ଚିନ୍ତା ବଢ଼ାଇଲା ପଡ଼ୋଶୀ
ଇମ୍ରାନ୍ଙ୍କ ଗିରଫଦାରୀ ଓ ପାକିସ୍ତାନରେ ଅଶାନ୍ତ ସ୍ଥିତି ପଡ଼ୋଶୀ ଭାରତ ପାଇଁ ସତର୍କ ଘଣ୍ଟି।
ଭାରତଠୁ ଅଲଗା ହୋଇ ସ୍ବାଧୀନ ରାଷ୍ଟ୍ର ଗଠନ ପରଠୁ ଆଜି ପର୍ଯ୍ୟନ୍ତ ପାକିସ୍ତାନରେ ରାଜନୈତିକ ସ୍ଥିରତା ଆସିପାରିନି। ଅଧିକାଂଶ ସମୟରେ ନିର୍ବାଚିତ ସରକାରକୁ କରାଯାଇଛି ବରଖାସ୍ତ। ସେନା କ୍ଷମତା ଦଖଲ କରି ଗଣତାନ୍ତ୍ରିକ ବାତାବରଣକୁ ଏକ ପ୍ରକାର ଜନତାଙ୍କ ହାତରୁ ଛଡାଇ ନେଇଛି। ଜେନେରାଲ ଜିଆଉଲ୍ ହକ୍ଙ୍କଠାରୁ ପରଭେଜ୍ ମୁଶାରଫଙ୍କ ପର୍ଯ୍ୟନ୍ତ ଗଡି ଆସିଥିବା ସାମରିକ ଶାସନ ଧାରା ଏବେ ବି ଅଟକି ନାହିଁ। ଏହି କ୍ରମରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ମଙ୍ଗଳବାର ଗିରଫ କରିବା ଘଟଣା ପାକିସ୍ତାନରେ ଗୃହଯୁଦ୍ଧ ପରିସ୍ଥିତି ସୃଷ୍ଟି କରିଛି। ଶେଷରେ ଇମ୍ରାନ୍ଙ୍କୁ ପୂର୍ବସୂରୀଙ୍କର ଦଶା ଭୋଗିବାକୁ ପଡ଼ିଛି। ପାକିସ୍ତାନର ରେଞ୍ଜର୍ସ ମଙ୍ଗଳବାର ଇମ୍ରାନଙ୍କୁ ଇସଲାମାବାଦ ଉଚ୍ଚ ନ୍ୟାୟଳୟ ପରିସରରୁ ଗିରଫ କରି ନେଇଛି। ତାଙ୍କୁ ଅଲ୍-କାଦିର ଟ୍ରଷ୍ଟ ମାମଲାରେ ଗିରଫ କରିଥିବା ପାକିସ୍ତାନ ରେଞ୍ଜର୍ସ ଦର୍ଶାଇଛି। ଏହା ହେଉଛି ସେ ଦେଶର ଏକ ଅର୍ଦ୍ଧସାମରିକ ବାହିନୀ ଏବଂ ଏହା ଦେଶର ସୈନ୍ୟବାହିନୀ ନିର୍ଦେଶରେ କାର୍ଯ୍ୟ କରିଥାଏ। ଇମ୍ରାନଙ୍କ ଗିରଫ ପରେ ପାକିସ୍ତାନରେ ପୁଣି ସେନାବାହିନୀ ତାହାର ପତିଆରା ଦେଖାଇଛି। ପାକିସ୍ତାନରେ ସେନାର କ୍ଷମତା କେତେ ତାହା ପୂର୍ବରୁ ବହୁବାର ସମସ୍ତେ ଦେଖିଛନ୍ତି। ପାକ୍ ସେନାର ତତ୍କାଳୀନ ମୁଖ୍ୟ ତଥା କାରଗିଲ ଯୁଦ୍ଧର ଖଳନାୟକ ପରଭେଜ ମୁଶରଫ ଗଣତାନ୍ତ୍ରିକ ସରକାରକୁ କ୍ଷମତାଚ୍ୟୁତ କରି ରାଷ୍ଟ୍ରପତି ପଦ ଦଖଲ କଲେ। ଶେଷରେ ତାଙ୍କୁ ଦେଶର ଅଦାଲତ ନିର୍ବାଚନ ଲଢିବା ନିମନ୍ତେ ଅଯୋଗ୍ୟ ଘୋଷଣା କରିବା ସହିତ ଗିରଫ ପରୱାନା ଜାରିକଲେ। ଏପରିକି ତାଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଗଲା। ଅବଶ୍ୟ ଲାହୋର ହାଇକୋର୍ଟ ତାଙ୍କୁ ଉକ୍ତ ଦଣ୍ଡରୁ ମୁକ୍ତ କରିଥିଲେ। ଜୀବନ ବଞ୍ଚାଇବାକୁ ମୁଶରଫ ଦୁବାଇରେ ଶରଣ ନେଲେ। ସେଠାରେ ୨୦୨୩ ଫେବୃଆରୀରେ ହିଁ ତାଙ୍କର ମୃତ୍ୟୁ ଘଟିଲା। ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାବରେ ନୱାଜ ସରିଫ ତିନି ଥର ନିର୍ବାଚିତ ହୋଇଥିଲେ। ସବୁଥର ତାଙ୍କୁ ତାଙ୍କର କାର୍ଯ୍ୟକାଳ ସରିବା ପୂର୍ବରୁ କ୍ଷମତାକୁ ସେନା ଦଖଲ କରିଥିଲା। ଶେଷକୁ ତାଙ୍କୁ କାରାଦଣ୍ଡ ଦିଆଗଲା।
ଦୀର୍ଘ ଏକ ଦଶନ୍ଧିରୁ ଅଧିକ ସମୟ ଆତ୍ମଗୋପନ ପରେ ନୱାଜଙ୍କୁ ପାକିସ୍ତାନ ସୁପ୍ରିମକୋର୍ଟ ଅଯୋଗ୍ୟ ଘୋଷଣା କରି ଦଶବର୍ଷ କାରାଦଣ୍ଡାଦେଶ ଦେଲା। ସେ ଚିକିତ୍ସା ନିମନ୍ତେ ଲଣ୍ଡନ ଯାଇ ସେଠାରୁ ଫେରିଲେ ନାହିଁ। ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ବେନଜୀର ଭୁଟ୍ଟୋ ଦୁଇ ଦୁଇଥର କ୍ଷମତା ଦଖଲ କରିଥିଲେ। ବିଭିନ୍ନ ବିବାଦରେ ଛନ୍ଦି ହେବାପରେ ତତ୍କାଳୀନ ପାକ୍ ରାଷ୍ଟ୍ରପତି ଫାରୁକ ଲେଘାରୀ ତାଙ୍କ ସରକାରକୁ ବରଖାସ୍ତ କରିଥିଲେ। ବେନଜୀର ଦେଶଛାଡି ଦୁବାଇ ଚାଲିଯିବା ପରେ ଦୁବାଇ ଓ ଲଣ୍ଡନରେ ଦୀର୍ଘ ଦଶବର୍ଷରୁ ଅଧିକ ସମୟ ନିର୍ବାଚିତ ଜୀବନ ବିତାଇଥିଲେ। ଶେଷରେ ରାୱଲପିଣ୍ଡିରେ ଏକ ନିର୍ବାଚନୀ ଶୋଭାଯାତ୍ରା କାଳରେ ତାଙ୍କୁ ବିସ୍ଫୋରଣ ଜରିଆରେ ହତ୍ୟା କରାଯାଇଥିଲା। ପାକିସ୍ତାନର ଗଣତାନ୍ତ୍ରିକ ବ୍ୟବସ୍ଥା ଏବଂ ଶାସନତନ୍ତ୍ର ଉପରେ ଦେଶର ସେନାବାହିନୀ ସବୁସମୟରେ ନିଜର ଆଧିପତ୍ୟ ଜାହିର ପ୍ରଚେଷ୍ଟା କରିଆସିଛି ଏବଂ ଏହାକୁ ନେଇ ସାଂଘାତିକ ଅଶାନ୍ତ ପରିସ୍ଥିତି ସୃଷ୍ଟିହୋଇଛି। ଅବଶ୍ୟ ଇମ୍ରାନ ଖାଁ ପ୍ରଧାନମନ୍ତ୍ରୀ ହେବାପରେ ସେ ରାଜନୈତିକ ଓ ପ୍ରଶାସନିକ କ୍ଷେତ୍ରରେ ସେନାର ହସ୍ତକ୍ଷେପ ଯଥାସମ୍ଭବ କମ୍ କରିବା ପ୍ରଚେଷ୍ଟା କରିଥିଲେ। କିନ୍ତୁ ମଙ୍ଗଳବାର ଉଚ୍ଚ ନ୍ୟାୟାଳୟ ପରିସରରେ ଝରକା କାଚ ଭାଙ୍ଗି, ଉପସ୍ଥିତ ଓକିଲ ଓ ଇମ୍ରାନଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କର ମୁକାବିଲା କରି ରେଞ୍ଜର୍ସ ଯେଉଁଭଳି ଭାବରେ ଇମ୍ରାନଙ୍କୁ ସେଠାରୁ ଭିଡିନେଲେ, ତାହା ସେନାର ପତିଆରାକୁ ପୁନଃ ପ୍ରତିପାଦିତ କରିଛି। ଅଭିଯୋଗ ମୁତାବକ ଇମ୍ରାନ ଓ ତାଙ୍କ ପତ୍ନୀ ୫୦୦୦ କୋଟି କଳା ଟଙ୍କାକୁ ଧଳା କରିବାକୁ ଏକ ରିଅଲ ଇଷ୍ଟେଟ ସଂସ୍ଥା ନିକଟରୁ କୋଟି କୋଟି ଟଙ୍କା ଉତ୍କୋଚ ଆକାରରେ ନେଇଥିଲେ। ତାଙ୍କୁ ଗିରଫ କରିବାକୁ ମଙ୍ଗଳବାର ସକାଳେ ପରୱାନା ଜାରି ହୋଇ ଉପରବେଳା ଗିରଫ କରାଗଲା। ତେବେ ଇମ୍ରାନଙ୍କ ବିରୁଦ୍ଧରେ ଏହି ଗୋଟିଏ ନୁହେଁ; ସେ ଦେଶର ବିଭିନ୍ନ ଅଦାଲତରେ ୧୨୧ଟି ମାମଲା ଚାଲିଛି। କେବଳ ଇସଲାମାବାଦରେ ତାଙ୍କ ବିରୋଧରେ ୩୧ଟି ମାମଲା ଓ ଲାହୋରରେ ୩୦ଟି ମାମଲା ରହିଛି। ଏହା ପୂର୍ବରୁ ତାଙ୍କୁ ଗିରଫ କରିବାକୁ ପରୱାନା ଜାରି ହୋଇଥିଲା। କିନ୍ତୁ ଠିକ୍ ସମୟରେ ଇମ୍ରାନ ପଡୋଶୀଙ୍କ ଘର ଦେଇ ଲୁଚି ପଳାଇଥିଲେ। ଦେଶରେ ତାଙ୍କ ସଭା ସମିତି ଓ ଭାଷଣର ପ୍ରସାରଣ ନକରିବାକୁ ସରକାର ମଧ୍ୟ ଗଣମାଧ୍ୟମଗୁଡିକୁ କଡା ନିର୍ଦେଶ ଦେଇଥିଲେ। ଶେଷରେ ଇମ୍ରାନ ଗିରଫ ହେଲେ।
ଏହି ଘଟଣା ପରେ ପାକିସ୍ତାନରେ ଏବେ ବିଦ୍ରୋହର ନିଆଁ ପୁଣି ଜଳିବା ଆରମ୍ଭ ହୋଇଛି। ଇମ୍ରାନଙ୍କ ପାକିସ୍ତାନ ତେହରିକ୍-ଇ-ଇନ୍ସାଫ (ପିଟିଆଇ)ର ହଜାର ହଜାର କର୍ମୀ ଓ ସମର୍ଥକ ପାକିସ୍ତାନ ସେନାର ମୁଖ୍ୟଦପ୍ତର ଏବଂ ଲାହୋରରେ ଥିବା କର୍ପସ୍ କମାଣ୍ଡରଙ୍କ ଘରେ ଭଙ୍ଗାରୁଜା ସହିତ କେତେକ ସ୍ଥାନରେ ନିଆଁ ଲଗାଇ ଦେଇଛନ୍ତି। ଆଗକୁ ପରସ୍ଥିତି ଅଧିକ ଜଟିଳ ହୋଇ ଗୃହଯୁଦ୍ଧ ରୂପ ନେଇପାରେ। ପାକିସ୍ତାନର ସାମ୍ପ୍ରତିକ ଶୋଚନୀୟ ଆର୍ଥିକ ପରିସ୍ଥିତି ଦେଶବାସୀଙ୍କୁ ଉତ୍କ୍ଷିପ୍ତ କରି ରଖିଛି। ଲୋକେ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦରକୁ ନେଇ ବିକ୍ଷୋଭ କରୁଛନ୍ତି। ପାକ୍ ଅଧିକୃତ କାଶ୍ମୀର (ପିଓକେ) ଜନତା ପାକିସ୍ତାନ ସହ ରହିବାକୁ ଚାହୁ ନଥିବା ସ୍ପଷ୍ଟ ଜଣାଇ ଦେଇଛନ୍ତି। ଇମ୍ରାନଙ୍କ ଗିରଫ ନିଆଁରେ ଏହା ଘିଅ ଢାଳିବା ଭଳି ହୋଇଛି। ତେହରିକ-ଇ-ତାଲିବାନ-ପାକିସ୍ତାନ (ଟିଟିପି) ଭଳି କେତେକ ଆତଙ୍କବାଦୀ ସଂଗଠନର ସମର୍ଥନ ରହିଛି। ସାମ୍ପ୍ରତିକ ପରିସ୍ଥିତିରୁ ଫାଇଦା ଉଠାଇବାକୁ ସେମାନେ କଦାପି ସୁଯୋଗ ହାତଛଡା କରିବେନାହିଁ। ପଡୋଶୀ ଦୃଷ୍ଟିରୁ ଏହି ଗୋଳ ଭାରତ ପାଇଁ ସତର୍କ ଘଣ୍ଟି ହୋଇଛି।
Comments are closed.