ଚୀନ-ଭାରତ ସମ୍ବନ୍ଧ

ଚୀନ ବିଦେଶ ମନ୍ତ୍ରୀଙ୍କ ଅଘୋଷିତ ଭାରତ ଗସ୍ତ ପଛରେ ତା’ର ସ୍ବାର୍ଥ ରହିଥିଲେ ହେଁ ଭାରତ ପାଇଁ ମଧ୍ୟ ଏହା ଏକ ଭଲ ସୁଯୋଗ

ପ୍ରାୟ ଦୁଇ ବର୍ଷର ତିକ୍ତ ସମ୍ପର୍କ ପରେ ଚୀନ ଓ ଭାରତ ମଧ୍ୟରେ ଶୁକ୍ରବାର ମୁହାଁମୁହିଁ ଦ୍ବିପାକ୍ଷିକ ଆଲୋଚନା ସମ୍ଭବ ହେବା ଉଭୟ ଦେଶ ପାଇଁ ଏକ ଶୁଭ ସଙ୍କେତ। ଚୀନର ବିଦେଶ ମନ୍ତ୍ରୀ ୱାଙ୍ଗ୍‌ ୟି ଏକ ଅଘୋଷିତ ଭାରତ ଗସ୍ତରେ ଆସି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ସାକ୍ଷାତ କରି ସୀମା ସମସ୍ୟା, ୟୁକ୍ରେନ୍‌ ଯୁଦ୍ଧ ଇତ୍ୟାଦି ସମ୍ପର୍କରେ ଆଲୋଚନା କରିଛନ୍ତି। ପ୍ରକୃତରେ ୱାଙ୍ଗ୍‌ ପାକିସ୍ତାନ ଓ ଆଫଗାନିସ୍ତାନରୁ ଭାରତ ଆସିଛନ୍ତି ଏବଂ ସେ ଏହା ପରେ ନେପାଳ ଯିବାର କାର୍ଯ୍ୟକ୍ରମ ରହିଥିବାରୁ ଏଥିରେ ଚୀନର ରାଜନୀତି କ’ଣ ରହିଛି, ତାହା ଆଗାମୀ ସମୟରେ ହିଁ ଜଣାପଡ଼ିବ। ଚୀନ ମନ୍ତ୍ରୀଙ୍କ ଏହି ଗସ୍ତ କେବଳ ତା’ର ସ୍ବାର୍ଥସିଦ୍ଧି ଉଦ୍ଦେଶ୍ୟରେ ବୋଲି ଜଣାଯାଉଛି; କାରଣ ଚଳିତବର୍ଷ ଚୀନରେ ଚତୁର୍ଦ୍ଦଶତମ ବ୍ରିକ୍ସ (ବ୍ରାଜିଲ୍‌-ରୁଷିଆ-ଇଣ୍ଡିଆ-ଚୀନ-ସାଉଥ୍‌ ଆଫ୍ରିକା) ବୈଠକ ହେବାର ଅଛି ଓ ଚୀନ ଏଥିରେ ଯେମିତି ହେଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତି ଚାହୁଁଛି। ଏଥିରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ ମଧ୍ୟ ଉପସ୍ଥିତ ରହିବାକୁ ଥିବାରୁ ଚୀନ ୟୁକ୍ରେନ୍‌ ଯୁଦ୍ଧ ପରିପ୍ରେକ୍ଷୀରେ ଭାରତକୁ ନିଜ ସପକ୍ଷରେ ନେବାକୁ ଆଶା କରୁଥିବା ବିଚିତ୍ର ନୁହେଁ। ଉଲ୍ଲେଖଯୋଗ୍ୟ ଯେ ଚୀନ ହେଉଛି ରୁଷର ବନ୍ଧୁ ଏବଂ ୟୁକ୍ରେନରେ ଯୁଦ୍ଧ ପାଇଁ ବିଶ୍ବ ସମୁଦାୟରେ ରୁଷ ଏବେ ସମାଲୋଚନାର ଶରବ୍ୟ ହେଉଛି। ଅନ୍ୟପକ୍ଷରେ, ବ୍ରିକ୍ସ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଆମନ୍ତ୍ରଣ କରିବା ବ୍ୟତୀତ ଚୀନ ଭାରତ ସହିତ ଆଗାମୀ ସମୟରେ ଅନେକ ସ୍ତରରେ ଦ୍ବିପାକ୍ଷିକ ସମ୍ବନ୍ଧ ବୃଦ୍ଧି ପାଇଁ ପ୍ରସ୍ତାବ ଦେଇଛି। ବିଶେଷତଃ, ଉଭୟ ଦେଶରେ ‘ଭାରତ-ଚୀନ ସଭ୍ୟତା ବିମର୍ଶ’, ଭାରତ-ଚୀନ ବାଣିଜ୍ୟ ଓ ବିନିଯୋଗ ସହଯୋଗ ମଞ୍ଚ ଓ ଏକ ଭାରତ-ଚୀନ ଚଳଚ୍ଚିତ୍ର ମଞ୍ଚ ଗଠନ ଇତ୍ୟାଦି ପାଇଁ ପ୍ରସ୍ତାବ ଦିଆଯାଇଛି। କେବଳ ସେତିକି ନୁହେଁ; ଚଳିତବର୍ଷ ବ୍ରିକ୍ସ ସମ୍ମିଳନୀ ବ୍ୟତୀତ ରୁଷ, ଚୀନ ଓ ଭାରତ ମଧ୍ୟରେ ତ୍ରିପାକ୍ଷିକ ସମୂହର ବୈଠକ ମଧ୍ୟ ଅନୁଷ୍ଠିତ ହେବ, ଯାହାର ଅଧ୍ୟକ୍ଷତା କରିବ ଚୀନ। ସେଥିରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଂଶଗ୍ରହଣକୁ ଚୀନ ସୁନିଶ୍ଚିତ କରିବାକୁ ଚାହୁଁଛି। ଏହି ଦୃଷ୍ଟିକୋଣରୁ ଚୀନର ବିଦେଶ ମନ୍ତ୍ରୀଙ୍କ ଗସ୍ତକୁ ଦେଖିବାକୁ ହେବ।

ଏଥିରେ ସନ୍ଦେହ ନାହିଁ ଯେ ଚୀନ ଉପରେ ଚାପ ପକାଇବା ପାଇଁ ଭାରତ ନିମନ୍ତେ ମଧ୍ୟ ଏହା ଏକ ସୁଯୋଗ। ଅତୀତକୁ ଦୃଷ୍ଟି ପକାଇଲେ ଆମେ ଦେଖିବା ଯେ ୨୦୧୭ ସେପ୍ଟେମ୍ବରରେ ଚୀନର ଶିଆମେନ୍‌ରେ ଅନୁଷ୍ଠିତ ଏପରି ଏକ ବ୍ରିକ୍ସ ବୈଠକର କିଛି ଦିନ ପୂର୍ବରୁ ହିଁ ଡୋକଲାମ୍‌ ସୀମା ସମସ୍ୟାର ସମାଧାନ ହୋଇପାରିଥିଲା। ଗତ ଦୁଇବର୍ଷ ଧରି ଲଦାଖ ସୀମା ସମସ୍ୟା ଜାରି ରହିଛି। ସୂଚନାଯୋଗ୍ୟ ଯେ ୫ ମେ ୨୦୨୦ରୁ ପୂର୍ବ ଲଦାଖରେ ଉଭୟ ଦେଶର ସୈନ୍ୟ ମୁହାଁମୁହିଁ ହୋଇଥିବାବେଳେ ପରେ ପାଙ୍ଗୋଙ୍ଗ୍‌ ହ୍ରଦ ଅଞ୍ଚଳରେ ରକ୍ତାକ୍ତ ସଙ୍ଘର୍ଷ ଘଟିଥିଲା ଏବଂ ଉଭୟ ଦେଶର ବହୁ ସୈନ୍ୟ ଏଥିରେ ନିହତ ହୋଇଥିଲେ। ଏହି ଘଟଣା ପରଠାରୁ ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ର ଉଭୟ ପଟେ ଚୀନ ଓ ଭାରତ ୫୦ ହଜାର ସରିକି ଅସ୍ତ୍ରଶସ୍ତ୍ରଧାରୀ ସୈନ୍ୟ ମୁତୟନ କରିଥିଲେ। ବାରରୁ ଅଧିକ ଥର ଉଭୟ ଦେଶର ସାମରିକ ଓ କୂଟନୈତିକ ସ୍ତରରେ ଆଲୋଚନା ହେବାପରେ ୨୦୨୧ ଫେବୃଆରୀରେ ପାଙ୍ଗୋଙ୍ଗ୍‌ ହ୍ରଦର ଉତ୍ତର ଓ ଦକ୍ଷିଣ କୂଳରୁ ଉଭୟ ଦେଶର ସୈନ୍ୟ ପ୍ରତ୍ୟାବର୍ତ୍ତନ କରିଥିଲେ। ଅଗଷ୍ଟ ମାସରେ ଗୋଗ୍ରା ଅଞ୍ଚଳରୁ ମଧ୍ୟ ଉଭୟ ଦେଶ ସୈନ୍ୟ ପ୍ରତ୍ୟାହାର କରିଥିଲେ। ତେବେ ଏବେ ମଧ୍ୟ ଚୀନ ଓ ଭାରତ ଏଲ୍‌ଏସିର ଉଭୟ ପଟେ ସୈନ୍ୟସାମନ୍ତ ଠୁଳ କରିଛନ୍ତି। ଏହି ସ୍ଥିତି ନ ସୁଧୁରିବା ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ଚୀନ ଗସ୍ତ କରିବା ରାଜନୈତିକ ଦୃଷ୍ଟିରୁ ଅନୁପଯୁକ୍ତ ଓ କଠିନ ହୋଇପାରେ।
ସୂଚନାଯୋଗ୍ୟ, ଚୀନର ବିଦେଶ ମନ୍ତ୍ରୀ ଭାରତ ଆସିବାର ଅବ୍ୟବହିତ ପୂର୍ବରୁ ପାକିସ୍ତାନରେ ଇସ୍‌ଲାମିକ୍‌ ଦେଶସମୂହର ଏକ ସମ୍ମିଳନୀରେ ଯୋଗ ଦେଇ କାଶ୍ମୀର ପରିପ୍ରେକ୍ଷୀରେ ଯେଉଁ ଆପତ୍ତିଜନକ ଟିପ୍ପଣୀ ଦେଇଛନ୍ତି, ଭାରତ ଯଥାର୍ଥରେ ତାକୁ ତୁରନ୍ତ ଖଣ୍ଡନ କରିଛି। କାଶ୍ମୀର ସମସ୍ୟା ତା’ର ଆଭ୍ୟନ୍ତରୀଣ ବ୍ୟାପାର ଏବଂ ଭାରତ ଯେହେତୁ ଚୀନର କୌଣସି ଆଭ୍ୟନ୍ତରୀଣ ପ୍ରସଙ୍ଗରେ ହସ୍ତକ୍ଷେପ କରୁନାହିଁ, ଚୀନ ମଧ୍ୟ ଭାରତ କଥାରେ ମୁଣ୍ଡ ନ ପୂରାଇବାକୁ ଚେତାବନୀ ଦିଆଯାଇଛି। ଇସ୍‌ଲାମାବାଦରେ ଚୀନ ବିଦେଶମନ୍ତ୍ରୀଙ୍କ ଦ୍ବାରା ପ୍ରଦତ୍ତ କାଶ୍ମୀର ସମ୍ପର୍କିତ ଏ ବିବୃତିର ପ୍ରତିକ୍ରିୟା ଭାରତ ଯେଉଁ କଠୋର ଶବ୍ଦରେ ରଖିଛି, ସେଥିରୁ ମନେହେଉଛି ଯେ ଭାରତର ଆଭିମୁଖ୍ୟରେ ପରିବର୍ତ୍ତନ ଆସିନାହିଁ। ଚୀନ ଦ୍ବିପାକ୍ଷିକ ସମ୍ବନ୍ଧ ସୁଧାରିବା ପରି ମଝିମଝିରେ ଟିପ୍ପଣୀ ଦେଉଥିଲେ ହେଁ ଭାରତର ସୀମା ଭିତରକୁ ନିଜର ସୈନ୍ୟସାମନ୍ତଙ୍କୁ ବାରମ୍ବାର ଅନୁପ୍ରବେଶ କରିବାକୁ ଦେଉଥିବାରୁ ଏହା ଭାରତର ବିଶ୍ବସନୀୟ ନ ହୋଇପାରିବା ସ୍ବାଭାବିକ। ଅନ୍ୟପକ୍ଷରେ ଚୀନର ଆଧିପତ୍ୟବାଦୀ ଓ ବିସ୍ତାରବାଦୀ ନୀତି ସତ୍ତ୍ବେ ଭାରତ ସର୍ବଦା କୂଟନୈତିକ-ରାଜନୈତିକ ସୁସମ୍ପର୍କକୁ ପ୍ରାଧାନ୍ୟ ଦେଇଆସିଛି। ତେଣୁ ଚୀନ ଭାରତରେ ଅନୁପ୍ରବେଶ କରିବା କିମ୍ବା ଭାରତର ପତନ ପାଇଁ ଚକ୍ରବ୍ୟୂହ ରଚନା ନୀତି ପରିତ୍ୟାଗ କରିବା ଉଚିତ। ରାଷ୍ଟ୍ରର ଏକତା ଓ ଅଖଣ୍ଡତା ସର୍ବୋପରି, ଏଥିରେ ଭାରତ କେବେ ସାଲିସ୍‌ କରିବ ନାହିଁ।

Comments are closed.