ଆମେ ବଦଳୁଛେ। ଚିତ୍ର-ଚରିତ୍ର, ଚାଲିଚଳନ, ପାରିବାରିକ ଓ ସାମାଜିକ ସମ୍ପର୍କ, ଏପରିକି ଆମ କଥା କହିବା ଶୈଳୀ ଯାହାକି ଭାଷାକୁ ପ୍ରଭାବିତ କରୁଛି, ସବୁ ଆପେ ଆପେ ବଦଳିବା ଆରମ୍ଭ କରିଛି। ଖାଦ୍ୟରୁଚି ମଧ୍ୟ ଏହି ପ୍ରକ୍ରିୟାରୁ ବାଦ୍ ପଡ଼ିନି। ଆମ ପରମ୍ପରା ଓ ସଂସ୍କାରର ଆଧାରଶିଳାକୁ ପଛରେ ପକାଇଦେଇ ଯେଉଁ ଦିଗକୁ ମୁହାଁଇଛେ ତାହାର ଶେଷ ପରିଣତି କ’ଣ ? ଏହି ‘କ’ଣ’ର ଉତ୍ତର ମୁଦ୍ରିତ ଗଣମାଧ୍ୟମଠାରୁ ଆରମ୍ଭ କରି ସାମାଜିକ ଗଣମାଧ୍ୟମରେ ପରଷା ଯାଉଥିବା ବିବାଦରୁ ଆପଣମାନେ ନିଶ୍ଚୟ ଅବଗତ ଥିବେ। ଏକଥା ଆମକୁ ସ୍ବୀକାର କରିବାକୁ ହେବ ଯେ ଅପରାଧପ୍ରବଣତା କେବଳ ଆମ ରାଜ୍ୟରେ ନୁହେଁ ସମଗ୍ର ଦେଶରେ ବୃଦ୍ଧି ପାଇଛି। ଏହି ପରିସ୍ଥିତି ପାଇଁ ଆମେ ସମସ୍ତେ ଅଳ୍ପ ବହୁତେ ଦାୟୀ। ବହୁ ଜ୍ଞାନୀ, ଗୁଣୀ ଓ ବୁଦ୍ଧିଜୀବୀ ପାଠକ ଅପରାଧମୂଳକ ସମ୍ବାଦକୁ ଯଥାସମ୍ଭବ ଏଡ଼ାଇବାପାଇଁ ଆମକୁ ପରାମର୍ଶ ଦେଇଆସିଛନ୍ତି। ଅଥଚ ପ୍ରତି ଅଞ୍ଚଳ ଓ ଗାଁଗଣ୍ଡା ଆଦୌ ଅପରାଧମୁକ୍ତ ନୁହେଁ। ଅପରାଧକୁ ବାଦ ଦେଲେ ଆଉ ଯାହା ଆମ ପୃଷ୍ଠା ମଣ୍ଡନ କରୁଛି, ତାହା ହେଲା ମିଛ ପ୍ରତିଶ୍ରୁତି। ଏସବୁ ଏଠାରେ ଉଲ୍ଲେଖ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା, ଯେଉଁ ଚାରିତ୍ରିକ ସ୍ଖଳନ ସବୁ ସ୍ତରରେ ଅନୁଭୂତ ହେଉଛି, ତାହାକୁ ତର୍ଜମା କରି ସେଥିରେ ଯଥାସମ୍ଭବ ସଂଶୋଧନ ଆଣିବାର ପ୍ରୟାସ ବା ପ୍ରଚେଷ୍ଟା ଆରମ୍ଭ ହେବା ଉଚିତ।
ଆଜିକାଲିର ପିଲାମାନେ ବାଟ ହୁଡୁଛନ୍ତି। ସେଥିପାଇଁ ଦାୟୀ କ’ଣ କେବଳ ଅଭିଭାବକ ଓ ବାପାମାଆ? ଗୋଟିଏ ବୟସର ସୀମା ମଧ୍ୟରେ ସେମାନେ ବାପାମାଆଙ୍କ ନିୟନ୍ତ୍ରଣରେ ଥା’ନ୍ତି। ତା’ପରେ ସାଙ୍ଗସାଥି ଓ ପରିବେଶ ପ୍ରଭାବରେ ସେମାନେ ଚହଲି ଯାଇଥାନ୍ତି। ପୁଣିଥରେ ସେମାନଙ୍କୁ ବାଟକୁ ଫେରାଇ ଆଣିବା ଏତେ ସହଜ ନୁହେଁ। ଏହା ଅର୍ଥ ନୁହେଁ, ପିଲାଙ୍କୁ କଠୋର କଟକଣା ବା ନଜରବନ୍ଦୀ କରି ରଖାଯାଇପାରିବ। ଏଠାରେ ପୁଣିଥରେ ମନେପକାଇବା, ଆମେ ସମସ୍ତେ ସମୟ ସହ ତାଳ ଦେଇ ବଦଳିବା ଆରମ୍ଭ କରିଛେ। ନେଟ୍ସଂଯୁକ୍ତ ସ୍ମାର୍ଟଫୋନ୍ ସମଗ୍ର ବିଶ୍ବର ପାରିବେଶିକ ସ୍ଥିତିକୁ ସଙ୍କୁଚିତ କରିଛି। ସମ୍ପ୍ରସାରିତ ଅନ୍ଲାଇନ୍ ସପିଙ୍ଗ୍ ସୁଯୋଗ ସମସ୍ତଙ୍କୁ ବିଚିତ୍ର ପୋଷାକ ପରିଧାନ ପାଇଁ ପ୍ରଲୁବ୍ଧ କରିଛି। ସେହିଭଳି ଖାଦ୍ୟରୁଚି ମଧ୍ୟ। ଆମ ପାରିବାରିକ ପିଠାପଣା ପ୍ରତି କାହାର ଆଗ୍ରହ ନାହିଁ। ସନ୍ଧ୍ୟା ହେଲେ ମୋମୋ ଦୋକାନରେ ପିଲାଙ୍କୁ ଧରି ମାଆମାନେ ହାଜର ହୋଇଯାଆନ୍ତି। କ୍ରମେ ଘରେ ରୋଷେଇ ସଂସ୍କୃତି ହଜିଯିବା ଆରମ୍ଭ କରିଛି। ସକାଳ ଓ ସନ୍ଧ୍ୟାରେ ଜଳଖିଆଠାରୁ ଆରମ୍ଭ କରି ରାତ୍ରିଭୋଜନ ବଜାରରୁ ଆସୁଛି; ନହେଲେ ଖାଦ୍ୟ ଯୋଗାଣକାରୀ ସଂସ୍ଥାକୁ ଅନ୍ଲାଇନରେ ବରାଦ କରିଦେଲେ ସବୁ ଖାଦ୍ୟସାମଗ୍ରୀ ଘରେ ଆସି ପହଞ୍ଚିଯାଉଛି। ପତି-ପତ୍ନୀ ଦୁଇପ୍ରାଣୀ କର୍ମଜୀବୀ ହୋଇଥିଲେ ସେମାନଙ୍କ କଥା ନିଆରା। ଏମିତିକି ଗୃହିଣୀ ବା ‘ହୋମ୍ ମେକର’ ମଧ୍ୟ ରୋଷେଇ କରିବାକୁ କୁଣ୍ଠିତ। ସେମାନଙ୍କର ସମୟ କଟୁଛି କିଟି ପାର୍ଟି କିମ୍ବା ସାଙ୍ଗସାଥୀ ଧରି ଉଦ୍ଭଟ ଚଳଚ୍ଚିତ୍ର କିମ୍ବା ଧାରାବାହିକ ଦେଖି ସମୟ ବିତାଇବାରେ। ତେଣିକି ପିଲାଙ୍କ ପାଠ ପଢ଼ାଇବା ଦାୟିତ୍ବ ଟ୍ୟୁସନ ମାଷ୍ଟ୍ରଙ୍କର। ଏହି ପାରିବାରିକ ଜୀବନରେ ଟିକିଏ ବ୍ୟତିକ୍ରମ ଘଟିଲେ ପାଟିତୁଣ୍ଡ ଓ ହିଂସା ଆରମ୍ଭ ହୋଇଯାଏ। ଏ ସବୁ ଜୀବନଶୈଳୀକୁ ଆକଟ କରିବା ପାଇଁ ଆଉ ଯୌଥ ପରିବାରର ମୁରବିପଣିଆ ନାହିଁ। ଟିଭି ସଂସ୍କୃତିରୁ ଆମର ଭାଷା ମଧ୍ୟ ବଦଳିଛି। କେବଳ ମାତୃଭାଷା ନୁହେଁ ଅନ୍ୟ କୌଣସି ଭାଷାରେ ସେଭଳି ଦଖଲ ନାହିଁ ବହୁ ଲୋକଙ୍କର। ହିନ୍ଦୀ, ଇଂରାଜୀ ଓ ଓଡ଼ିଆ ଭାଷା ମିଶ୍ରଣରେ ଆମେ କିମ୍ଭୁତକିମାକାର ଭାଷାକୁ ଗ୍ରହଣ କରିନେଇଛେ।
କଥା ଏତିକିରେ ସରିନାହିଁ। ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯେତେସବୁ ମୁହୂର୍ତ୍ତର ସ୍ବତନ୍ତ୍ର ଗୁରୁତ୍ବ ଅଛି ତାହାକୁ ମନେଇବାର ଶୈଳୀ ମଧ୍ୟ ଆଜିକାଲି ବଦଳିଛି। ସତେ ଯେମିତି ମଦ ପିଇବା ପାଇଁ କେବଳ ଏକ ବାହାନା ଦରକାର। ତେଣୁ ସବୁ ଉତ୍ସବମୁଖର ଘଟଣାକୁ ‘ଚିୟର୍ସ’ ମାଧ୍ୟମରେ ଉପଭୋଗ କରାଯାଉଛି। ଗୁରୁ ଓ ଲଘୁ ନିର୍ବିଶେଷରେ ଏ ପ୍ରକାର ଉତ୍ସବର ଅଂଶୀଦାର ହେଉଛନ୍ତି। ମଦ ଏବେ ବହୁ ଲୋକଙ୍କ ଜୀବନର ଅଂଶବିଶେଷ ପାଲଟିଛି। ଗାଁରୁ ସହର ପର୍ଯ୍ୟନ୍ତ କାହାକୁ ବାଦ ଦେଇନି ମଦ, ତେଣିକି ସେ ନିର୍ବାଚନ ପ୍ରଚାର ହେଉ ବା ଗ୍ରାମୀଣ ଯାନିଯାତ୍ରା। ନିଶାରେ ଅଣାୟତ୍ତ ମଣିଷ କ’ଣ ବା କରି ନପାରେ। ତେଣୁ ଅପରାଧ ବଢ଼ିବ ହିଁ ବଢ଼ିବ। ତାକୁ ରୋକିବା ଏତେ ସହଜ ନୁହେଁ। ଏହି ମଦ ଯେ ଦାରିଦ୍ର୍ୟ ଓ ପାରିବାରିକ ବିଶୃଙ୍ଖଳାର ଅନ୍ୟ ଏକ କାରଣ ତାହାକୁ ଅସ୍ବୀକାର କରିହେବ ନାହିଁ। ମାଟି ଓ ଜଙ୍ଗଲର ମଣିଷ ରୂପେ ପରିଚିତ ଆଦିବାସୀ ଜନଜୀବନରେ ନିଶା ଏକ ଅଂଶ ବିଶେଷ; ତଥାପି ଏହା ଯେ ପାରିବାରିକ ଜୀବନକୁ ଉଜାଡ଼ି ଦେଉଛି ସେ ନେଇ ଆଦିବାସୀ ମହିଳାଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କଠାରେ ଆପତ୍ତି କରାଯାଇଥିଲା। ସେତେବେଳେ ବିଜୁବାବୁ ସ୍ବତନ୍ତ୍ର କ୍ଷମତା ଦେଇ କାଶୀପୁର (ରାୟଗଡ଼ା) ଅଞ୍ଚଳର ସୁମନୀ ଝୋଡ଼ିଆଙ୍କୁ ମଦ ବିରୋଧୀ ଅଭିଯାନ ଚଳାଇବାକୁ ପ୍ରୋତ୍ସାହିତ କରିଥିଲେ। ଏ କ୍ଷେତ୍ରରେ ତାଙ୍କର ସଫଳତା ଏକ ଭିନ୍ନ କାହାଣୀ।
ଅବକାରୀ ରାଜସ୍ବ ଉପରେ ସରକାରଙ୍କ ନିର୍ଭରଶୀଳତାକୁ ଅସ୍ବୀକାର କରିହେବନି। ମଦ ଉପରେ ନିଷେଧାଦେଶ ଜାରି କଲେ ସରକାର କେବଳ ରାଜସ୍ବ ହରାଇବେନି, ଚୋରା କାରବାର ଓ କଳାବଜାର ଏଭଳି ଚାଲିବ ଯେ ତାହା ରାଜ୍ୟରେ ସମାନ୍ତରାଳ ଅର୍ଥନୀତି ପାଇଁ ପଥ ପରିଷ୍କାର କରିବ। ମଦ କ୍ରୟ ସହ ଯଦି ଆଧାର କାର୍ଡକୁ ସଂଯୋଗ କରାଯାଇପାରନ୍ତା ତେବେ ମଦୁଆଙ୍କୁ ଚିହ୍ନଟ କରିବାରେ କିଛି ଅସୁବିଧା ହେବ ନାହିଁ ବୋଲି ଆସିଥିବା ଏକ ପ୍ରସ୍ତାବ ବିଚାରଯୋଗ୍ୟ, କାହିଁକିନା ଏପରି ହେଲେ ସେମାନଙ୍କୁ ସରକାରୀ ସହାୟତାରୁ ବଞ୍ଚିତ କରି ନୈତିକ ଓ ଆର୍ଥିକ ଚାପ ସୃଷ୍ଟି କରାଯାଇପାରନ୍ତା। ଏହି ବିକଳ୍ପ ପ୍ରସ୍ତାବର ମୁଖ୍ୟ ଉଦ୍ଦେଶ୍ୟ ହେଲା, ଲୋକଙ୍କ ମଧ୍ୟରେ ସଂଯମ ସୃଷ୍ଟି କରିବା ଓ ଅପରାଧପ୍ରବଣତାକୁ ରୋକିବା।



