ପ୍ରଶ୍ନବାଚୀରେ ପରିସଂଖ୍ୟାନ

ପରିସଂଖ୍ୟାନ ଓ ଆମେ ସମ୍ମୁଖୀନ ହେଉଥିବା ପରିସ୍ଥିତି ମଧ୍ୟରେ ତାଳମେଳ ରହୁନଥିବାରୁ ହିସାବନିକାଶ ଉପରେ ସନ୍ଦେହ ଜାତ ହୁଏ

ଦେଶର ଗତି ଓ ଦୁର୍ଗତିକୁ ଅନୁଧ୍ୟାନ କଲେ ମନେହୁଏ ଆଗାମୀ ଦିନରେ ବେକାରୀ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟବୃଦ୍ଧି ହିଁ ହେବ ମୁଖ୍ୟ ପ୍ରସଙ୍ଗ। ଗତ ବିଧାନସଭା ନିର୍ବାଚନରେ ବିରୋଧୀ ଦଳ ଏହାକୁ ଠିକଣା ଭାବେ ଉପସ୍ଥାପନ କରିବାକୁ ଅସାମର୍ଥ୍ୟ ପ୍ରକାଶ କରିଥିବାବେଳେ କ୍ଷମତାସୀନ ଦଳ ଏ କ୍ଷେତ୍ରରେ ବିଫଳତାକୁ ଲୁଚାଇବା ପାଇଁ ଏକାଧିକ ସମ୍ବେଦନଶୀଳ ଦିଗ ସମ୍ପର୍କରେ ଉଲ୍ଲେଖ କରି ମତଦାତାଙ୍କୁ ଭାରାକ୍ରାନ୍ତ କରିଥିଲେ। ଏ ସମ୍ପର୍କରେ ଆଲୋଚନା କଲାବେଳେ ଆମେ କୋଭିଡ୍‌ ମହାମାରୀ ବିପର୍ଯ୍ୟୟକୁ ଅଣଦେଖା କରିପାରିବା ନାହିଁ। କ୍ରମାଗତ ଦୁଇବର୍ଷ ଧରି ବିଭିନ୍ନ ଉତ୍ପାଦନକାରୀ ସଂସ୍ଥା ବନ୍ଦ ରହିବାରୁ ଶ୍ରମିକ ଓ କର୍ମଚାରୀ ଛଟେଇ ଓ ବଜାରରେ ଉପଲବ୍ଧ ନିଅଣ୍ଟିଆ ପରିସ୍ଥିତିର ଏ କ୍ଷେତ୍ରରେ ଥିବା ଗୁରୁତ୍ବପୂର୍ଣ୍ଣ ଭୂମିକାକୁ ଅସ୍ବୀକାର କରିପାରିବାନି। ଏମିତିରେ କୋଭିଡ୍ ପୂର୍ବରୁ ମଧ୍ୟ ଜାତୀୟ ଅର୍ଥନୀତିରେ ଶିଥିଳତା ବା ଧିମାଗତିକୁ ଆମେ ଅନୁଭବ କରିଥିଲେ। ଏଠାରେ ପରିସଂଖ୍ୟାନଗତ ହିସାବ ଉଲ୍ଲେଖ କରି ପାଠକଙ୍କୁ ଅଯଥା ଭାରାକ୍ରାନ୍ତ କରିବାକୁ ଆମେ ଚାହୁଁନା। ତେବେ ଏକଥା ସତ୍ୟ ଯେ ସ୍ଥିତିରେ ଉନ୍ନତି ଘଟୁଛି ଓ ଏହାର ଗତିଶୀଳତାରେ ପ୍ରମୁଖ ବାଧକ ହୋଇଛି ତୈଳଦର ବୃଦ୍ଧି ତଥା ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଅହଙ୍କାର ଯୁଦ୍ଧର ପ୍ରତିକୂଳ ଦିଗ। ସମଗ୍ର ବିଶ୍ବ କରୋନା ପୀଡ଼ାରୁ ସମ୍ପୂର୍ଣ୍ଣ ରୂପେ ମୁକ୍ତ ହୋଇ ନଥିବାବେଳେ ଏହି ଯୁଦ୍ଧ ବିଭୀଷିକାକୁ ସମଗ୍ର ମାନବସମାଜ ଉପରେ ଲଦି ଦିଆଯାଇଛି।

prayash

ଏସବୁ ଏଠାରେ ଉଲ୍ଲେଖ କରିବାର ଉଦ୍ଦେଶ୍ୟ ହେଲା, ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ କୋଭିଡ୍‌ ସଂକ୍ରମଣବେଳେ ସରକାରଙ୍କ ଅପରିଣାମଦର୍ଶିତା ପାଇଁ ଲୋକେ କେବଳ ଯେ ନିଯୁକ୍ତି ହରାଇଲେ ତାହା ନୁହେଁ, ଚିକିତ୍ସା ଅଭାବରୁ ଅନେକ ପୋକମାଛି ପରି ମଲେ। ବିଳମ୍ବରେ ହେଲେ ମଧ୍ୟ ସରକାର ହେଜିଲେ ଓ ସଂଶୋଧନୀ ପଦକ୍ଷେପ ନେଲେ। ଏବେ ଏହି ମହାମାରୀ ସରକାରଙ୍କ ନିୟନ୍ତ୍ରଣକୁ ଆସିଛି। ୧୨ରୁ ଊର୍ଦ୍ଧ୍ବ ବୟସର ସମସ୍ତଙ୍କୁ ପ୍ରତିରୋଧକ ଟିକା ପ୍ରଦାନରେ ଆମେ ସଫଳତା ହାସଲ କରିଛୁ। ଏଥି ମଧ୍ୟରେ ୧୯୦ କୋଟି ପାନ ଟିକା ଲୋକଙ୍କୁ ଦିଆଯାଇସାରିଛି। ଆଉ ସେହି ଆତଙ୍କର ବାତାବରଣ ଦେଶରେ ନାହିଁ। ସରକାର ବୁଝିସାରିଲେଣି, ବେକାରୀ ଓ ବିଭିନ୍ନ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି ନେଇ ଯେଉଁ ଅସନ୍ତୋଷ ମୁଣ୍ଡ ଟେକୁଛି ତାହାକୁ ରୋକିବା ଏତେ ସହଜ ନୁହେଁ। ନିଯୁକ୍ତିର କ୍ଷେତ୍ରକୁ ସଂପ୍ରସାରଣ କରିବା ସକାଶେ ବିଭିନ୍ନ ଘରୋଇ ଉଦ୍ୟୋଗ ପୂରା ଦମ୍‌ରେ ଚାଲିବା ଜରୁରୀ। ତେଣୁ ପ୍ରବର୍ତ୍ତିତ କଟକଣାକୁ ସଂପୂର୍ଣ୍ଣ ମୁକ୍ତ କରାଯିବା ଆବଶ୍ୟକ। ଚୀନ, ଦକ୍ଷିଣ କୋରିଆ, ଭିଏତନାମ୍‌ ଭଳି ପୂର୍ବ ଏସୀୟ ରାଷ୍ଟ୍ର ଏବଂ ଫ୍ରାନ୍ସ ଜର୍ମାନୀ ଭଳି ୟୁରୋପୀୟ ରାଷ୍ଟ୍ରରେ କରୋନା ଭୂତାଣୁର ନୂତନ ପ୍ରଜାତି ଆତଙ୍କର ବାତାବରଣ ସୃଷ୍ଟି କରିଥିଲେ ମଧ୍ୟ ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆସନ୍ତା ମାର୍ଚ୍ଚ ୩୧ରୁ ଭାରତ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫କୁ ପ୍ରତ୍ୟାହାର କରିନେବା ଲାଗି ନିଷ୍ପତ୍ତି ନେଇଛି। ଅବଶ୍ୟ ଆମ ବ୍ୟବହାର ଓ ଚଳଣିରେ ଥିବା ଅନ୍ୟାନ୍ୟ କଟକଣା ବଳବତ୍ତର ରହିବ। ଏସବୁ ସତ୍ତ୍ବେ ମୂଲ୍ୟବୃଦ୍ଧି ଭଳି ଜଟିଳ ସମସ୍ୟା ଏବେ ନିୟନ୍ତ୍ରିତ ସ୍ତରକୁ ଆସିବା ଏତେ ସହଜ ନୁହେଁ। ଏ କ୍ଷେତ୍ରରେ ରୁଷ-ୟୁକ୍ରେନ ଯୁଦ୍ଧ ବଡ଼ ବାଧକ ସାଜିଛି। ଆନ୍ତର୍ଜାତିକ ବଜାରରେ ବର୍ଦ୍ଧିତ ତୈଳ ଏତେ ସହଜରେ ପୂର୍ବସ୍ଥିତିକୁ ଫେରିବାର ସମ୍ଭାବନା ନାହଁ। ମୂଲ୍ୟବୃଦ୍ଧିର ଏହା ଅନ୍ୟତମ ମୁଖ୍ୟ କାରଣ ହୋଇଥିବାବେଳେ ସରକାର ଏହା ଉପରୁ ଆଦାୟ କରୁଥିବା ଉତ୍ପାଦନ ଶୁଳ୍କ ଓ ଭାଟ୍‌ କମାଇବା ସପକ୍ଷରେ ନିଷ୍ପତ୍ତି ନେବା ଉଚିତ। ସ​‌େ​‌ର୍ବାପରି ଯୁଦ୍ଧ ବାତାବରଣ ବହିର୍ବାଣିଜ୍ୟରେ ମଧ୍ୟ ପ୍ରତିବନ୍ଧକ ସୃଷ୍ଟି କରିଛି। ତେଣୁ ଅର୍ଥନୀତି ସୁଧାରଣା ପ୍ରକ୍ରିୟାରୁ ହଠାତ୍‌ କିଛି ସୁଫଳ ମିଳିବାର ଆଶା କମ୍‌।

ପରିସଂଖ୍ୟାନ ଓ ଆମେ ସମ୍ମୁଖୀନ ହେଉଥିବା ପରିସ୍ଥିତି ମଧ୍ୟରେ ତାଳମେଳ ରହୁନଥିବାରୁ ବେଳେବେଳେ ଏହି ହିସାବନିକାଶ ଉପରେ ମନରେ ସନ୍ଦେହ ଜାତ ହୁଏ। ସେହି ସନ୍ଦେହ ଓ ଅବିଶ୍ବାସ ବାହାରେ କିଏ ବା ଗୁରୁତ୍ବ ଦେଉଛି। ତେଣୁ ପରିସଂଖ୍ୟାନ ହିଁ ତଥ୍ୟର କଥା କହେ ବୋଲି ଅନେକେ ମନେ କରନ୍ତି। କରୋନାର ଏହି ବିପର୍ଯ୍ୟସ୍ତ ସ୍ଥିତିରେ ଆମ ରାଜ୍ୟ ଓଡ଼ିଶା ଏକ ଚମକପ୍ରଦ ସଫଳତା ହାସଲ କରିଛି। ଉପାର୍ଜନ ତଥା ନିଯୁକ୍ତି ହରାଇଥିବାରୁ ଦେଶର ନିମ୍ନ ମଧ୍ୟବିତ୍ତ ପରିବାର ଭୟଙ୍କର ଦୈନ୍ୟ ମଧ୍ୟରେ କାଳାତିପାତ କରୁଥିବାବେଳେ ସେମାନଙ୍କ ହାତକୁ କାମ ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଜରୁରୀ ହୋଇପଡ଼ିଛି। ଏଠା​‌େ​‌ର ଉଲ୍ଲେଖଯୋଗ୍ୟ କି ଏକ ଘରୋଇ ଭାରତୀୟ ଅର୍ଥନୀତି ସର୍ବେକ୍ଷଣ ସଂସ୍ଥା ସିଏମ୍‌ଆଇଇ ତା’ ରିପୋର୍ଟରେ ଦର୍ଶାଇଛି ଯେ ଓଡ଼ିଶାର ବେକାରୀ ହାର ସମଗ୍ର ଦେଶରେ ସବୁଠାରୁ କମ୍‌। ଜାତୀୟ ହାର ୭.୫ ପ୍ରତିଶତ ହୋଇଥିବାବେଳେ ଆମ ହାର ୧ ପ୍ରତିଶତ। ଏସବୁ ସତ୍ତ୍ବେ ରାଜ୍ୟରେ ଦାରିଦ୍ର୍ୟ ରହିଛି, ସେଥିରେ ସନ୍ଦେହ ନାହିଁ। ଆମକୁ ମୂଲ୍ୟବୃଦ୍ଧି ରାକ୍ଷସ ସହ ଅନ୍ୟମାନଙ୍କଠାରୁ ଅଧିକ ଯୁଝିବାକୁ ପଡ଼ୁଛି।

Comments are closed.