଭବ, ମହା ଅନୈତିକ। ଏବେ ଏମିତି ବିବାହ ଗଣତି ପାଇଁ ହାତ ଆଙ୍ଗୁଠି ପାରିବନି, କମ୍ପ୍ୟୁଟର କହିଲେ କହିବ। ଏ କଥା କେମିତି ହେଉଛି? ମଣିଷ ସମାଜର, ନୈତିକତାର ଅବକ୍ଷୟ ହେଲେ, ସଭିଏଁ ସୁରକ୍ଷା ବଳୟ, ଲକ୍ଷ୍ମଣରେଖା ଟପିବେ। ଫଳତଃ ରାମାୟଣ, ମହାଭାରତ ଯୁଦ୍ଧ ଭଳି ମଶାଣି ପଡ଼ିଆ ସୃଷ୍ଟି ହେବ। ପଣ୍ଡିତଜୀ କହୁନ, ମଣିଷ ଏମିତି ଅମଣିଷ କିଆଁ ହେଲା? ଏହାର କାରଣ କହିଦେବ ତ ଏ ହାତୀ କାହିଁକି ମଣିଷମାନଙ୍କୁ ମାରୁଛି? ଜଙ୍ଗଲ କାହିଁକି କଟାଯାଉଛି? ‘ସେଇ ଗାଣ୍ଡିବ ସେଇ ହାତ, ସେଇ ଗାଣ୍ଡିବ ସେଇ ମାଥ।’ ସାରମର୍ମ ହେଲା ଇଏ।
‘ଝୁଲରେ ହାତୀ ଝୁଲ ବା’ପାଣି ଖାଇ ଫୁଲ’ ଗୀତ ଏ ହାତୀମରା ଓ ମାରଣା ଯୁଗରେ କେମିତି ଶୁଣାଯିବ କହୁନାହାନ୍ତି? ପରିବେଶବିତ୍, ଜୀବେ ଦୟାର ଦାର୍ଶନିକ ଏ ମୁଣ୍ଡିଆଳମାନେ ହାତୀକୁ ଗେହ୍ଲାପୁଅ ଘୋଷଣା କରିଦେଲେ। ତାଙ୍କୁ ମାଇଲେ ବନ୍ଧାହେବା, ଜିଅଲ ଦଣ୍ଡ ପାଇବା ସାରା। ଆରେ ବାବୁ ତମେ ପରା କହୁଛ ଆତ୍ମରକ୍ଷା ପାଇଁ ଅନ୍ୟକୁ ହତ୍ୟାକଲେ ଦୋଷ ନାହିଁ। Right of self defence (ଆତ୍ମରକ୍ଷା ଅଧିକାରରେ ଅନ୍ୟକୁ ମାରିବା)। ମାତ୍ର ହାତୀକୁ ଜଙ୍ଗଲ ଡିଆଁଇ ମଣିଷ ମରାଇ ସରକାର କି ଆଇନ କରୁଛନ୍ତି? ମିରିଗଟିଏ ଦେଖିଲେ ମାଉଁସ ଝୋଳ ଭାବରେ ଜିଭ ଲାଳ ଗଡ଼େଇଲେ, ପୋଷା ଭାବ ନୁହେଁ ହତ୍ୟା ଭାବ ତ ଉବୁଟୁବୁ କରିଦେବ। ତା ହଉଛି। ଏଠି ସାମାଜିକବିତ୍ ପଣ୍ଡିତେ କାରଣ ଖୋଜିବାକୁ, ପୁଅ କାନ୍ଦିବା କାରଣ ଖୋଜିଖୋଜି ଧୂଳିଆ ଜନ୍ଦା ପାଖେ ପହଞ୍ଚିବା ଅବସ୍ଥା ମନକୁ ଆସେ। କାନ୍ଦୁରା ପୁଅକୁ ମା’ ପଚାରିଲା କିରେ ପୁଅ ତୁ କାହିଁକି କାନ୍ଦିଲୁ? ମତେ ଧୂଳିଆ ଜନ୍ଦା କାମୁଡ଼ିଲା, କିରେ ଜନ୍ଦା ତୁ କିଆଁ କାମୁଡ଼ିଲୁ, ସେ କହିଲା- ‘ମୁଁ ଭୂଇଁ ତଳେ ତଳେ ଥାଏ, କଅଁଳ ମାଉଁସ ଟିକିଏ ପାଇଲେ ରୁଟ୍ କିନା ଖାଏ।’ ପୁଅ କାନ୍ଦିବାର କାରଣ ଖୋଜୁଥିବା ଆମେ ସଭିଏଁ ଏ ଚୁମୁଟା ଖାଉଚୁ। ଏବେ କଉତୁକିଆ ‘ଚୁମୁଟା’ଖିଆ କଥା ସାରା ସମାଜକୁ ସଞ୍ଚରିଯାଇଛି। ହାତୀ, ଜଙ୍ଗଲ କାରଣ ଖୋଜୁଥିବା ସମାଜସେବୀ ଏବେ ସମାଜର ଧୂଳିଆ ଜନ୍ଦା ବଡ଼ପଣ୍ଡା ଏମାନଙ୍କ ଚୁମୁଟା ଖାଇବେ ହିଁ ଖାଇବେ। ଏ ଚିମୁଟା ପିଚା ଖଣ୍ଡିଆ କରିଦେବ। ଆମେ ସଭିଏଁ ତ ବହୁମୂତ୍ର (ଡାଇବେଟିସ୍)ରେ ଆକ୍ରାନ୍ତ। ଏ ଖଣ୍ଡିଆ ଶୁଖିବନି, ହିନସ୍ତା ସାର। ତେଣୁ ଗଛଲତା ଜଙ୍ଗଲ ହାତୀ ସୃଷ୍ଟି କରିଥିବା ସ୍ରଷ୍ଟା ଏଥିକୁ ଦାୟୀ। ‘ହରିବୋଲ ଭାଇ ଗୋବିନ୍ଦ ବୋଲ ଭାସିଲା ପଥର ବୁଡ଼ିଲା ସୋଲ।’
Comments are closed.