ଗଣତନ୍ତ୍ର ବନାମ ବିଚାରତନ୍ତ୍ର
ନାନା ମୁନିଙ୍କ ନାନା ମତ। ଦୁଇଟି ମୁଖ୍ୟ କେମିତି ଏକାଠି ରହିପାରିବେ? ଗୋଟାଏ ଗାଈ ଗୋଠରେ ଦି’ଟି ଷଣ୍ଢ ଏକାଠି ହୋଇଗଲେ, କି ଠେଲାପେଲା, ଭୁସାଭୁସି ଲୋ ମା। କି ଫଁ ଫଁ କି ସଁ ସଁ! ସେମିତି ଇସ୍କୁଲରେ ଦି’ଟି ପ୍ରଧାନ ଶିକ୍ଷକ କେମିତି ରହି ପାରିବେ? ମୁଖିଆ ବା ମୁଖ୍ୟ ସଦାବେଳେ ଜଣେ, ଗୋଟିଏ। ପ୍ରଶାସନ ଦି’ ମୁଖିଆ ଅଧୀନ ହେଲେ କେମିତି ଚାଲିବ? ଜଗତର ନାଥ ଜଗନ୍ନାଥ ଓ ଭାଇ ବଳରାମ ଏ କ୍ଷମତା କନ୍ଦଳରେ ବାରବର୍ଷ କାଳ କେମିତି ଭିକ ମାଗିଲେ, କଷ୍ଟ ପାଇଲେ ତା ଏବେ ଘରେଘରେ ପଠିତ ଲକ୍ଷ୍ମୀ ପୁରାଣରେ ବେଶ୍ ପ୍ରାଣଛୁଆଁ ଭାବେ ବର୍ଣ୍ଣିତ। ମହାଲକ୍ଷ୍ମୀ ତ ଜଗତ ଯାକର ମା’। ଗୁରୁବାର ତାଙ୍କର ପ୍ରିୟବାର। ଏ ଦିନ ସେ ଶ୍ରୀମନ୍ଦିରରୁ ବାହାରି ଜଗତ ଭ୍ରମଣରେ ଯାଆନ୍ତି। ବଡ଼ ସାନ, ଛୁଆଁ ଅଛୁଆଁ ସେ ମାନନ୍ତିନି। ପ୍ରାଣର ଆବେଦନ ଓ ହୃଦୟର ଡାକରେ ସେ ଭକ୍ତ କି ଭକ୍ତା ପାଖରେ ବନ୍ଧା ପଡ଼ିଯାଆନ୍ତି। ଏ କଥା କିନ୍ତୁ ବଡ଼ ଭାଇ ବଳରାମଙ୍କ ଆଖିରେ ଗଲାନି। ଛୁଆଁ ଅଛୁଆଁ ସବୁ ଘରେ ପଶି ସନାତନ ସଂସ୍କୃତିକୁ ଅମାନ୍ୟ କରିବା, ଭୁଶୁଡାଇ ଦେବାକୁ ସେ ପସନ୍ଦ କଲେନି। ଲକ୍ଷ୍ମୀଙ୍କୁ ଆକଟିବାକୁ ସେ ଜଗନ୍ନାଥଙ୍କୁ କହିଲେ, ‘‘ହାଡ଼ି ଘରେ ଥିବ ଲକ୍ଷ୍ମୀ ପାଣ ଘରେ ଥିବ, ସ୍ନାହାନ ନ କରି ବଡ଼ ଦେଉଳେ ପଶିବ’’। ବଡ଼ଭାଇ ତାଙ୍କୁ ଛାଡ଼ିଦେବେ ‘‘ତୁ ତୋ ପତ୍ନୀ ଧରି ରହ’’ ବୋଲି ଶେଷ ବଚନ ଶୁଣାଇ ଦେଲେ। ଜଗନ୍ନାଥ ଯା’ହେଲେ ବି ବଡ଼ଭାଇଙ୍କୁ କୁ ଛାଡ଼ି ପାରିବେ? ସେ ଲକ୍ଷ୍ମୀଙ୍କୁ ବଡ଼ ଦେଉଳରେ, ଏପରି ଆଚରଣରେ ପଶିପାରିବେ ନାହିଁ ବୋଲି କହିଲେ। ଲକ୍ଷ୍ମୀ ବି କହିଲେ, ‘‘ହଉ ତମେ ତମ ବଡ଼ଭାଇଙ୍କ ସହ ରୁହ, ମୁଁ ଯାଉଛି।’’ ଆରେ ଲକ୍ଷ୍ମୀ ତ ସକଳ ସମ୍ପଦର ମାଲିକ। ଦରିଦ୍ର ଦୀନ ହୀନ ଲୋକକୁ ‘ଲକ୍ଷ୍ମୀଛଡ଼ା’ କୁହାଯାଏ। ‘ଲକ୍ଷେ ଅର୍ଜିଲେ, ପକ୍ଷେ ବି ଅଣ୍ଟେନି, ଏ ଲକ୍ଷ୍ମୀଛଡ଼ାମାନଙ୍କୁ। ଜଗନ୍ନାଥ ବଳଭଦ୍ର ଲକ୍ଷ୍ମୀଛଡ଼ା ହୋଇଗଲେ। ବାରବର୍ଷ କାଳ ଭୋକ ଶୋଷରେ ପ୍ରାଣଯିବା ଅବସ୍ଥା ହେଲା। ମାତ୍ର ଅଜାତି, ବିଜାତିରେ ଖାଇବେ ନାହିଁ। ଲକ୍ଷ୍ମୀଙ୍କ କୋପ ପଡ଼ିଛି, ଯେ ତାଙ୍କୁ ଖାଇବାକୁ ଦେଲା ତା ଖାଦ୍ୟ ଉଡ଼ିଗଲା, ଇଡ଼ିଗଲା। ଶେଷକୁ ପ୍ରାଣଯିବା ଅବସ୍ଥା ହେଲା। ‘େକୗଣସି ଗୋଟେ ଘରେ ଖାଇଦେବା’ ବୋଲି ବଳରାମ କହିବାରେ, ଏକ ହରିଜନ ପରିବାର ତାଙ୍କୁ ଆତିଥେୟ ପ୍ରଦାନ କଲା। ତା ଆତିଥ୍ୟ ଗ୍ରହଣ କରି ଜୀବନରକ୍ଷା କରିଦେଲେ ସିନା ବଳରାମ ଖୋଜିଲେ ଲକ୍ଷ୍ମୀଙ୍କୁ। ଲକ୍ଷ୍ମୀ କହିଥିଲେ, ‘ମୁହିଁ ଚଣ୍ଡାଳୁଣୀ ଯେବେ ଟେକି ଦେବି ଅନ୍ନ, ଭୋଜନ କରିବ ଅାହେ କାଳୀୟ ଗଞ୍ଜନ।’’ ଜଗନ୍ନାଥ ବଳଭଦ୍ରଙ୍କ କ୍ଷମତା ଓ ଲକ୍ଷ୍ମୀ ଠାକୁରାଣୀଙ୍କ କ୍ଷମତା ଉଭୟ ଉଭୟଙ୍କୁ ବଳି। ତେବେ ଦୁଇ କ୍ଷମତା କେନ୍ଦ୍ର ମୁହାଁମୁହିଁ ହେଲେ, ବିସ୍ଫୋରଣ ଓ ଅଶାନ୍ତି ସାର ହେବ। କ୍ଷମତା, ଅହଂକାର ଯଶ ଲାଭ ଇଚ୍ଛା ସବୁ ଗୋଳ କନ୍ଦଳର କାରଣ। କବିବର ଦରବାରରେ ଲେଖିଛନ୍ତି, ‘‘ମଂଚପାଶେ କିମ୍ପା ଏତେ ଲୋକ ଠିଆ….. କରୁଚନ୍ତି ବାଳଲୀଳା।’’
‘ଗଣତନ୍ତ୍ର’ ଜନତା ଜନାର୍ଦନର ସରକାର ଘୋଷୁଥିବା ଏଇ ନେତା ମୁଣ୍ଡିଆଳମାନେ ଗଣତନ୍ତ୍ରକୁ କେମିତି ଗୋଷ୍ଠୀତନ୍ତ୍ର କରି ଶୋଷଣ କରୁଛନ୍ତି ଓ ଗଣତନ୍ତ୍ରକୁ ସମାଧି ଆଡ଼କୁ ଟାଣି ନେଉଛନ୍ତି ତା’ର ଭୂରିଭୂରି ଉଦାହରଣ ଏବେ ଦେଖାଯାଉଛି। ଆରେ କି ଗଣତନ୍ତ୍ର ଏ ଦେଶରେ ଚାଲିଚି? ଦେଶର ରାଜଧାନୀ ଦିଲ୍ଲୀ ସହରକୁ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଦର୍ଶାଯାଇଛି ଓ ଜଣେ ନିଯୁକ୍ତ ଉଚ୍ଚ କର୍ମଚାରୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଦିଲ୍ଲୀ ପ୍ରଶାସନର ମୁଖ୍ୟ ଭାବେ ଅବସ୍ଥାପିତ। ତା ସହିତ ପୁଣି ଦିଲ୍ଲୀକୁ ପ୍ରାଦେଶିକ ରାଜ୍ୟ ପରି ନିର୍ବାଚିତ ସରକାର ଦିଆଯାଇଛି। ଗଭର୍ଣ୍ଣର ଜେନେରାଲ କେନ୍ଦ୍ର ସରକାର ଅଧୀନରେ କାର୍ଯ୍ୟ କରିବେ ଓ ରାଜ୍ୟର ଘରୋଇ ବିଭାଗ ବା ପୁଲିସବଳ କେନ୍ଦ୍ରାଧୀନ ରହିବ। ମାତ୍ର ମୁଖ୍ୟମନ୍ତ୍ରୀ ରାଜ୍ୟର ନିର୍ବାଚିତ ମୁଖ୍ୟ ହେବେ। ମୁଖ୍ୟମନ୍ତ୍ରୀ ବିଧାନସଭା ପାଖେ ଓ ବିଧାନସଭା ଜନସାଧାରଣଙ୍କୁ ଉତ୍ତରଦାୟୀ ହେବେ। ଯେବେ କେନ୍ଦ୍ରରେ ପ୍ରତିଷ୍ଠିତ ଜାତୀୟ ସରକାର ଓ ଦିଲ୍ଲୀରେ ପ୍ରତିଷ୍ଠିତ ପ୍ରାଦେଶିକ ସରକାର ଭିନ୍ନଦଳ ବା ଗୋଷ୍ଠୀର ହୁଅନ୍ତି, ତେବେ ଗୋଠ ମଧ୍ୟରେ ଦି’ ଷଣ୍ଢଙ୍କ ଅବସ୍ଥା ସୃଷ୍ଟି ହୁଏ।
ଗଣତନ୍ତ୍ରରେ ଏମିତି ମୁକାବିଲାମୂଳକ ପରିସ୍ଥିତି ଓ ବ୍ୟବସ୍ଥା କାହିଁକି ରଖାଯାଇଛି ତା ବୁଝିହୁଏନି। ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ସହ କେନ୍ଦ୍ର ସରକାରଙ୍କ ମୁକାବିଲା ମୂଳକ ପରିସ୍ଥିତି ବାରମ୍ବାର ହେଉଛି। ୟା ଦ୍ବାରା ଏ ମୁଣ୍ଡିଆଳମାନଙ୍କର ମୁଣ୍ଡ କେତେ ଫାଟିଲା କି ନାହିଁ କେଜାଣି, ଜନସାଧାରଣ ଘୋର ଦୁର୍ଦଶାର ସମ୍ମୁଖୀନ ହୋଇଥାନ୍ତି ଓ ଦେଶର ବା ରାଜ୍ୟର ବିକାଶ ଢ଼େର ବାଧାପ୍ରାପ୍ତ ହୁଏ। କୌଣସି ଅମଲାଙ୍କ ବଦଳି ଉପରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ରୋକ୍ ଲଗାଇଲେ। ଜଣେ ନିର୍ବାଚିତ ସରକାର ହୁକୁମ ବା ସିଦ୍ଧାନ୍ତ ଉପରେ ଜଣେ ନିଯୁକ୍ତ କର୍ମଚାରୀ କେମିତି ଅଙ୍କୁଶ ଲଗେଇବ? ରାଜ୍ୟ ସରକାର ସିଧା ଧାଇଁଲେ ସୁପ୍ରିମକୋର୍ଟକୁ। ଅନେକ ବ୍ୟାପାରରେ ସୁପ୍ରିମକୋର୍ଟ ସାମ୍ବିଧାନିକ ବା ଗଣତାନ୍ତ୍ରିକ ବିଧି ବା ମର୍ଯ୍ୟାଦା ଦୃଷ୍ଟିରୁ ଏହାର ବିଚାରରୁ ଦୂରେଇ ଯାଇଥାନ୍ତି। ଏମିତି ଉଦାହରଣ ଭୂରିଭୂରି, ଯଦିଓ ସୁପ୍ରିମକୋର୍ଟଙ୍କ ଏମିତି ଅସମ୍ମତି ଆଇନଗତ ଦାୟିତ୍ବ ଓ ନୈତିକତା ଉପରେ ପ୍ରଶ୍ନ ଉଠାଏ।
ସେ ଯାହାହେଉ ଏ ମୋକଦ୍ଦମା କେନ୍ଦ୍ର ସରକାର ଓ ଦିଲ୍ଲୀ ସରକାରଙ୍କ ମଧ୍ୟରେ ଏକ ବଳ କଷାକଷି ଘଟଣା। ଏହାର ବିଚାର ସଂସଦ ଉପରେ ଛାଡ଼ିଦେବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଥିଲେ ଗଣତାନ୍ତ୍ରିକ ଶକ୍ତି ବା ଖେଳର ଏକ ବିଧାନଗତ ବା ନୈତିକ ଉଦାହରଣ କି ପରିଣତି ସୃଷ୍ଟି ହୋଇଥାନ୍ତା। ମାତ୍ର ମାନ୍ୟବର ଶୀର୍ଷ ଅଦାଲତ ଗୋଟେ ଗଣତାନ୍ତ୍ରିକ ବିଧିରେ ପ୍ରତିଷ୍ଠିତ ସରକାରର ବିଚାର ବା ସିଦ୍ଧାନ୍ତକୁ ଗୁରୁତ୍ବ ଦେବା ସହ କେନ୍ଦ୍ରର କେଉଁ କ୍ଷେତ୍ରରେ ଭୂମିକା ରହିବ ତାହାର ସୀମା ମଧ୍ୟ ସ୍ଥିର କରିଦେଲେ। ଏହାକୁ ଦେଖି ଦିଲ୍ଲୀ ସରକାର ଆରମ୍ଭ କରିଦେଲେ ତରବରିଆ ଅମଲା ବଦଳି। ଏବେ ବାରୁଦ ଗଦାରେ ନିଆଁ ଲାଗିଲା। କେନ୍ଦ୍ର ସରକାର ତାଙ୍କ ଅଧ୍ୟାଦେଶ ବା ଅର୍ଡିନାନ୍ସ ବଳରେ ଦିଲ୍ଲୀ ପାଇଁ ଯେଉଁ ଖସଡ଼ା ପ୍ରସ୍ତୁତ କଲେ, ତା ସୁପ୍ରିମକୋର୍ଟଙ୍କ ଆଦେଶକୁ ତମାଦି କରିଦେଲା। ଗଣତନ୍ତ୍ରର ଇଏ ବିଜୟ କି ଏକ ଗୋଡ଼ଛନ୍ଦା ଖେଳ ତା ସମୟ କହିବ। ଏବେ ଏ ଅର୍ଡିନାନ୍ସକୁ ସଂସଦର ଉଭୟ ଗୃହରେ ଅନୁମୋଦିତ କରାଇବାକୁ ପଡ଼ିବ। ତା ହେଲେ ପ୍ରଧାନମନ୍ତ୍ରୀୟ ନିର୍ଦେଶର ଗଣତନ୍ତ୍ରୀକରଣ ହେବ। ତେବେ ରାଜ୍ୟସଭାରେ ମୋଦୀ ସରକାରଙ୍କର ଅାବଶ୍ୟକ ସଂଖ୍ୟାଗରିଷ୍ଠତା ନାହିଁ। ରାଜନୀତି ସ୍ତରରେ ଭୋଟ କିଣାବିକା ଘୋଡ଼ା ବେପାର ଦର୍ଶନରେ କେନ୍ଦ୍ର ସରକାର ରାଜ୍ୟସଭାରେ ଏ ଅଧ୍ୟାଦେଶ ପାଇଁ ସମ୍ମତି ଆଣି ପାରିବେ କି ନାହିଁ ତା ଭିନ୍ନ ଏକ ପ୍ରସଙ୍ଗ। ମାତ୍ର ପରିତାପର ବିଷୟ, ଦୁଇ ଗଣତାନ୍ତ୍ରିକ ବ୍ୟବସ୍ଥା, ଲଢ଼େଇମୁଖୀ, ଅହଂବିଜଡ଼ିତ ହେଲେ ଗଣତନ୍ତ୍ର ଗୋଷ୍ଠୀତନ୍ତ୍ରର ଦଖଲକୁ ଆସିବ ଓ ଭବିଷ୍ୟତରେ ‘ଡିକ୍ଟେଟରିଆଲ’ ସ୍ବେଚ୍ଛାଚାରୀ ସରକାରକୁ ୟେ ବାଟ ଯେ ନ କଢ଼ାଇବ କିଏ କହିବ? ତେବେ ଦି’ ସଉତୁଣୀ ତ ସଦାବେଳେ ସଉତୁଣୀ ବିଧବା ହେବାକୁ ଚାହିଁଥାନ୍ତି, ଗେରସ୍ତ ମଲେ ପଛେ ମରୁ। ଜୟ ଜଗନ୍ନାଥ, ଜୟ ଗଣତନ୍ତ୍ର।
Comments are closed.