ଶୀର୍ଷ ସନ୍ଧାନ

କଂଗ୍ରେସ ଦଳରେ କେବଳ ନେତୃତ୍ବ ପରିବର୍ତ୍ତନ ନୁହେଁ, ବୈଚାରିକ ସ୍ତରରେ ମଧ୍ୟ ଏକ ବିବର୍ତ୍ତନ ଆବଶ୍ୟକ; ଏହା କିପରି ଓ କେବେ ହେବ ତାହା ହିଁ ବଡ଼ ପ୍ରଶ୍ନ

ନିକଟ​ରେ ଶେଷ ହୋଇଥିବା ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳରୁ ଗୋଟିଏ କଥା ଅତି ସ୍ପଷ୍ଟ ଯେ ମତଦାତା କଂଗ୍ରେସକୁ କ୍ଷମତାସୀନ କରିବାକୁ ସମ୍ପୂର୍ଣ୍ଣ ଅନିଚ୍ଛୁକ ଏବଂ କଂଗ୍ରେସ ଦଳର ‘ହାଇକମାଣ୍ଡ୍‌ ପରିବାର’ ଏ ଅପବାଦରୁ ଆଦୌ ମୁକ୍ତ ହୋଇପାରିବ ନାହିଁ ଯେ ତାଙ୍କ ଦୁର୍ବଳ ନେତୃତ୍ବ ଏ ପରାଜୟର ଏକମାତ୍ର ନହେଲେ ବି ଅନ୍ୟତମ କାରଣ ନିଶ୍ଚୟ। ରାହୁଳ ଓ ପ୍ରିୟଙ୍କା ଗାନ୍ଧୀ ସମ୍ମୁଖ ଯୋଦ୍ଧା ଭାବେ ପାଞ୍ଚଟି ରାଜ୍ୟରେ ନିର୍ବାଚନ ଲଢ଼େଇର ସେନାପତି ସାଜିଥିବାବେଳେ ଉଭୟେ ଅତି ଶୋଚନୀୟ ଭାବେ ବିଫଳ ହୋଇଥିଲେ। ଏହା କେବଳ ଚଳିତ ବର୍ଷର ନିର୍ବାଚନ ନୁହେଁ, ବରଂ ୨୦୧୪ ପରଠାରୁ ସମସ୍ତ ନିର୍ବାଚନ ସେଇ ସମାନ ବାର୍ତ୍ତା ଦେଇଛି। ଗତ ଆଠ ବର୍ଷ ମଧ୍ୟରେ କଂଗ୍ରେସ ୪୫ଟି ରାଜ୍ୟ ବିଧାନସଭା ନିର୍ବାଚନ ଭିତରୁ ୪୦ଟିରେ ପରାଜିତ ହୋଇଥିବାବେଳେ ଦୁଇଟି ସାଧାରଣ ନିର୍ବାଚନ ମଧ୍ୟ ହାରିଛି। ଗାନ୍ଧୀ ପରିବାର ଏହି ତିକ୍ତ ସତ୍ୟକୁ ସ୍ବୀକାର କରିବା ଆବଶ୍ୟକ। ସର୍ବୋପରି ସ୍ବତଃସ୍ଫୂର୍ତ୍ତ ଭାବେ ନେତୃତ୍ବର ଶୀର୍ଷ ଆସନ ରିକ୍ତ କରି ସେଥିରେ ଗାନ୍ଧୀ ପରିବାରର ସଦସ୍ୟ ବ୍ୟତିରେକ ଅନ୍ୟ ଉପଯୁକ୍ତ ନେତାଙ୍କୁ ବସାଇବା ପାଇଁ ପଥ ପ୍ରଶସ୍ତ କରିବାର ବେଳ ଉପଗତ। କଂଗ୍ରେସ ଦଳର ଶୀର୍ଷ ନେତୃତ୍ବ ସୋନିଆ ଗାନ୍ଧୀଙ୍କୁ ଅବଶ୍ୟ ଏକଥା ଅଜଣା ନ ଥିବ ଯେ ତାଙ୍କର ବଂଶବାଦୀ ରାଜନୀତି ଆଉ ଭାରତୀୟ ମତଦାତାଙ୍କ ପାଇଁ ସେପରି ଆକର୍ଷଣୀୟ ହୋଇ ରହିନାହିଁ; କିନ୍ତୁ ସେ ସମ୍ଭବତଃ ପାରିବାରିକ କ୍ଷମତାର ମୋହ ମଧ୍ୟ ଏ ପର୍ଯ୍ୟନ୍ତ ତୁଟାଇ ପାରୁନାହାନ୍ତି। ଏହା ଅବଶ୍ୟ ନିଶ୍ଚିତ ନୁହେଁ ଯେ ଗାନ୍ଧୀ ପରିବାରର ତିନି ଜଣ ସଦସ୍ୟ ଯଦି ନେତୃତ୍ବରୁ ଓହରିଯାଆନ୍ତି, ତେବେ କଂଗ୍ରେସ ଦଳ ଏକାବେଳକେ ସବୁ ନିର୍ବାଚନରେ ବିଜୟଲାଭ କରିବ, ଯେପରି ସୋନିଆ ନିକଟରେ ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକରେ ପ୍ରକାଶ କରିଥିଲେ। ତେବେ ଏଥିରେ ମଧ୍ୟ ଆଦୌ ସନ୍ଦେହର ଅବକାଶ ନାହିଁ ଯେ ଗାନ୍ଧୀ ପରିବାର କଂଗ୍ରେସ ପାଇଁ ଏକ ବୋଝ ପାଲଟିସାରିଥିବା କଂଗ୍ରେସ କର୍ମୀ ଏବଂ ମତଦାତା କ୍ରମଶଃ ଅନୁଭବ କଲେଣି। ତେଣୁ କଂଗ୍ରେସରେ ବିକଳ୍ପ ଶୀର୍ଷ ନେତୃତ୍ବର ସନ୍ଧାନ ଅନିବାର୍ଯ୍ୟ ହୋଇପଡ଼ିଛି, ଯିଏ କର୍ମୀ ଓ ଲୋକଙ୍କ ପାଇଁ ଅଧିକ ଉତ୍ତରଦାୟୀ ଏବଂ ସଦା ସୁଲଭ ହୋଇପାରିବ।

prayash

ଉଲ୍ଲେଖଯୋଗ୍ୟ ଯେ କଂଗ୍ରେସ ଦଳର କେତେକ ଅସନ୍ତୁଷ୍ଟ ନେତୃମଣ୍ଡଳୀ ଏକ ଗୋଷ୍ଠୀ କରି ଗାନ୍ଧୀ ପରିବାରର ନେତୃତ୍ବ ଉପରେ ପ୍ରଶ୍ନ ଉଠାଇଆସୁଛନ୍ତି। ଜି-୨୩ କୁହାଯାଉଥିବା ଏହି ଗୋଷ୍ଠୀଟି ନିକଟରେ ଏକ ବୈଠକରେ ସମ୍ମିଳିତ ହୋଇ କଂଗ୍ରେସ ‘ହାଇକମାଣ୍ଡ୍‌’ ଓ ତାଙ୍କ ପରିବାର ନିର୍ବାଚନ ପରାଜୟ ପାଇଁ ନିଜକୁ ଦାୟୀ କରିବା ଉଚିତ ବୋଲି କହିବା ସହ କଂଗ୍ରେସର ଉତ୍‌ଥାନ ପାଇଁ ‘ସାମୂହିକ ଏବଂ ସମାବେଶୀ ନେତୃତ୍ବ ଓ ନିଷ୍ପତ୍ତି ଗ୍ରହଣ’ କରାଯିବା ଉପରେ ଜୋର୍‌ ଦେଇଥିଲେ। ବରିଷ୍ଠ କଂଗ୍ରେସ ନେତା କପିଳ ଶିବଲ ଗାନ୍ଧୀ ପରିବାରର ନେତୃତ୍ବ ପ୍ରତି ଅନାସ୍ଥା ପ୍ରକଟ କରି କହିଥିବା କଥା ‘‘କେତେକ ଚାହୁଁଛନ୍ତି ‘ଘର୍‌ କୀ କଂଗ୍ରେସ’, ମୁଁ ଚାହେଁ ‘ସବ୍‌ କୀ କଂଗ୍ରେସ’’ ମଧ୍ୟ ଖୁବ୍ ଚର୍ଚିତ ହୋଇଥିଲା। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଉପରୋକ୍ତ ଜି-୨୩ ବୈଠକରେ କଂଗ୍ରେସ ଦଳର ଜଣେ ଲୋକପ୍ରିୟ ନେତା ଶଶି ଥରୁର ଓ ଗାନ୍ଧୀ ପରିବାର ସହ ଘନିଷ୍ଠ ସମ୍ପର୍କ ରହିଥିବା ମଣିଶଙ୍କର ଆୟାରଙ୍କ ସମେତ ଶଙ୍କର ସିଂହ ବାଘେଲା, ରାଜିନ୍ଦର କୌର ଭଟ୍ଟଲ, ପ୍ରଣୀତ କୌରଙ୍କ ପରି ନେତୃବୃନ୍ଦ ଉପସ୍ଥିତ ଥିଲେ। ଏଥିରେ ପାଞ୍ଚ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିକୁ ମଧ୍ୟ ଗୌଣ କରି ଦେଖାଯାଇପାରିବ ନାହିଁ। ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ବିଫଳତା ପାଇଁ ସେସବୁ ରାଜ୍ୟର ଦଳ ମୁଖ୍ୟଙ୍କ ଇସ୍ତଫା ମଗାଯିବାର ଔଚିତ୍ୟକୁ ନେଇ ପ୍ରଶ୍ନ ଉଠିଥିଲା ଏଇ କାରଣରୁ ଯେ ଯଦି ସେମାନେ ପରାଜୟ ପାଇଁ ଦାୟୀ, ତେବେ ନେତୃତ୍ବ ନେଇଥିବା ରାହୁଳ ଓ ପ୍ରିୟଙ୍କା ସେଥିପାଇଁ କାହିଁକି ଦୋଷୀ ହେବେ ନାହିଁ। କେବଳ କେନ୍ଦ୍ରୀୟ ନେତୃତ୍ବ ନୁହନ୍ତି, ରାଜ୍ୟଗୁଡ଼ିକରେ ଗୋଷ୍ଠୀକନ୍ଦଳ ଓ ଶୀର୍ଷ ନେତୃତ୍ବ ପ୍ରତି ଅନାସ୍ଥା ଭାବ ଯେ କଂଗ୍ରେସ ଦଳକୁ ରସାତଳକୁ ଟାଣିନେଇଛି, ତାହା କହିବା ବାହୁଲ୍ୟ ମାତ୍ର। ବର୍ତ୍ତମାନର ଆଠଜଣ ମୁଖ୍ୟମନ୍ତ୍ରୀ କଂଗ୍ରେସ ପରିତ୍ୟାଗ କରି ଅନ୍ୟ ଦଳରେ କାହିଁକି ଯୋଗ ଦେଇଥିଲେ, ଦଳ ତାହାର ସମୀକ୍ଷା କେବେ କରିଛି କି? ଏଥିରୁ ହୁଏତ ସମାଧାନର କିଛି ସୂତ୍ର ମିଳିପାରିଥା’ନ୍ତା, କିନ୍ତୁ ତାହା ସମ୍ଭବତଃ ହୋଇପାରି ନାହିଁ। କଂଗ୍ରେସର ପୁନରୁଦ୍ଧାର ପାଇଁ ଜିଲା ସ୍ତରରୁ ସଂସ୍କାର ଲୋଡ଼ା, ଯାହାକୁ କଂଗ୍ରେସ କରିବା ସ୍ଥିତିରେ ଥିବା ପରି ଜଣାପଡ଼ୁ ନାହିଁ।

ଗଣତାନ୍ତ୍ରିକ ଶାସନ ପଦ୍ଧତିରେ ଏକ ଶକ୍ତିଶାଳୀ ବିରୋଧୀ ଦଳର ଭୂମିକା ଅତୀବ ଗୁରୁତ୍ବପୂର୍ଣ୍ଣ; କିନ୍ତୁ ୨୦୧୪ରେ ଭାରତୀୟ ଜନତା ପାର୍ଟି(ବିଜେପି) ପୂର୍ଣ୍ଣ ବହୁମତରେ କ୍ଷମତାସୀନ ହେବା ପରଠାରୁ ଦେଶରେ ବିରୋଧୀ ଦଳ ନଥିବା ପରି ମନେ ହେଉଛି। କଂଗ୍ରେସ ଦଳର ଦୁର୍ବଳତା ଯେ ଏଥିପାଇଁ ଅନେକାଂଶରେ ଦାୟୀ, ଏହା କହିବା ଆଦୌ ଅତିରଞ୍ଜନ ନୁହେଁ। ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଯେଉଁ ଦଳ ଦେଶରେ ଶାସନ କରୁଥିଲା, ତାହା ଗତ ଆଠ ବର୍ଷ ଭିତରେ ବିରୋଧୀ ଦଳର ଭୂମିକାକୁ ବି ଠିକ୍‌ରୂପେ ତୁଲାଇ ନ ପାରିବା ବିଡ଼ମ୍ବନାର ବିଷୟ। କଂଗ୍ରେସ ଦଳରେ କେବଳ ନେତୃତ୍ବ ସ୍ତରରେ ପରିବର୍ତ୍ତନ ନୁହେଁ, ବୈଚାରିକ ସ୍ତରରେ ମଧ୍ୟ ଏକ ବିବର୍ତ୍ତନ ଆବଶ୍ୟକ ହେଉଛି। ଏହା କିପରି ଓ କେବେ ହେବ, ତାହା ହିଁ ସବୁଠୁ ବଡ଼ ପ୍ରଶ୍ନ।

Comments are closed.