ବାରୁଦ ଗଦାରେ ନିଆଁଝୁଲ
ଆଜି, ଆମେ ବାରୁଦଗଦାରେ ନିଆଁଝୁଲ ପକେଇ ନିଆଁ ବୋଲି ବାଉଳି ଖାଉଛୁ। ଭକ୍ତକବି କହିଲେ-‘ନିଦାଘ ସମୟ ହେଲେ ହେଁ ଦାରୁଣ ଅଟେ ଜଗତର ମିତ୍ର,…।
ବିଲୁଆମାନଙ୍କ କାନଫଟା ସମବେତ ‘ହୁକେ ହୋ’ ରଡି ଗାଁ ମୁଣ୍ଡରୁ, ଗାଁ ଶ୍ମଶାନରୁ କି ଗାଁ ବିଲମୁଣ୍ଡରୁ ଯେତେବେଳେ ଶୁଭେ ହୁଏ ତା ଗ୍ରାମ୍ୟ ଜୀବନର ଏକ ଭିନ୍ନ ଅନୁଭବ ଓ ଅନୁଭୂତି। ଏ ରଡି ନିର୍ଦିଷ୍ଟ ଭାବେ ତିନିଥର ହୁଏ। ଅଝଟିଆ ଛୋଟଛୋଟ ପିଲା ମା’ ବୁଢ଼ୀମା କୋଳରେ ମୁଣ୍ଡ ଗୁଞ୍ଜି ଦିଅନ୍ତି, ଜାକି ପକାନ୍ତି ତାଙ୍କୁ। ଏମିତିରେ କେତେବେଳେ ନିଦ ହୋଇଯାଏ। ଶେଷ ରଡ଼ି ପାହାନ୍ତିଆ ପ୍ରହର। ଗାଁ ଗଣ୍ଡାରେ ସେତେବେଳେ ଘଣ୍ଟାର ଏତେ ପ୍ରଚଳନ କାଇଁ ଥିଲା? େସମାନେ ସତିକା ଘଣ୍ଟାଧ୍ବନି। ସମୟ ସଚେତନତାର ଅଭ୍ରାନ୍ତ ବାର୍ତ୍ତାକାର। ଗତ ୫୦ ବର୍ଷ ତଳେ ବି ଏ ଅନୁଭୂତି ଓ ଅନୁଭବ ଥିଲା। ମାତ୍ର ଆଜକୁ ଇୟେ ଗପ ଭଳି ପିଲାଙ୍କୁ ଲାଗୁଛି। ଦେଖୁ ନାହାନ୍ତି ଆମେ ପିଲାଦିନୁ ଜାଣିଥିଲୁ ବର୍ଷକ ଛ’ ଋତୁ। କହନ୍ତୁ ତ ପିଲାମାନେ ଏ ଛ’ ଋତୁ କିଏ, ତା’ର ଅନୁଭବ କ’ଣ? ଭକ୍ତକବି ମଧୁସୂଦନ, ଗ୍ରୀଷ୍ମ, ବର୍ଷା, ଶରତ, ହେମନ୍ତ, ଶୀତ ଓ ବସନ୍ତ ପ୍ରଭୃତି ଛ’ ଋତୁର ବର୍ଣ୍ଣନା ବଡ଼ ଚମତ୍କାର ଭାବେ କରିଛନ୍ତି। ମାତ୍ର ଆଜି ସେ ସବୁର ଅନୁଭବ କାଇଁ? ଋତୁଚକ୍ର ଏଇଲେ ଅବାଟିଆ। ଆମ ଦେଶ ଭାରତବର୍ଷ ଗ୍ରୀଷ୍ମ ପ୍ରଧାନ ଦେଶ। ସାଇବମାନେ ଶୀତ ପ୍ରଧାନ ଦେଶର ଲୋକ। ଏଠି ଗ୍ରୀଷ୍ମରେ ସେମାନେ ଜଳି ପୋଡ଼ି ଗଲେ। ଦାର୍ଜିଲିଙ୍ଗ୍, ମସୋରୀ ଆଦି ହିମାଳୟ ପାଦ ଦେଶରେ ଗ୍ରୀଷ୍ମ ନିବାସ ତିଆରିଲେ। କେତେକ ବି ବାହୁଡ଼ିଗଲେ ଏଇ ମାସତକରେ ନିଜ ଦେଶକୁ। ମାତ୍ର ଆମର ଏଥିକୁ କୁ ଖାତିର ଥିଲା? ଗ୍ରୀଷ୍ମ ଋତୁରେ ପଣା ସଂକ୍ରାନ୍ତି ପର୍ବ ଆରମ୍ଭ ହୁଏ। ଘରେ ଘରେ ପଣା। ବେଣାଚେର ଟଙ୍ଗା ହୁଏ। ସେଥିରେ ପାଣି ଛିଞ୍ଚାଯାଏ। କି ଥଣ୍ଡା ଓ ବାସ୍ନା ମ। ଗାଁ ଗାଁରେ ଜଳଛତ୍ରରେ ଦହି, ବେଲ ପଣା ହୁଏ। ଲଣ୍ଡାବଗୁଲି ସର୍ବତ, ପେଟକୁ ସତରେ କି ଥଣ୍ଡା କରେ। ଲଣ୍ଡାବଗୁଲି ତ ପ୍ରତି ଗାଁ ମୁଣ୍ଡରେ ପୋଖରୀ ହିଡ଼ରେ ଖୁନ୍ଦା। ଆଜିର ବରଫ ୟା ତୁଲ କାହିଁ ହେବ? ଚାଳ ଛପର ଘରକୁ ମାଟି ଗୋବର ଲେସା କାନ୍ଥ ଓ ଚଟାଣ ଉପରେ ସେନ୍ତେରା ସପ ମସିଣା କେତେ ସୁଖକର। କାକୁଡ଼ି, ତରଭୁଜ ଖିଆ ତ ଏ ଋତୁର ଏକ ଦାନ ପରି ମନେହୁଏ। ମାତ୍ର ଏ ଦେଶବାସୀ ଏଥିରୁ ହୁଗୁଳି ଗଲେ। ଠାକୁରଙ୍କ ଚନ୍ଦନଯାତ୍ରାରେ ପୋଖରୀରେ ଚାପଖେଳରେ ଗାଁର ସଭିଙ୍କ ଗାଧୁଆରେ ଦିହ ହେମାଳ ହୋଇଯାଏ ଜାଣ। ଋତୁ ଅନୁସାରେ ଏ ଦେଶରେ ପର୍ବପର୍ବାଣି ଋତୁରେ ଅତିରିକ୍ତତାକୁ ଦୂର କରି ଦେଉଥିଲା। ମାତ୍ର ଏବେ ଘଟୁଛି କ’ଣ ?
ଏ ପଣ୍ଡିତେ ବିଲୁଆ ତିନିପହରରେ ରଡ଼ି ପକେଇଲା ପରି, ପ୍ରତି ଋତୁ ଆରମ୍ଭରେ ଛାନିଆ ପ୍ରକଟ କରନ୍ତି। ଗ୍ରୀଷ୍ମ ଆସିଗଲା। ସମ୍ବଲପୁରରେ ଏତେ ଡିଗ୍ରୀ, ବାରିପଦାରେ ସବୁଠୁ ବେଶୀ ତାତି। ସହର ଜଳୁଛି। ଅଂଶୁଘାତରେ ଲୋକଙ୍କ ମୃତ୍ୟୁ- ଏମିତି ସବୁ କୋକୁଆ ଭୟ ସୃଷ୍ଟି କରୁଛନ୍ତି। ଚାଳ ଉଠାଇ ଟିଣ କି ଲୁହାଛଡ଼ର ଛାତ କଲ, ଗାଁ ଦାଣ୍ଡରେ ପିଚୁ। ସେଥିରେ ପୁଣି ଦିନ ଦି ପହରେ ଚା’ କି କଫି। ପଖାଳ କାଇଁ? ଏ ଦି’ ପହରେ ବର୍ଗର, ଆଉ କ’ଣ ଆଉ କ’ଣ ସବୁ ବରଂ ଏ ଗ୍ରୀଷ୍ମ ତାପକୁ ଦ୍ବିଗୁଣିତ କରୁଛି। କଳକାରଖାନା, ଲକ୍ଷଲକ୍ଷ ସଂଖ୍ୟାର ଗାଡ଼ିମୋଟର ଉତ୍ତପ୍ତ ଧୂଆଁ, ବଡ଼ବଡ଼ିଆଙ୍କ ଘରେ ଲଗାଯାଇଥିବା ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ତାଙ୍କୁ ଗ୍ରୀଷ୍ମରେ କି ଶୀତର ସିନା ଅନୁଭବ ଦିଏ ମାତ୍ର ସେଥିରୁ ନିର୍ଗତ ତାତିଲା ବାଷ୍ପ ବିଚରା ପରିବେଶକୁ ଅଧିକ ଉତ୍ତପ୍ତ କରେ ଓ ଗରିବ ପୋଡ଼ି ମରେ ଏ କୃତ୍ରିମ ତାପରେ। ରାସ୍ତା ଚଉଡ଼ା ପାଇଁ ନୃଶଂସ ଭାବେ ଶହେ ବର୍ଷର ପ୍ରକାଣ୍ଡ ଗଛ ସବୁ କାଟି ରାସ୍ତା କଡ଼ରେ ଯୋଉ ଗଡ଼େଇ ଦିଆଯାଉଛି, ତା’ର ହୃଦୟ ବିଦାରକ ବର୍ଣ୍ଣନା ପାଇଁ ଭାଷା କାଇଁ? ଏଙ୍କ ପିଚୁ ରାସ୍ତା, ଝାମୁ ଚଲାକୁ ବଳିଯାଇଛି। ଏ ଗ୍ରୀଷ୍ମରେ ଶହେହାତ ରଡ଼ ନିଆଁରେ ଲୋକେ ଚାଲନ୍ତି। ଏ ଉପାସନା, ଏ ପର୍ବ ଏବେ ବି ଚାଲୁଛି ଗାଁ ରାସ୍ତାରେ। କାଇଁ ପାଦକୁ ଫୋଟକା ହେଉଛି ? ମାତ୍ର ପିଚୁ ରାସ୍ତାର ତରଳ ପିଚୁ ଯା ପାଦରେ ଲାଗିଲା, ତିନିପରସ୍ତ ଚମଡ଼ା ଛାଡ଼ିଲା ଜାଣ।
ଇଂରାଜୀରେ ଗୋଟେ ଶବ୍ଦ ଅଛି ‘ Weather worriness’। ଚତୁର୍ମାସ୍ୟା ଅବିଶ୍ରାନ୍ତ ବର୍ଷାରେ ବ୍ୟସ୍ତ ଗାଁର ବୁଢ଼ୀ ବା ବୋହୂମାନେ ବଡ଼ ବ୍ୟସ୍ତ ହୋଇପଡ଼ନ୍ତି, ‘ନିଆଁଲଗା ବର୍ଷା କିଛି କରାଇ ଦେଉନି’ କହି ଘର ସାରା ଫଟାନ୍ତି। ନିଜେ ବ୍ୟସ୍ତ ହେବା ସହ ସାରା ପରିବାରକୁ ବ୍ୟସ୍ତ କରନ୍ତି। ଆରେ ପ୍ରତିକାର କ’ଣ? ସେମିତି ଗ୍ରୀଷ୍ମରେ ତାତି ବିଷୟରେ ବିରକ୍ତି ଓ ଶୀତରେ ହାଡ଼ଭଙ୍ଗା ଶୀତକୁ ନେଇ ବି ବ୍ୟସ୍ତ ବିରକ୍ତି। ମାତ୍ର ତା’ର ପ୍ରତିକାର ଏମାନେ ଜାଣିଥିଲେ ବି ଆପଣାନ୍ତିନି। ଏବେ ତ ତିନିଋତୁ ମୁଖ୍ୟତଃ ଅନୁଭୂତ ଅନୁଭବ ହେଉଛି। ଆଉ ତିନିଋତୁ ଗଲେ କୁଆଡେ? ମାରେଣା ଷଣ୍ଢକୁ ଦେଖିଲେ, ସଭିଏଁ ବାଟ ଛାଡ଼ି ଦେବା ପରି ଏ ବସ୍ତୁବାଦୀ ଓ ବାଦ ଦଗ୍ଧ ଉଦ୍ଦଣ୍ଡ ଆଧୁନିକଙ୍କୁ ଦେଖି ଏ ତିନିଋତୁ ଛପି ଯାଇଛନ୍ତି। ଯେଉଁଦିନ ଦିଅଁ ଘୋଡ଼ିହେଲେ ସେ ଦିନ ହେଲା ଓଢ଼ଣ ଷଷ୍ଠୀ ଓ ସମସ୍ତେ ସେଇ ଦିନରୁ ହିଁ ଘୋଡ଼ି ହୁଅନ୍ତି ଯେ ବସନ୍ତ ପଞ୍ଚମୀ ଦିନ ଘୋଡ଼ିବସ୍ତ୍ର କାଢ଼ି ଦିଆଯାଏ। ସବୁ ଋତୁ ଆମ ପାଇଁ ପର୍ବ ଥିଲା, ବିଧିର ଆଶୀର୍ବାଦ ଥିଲା। ମାତ୍ର ଆଜି, ଆମେ ବାରୁଦ ଗଦାରେ ନିଆଁଝୁଲ ପକେଇ ନିଆଁ ନିଆଁ ବୋଲି ବାଉଳି ଖାଉଛୁ। ଗ୍ରୀଷ୍ମକାଳ ବିଷୟରେ ଭକ୍ତକବି ମଧୁସୂଦନ ଲେଖିଛନ୍ତି, ‘ନିଦାଘ ସମୟ ହେଲେ ହେଁ ଦାରୁଣ ଅଟେ ଜଗତର ମିତ୍ର, ଜନମାଇ ମେଘ ସାଧେ ପ୍ରାଣୀ-ହିତ ବିଧି ବିଧାନ ବିଚିତ୍ର।’ ସେମିତି ପଦ୍ମ କବିତାରେ ବରଷାକାଳ ବିଷୟରେ କବି ଲେଖିଲେ, ‘ବରଷାକାଳ ଅଟେ ଉଦ୍ଭିଦ ମିତ୍ର, ମାତ୍ର ପଙ୍କଜ ମଲା ନୋହେ ବିଚିତ୍ର। ଜଳ ଗହଳ ହେଲା ତା ପକ୍ଷେ ଯମ ଅତି ସମ୍ପଦ ବାବୁ ମହାବିଷମ।’
ଋତୁଚକ୍ରଙ୍କୁ ଉପଭୋଗ କରିବା ନ ଶିଖିଲେ, ଋତୁଚକ୍ର ସହ ସଂପୃକ୍ତ ପ୍ରାକୃତିକ ଦାନକୁ ନ ଘେନିଲେ, କିଏ ପିଠିରେ ପଡ଼ିବ କହୁନା? ‘ଗୋଦରୀ ଲୋ ତୋ ଗୋଡ଼କୁ ଚାହିଁ, ବାଟ ଠିକ୍ ଅଛି।’ ଆଉ ଏ ପଣ୍ଡିତେଙ୍କ ବିଶ୍ବ ଉତ୍ତପ୍ତ, ଉତ୍ତରମେରୁ ବରଫ ତରଳା ବାଉଳି ବିଷୟରେ ମାଳିକା ବହୁ ପୂର୍ବରୁ କହିଛି। ସୃଷ୍ଟି ମାତ୍ରେ ପ୍ରଳୟ ଓ ପ୍ରଳୟ ମାତ୍ରେ ସୃଷ୍ଟି। ୟେ ତ ତମ ବୈଜ୍ଞାନିକ ସତ୍ୟ ଯେମିତି ଆମ ମହାତ୍ମାମାନଙ୍କ ଭବିଷ୍ୟତ ବାଣୀ ସେମିତି।
Comments are closed.