MEllora 950×100

ହାଇକମାଣ୍ଡିଆ ଗଣତନ୍ତ୍ର ଜିନ୍ଦାବାଦ

ଏବେ ଗଣତନ୍ତ୍ରର ମୁଖ୍ୟ ‘ନେତା’ ନ ହୋଇ, ‘ହାଇକମାଣ୍ଡ’ ହେଲେଣି, ରଜା ମହାରାଜା। ଗଜପତିଙ୍କଠୁ ବଳି ଏ ପଦ ଓ ମାନ୍ୟତା।

‘ଗେରସ୍ତ ଅଯୋଗ୍ୟ ପଣେ, ଭାରିଯା ଶୋଇଲା ସେନ୍ତେରା ବଣେ’। ଇଏ ପୁରୁଣା ଦିନର କଥାଟେ। ଯେତେବେଳେ ‘ସ୍ବାମୀ’ (ପୁରୁଷ) ​ଦେବତାର ମାନ୍ୟତା ପାଉଥିଲା। ସ୍ବାମୀ ପ୍ରତି ଆନୁଗତ୍ୟର ଗୋଟିଏ ଏକ ପାଖିଆ ଦୃଢ଼ ଜାଲ ଆବଦ୍ଧ ସେ ଥିଲା। ସ୍ବାମୀର ମୃତ୍ୟୁ ହୋଇଗଲା ତ ବିଚାରୀ ସ୍ତ୍ରୀ ଏକ କଠୋର ଅନୁଶାସନରେ ନିଜକୁ ‘ବିଧବା’ ସଜଉ ଥିଲା। ସିନ୍ଦୂର, ଅଳତା, କାଚ, ରଙ୍ଗିନ ଶାଢ଼ି, ଆମିଷ ଖାଦ୍ୟ ଆଦି ତା’ ପାଇଁ ମନା ବା ନିଷିଦ୍ଧ ଥିଲା। ପୃଥିବୀରେ ଏମିତି ବିଧବା ଶ୍ରେଣୀ କାଇଁ ଥିଲା? ଓଃ କି ଦାରୁଣ ଜୀବନ! ଅବଶ୍ୟ ସବୁ କ୍ଷେତ୍ରରେ ୟେ ସ୍ବାମୀହୀନା ସ୍ତ୍ରୀ ଉପରେ ଲଦା ଓଜଡ଼ା ଏକ ନିର୍ଦେଶ ନ ଥିଲା। ଅନେକ କ୍ଷେତ୍ରରେ ଏହି ‘ବୈଧବ୍ୟ’କୁ ପବିତ୍ର ବ୍ରତ ଭାବେ, ସ୍ବାମୀ ପ୍ରତି ତା ଗୋଲାମ ଭାବେ ସେ ଗ୍ରହଣ କରୁଥିଲା, ପାଳନ କରୁଥିଲା। ସ୍ବାମୀ ସୋହାଗ ସ୍ମୃତି ତା ପରବର୍ତ୍ତୀ ଜୀବନ ପାଇଁ ଯଥେଷ୍ଟ ଥିଲା। ମାତ୍ର ସ୍ତ୍ରୀର ମୃତ୍ୟୁ ହୋଇଗଲା ତ ସ୍ବାମୀ ପାଇଁ ବ୍ରତ କାଇଁ? ତା’ ପ୍ରତି ଆକଟ କାଇଁ? ସେ ପୁଣି ଗୋଟେ ସ୍ତ୍ରୀ ଗ୍ରହଣ କରି, ପୂର୍ବ ସ୍ତ୍ରୀର ମୃତ୍ୟୁକୁ ଦୁଃସ୍ବପ୍ନ ଭାବେ ମନରୁ ହକାଳି ଦେଉଥିଲା। ଛାଡ଼ନ୍ତୁ ସେ ସବୁ ଏକ ଭିନ୍ନ ଆଲୋଚନା। ମୋଟ ଉପରେ କହିବାର କଥା ହେଲା, ମୁରବି ହିଁ ଶାସକ, ପ୍ରତିପାଳକ, ପୋଷକ। ତା’ ଉପରେ ନିର୍ଭର କରେ ପରିବାର ସଦସ୍ୟଙ୍କ ଉନ୍ନତି, ସୁଖ, ଶାନ୍ତି। ଢ଼ଗ ବି ଅଛି, ‘ଘରର ମୁରବି ହେଲେ ଆପୁଆ ସହଜେ ସେ ଘର ନୋହେ ଉଠିଆ।’ ଏବେ ଘର ମୁରବି ଜଣେ ପୁରୁଷ ନୁହେଁ କି ଜଣେ ସ୍ତ୍ରୀ ନୁହେଁ, ଯଦିଓ ପରିବର୍ତ୍ତିତ ପରିବେଶରେ ସ୍ତ୍ରୀର ଦାଢ଼, ପୁରୁଷଠୁ ଟିକିଏ ଅଧିକା। ଇୟେ ଏବେ ଗୋଟେ ‘ଜଏଣ୍ଟ ଷ୍ଟକ୍‌ କମ୍ପାନୀ’ ଜାଣ। ପରିବାରର ଉନ୍ନତି ଅବନତି ପାଇଁ ଆଉ ଉତ୍ତରଦାୟୀ କେହି ନୁହଁ, ନିଜ ସୁବିଧାକୁ ସ୍ବାର୍ଥକୁ ଦୁହେଁ ‘ତୁ ତ ମୂତୁରୀ ମୁଁ ତ ମୂତୁରୀ…..’ ଭାବରେ ଚଳେଇ ନଉଚନ୍ତି। ଇୟେ ଅଧୁନା ସାମାଜିକ ବା ରାଷ୍ଟ୍ରୀୟ ଜୀବନାନୁଗତ ଏକ ସ୍ରୋତ ବା ରାସ୍ତା କି ପନ୍ଥା। ଉତ୍ସବମାନ ଆଉ ପଦ୍ଧତି ବା ନୀତିଗତ ନୁହଁ, ମୁରବିର ଆବଶ୍ୟକତା ଅନୁଗତ।

ଆମ ଦେଶରୁ ରାଜତନ୍ତ୍ର, ମଣିମା ସଂସ୍କାର ବା ସଂସ୍କୃତି ହଟିଗଲା। ଏବେ ‘ଗଣତନ୍ତ୍ର’ ଚାଲିଛି। ଆରେ ଇୟେ କୋଉ ଗଣତନ୍ତ୍ର? ଲୋକେ ଯାହାକୁ ବାଛିବେ ସେ ରଜା। ଲୋକେ ବି ନିଜ ପ୍ରତିନିଧି ବାଛୁଥିଲେ। ଏ ପ୍ରତିନିଧି ରାଜା ବା ଜମିଦାର ମିଜାଜର ଆଦୌ ହୋଇପାରେ ନାହିଁ। ନିଜ ଦଳକୁ, ଅନୁଗତଙ୍କୁ ହାତେଇବାକୁ ହେବ! ତୋଡ଼ ସେଠି କୁ କାମ କରିବ? ଭାରତ ସ୍ବାଧୀନ ହେଲା ପରେ ପ୍ରଥମ ପ୍ରଧାନମନ୍ତ୍ରୀ ନେହେରୁ କଂଗ୍ରେସ ଦଳର ନେତାଭାବେ ପ୍ରଧାନମନ୍ତ୍ରୀ ହେଲେ। ସେ ମନ୍ତ୍ରିମଣ୍ଡଳ ଗଢ଼ିଲେ। ସେଥିରେ ‘କ୍ୟାବିନେଟ’ ମନ୍ତ୍ରୀଗୁଡ଼ା ଗରୁଆ, ମୁଖିଆ ଓ ପ୍ରଭାବଶାଳୀ ଅନ୍ୟମାନଙ୍କଠୁ ହୋଇଥାନ୍ତି। ମାତ୍ର ତା’ ନେହେରୁଙ୍କ ସମୟରେ ହେଲା କି? ପ୍ରଧାନମନ୍ତ୍ରୀ କ୍ୟାବିନେଟ ମନ୍ତ୍ରୀମାନଙ୍କୁ ଭଲ ମେଜାଜରେ ରଖିବା କଥା କୁଆଡ଼େ ଗଲା ? ଏ ଗରୁଆ ମନ୍ତ୍ରୀମାନେ ତାଙ୍କ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ ବି ପାଇପାରି ନ ଥାନ୍ତି। ସାକ୍ଷାତକାରକୁ କି ଡରଲୋ ବୋପା। ଇଏ ବ୍ୟକ୍ତିତ୍ବର କଥା, ପ୍ରଭାବ। ଏବେ ଗଣତନ୍ତ୍ରର ମୁଖ୍ୟ ‘ନେତା’ ନ ହୋଇ, ‘ହାଇକମାଣ୍ଡ’ ହେଲେଣି, ରଜା ମହାରାଜା। ଗଜପତିଙ୍କଠୁ ବଳି ଏ ପଦ ଓ ମାନ୍ୟତା। ଓଡ଼ିଶାରେ ଏବେ ମନ୍ତ୍ରିମଣ୍ଡଳର ପରିବର୍ତ୍ତନ ଓ ପରିବର୍ଦ୍ଧନ ହୋଇଛି। ମନ୍ତ୍ରୀ ପରିଷଦର ଏ ପରିବର୍ତ୍ତନ ପାଇଁ କ୍ୟାବିନେଟ ବା ଦଳୀୟ ବୈଠକ ବସିଛି କି ନାହିଁ ତା ଅଜଣା। ଏବେ ନିର୍ଦେଶ ଠିକଣା ହେଲା, ‘ଥାର୍ଡ ଫ୍ଲୋର’ ତୃତୀୟ ମହଲା। ସେଇଟା ‘ହାଇକମାଣ୍ଡିଆ’ ଇଲାକା, ରାଜ୍ୟ ଶାସନ ପାଇଁ ପରିବର୍ତ୍ତନ ଓ ପରିବର୍ଦ୍ଧନ ସର୍ବାଦୌ ଆବଶ୍ୟକ। ନିର୍ବାଚନ ଆଉ ବର୍ଷେ ପାଖାପାଖି ରହିଲା। ୨୦୨୪କୁ ଆଖିରେ ରଖି ନବୀନଜୀଙ୍କ ଏ ପରିବର୍ତ୍ତନ ଓ ପରିବର୍ଦ୍ଧନ ବେଶ୍‌ କୌତୂହଳପ୍ରଦ ଓ ସମୀକ୍ଷା ଅନ୍ତର୍ଗତ। ଏ ପରିବର୍ତ୍ତନ ବା ପରିବର୍ଦ୍ଧନ ଜନତାଙ୍କୁ ଶାସନଗତ ସଂସ୍କାରର କିଛି ବାର୍ତ୍ତା ନ ଦେଲେ ବି ମୁଖ୍ୟମନ୍ତ୍ରୀଙ୍କ, ନିରଙ୍କୁଶ କ୍ଷମତା ସ୍ଥିତିର ବେଶ୍‌ ପ୍ରମାଣ ଦେଉଛି। ଆରେ ବାବୁ, ତାଙ୍କ ଦଳର ଏତେ ଜଣ ବିଧାୟକଙ୍କ ମଧ୍ୟରୁ ଏ ତିନିମୂର୍ତ୍ତି ବିକ୍ରମବାବୁ, ସୁଦାମବାବୁ ଓ ସାରଦାବାବୁ ପୂର୍ବରୁ ମନ୍ତ୍ରୀ ଥିଲେ। ବିକ୍ରମବାବୁ ତ ଖୋଦ୍‌ ବାଚସ୍ପତି ଥିଲେ। ଇସ୍ପାତ ନଗରର ସାରଦାବାବୁ ପୂର୍ବରୁ ବି ମନ୍ତ୍ରୀ ଥିଲେ। ସମୀରବାବୁଙ୍କ ସହିତେ ବିକ୍ରମବାବୁ ଓ ଶ୍ରୀକାନ୍ତବାବୁଙ୍କ ଇସ୍ତଫା ଦିଆଇ ଏକ କମ୍ପନ ସୃଷ୍ଟି କରିଦେଲେ ଅନୁଗତଙ୍କ ମଧ୍ୟରେ। କ’ଣ ଟିକିଏ ଯୋଗୁଁ ସାରଦାବାବୁଙ୍କୁ ମନ୍ତ୍ରିପଦରୁ ହଟାଇ ଦିଆଯାଇଥିବାବେଳେ ଏ କ୍ଷମତାହୀନ ସମୟଚକରୁ କଳି ହେଲା ଯେ ସେ ଇସ୍ପାତ- ଟାଣୁଆ ନୁହନ୍ତି। ଢ଼େର କ୍ଷମତା ନକନକିଆ, ଆନୁଗତିଆ। ସମୀରବାବୁ ଓ ଶ୍ରୀକାନ୍ତବାବୁଙ୍କ ରାଶିଫଳ ଓ ଗ୍ରହ ଚଳନ ଦେଖିଲେ ଜଣାପଡ଼ନ୍ତା, କୁ ବିଧାତା ତାଙ୍କଠୁ କ୍ଷମତା ପଗଡ଼ି ଖସାଇ ଦେଲା। ସେ ଯାହାହେଉ, ଏ ଶପଥ ଗ୍ରହଣ ଉତ୍ସବ ପୁଣି ଗୋଟେ ‘ବିବାହ ଯାତ୍ରା’ର ଭାବ ସୃଷ୍ଟି କରିଛି। ବର ତ କଳାକାଚଦିଆ ଗାଡ଼ି ଭିତରେ, ଥାର୍ଡ ଫ୍ଲୋରରେ। ମାତ୍ର ଏ ବିପୁଳ ବରଯାତ୍ରୀରେ, ବର ପାଖ ଲୋକଗୁଡ଼ା ଭିନ୍ନ ଭାବରେ ଚିହ୍ନିତ, ସମ୍ମାନିତ। ୨୦୨୪ କ୍ଷମତା ପରିଣୟର ଏ ଯେଉଁ ଶୋଭାଯାତ୍ରା ଥାକକୁ ଥାକ ବାହାରୁଛି, ଏ ତିନିହେଁଙ୍କୁ ମିଳିଲା ‘ହାଇକମାଣ୍ଡ’ ମୋହର। ତାଙ୍କୁ ସ୍ବାଗତ, ପ୍ରଣାମ। ହାଇକମାଣ୍ଡିଆ ଗଣତନ୍ତ୍ର ଜିନ୍ଦାବାଦ। ହଁ କି ନାଇଁ ମ ??

Comments are closed.