ବଣମଲ୍ଲୀ ବଣରେ ନ ଝଡ଼ୁ

ସରକାରଙ୍କ ପ୍ରଥା, ବ୍ୟବସ୍ଥା ଏପରି ହେଉ ଯେପରି, ମେଧାବୀ ଜଣେ ନିଜକୁ ନିରାଶ୍ରୟ ମନେ ନ କରୁ। ମୂଲ ନ ଲାଗୁ।

ପ୍ରତି ଲକ୍ଷ୍ୟ ହାସଲ ପାଇଁ ମାଧ୍ୟମ ଭିନ୍ନ ହେବାକୁ ବାଧ୍ୟ। ଲକ୍ଷ୍ୟ ଅନୁଗତ ମାଧ୍ୟମ ନ ହେଲେ, ବାଟବଣା ହେବା ଏକ ବାଧ୍ୟ। ପରିଣତି, ଶାରୀରିକ ଓ ମାନସିକ ଶ୍ରମ ଲକ୍ଷ୍ୟାନୁଯାୟୀ ନିୟୋଜିତ ବା ବ୍ୟବହୃତ। ବିଲ କମଣ କରିବା, ବେଉଷଣ କରିବାର ଝାଳବୁହା ଶ୍ରମ, ପିଲାଙ୍କୁ ପାଠପଢ଼ାରେ କୁଆଡ଼ୁ ହେବ? ଏଥିରେ ମାନସିକତା ବା ମାନସିକ ବଳ ଢେର ଲୋଡ଼ା। ସେମିତି ସବୁ କଥା। ଷାଠିଏ ବର୍ଷର ବୃଦ୍ଧଙ୍କୁ ମାଟି ଖୋଳିବା ବା ଅଧାପଢ଼ୁଆଙ୍କୁ ବେଦ ଗାଇବାରେ, ଯୋଚିବାର ଫଳାଫଳ କେବଳ ନିନ୍ଦା ବା ଉପହାସ୍ୟ। ସେଇଥିପାଇଁ ଆମ ଦେଶରେ ବ୍ୟକ୍ତି, ତା’ ଆବଶ୍ୟକତା ଓ ଏଥିପାଇଁ ଜୀବନଚର୍ଯ୍ୟା ନିର୍ଦ୍ଧାରିତ ହୋଇଥିଲା। ଏହା ବହୁ ଚିନ୍ତନ, ବହୁ ଗବେଷଣାଲବ୍ଧ ହୋଇଥିବାରୁ ତା’କୁ ଶାସ୍ତ୍ରାନୁଗତ କୁହାଯାଉଥିଲା। ଆଗେ ପୁଅ କି ଝିଅ ବିଭାଘର ପାଇଁ ପାତ୍ର କି ପାତ୍ରୀ ଦେଖିବାକୁ ବୟସ୍କ, ବୃଦ୍ଧ ବା ଶାସ୍ତ୍ରବିତ୍‌ମାନେ ଯାଉଥିଲେ। ଝିଅର ଚାଲିଚଳନ, ହାସଭାଷ ବା ବସିବା ଆଦି ଢଙ୍ଗରୁ ସେ ତା’ ପ୍ରକୃତିକୁ ନିର୍ଦ୍ଧାରଣ କରୁଥିଲେ ବା ଠିକେଇ ପାରୁଥିଲେ। ସେ ଝିଅ ବା ପୁଅ ମଧ୍ୟ ପରବର୍ତ୍ତୀ ସମୟରେ ଯଥାର୍ଥ ପ୍ରମାଣିତ ହେଉଥିଲେ। ମାତ୍ର ଆଜିକାଲି ବାପ ମା’ଙ୍କ ଯାଏ କଥା ଯାଉନି। ପୁଅ ରେଜିଷ୍ଟ୍ରି ଅଫିସରୁ କାମ ସାରି ଘରେ ହାଜର। ଝିଅଟିଏକୁ ପୁଅ ସାଙ୍ଗରେ ଦେଖି ବୋଉ ଆଁ’ କରି ବଲବଲ ଚାହିଁଲେ, ପୁଅ ତା’ଙ୍କୁ କହେ ‘‘ଆଲୋ ବୋଉ ସେ ପରା ତୁମ ବୋହୂ।’’ ଆଉ କନ୍ୟାକୁ ଠାରିଦିଏ ମୁଣ୍ଡିଆ ମାରିବାକୁ। ସେ କୋଉ ମୁଣ୍ଡିଆ ମାରିବ? ହାତଟାକୁ ଗୋଡ଼ଯାଏ ବଢ଼େଇ ଦେଇ କହେ, ‘‘ପ୍ରଣାମ ବୋଉ’’। ପୁଣି ଛ’ମାସ ଯାଉଛି କି ନାହିଁ, ସେଇ ରେଜିଷ୍ଟ୍ରିଖାନାରେ ଛାଡ଼ପତ୍ର। ଏମାନଙ୍କୁ ମୂର୍ଖ କି ନିର୍ବୋଧ କ’ଣ କୁହାଯିବ? ଆହେ ପଣ୍ଡିତେ, ଆମ ଓଡ଼ିଶାରେ ଆଇଏଏସ୍‌ କିଲିଟର ପାହ୍ୟାର ଦି’ଯୁବକ, ଦି’ ଯୁବତୀ ବିଭା ହୋଇଥିଲେ। ଦିନ କେତେଟାରେ ଏ ମେଧାବୀ ଓ ମେଧାବିନୀମାନେ ପୁଣି ବିବାହ କଲେ। ଭବିଷ୍ୟତରେ ଆଉ ନ ହେବ ବୋଲି କିଏ କହିବ? ଇଏ ହେଲା, ସଂସ୍କାର, ସଂସ୍କୃତିକୁ ଉପହାସ କରୁଥିବା ଏକୁ ଏଡେଇବାର ମାନସିକତା ଥିବା ଲୋକଙ୍କର ଦଶା। ଏମାନେ ସବୁ

ଇନ୍ଦ୍ରିୟାନୁଗତ। ଆଖି ଓ ହାତ ଆକର୍ଷଣୀୟ ଲାଗିଲା ତ, ‘‘ଅଲିମ୍ପିଆନ ମଡେଲ’’, ବାଜିମାତ୍‌। ଆରେ ମନ ଦୁର୍ବଳିଆ ବା ବଗୁଲିଆ ଥିଲେ ‘ଇନ୍ଦ୍ରିୟଗୁଡ଼ା’ କୋଉଠି କେତେବେଳେ ବେଜିତ୍‌ କରିଦେବେ କହି ହେବନି। ଏବେ ତା’ ସବୁ ଘଟୁଛି। ‘‘ବଳବାନ୍‌ ଇନ୍ଦ୍ରିୟୋଗ୍ରାମ ମନସାଚାପିକର୍ଷତି।’’

ବହୁତ କଥା, ଅକଥା, ସମସ୍ୟା ମଧ୍ୟରୁ ‘ବିଦ୍ୟା’ କଥା ଦେଖାଯାଉ। ଆଗେ ବିଦ୍ୟାଲାଭ ପାଇଁ ସର୍ବନିମ୍ନ ଯୋଗ୍ୟତା ଲୋଡ଼ା, କିଛି କଟକଣା ଓ ପ୍ରାକ୍‌ ଯୋଗ୍ୟତା ଉଦ୍ଦିଷ୍ଟ ଥିଲା। ‘ବିଦ୍ୟାଲାଭ’ ଅନ୍ୟ ସବୁ ଲାଭଠାରୁ ଭିନ୍ନ ଓ ଗରୁ ଥିଲା। ଏକଲବ୍ୟ କଥା ଦେଖାଯାଉ। ତା’କୁ ବିଦ୍ୟା ଦେବାକୁ ଦ୍ରୋଣାଚାର୍ଯ୍ୟ ଅମଙ୍ଗ ହେଲେ। ମାତ୍ର ଦ୍ରୋଣାଚାର୍ଯ୍ୟଙ୍କ ଆଖିଦେଖା ଅଯୋଗ୍ୟତାକୁ ଏକଲବ୍ୟ ଭୁଲ୍‌ ପ୍ରମାଣିତ କରି ଧନୁର୍ବିଦ୍ୟା ଶିକ୍ଷାରେ ଅର୍ଜୁନଙ୍କୁ ବଳିଗଲା ନା ନାହିଁ ମ! ଜାତି, ଧର୍ମ, ବର୍ଣ୍ଣର ସର୍ତ୍ତ ସବୁକାଳେ ଯଥାର୍ଥ ପ୍ରମାଣିତ ହେଉନଥିଲା। ନିଷ୍ଠା, ଅଧ୍ୟବସାୟ ବିଦ୍ୟାଲାଭର ସର୍ବଶ୍ରେଷ୍ଠ ସର୍ତ୍ତ ଥିଲା। କୁହାଯାଉଥିଲା, ‘ସୁଖେନ ବିଦ୍ୟା ପରୁଷେଣ ନାରୀ, ଶାଠ୍ୟେନ ଧର୍ମଂ କପଟେନ ମୈତ୍ରୀଂ, ପରପ୍ରତାପେନ ସମୃଦ୍ଧିଭାବଂ ବାଞ୍ଛନ୍ତି ଯେ ବ୍ୟକ୍ତମପଣ୍ଡିତାସ୍ତେ’। ସୁଖରେ ବା ଅୟସରେ ବିଦ୍ୟା, ପ୍ରବଞ୍ଚନାରେ ଧର୍ମ, କପଟପଣିଆରେ ମୈତ୍ରୀ, ପରକୁ ଡରାଇମରାଇ ବଡ଼ପଣ ଲାଭ ଯେ ଇଚ୍ଛାକରନ୍ତି ସେମାନେ ବଜାବାଡ଼ିଆ ମୂର୍ଖ, ନିର୍ବୋଧ। ‘ବିଦ୍ୟାର୍ଥିନଃ କୁତଃ ସୁଖମ୍‌’। କଠୋର ଶ୍ରମ, ଅୟସ ଓ ଆରାମଠାରୁ ଦୂରରେ ନ ରହିଲେ ବିଦ୍ୟାଲାଭ କୁଠୁ ସମ୍ଭବ?

ଏବେ ପରିବାର, ସମାଜ ଓ ପରିବେଶ ଠିକ୍‌ ଓଲଟା ହୋଇଛି। ତାହା ବିଦ୍ୟାନୁକୂଳ ଆଦୌ ନୁହେଁ। ଘରେଘରେ ସିନେମା ବା ଚଳଚ୍ଚିତ୍ରର ଭିନ୍ନ ଅବତାର ଟିଭି, ସବୁ ବିଦ୍ୟା ଅବିଦ୍ୟା, କଥା ଅକଥା ଥିବା ମୋବାଇଲ ଫୋନ୍‌ରେ ଘର ଆଉ ଘର ହୋଇ ନାହିଁ। ଇଏ ‘କ୍ଲବ’ଘର ବନିଗଲାଣି। ଏଥିରୁ ଯେଉଁ ଚାଟ ଉତୁରୁଛନ୍ତି ସେମାନେ ଗୁଡ଼ମର୍ଣ୍ଣିଂ ପାପା, କି ହାଲୋ ମମି’ ମଡେଲ ବା ଛାଞ୍ଚର ପିଲା। ଯା’ ହବା କଥା ହଉଛି। ଗୁରୁକୁଳ ବିଦ୍ୟା ଆରୁଣୀ, ଉପମନ୍ୟୁଙ୍କ କଥା, ସାଧନା କୁଆଡ଼େ ଗଲା? କାଇଁ ସେ କାଟର ଚାଟ। କାଇଁ ତାଙ୍କୁ ଆକଟିବାର ଅବଧାନିଆ ଛାଟ? ସମାଜରେ ବିଦ୍ୟାନୁଗତ ପରିବେଶ ଏ ସରକାର, ଏ ସଭ୍ୟତା କେତେ କରୁଛନ୍ତି ତା’ ବର୍ଣ୍ଣନା ଅନାବଶ୍ୟକ; ମାତ୍ର ଭିନ୍ନ ବା ପ୍ରତିକୂଳ ପରିବେଶ ସତ୍ତ୍ବେ ଜଣେ ଯେ ଅଧ୍ୟବସାୟ ଓ କଠୋର ଇଚ୍ଛାଶକ୍ତି ବଳରେ ସଫଳତା ବି​‌େ​‌ଶଷତଃ ବିଦ୍ୟା ଭଳି ‘ମାନସ’ ସମ୍ବନ୍ଧିତ ବ୍ୟାପାରରେ ବି ହୋଇପାରିବ ତା’ ସୁଦୂର ମାଲକାନଗିରି ବଣ୍ଡାଘାଟିର ଏକ ସରଳା ଝିଅର ସଫଳତାରୁ ଜଣାପଡ଼େ। ସେ ମୂଳରୁ ମେଧାବିନୀ ଥିଲେ। ମାତ୍ର ଦାରିଦ୍ର୍ୟ ତ ବଡ଼ ଘାତକ। ‘ଦାରିଦ୍ର୍ୟଦୋଷଃ ଗୁଣରାଶି ନାଶି’। ଦାରିଦ୍ର୍ୟ ଦେଲା ତାଙ୍କ ମହତ୍ତ୍ବ ସାରି, ନରର ଆଉ କାହିଁ ତେତେ ଭଗାରି’। ଏ ସବୁ କଥାକୁ ପାଣି ଫଟେଇ ଦେଇଛନ୍ତି ଏ ବଣ୍ଡା ଝିଅ। ଏ ବଣ ମଲ୍ଲୀର ପ୍ରାରମ୍ଭିକ ବାସ ଛୁଇଁଚି ବହୁ ମହାନୁଭବଙ୍କୁ, ବହୁ ସଂସ୍ଥାର ସାହାଯ୍ୟ ହାତ ଆପେ ଆପେ ତାଙ୍କ ପାଖୁ ଲମ୍ବିଯାଇଛି। କୃତୀ ଛାତ୍ରୀ ଭାବେ ୨୦୨୨ ମସିହାରେ ୮୨.୬୬ ନମ୍ବର ରଖି ମାଲକାନଗିରି ଜିଲା ପାଇଁ ଗୌରବ ଆଣିଥିଲେ। ଏବେ ଛୁଟିରେ ଘରକୁ ଆସିଛନ୍ତି। କେତେ କାହାକୁ ହାତ ବଢ଼େଇବେ। ଢେର ସ୍ବାଭିମାନୀ ବି ଏଇ କର୍ମୀ ମୁଦୁଲି। ଭୁବନେଶ୍ବର ରମାଦେବୀର ଏଇ ଛାତ୍ରୀ ଗ୍ରୀଷ୍ମଛୁଟି କଟାଇ ନାହାନ୍ତି ମଉଜ ମଜଲିସରେ। ସେ ବି ମା’ଙ୍କ ସହ ମୂଲ ଲାଗୁଛନ୍ତି। ରମାଦେବୀ ଛାତ୍ରୀର ସେ ଅଭିମାନ କାଇଁ? ଦିନକୁ ମଜୁରି ୨୧୦ଟଙ୍କା କୁଆଡ଼େ! ଏ ଶ୍ରମ ସଞ୍ଚୟ ଅର୍ଥ ସେ ପଇଠ କରିବେ ତାଙ୍କ ଦରମା କି ବହିକିଣା, କି ପାଠ ସମ୍ବନ୍ଧୀୟ ଖର୍ଚ୍ଚରେ। ଆଃ, ସତରେ କି ଶ୍ରମ, କି କଠୋର ମାନସିକତା। ମାତ୍ର ସରକାର ଏଥର ହିସାବ ଦେବା କଥା। ଆଖିକୁ ଆସୁନଥିବା ଏମିତି କେତେ ମଲ୍ଲୀଙ୍କ ଗାଥା ହଜିଯାଉଛି। ସରକାରଙ୍କ ପ୍ରଥା, ବ୍ୟବସ୍ଥା ଏପରି ହେଉ ଯେପରି, ମେଧାବୀ ଜଣେ ନିଜକୁ ନିରାଶ୍ରୟ ମନେ ନ କରୁ। ମୂଲ ନ ଲାଗୁ। ଆଉ କେହି ବି କର୍ମୀ ମୁଦୁଲି କଲେଜ ପାଠ ପାଇଁ, ରାତିରେ ପାଠ ଓ ଦିନରେ ପଇସା ପାଇଁ ଶ୍ରମ ନକରୁ।

ସରକାରଙ୍କ ବ୍ୟବସ୍ଥା ଘୋଷଣାରେ ଇଏ ସବୁ କଣା। ଏକୁ ମୁଦା ଯାଉ। ତେବେ ଯାଇଁ ସଫଳତା।

Comments are closed.