ଅଦାଲତୀୟ ମୂଲ୍ୟବୋଧ
ପ୍ରଣାମ କରୁଛୁ ଏ ବିଚାରଧାରାକୁ, ବୋଧକୁ ଓ ନ୍ୟାୟକୁ। ସୀତା, ସାବିତ୍ରୀ ଦେଶର ମହିଳାଙ୍କୁ ଏହା ସଶକ୍ତୀକରଣରେ ଯଥାର୍ଥ ମାର୍ଗ ପ୍ରଦାନ କରୁ।
‘ସର୍ବେ ହୋଇବେ ଏକାକାର ନଥିବ ବେଦର ବିଚାର,’ ଅବସ୍ଥା ପହଞ୍ଚିଲାବେଳେ, ଏ ଦେଶରେ ସଂସ୍କାର ସଂସ୍କୃତି ଓ ମୂଲ୍ୟବୋଧ ହଜିଗଲା ଅବସ୍ଥା ହେଲାବେଳେ, ପ୍ରତି ଦେଶପ୍ରାଣ ଭାରତୀୟ ପାଇଁ ଏକ ଅସହାୟ ଅବସ୍ଥା ସୃଷ୍ଟି ହୋଇଛି। ଏତିକିବେଳେ କଲକାତା ଉଚ୍ଚ ନ୍ୟାୟାଳୟଙ୍କ ଏକ ରାୟ ଚମକ ସୃଷ୍ଟି କରିଛି। ପୂର୍ବରୁ ଏ ଦେଶର ଉଚ୍ଚ ନ୍ୟାୟାଳୟମାନେ ଦେଇଥିବା ଅନେକ ରାୟ ଏ ଦେଶ ସଂସ୍କାର ସଂସ୍କୃତି ଅନୁଗତ ହୋଇ ନ ଥିବା ଦେଖାଯାଇଛି। ଯୁବକ-ଯୁବତୀଙ୍କ ଲଗାମଛଡ଼ା ମିଳାମିଶାକୁ ଅନୈତିକ ବୋଲି ଆମ ଦେଶରେ କୁହାଯାଉଥିବା ବେଳେ ମାନ୍ୟବର ଅଦାଲତମାନେ ଏହାକୁ ଅଯଥାର୍ଥ ନୁହେଁ ବୋଲି ରାୟ ପ୍ରକାଶ କରିଛନ୍ତି।
କଲକାତାର ପଶ୍ଚିମ ମେଦିନୀପୁରରେ ୨୦୦୧ ମସିହାରେ ଜଣେ ଯୁବକ ବିବାହ କରିଥିଲେ। ତାଙ୍କ ରୋଜଗାର ଖୁବ୍ କମ୍ ଥିଲା ଓ ପିଲାଙ୍କୁ ଘରୋଇ ଭାବେ ପଢ଼ାଇ ଉପାର୍ଜନ ଅର୍ଥ ମଧ୍ୟ ନିଜ ବାପା ମା’ଙ୍କୁ ଚଳାଇବାରେ ଯଥେଷ୍ଟ ହେଉ ନଥିଲା; ମାତ୍ର ସ୍ତ୍ରୀଙ୍କର ନିଜର ରୋଜଗାର ଥିଲା। ସେ ତାଙ୍କ ଅର୍ଥରୁ କୌଣସି ସାହାଯ୍ୟ ତାଙ୍କ ସ୍ବାମୀଙ୍କୁ ତ ଦେଉ ନଥିଲେ, ବାପ ମାଆଙ୍କଠୁ ଅଲଗା ରହିବାକୁ ବାଧ୍ୟ କରୁଥିଲେ। ମାତ୍ର ଏ ବୃଦ୍ଧ ପିତାମାତାଙ୍କୁ ଛାଡ଼ି ସେ ଯିବେ କେମିତି? ଭାରତୀୟ ସଂସ୍କୃତି ନୁହଁ, ମାନବିକ ସଂସ୍କୃତି ତାଙ୍କ ଶିରା ପ୍ରଶିରାରେ ଲହଡି ଭାଙ୍ଗୁଥିଲା। ତାଙ୍କୁ ଭୀରୁ, ବେରୋଜଗାର, ବେକାର କହି ସର୍ବ ସମକ୍ଷରେ ତାଙ୍କ ସ୍ତ୍ରୀ ତାଙ୍କୁ ଗାଳି ଫଜିତ୍ କରୁଥିଲେ। ଅତିଷ୍ଠ ବିଚରା ସ୍ବାମୀ ପରିବାର ଅଦାଲତରେ ଏକ ମୋକଦ୍ଦମା କରି ଏଭଳି ଅନମନୀୟା ଉଗ୍ରା ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେବାକୁ ପ୍ରାର୍ଥନା କଲେ। ଅଦାଲତ ତାଙ୍କ ପ୍ରାର୍ଥନା ମଞ୍ଜୁର କରି ପ୍ରୋକ୍ତା ସ୍ତ୍ରୀଙ୍କୁ ଛାଡ଼ପତ୍ର ପ୍ରଦାନ ନିର୍ଦେଶ ଦେଲେ। ଉତ୍କ୍ଷିପ୍ତା ମହିଳା ଦିଲ୍ଲୀ ଶୀର୍ଷ ଅଦାଲତରେ ତଳ ଅଦାଲତ ରାୟକୁ ପ୍ରଶ୍ନ କଲେ। ମାତ୍ର ବିଚାରପତିମାନେ ତଳ ପରିବାର ଅଦାଲତର ରାୟ ଯଥାର୍ଥ ବୋଲି ହୃଦୟଙ୍ଗମ କରି, ଏହି ମୋକଦ୍ଦମାକୁ ଖାରଜ କରିଦେଲେ। ତାଙ୍କ ରାୟରେ ଅଦାଲତ ଭାରତୀୟ ନାଗରିକର ସଂସ୍କାରବୋଧ ଓ ମାନବିକ ମୂଲ୍ୟବୋଧ କଥା ସୂଚାଇ ଦେଇଛନ୍ତି। ଅଦାଲତ ତାଙ୍କ ରାୟରେ କହିଛନ୍ତି- ‘ It was the pious obligation of the son to live maintain the parents’. ପୁଅ ପିତାମାତାଙ୍କ ପାଖେ ରହିବା ‘absolutely normal in Indian culture and ethos’. ଅର୍ଥାତ୍ ଭାରତୀୟ ସଂସ୍କୃତିରେ ଜଣେ ସନ୍ତାନ ତା’ର ପିତାମାତାଙ୍କ ପାଖେ ରହିବା ଓ ତାଙ୍କ ସେବା କରିବା ଏକ ପରମ କର୍ତ୍ତବ୍ୟ। ପୁଣି କହିଛନ୍ତି, ବାପା ମାଆଙ୍କ ପାଖେ ରହୁଥିବା ସନ୍ତାନ ଭାରତୀୟ ସଂସ୍କୃତି ଏବଂ ବିଚାରଧାରାର ଏକ ନିତାନ୍ତ ସାଧାରଣ ଘଟଣା। ବିଚାରପତି ସୌଭିନ୍ ସେନ୍ ଏବଂ ଉଦୟ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାର୍ଚ୍ଚ ୩୧ ତାରିଖରେ ଏହି ମହିଳାଙ୍କ ପରିବାର ଅଦାଲତରେ ବିଚାର କରିଥିବା ଆହ୍ବାନକୁ ଖାରଜ କରିଛନ୍ତି ଏବଂ ପ୍ରୋକ୍ତ ସ୍ବାମୀଙ୍କୁ ତାଙ୍କ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେବା ନିର୍ଦେଶକୁ କାଏମ ରଖିଛନ୍ତି। ସ୍ବାମୀଙ୍କୁ ବେକାର ଓ ଭୀରୁ କହିବା ସ୍ତ୍ରୀ ପକ୍ଷେ ନିତାନ୍ତ ଅନୈତିକ ଏବଂ ଏହା ସ୍ବାମୀ ପ୍ରତି ଅପମାନ ବୋଲି ଅଦାଲତ ମତ ଦେଇଛନ୍ତି। ଆମ ସଂସ୍କୃତି ସଂସ୍କାରରେ କୁହାଯାଇଛି- ପିତା ଧର୍ମ ପିତା ସ୍ବର୍ଗ ପିତାହି ପରମତପଃ ପିତରି ପ୍ରୀତିମାପନ୍ନେ ପ୍ରିୟନ୍ତେ ସର୍ବଦେବତାଃ। ଅର୍ଥାତ୍ ପିତାମାତା ଯାହା ଉପରେ ସନ୍ତୁଷ୍ଟ ହୋଇଥାନ୍ତି, ସେ ଆପେ ଆପେ ସବୁ ଦେବଦେବୀଙ୍କ ପ୍ରିୟ ହୋଇଯାଏ। ଆଉ ଆମ ଦେଶର ସ୍ବାମୀ-ସ୍ତ୍ରୀ ସମ୍ବନ୍ଧ ସମଗ୍ର ବିଶ୍ବରେ ଥିବା ଏ ସମ୍ବନ୍ଧଠାରୁ ବହୁଭାବେ ଉଚ୍ଚକୋଟୀର। ଇଂରେଜୀରେ ମଧ୍ୟ କୁହାଯାଇଛି- Marriages are made in heaven ଅର୍ଥାତ୍ ବିବାହ ସମ୍ବନ୍ଧ ସ୍ବର୍ଗରୁ ହିଁ ନିର୍ଦ୍ଧାରିତ ହୋଇଥାଏ। ସ୍ତ୍ରୀର ଶଙ୍ଖା ସିନ୍ଦୂର ଓ ସ୍ବାମୀର ଏକପତ୍ନୀ ବ୍ରତର ଉଦାହରଣ ବିଶ୍ବର ଅନ୍ୟ କେଉଁଠି କାହିଁ? ସେଇଥିପାଇଁ ଏ ଦେଶରେ ବାଲ୍ମୀକି, ବିଶ୍ବାମିତ୍ର ପ୍ରମୁଖ ଧର୍ମଜ ସନ୍ତାନମାନେ ଜନ୍ମ ନେଉଥିଲାବେଳେ ଏବେ କିନ୍ତୁ ଏ ସମ୍ପର୍କକୁ ତେଢ଼ା କରି ଫଳତଃ କାମଜ ସନ୍ତାନସନ୍ତତି େଦୗରାତ୍ମ୍ୟ ଆରମ୍ଭ କରିଛନ୍ତି।
ପ୍ରଣାମ କରୁଛୁ ଏ ବିଚାରଧାରାକୁ, ବୋଧକୁ ଓ ନ୍ୟାୟକୁ। ସୀତା, ସାବିତ୍ରୀ ଦେଶର ମହିଳାମାନଙ୍କୁ ଏହା ସଶକ୍ତୀକରଣରେ ଯଥାର୍ଥ ମାର୍ଗ ପ୍ରଦାନ କରୁ। ଏକାନ୍ନବର୍ତ୍ତୀ ପରିବାର, ବସୁଧୈବ କୁଟୁମ୍ବକମ୍ର ଇଏ ଦେଶ।
Comments are closed.