ବ୍ୟବସ୍ଥାରେ ବ୍ୟତିକ୍ରମ

ଅନ୍ୟମାନଙ୍କ ସହ ତାଳଦେଇ ଆମ ରାଜ୍ୟର ବିକାଶ ହେଉ; କିନ୍ତୁ ସେମାନଙ୍କ ଅବିଗୁଣକୁ ଆଦରି ନେବାର ପରିସ୍ଥିତି ସୃଷ୍ଟି ନହେଉ

ଜାତୀୟ ଦୃଶ୍ୟପଟରେ ଆମ ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ବତନ୍ତ୍ର ମର୍ଯ୍ୟାଦା ଓ ସମ୍ମାନ ରହିଛି। ବିଶେଷକରି ସାମାଜିକ ଏବଂ ରାଜନୈତିକ ଜୀବନଧାରା ଓ ଚଳଣି ଦୃଷ୍ଟିରୁ ଆମେ ଅନ୍ୟମାନଙ୍କଠାରୁ ଅଧିକ ଶୃଙ୍ଖଳିତ ଓ ଶାନ୍ତିପ୍ରିୟ। ପାରସ୍ପରିକ ବୁଝାମଣା ଓ ସମ୍ବେଦନଶୀଳତା ଦୃଷ୍ଟିରୁ ଅପେକ୍ଷାକୃତ କମ୍‌ ବି​‌େ​‌ଦ୍ବଷ ଓ ବିଶୃଙ୍ଖଳା ପରିଲକ୍ଷିତ ହୋଇଥାଏ। ସମଗ୍ର ଦେଶରେ ପରିବର୍ତ୍ତିତ ରାଜନୈତିକ ବିଚାରକୁ ନେଇ ଯେଉଁ ସଂଘାତ ଉପୁଜୁଛି, ସେଥିରୁ ଓଡ଼ିଶା ଯଥେଷ୍ଟ ଦୂରରେ ରହିଛି ଦର୍ଶାଇ କେହିକେହି ଆମର ପ୍ରଶଂସା କରିଥାନ୍ତି; କିନ୍ତୁ କେଜାଣି କ’ଣ ହୋଇଛି ପ୍ରାୟ ବର୍ଷେ ଦୁଇବର୍ଷ ହେଲା ଆମର ସେହି ପୂର୍ବ ଗୌରବ କ୍ରମେ କ୍ଷୁଣ୍ଣ ହେବାରେ ଲାଗିଛି। ସବୁ କେମିତି ନିୟନ୍ତ୍ରଣ ବାହାରକୁ ଯିବାର ଉପକ୍ରମ କରୁଛି। ଅାପରାଧିକ କାର୍ଯ୍ୟକଳାପ କ୍ରମାଗତ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି। ସ୍ବତଃ ମନକୁ ଆସେ, ଏଠି ତ ରାଜନୈତିକ ଅସ୍ଥିରତା ଉପୁଜିନି। ନିରଙ୍କୁଶ ଶାସନର ସ୍ଥିରତା ବଳବତ୍ତର ରହିଛି। ତେବେ ବ୍ୟବସ୍ଥାରେ ଏହି ବ୍ୟତିକ୍ରମ କାହିଁକି? ବୁଦ୍ଧିଜୀବୀ ମହଲରେ ଘଟଣା ପ୍ରବାହର ଯେଉଁ ବ୍ୟବଚ୍ଛେଦ ହେଉଛି ତାହା ଆମ କାନରେ ପଡ଼ିଲେ ମଧ୍ୟ ସେସବୁ ଗ୍ରହଣୀୟ ହେଉନି।
ଏମିତିରେ ଦେଖିଲେ, ଆମ ରାଜ୍ୟରେ ରାଜନୈତିକ ହିଂସାର ସୁଯୋଗ ନାହିଁ; କାରଣ ଜାତିଗତ-ଧର୍ମୀୟ ବିଭେଦ ଓ ବି​‌େ​‌ଦ୍ବଷ ପ୍ରାୟ ନାହିଁ କହିଲେ ଚଳେ। ତେଣୁ ପ୍ରଚାର ଓ ପ୍ରତିଦ୍ବନ୍ଦ୍ବିତା ସେ ଦୃଷ୍ଟିରୁ ପ୍ରଭାବଶୂନ୍ୟ। ଅନ୍ୟ ଦିଗଟି ହେଲା, ପ୍ରବଳ ପରାକ୍ରମୀ ବିରୋଧୀଦଳ ପକ୍ଷରୁ କ୍ଷମତାସୀନ ଦଳ ପ୍ରତି ବିପଦ ମଧ୍ୟ ନାହିଁ। ଏବେ ମଧ୍ୟ ନବୀନଙ୍କ ନାଁରେ ଏକତରଫା ନିର୍ବାଚନ ପରିଚାଳିତ ହେଉଛି। ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ସରକାରଙ୍କ ପ୍ରତି ରହିଥିବା ବିରୋଧାଭାସ ମଧ୍ୟ ଖୁବ୍‌ କ୍ଷୀଣ। ତେଣୁ ସମ୍ଭାବ୍ୟ ବିପଦ ନେଇ ଆତଙ୍କିତ ହେବାର କୌଣସି କାରଣ ନାହିଁ। ଉଲ୍ଲେଖଯୋଗ୍ୟ, ନବୀନଙ୍କ ନେତୃତ୍ବର ପ୍ରାରମ୍ଭିକ ଅବସ୍ଥାରେ ଫୁଲବାଣୀର ଜଲେଶପଟ୍ଟା ଆଶ୍ରମରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କୁ ଯେଭଳି ନୃଶଂସ ଭାବେ ହତ୍ୟା କରାଯାଇଥିଲା ତାହାକୁ କେନ୍ଦ୍ରକରି ରାଜ୍ୟରେ ସାଂପ୍ରଦାୟିକ ଧାରାରେ ବିଭାଜନ ଓ ବ​ି‌େ‌ଦ୍ବଷର କ୍ଷେତ୍ର ପ୍ରସ୍ତୁତ ହୋଇଥିଲା। ସେ ଯାହାହେଉ ଅତି ସତର୍କତାର ସହ ଏଭଳି ଏକ ବି​‌େ​‌ଦ୍ବଷର ବିଷମଞ୍ଜି ବୁଣିବାକୁ ନବୀନ ସୁଯୋଗ ଦେଇନଥିଲେ। ଏହି ଘଟଣା ପୂର୍ବରୁ ବାରିପଦାରେ ଖ୍ରୀଷ୍ଟିଆନ ମିସନାରୀ ଗ୍ରାହାମ୍‌ ଷ୍ଟେନ୍ସ ଓ ତାଙ୍କ ଦୁଇପୁତ୍ରଙ୍କୁ ନିଆଁରେ ପୋଡ଼ି ମାରିଦିଆଯିବା ଆମ ରାଜ୍ୟର ଅନ୍ୟତମ କଳଙ୍କିତ ଅଧ୍ୟାୟ। ସମୟ ବଦଳିବା ସହ ଆମ ରାଜ୍ୟ ସାଂପ୍ରଦାୟିକ ବି​‌େ​‌ଦ୍ବଷରୁ ମୁକ୍ତ ରହିଆସିଛି। ଓଡ଼ିଶାବାସୀଙ୍କ କୁଳଦେବତା ରୂପେ ପୂଜିତ ଶ୍ରୀଜଗନ୍ନାଥ ସର୍ବଧର୍ମ ସମନ୍ବୟ ଓ ମାନବବାଦର ପ୍ରତୀକ। ସେହି ପ୍ରଭାବରେ ଓଡ଼ିଶାର ଜନଜୀବନ ଅନୁପ୍ରାଣିତ। ତେଣୁ ଜାତୀୟ ସ୍ତରର ଗତି ଓ ପ୍ରକୃତିଠାରୁ ଆମେ ଯେ ଭିନ୍ନ, ତାହା ବିଭିନ୍ନ ସମୟରେ ପ୍ରମାଣିତ ହୋଇଛି।
ଏଭଳି ଏକ ମହାନ୍‌ ପରମ୍ପରା ଓ ଚଳଣିର ଭାଗୀଦାର ହୋଇଥିବା ଓଡ଼ିଶାର ଜନସାଧାରଣ ହଠାତ୍‌ କାହିଁକି ହିଂସାମୁଖୀ ହୋଇପଡ଼ିଛନ୍ତି? ସମୟ ବଦଳିଛି; ଆମ ଚଳଣି ବଦଳିଛି। କ୍ଷମତା ନିଶାର ଅହଂକାରରେ ଅାମେ ମସଗୁଲ। ଗ୍ରାମୀଣ ଜୀବନର ଭାଇଚାରାରେ ରାଜନୀତି ବିଭେଦର ମଞ୍ଜି ବୁଣିଛି। ଦଳୀୟ ସମର୍ଥନ ଭିତ୍ତିରେ ଗାଁଗାଁରେ ସମ୍ପର୍କର ବାଡ଼ ପଡ଼ିଛି। ଭଲମନ୍ଦ, ମଲାମୃତିକିଆରେ ସହାୟତାର ହାତ ବଢ଼ାଇବାକୁ କୁଣ୍ଠା ପରିଲକ୍ଷିତ ହେଉଛି। ଅବଶ୍ୟ ସହରୀ ଜୀବନର ଚଳଣି ଭିନ୍ନ। ଶାସକ ଓ ବିରୋଧୀଙ୍କ ମଞ୍ଚ ଭିନ୍ନ ଥିଲେ ମଧ୍ୟ ଘରୋଇ ଜୀବନରେ ସମ୍ପର୍କ ଅତୁଟ ରହିଛି। ତେଣୁ ଗ୍ରାମାଞ୍ଚଳରେ ଉପୁଜୁଥିବା ହିଂସା ସହରାଞ୍ଚଳରେ ଅପେକ୍ଷାକୃତ କମ୍‌। ଏହାକୁ ରୋକିବା ଦାୟିତ୍ବରେ ଥିବା ପୁଲିସ, କ୍ଷମତା ଓ କ୍ଷମତାସୀନ ଦଳର ଅଂଶବିଶେଷ ହୋଇପଡ଼ିଥିବାରୁ ସାଧାରଣ ଲୋକ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି। ତୃଣମୂଳ ସ୍ତରରେ ପ୍ରଶାସନ ଓ ପୁଲିସର ନିରପେକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେଣୁ କିଛି ଲୋକ ବେଲଗାମ ହୋଇ ହିଂସା ଭିଆଉଛନ୍ତି। ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହ ବିଭାଗ ଦାୟିତ୍ବରେ ଅଛନ୍ତି। ତାଙ୍କ ପ୍ରତି ରାଜ୍ୟବାସୀଙ୍କ ଥିବା ଆସ୍ଥା ଓ ବିଶ୍ବାସ ଯୋଗୁଁ ପ୍ରଶ୍ନ କରିବାର ଦମ୍ଭ କାହାର ନାହିଁ। ବେଳେବେଳେ ମନରେ ସନ୍ଦେହ ଉପୁଜେ ନବୀନଙ୍କ ପାଖରେ ସବୁ ସ୍ତରର ଖବର ପହଞ୍ଚୁଛି ତ? ନା ସେସବୁ ଛାଣି ହୋଇଯାଉଛି? ଇଏ ଅଖଣ୍ଡ ବିଶ୍ବାସର କଥା। ଏ କ୍ଷେତ୍ରରେ କିଛି ପେଞ୍ଚପାଞ୍ଚ ନ ରହିବା ସମସ୍ତେ ଚାହାନ୍ତି। ସେ କେବଳ ରାଜ୍ୟବାସୀଙ୍କ ମୁଖ୍ୟମନ୍ତ୍ରୀ ନୁହନ୍ତି, ସବୁ ପରିବାରର ମୁରବି ମଧ୍ୟ। ଅନ୍ୟମାନଙ୍କ ସହ ତାଳ ଦେଇ ଆମ ରାଜ୍ୟର ବିକାଶ ହେଉ; କିନ୍ତୁ ସେମାନଙ୍କ ଅବିଗୁଣକୁ ଆଦରି ନେବାର ପରିସ୍ଥିତି ସୃଷ୍ଟି ନହେଉ।

Comments are closed.